ଭୁବନେଶ୍ବର: ବିଶ୍ବର ଚାରିଆଡେ ମେଡିସିନ୍, ମାଂସ ଓ ମଦର ଚାହିଦା ରହିଛି। ପ୍ରତ୍ୟେକ ସ୍ଥାନରେ ଏହାର ବ୍ୟବହାର ବହୁଳ। ପ୍ରଥମଟି ମନୁଷ୍ୟର ଅତ୍ୟାବଶ୍ୟକ ଜିନିଷ ହୋଇଥିବା ବେଳେ ଦ୍ବିତୀୟ ଓ ତୃତୀୟ ଜିନିଷଟି ଅନେକ ଲୋକଙ୍କ ପାଇଁ ନିହାତି ଦରକାର। ଆମ ସମାଜରେ ଏଭଳି ଲୋକ ଅଛନ୍ତି ମଦ ଓ ମାଂସ ପାଇଁ ବ୍ୟାକୁଳ ହୋଇଯାଆନ୍ତି। କିଛି ଲୋକ ଏହି ପ୍ରକାରର ଖାଦ୍ୟ ଖାଇଲେ ଖୁସି ଦେଖାଯାଆନ୍ତି। କିନ୍ତୁ ମଦ ଓ ମାଂସ ପାଇଁ ସମାଜରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହେଉଛି। ଏହାରି ପାଇଁ ଅନେକ ସ୍ଥାନରେ ପରିବାର ଉଜୁଡି ଯାଉଛି। ତେବେ ସରକାର ମଦରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଥିବାରୁ ଏହାରି ଉପରେ କଟକଣା ଲାଗୁ କରୁନାହାନ୍ତି। ଉଭୟ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତ ପାଇଁ ସରକାର ଲାଇସେନ୍ସ ପ୍ରଦାନ କରୁଛନ୍ତି।
ମେଡିସିନ, ମାଂସ ଓ ମଦ ବ୍ୟବସାୟ ହେଉଛି ଲାଭଜନକ। ଏହାକୁ ବ୍ୟବସାୟ କରି ଲୋକଙ୍କର ଜୀବନଶୈଳୀ ବଦଳି ଯାଉଛି। ଏହି ବ୍ୟବସାୟରେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲାଭ ମିଳୁଛି। ଏହାକୁ ବ୍ୟବସାୟ କରି କିଛି ଲୋକ କୋଟିପତି ମଧ୍ୟ ହେଉଛନ୍ତି। ଅପରପକ୍ଷେ ଅନେକ ଲୋକଙ୍କର ପରିବାର ମାଟି ରେ ମିଶି ଯାଉଛି। ମଦ୍ୟପାନ ଯୋଗୁଁ ବାପାକୁ ପୁଅ ଚିହ୍ନି ପାରୁନି। ମଦନିଶାରେ ମାତାଲ ହୋଇ ମା’, ପତ୍ନୀ ଓ ସନ୍ତାନକୁ ହତ୍ୟା କରିବାକୁ ପଛାଉ ନାହାନ୍ତି ପୁଅ। ସେହିପରି କ୍ଷମତାରେ ଥିବା ସରକାରୀ କର୍ମଚାରୀ ଓ ନେତାମାନେ ମଧ୍ୟ ମଦ ନିଶାରେ ନିଜର ହିତାହିତ ଜ୍ଞାନ ଭୁଲିଯାଉଥିବା ଆଜିକାଲିର ସମାଜରେ ଦୃଷ୍ଟିଗୋଚର ହେଉଛି।
ମଦପିଇ ଦିନକୁ ୬୦୦୦ ମୃତ୍ୟୁ
ମଦ୍ୟପାନ ଯୋଗୁଁ ବିଶ୍ବରେ ପ୍ରତିଦିନ ୬୦୦୦ ଲୋକ ଜୀବନ ହରାଉଛନ୍ତି। ପ୍ରତିବର୍ଷ ଭାରତରେ ୨ ଲକ୍ଷ ୬୦ ହଜାର ଲୋକଙ୍କର ପ୍ରାଣହାନୀ ଘଟୁଛି। ଏହାର କାରଣ ହେଲା ମଦ୍ୟପାନ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୮ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାଖାପାଖି ୧ ଲକ୍ଷ ମଦ୍ୟପଙ୍କ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ସେହିପରି ମଦପିଇ କର୍କଟ ରୋଗର ଶିକାର ହେଲା ପରେ ୩୦,୦୦୦ ଲୋକଙ୍କର ମୃତ୍ୟୁ ହେଉଛି। ସେହିଭଳି ମଦ୍ୟପାନ ଯୋଗୁଁ ୧ ଲକ୍ଷ ୪୦ ହଜାର ଲୋକଙ୍କ ଫୁସ୍ଫୁସ୍ ନଷ୍ଟ ହୋଇ ମୃତ୍ୟୁ ହେଉଛି। ଏତଦ୍ ବ୍ୟତୀତ ଆମଦେଶରେ ପାରିବାରିକ କହଳ କାରଣରୁ ପ୍ରତିବର୍ଷ ମଦକୁ ନେଇ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। କେବଳ ଏତିକି ନୁହେଁ, ବିଷାକ୍ତ ମଦପିଇ ମଧ୍ୟ ମୃତ୍ୟୁ ହେଉଛି।
