Wednesday, December 11, 2024
Homeରାଜ୍ୟବ୍ୟାପି ପାଇପ୍‌ରୁ ଜଳ କେବେ?
Array

ରାଜ୍ୟବ୍ୟାପି ପାଇପ୍‌ରୁ ଜଳ କେବେ?

ଭୁବନେଶ୍ବର: ଲୋକଙ୍କର ପାଇଁ ରାଜ୍ୟ ସରକାର ଡ୍ରିଙ୍କ୍ ଫ୍ରମ୍ ଟେପ୍ (ପାଇପ୍‌ରୁ ଜଳ) ସୁବିଧା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଅକ୍ଟୋବର ୯ ତାରିଖ ଠାରୁ ଏହି ଯୋଜନା ଆରମ୍ଭ କରିଛନ୍ତି। ପୁରୀ ସହରରୁ ଆରମ୍ଭ ହୋଇଥିବା ଏହି ଯୋଜନା ନେଇ ରାଜ୍ୟ ସରକାର ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ସର୍ବସାଧାରଣଙ୍କୁ ପାଇପ୍ରୁ ଜଳ ଦେବା କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ବୋଲି ନବୀନ ସରକାର କହୁଥିବା ବେଳେ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଲୋକେ ପାନୀୟ ଜଳ ପାଇଁ କିଭଳି ହଟହଟା ହୋଇଥାନ୍ତି, ତାହା ଅତି ନିକଟରୁ ନଦେଖିଲେ ବିଶ୍ବାସ ହେବନାହିଁ। ରାଜ୍ୟର ସୀମାନ୍ତ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ବ୍ୟାପକ ଜଳକଷ୍ଟ ଦେଖାଯାଉଛି।  

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ୯ ତାରିଖ ଦିନ ରାଜ୍ୟର ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଜଳ ଅମୂଲ୍ୟ। ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ। ତେଣୁ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ । ଓଡିଶା ଆଜି ରୂପାନ୍ତର ପଥରେ ସଫଳତା ସହ ଆଗେଇ ଚାଲିଛି। ଫାଇଭଟି ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁ ଓଡିଶା ଏକ ମଡେଲ ହୋଇଛି। ଆମ ଜଳସାଥୀ ମା’ ମାନଙ୍କ ସଫଳତା ମଧ୍ୟ ଆଜି ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ପ୍ରେରଣାଦାୟୀ ସଫଳ କାହାଣୀ ହୋଇଛି। ସହରାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ଆମ ମିଶନ ଶକ୍ତି ସ’ ମାନେ, ଜଳସାଥୀମାନେ ବହୁତ ଭଲ କାମ କରୁଛନ୍ତି।

 ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପାଣି ଅସୁବିଧା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅଧୀନ ରେଡ୍ଡୀଦାମୋଦରପଲ୍ଲୀ ପଞ୍ଚାୟତ କମାଶାସନରେ  ପିଇବା ପାଣିର ଭାରି ଅସୁବିଧା ହେଉଛି। ଏହି କାରଣରୁ କିଛି ଦିନ ପୂର୍ବରୁ ଏହି ଗାଁର ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ୫୯ ନମ୍ବର ଜାତୀୟ ରାଜପଥ ଉପରେ ହାଣ୍ଡି ଓ ମାଠିଆ ରଖି ଅବରୋଧ କରିଥିଲେ। ଫଳରେ ପରିସ୍ଥିତି ଅଶାନ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଥିଲା। ମେଗା ଜଳ ଯୋଗାଣ ପ୍ରକଳ୍ପରେ କମାଶାସନ ଗ୍ରାମର ପ୍ରତି ଘରକୁ ପାଇପ୍ ସଂଯୋଗ କରି ପାଣି ଯୋଗାଣ ହେବ। ଗ୍ରାମରେ ବୋର୍ ୱେଲ୍ ନିର୍ମାଣ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

ଭୁବନେଶ୍ବର ଉପକଣ୍ଠରେ ଜଳକଷ୍ଟ

ରାଜଧାନୀଠାରୁ ମାତ୍ର ୧୫ କିଲୋମିଟର ଦୂର ମେଣ୍ଢାଶାଳ ପଞ୍ଚାୟତ ଅନ୍ତର୍ଗତ ବାରାପିଟା ଗାଁରେ ଲୋକଙ୍କ ପାଇଁ ପାଇପ୍ ଜଳ ସ୍ବପ୍ନ ପାଲଟିଛି। ମଶା, ମାଛି ଓ କୀଟ ଭାସୁଥିବା ଚୁଆ ଉପରେ ଏଠାକାର ଲୋକେ ନିର୍ଭର କରନ୍ତି। ଭୁବନେଶ୍ବର ନିକଟ ରଣସିଂପୁର, ତମାଣ୍ଡୋ ନୂଆସାହି ଭଳି ଗାଁକୁ ମଧ୍ୟ ପାଇପ୍ ଜଳ ଯୋଗାଣ ହୋଇନାହିଁ। ଚୁଡ଼ଙ୍ଗ, ଭାଲୁଙ୍କ ଭଳି ଅନେକ ଗାଁ ମଧ୍ୟ ପାଇପ୍ ଜଳ ପାଇବାରୁ ବଞ୍ଚିତ। ଏସବୁ ଅଞ୍ଚଳର ଅଧିବାସୀମାନେ କୂଅ, ପୋଖରୀ ଓ ଚୁଆର ଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। କିନ୍ତୁ ଏବେ ମେଗା ଜଳ ଯୋଗାଣ ପ୍ରକଳ୍ପରେ ପାଇପ୍ ଯୋଗେ ସେହି ଅଞ୍ଚଳକୁ ସିଧାସଳଖ ଜଳ ଯୋଗାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ବୋଲି ଆର୍ଡବ୍ଲୁଏସ୍ଏସ୍ ପକ୍ଷରୁ କୁହାଯାଇଛି। ଏଥିରେ ଭୁବନେଶ୍ବର ବ୍ଲକ୍ର ୨୦ ପଞ୍ଚାୟତର ୮୭ଟି ଗାଁର ୯୧ ହଜାର ଲୋକେ ଉପକୃତ ହେବେ ବୋଲି ଆଶା କରାଯାଉଛି।  