ବିଦ୍ୟାଳୟରେ ମଦପିଇଲେ ୨ ଶିକ୍ଷକ
ବିଦ୍ୟାଳୟ ପରିସରରେ ମଦ୍ୟପାନ କରି ଗତ ୧୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ମାଟୁପାଲି ସ୍କୁଲର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ସ୍କୁଲର ପ୍ରଧାନଶିକ୍ଷକ ସଂଜିତ ଦୋରା ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଗୋବର୍ଦ୍ଧନ ଭୋଇ ଉଭୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ଶ୍ରୀ ବିଶି ଓ ଶ୍ରୀ ଦୋରା ମିଶି ବିଦ୍ୟାଳୟର କୋଠରି ଭିତରେ ନିଶା ସେବନ କରୁଥିଲେ। ମତୁଆଳ ହେବା ପରେ ସ୍କୁଲ ଭିତରେ ଭିଆଇ ଥିଲେ ଉନ୍ମତ କାଣ୍ଡ କରିଥିଲେ। ଟେବୁଲ ଉପରେ ଗୋଡ଼ ଉପରେ ଗୋଡ଼ ରଖି ଆସର ଯମାଉଥିଲେ। ସ୍କୁଲର ବାରଣ୍ଡାରେ ପରିସ୍ରା କରି ପିଲାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଏହି ଘଟଣାର ଭିଡିଓ କରି ଗାଁ ଲୋକେ ଭାଇରାଲ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଗୁରୁବାର ଦିନ ସ୍କୁଲରେ ତାଲା ଦେଇ ଆନ୍ଦୋଳନ କରଥିଲେ।
ହୋଟେଲରେ ମଦ୍ୟପାନ କରି ନିଲମ୍ବିତ
୨୦୧୯ ଜୁଲାଇ ମାସରେ ଯାଜପୁରରେ ତତ୍କାଳୀନ ଜିଲ୍ଲାପାଳ ରଂଜନ କୁମାର ଦାସ ଅଫିସ ସମୟରେ ମଦ୍ୟପାନ କରିବା ଘଟଣାରେ ୩ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ଅଫିସ ସମୟ ମଧ୍ୟରେ ଯୋଗାଣ ବିଭାଗର କର୍ମଚାରୀ ଏକ ହୋଟେଲରେ ମଦ୍ୟପାନ କରୁଥିବା ସୂଚନା ପାଇ ଜିଲାପାଳ ଅତର୍କିତ ଭାବେ ଚଢ଼ଉ କରିଥିଲେ। ହୋଟେଲରୁ ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଏକାଉଣ୍ଟାଂଟ୍ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ ଜିଲାପାଳଙ୍କ ହାତରେ ମଦ୍ୟପାନରେ ନିମଗ୍ନ ଥିବା ବେଳେ ଧରାପଡିଥିଲେ। ସରକାରୀ କର୍ମଚାରୀ ଜନସାଧାରଣଙ୍କ ସେବା ପାଇଁ ଦରମା ପାଉଥିବା ବେଳେ ଅଫିସ କାର୍ଯ୍ୟ ସମୟରେ ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜିଲାପାଳ ସୂଚନା ଦେଇ ଏହି ୩ ଜଣଙ୍କୁ ନିଲମ୍ବିତ କରିଥିଲେ।