କନ୍ଧମାଳରେ ଆହୁରି ଦୁର୍ଦ୍ଦଶା

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ପାର୍କାଡ଼ି ଗ୍ରାମବାସୀଙ୍କ ଜଳ କଷ୍ଟ କହିଲେ ନସରେ। ଏଠାକାର ଲୋକେ ସମସ୍ତ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି। ସମୁଦ୍ର ପତନଠାରୁ ୨ ହଜାର ଫୁଟ ଉଚ୍ଚତାରେ ପାହାଡ଼ ଉପରେ ଥିବା ଗାଁଟି କନ୍ଧମାଳ ଫୁଲବାଣୀଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଏବଂ ଫିରିଙ୍ଗିଆ ବ୍ଲକ ସଦର ମହକୁମାଠାରୁ ୯୦ କିଲୋମିଟର ଦୂରରେ ରହିଛି। ଲୁଇସିଂ ଠାରୁ ଏହି ଗାଁକୁ ରାସ୍ତା ନାହିଁ। ପଞ୍ଚାୟତ ସଦର ମହକୁମା ଠାରୁ ଏହି ଗାଁର ଦୂରତା ୧୨ କିମି ବୋଲି ଜଣାପଡ଼ିଛି। ପାହାଡ଼ ଉପରେ ଥିବା ପାର୍କାଡ଼ିରେ ବିକ୍ଷିପ୍ତ ଭାବେ ୨୫ ପରିବାର କନ୍ଧ ସମ୍ପ୍ରଦାୟର ଆଦିବାସୀ ବାସ କରନ୍ତି। ଗାଁର ଲୋକ ସଂଖ୍ୟା ୧୫୦। ଦୁର୍ଭାଗ୍ୟର କଥା ହେଲା, ଗାଁରେ ନଳକୂପ କିମ୍ବା କୂଅ ନାହିଁ। ଫଳରେ ପିଇବା ପାଣି ଟୋପାଏ ପାଇଁ ଗାଁର ମହିଳାମାନେ ୩ କିଲୋମିଟର ଦୂର ଏକ ଜଙ୍ଗଲୀ ନାଳ ରାବି ମାଉଲିରୁ ପିଇବା ପାଣି ସଂଗ୍ରହ କରିଥାନ୍ତି।

ବର୍ଷ ବର୍ଷ ଧରି ଅପରିଷ୍କାର ପିଉଥିଲେ ଆଦିବାସୀ

କେନ୍ଦୁଝର ଜିଲ୍ଲା ବାଂଶଡ଼ା ବ୍ଲକ ଅଧିନଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗ ସାହିରେ ପ୍ରାୟ ଶହେ ପରିବାରର ୬୦୦ ଜୁଆଙ୍ଗ ବାସ କରୁଛନ୍ତି। ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇବା ପାଇଁ ଗ୍ରାମରେ ଏକ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ରହିଛି। ଗଭୀର ନଳକୂପରୁ ପାଣି ଓଭରହେଡ୍‌ ଟାଙ୍କିକୁ ଉଠାଯିବା ପରେ ଷ୍ଟାଣ୍ଡପୋଷ୍ଟ୍‌ ମାଧ୍ୟମରେ ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି। ବର୍ଷବର୍ଷ ଧରି ଓଭରହେଡ୍‌ ପାଣିଟାଙ୍କି ସଫା ହୋଇନାହିଁ। ଫଳରେ ପାଣିରେ ପୋକ ସାଲୁବାଲୁ ହେଉଥିବା ଗ୍ରାମବାସୀ କହିଛନ୍ତି। ଏହି ପାଣିକୁ ସେମାନେ ବ୍ୟବହାର କରୁନାହାନ୍ତି। ଗ୍ରାମର ମହିଳାମାନେ ଗାଁଠାରୁ ତିନିଶହ ମିଟର ଦୂର ପାହାଡ଼ ତ‌ଳ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ଏହି ଦୂଷିତ ଚୁଆପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ପ୍ରଶାସନ ପକ୍ଷରୁ ଜୁଆଙ୍ଗ ସାହିରେ ୧୧ଜଣଙ୍କ ମୃତ୍ୟୁର କାରଣ ଖୋଜିବା ବେଳେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ପରୀକ୍ଷା ପାଇଁ ଜଳ ନମୁନା ବି ସଂଗ୍ରହ କରାଯାଇଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments