ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କେମିତ ଚାଲିଛି? ରାଜ୍ୟବାସୀ କେତେ ସୁଖରେ ଅଛନ୍ତି । ରାଜନେତା ଓ ସରକାର ଲୋକଙ୍କ ପାଇଁ କ’ଣ କରୁଛନ୍ତି? ଅଳ୍ପ କିଛି ବର୍ଷ ପୂର୍ବରୁ ଯାହା ପାଖରେ ସାଧାରଣ ବାଇକଟିଏ ଥିଲା, ତାହା ପାଖରେ ଆଜି ଦାମୀ କାର, ବିଳାସମୟ ଘର ଓ କୋଟିକୋଟି ବ୍ୟାଙ୍କ ବାଲାନ୍ସ ରହିଛି । ମହିଳା ଘରୁ ଏକାକୀ ବାହାରିବା ସୁରକ୍ଷିତ ମନେ କରୁନାହାନ୍ତି । ଚୋରି, ଡକାୟତି, ହିଂସା ଆଦି ବଢ଼ିଚାଲିଛି । ଚାଷୀର ଖେତକୁ ପାଣି ନାହିଁ, ରୋଜଗାର ଅଭାବ କାରଣରୁ ଓଡ଼ିଆ ଯୁବକ ବାହାରକୁ ପଳାୟନ କରୁଛନ୍ତି । ଏବାଦରେ ସମସ୍ତେ ଜାଣିଛନ୍ତି । କିନ୍ତୁ ଏହାରି ମଧ୍ୟରେ ବିଧାନସଭାର ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ, ଯେଉଁଥି ପାଇଁ ପୁଞ୍ଜିନିବେଶ ଆସୁଛି । କାରଣ ରାଜ୍ୟରେ ପୁଞ୍ଜିନିବେଶ ସେହି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିର ପ୍ରତିଫଳନ କରିଥାଏ ।
ଗୃହରେ ଗତ ୨୧ ତାରିଖ ଦିନ ଗୃହ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ନେଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଯାଇଥିବା ନେଇ ବିରୋଧୀମାନେ ଯେତେବେଳେ ଅଭିଯୋଗ ଆଣିଲେ, ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶର ସର୍ବାଧିକ ପୁଞ୍ଜିନିବେଶ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଯଦି ଏଠାରେ ଆଇନଶୃଙ୍ଖଳା ପରିସ୍ଥିତି ଅନୁକୂଳ ନଥାନ୍ତା, ତାହେଲେ ପ୍ରତିବର୍ଷ ରେକର୍ଡ ଶିଳ୍ପ ଉତ୍ପାଦନ ଏବଂ କୃଷି ଉତ୍ପାଦନ ହୋଇପାରନ୍ତା ନାହିଁ । ଆଜି ଓଡ଼ିଶା ବିକାଶ କରୁଛି । ମୁଁ ଓଡ଼ିଶାବାସୀଙ୍କ ପାଇଁ ଗର୍ବିତ । ରାଜ୍ୟରେ ଆଇନଶୃଙ୍ଖଳା ନାହିଁ କହିଁ ଆପଣମାନେ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି । ଶାନ୍ତିପ୍ରିୟ ଓଡ଼ିଶାବାସୀ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।
ଭକ୍ତ ଚାହାନ୍ତି ଶାନ୍ତିପୂର୍ଣ୍ଣ ରଥଯାତ୍ରା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଆଇନଶୃଙ୍ଖଳା ଠିକ୍ ନଥିଲେ ରଥଯାତ୍ରା, ହକି ବିଶ୍ୱକପ, ନିର୍ବାଚନ ଓ ପରୀକ୍ଷା ସୁଚାରୁରୂପେ ପରିଚାଳିତ ହୋଇପନ୍ତା ନାହିଁ । ରଥଯାତ୍ରା ଓ ହକି ବିଶ୍ୱକପ ସହିତ ନିର୍ବାଚନ ଓ ପରୀକ୍ଷାକୁ ତୁଳନା କରିବା ଯୁକ୍ତିଯୁକ୍ତ ନୁହେଁ । କାରଣ ରଥଯାତ୍ରା ଏକ ଧାର୍ମିକ କାମ । ଭଗବାନ ଜଗନ୍ନାଥଙ୍କୁ ସମସ୍ତେ ଭଲ ପାଆନ୍ତି, ଯେଉଁଥି ପାଇଁ ବ୍ୟକ୍ତିଗତ ଭାବେ ରଥଯାତ୍ରାକୁ ସମ୍ମାନ ଜଣାଇ ଶାନ୍ତିଶୃଙ୍ଖଳା ପାଇଁ ଉଦ୍ୟମ କରନ୍ତି ।
ହକିରେ ୧୫୦୦ କୋଟି ଖର୍ଚ୍ଚ!
ହକି, ନିର୍ବାଚନ ଓ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିବୃତି ଆଶ୍ଚର୍ଯ୍ୟ ଲାଗେ । ହକି ଯଦିଓ ଆମର ରାଷ୍ଟ୍ରୀୟ ଖେଳ, ତଥାପି ଏହି କ୍ରୀଡ଼ା ଯେଉଁଭଳି ଭାବରେ ଲୋକପ୍ରିୟତା ଅର୍ଜନ କରିବା କଥା ତାହା କରିପାରି ନାହିଁ । ହକିର ଲୋକପ୍ରିୟତା ବଢ଼ାଇ ପାଇଁ ରାଜ୍ୟ ସରକାର ଏହାର ପ୍ରାୟୋଜକ ଅଛନ୍ତି । ୨୦୧୮ ହକି ବିଶ୍ୱକପରେ ରାଜ୍ୟ ସରକାର ଏଥି ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବେଳେ ୨୦୨୩ରେ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏକ ଗରିବ ରାଜ୍ୟରେ ହଜାର ହଜାର କୋଟି ଟଙ୍କା ଗୋଟିଏ କ୍ରୀଡ଼ା ପାଇଁ ଖର୍ଚ୍ଚ କେତେ ଆବଶ୍ୟକତା ଅଛି, ତାହା ସେହିମାନଙ୍କୁ ଖୁସିଲାଗିବ କି, ଯେଉଁ ପରିବାରର ସଦସ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଦମନ, ଗୁଜରାଟରେ ଦାଦନ ଖଟୁଛି । ଆଉଗୋଟେ କଥା ହେଲା ପଞ୍ଚାୟତସ୍ତରରେ ହକି ମ୍ୟାଚ ଦେଖାଇବା ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ୩୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ । ଏହି ଟଙ୍କା କେମିତି ବ୍ୟବହାର ହେଲା, ମୁଖ୍ୟମନ୍ତ୍ରୀ ଆଉ ଜାଣିବାକୁ ଉଦ୍ୟମ କରିଥିଲେ କି?
ନିର୍ବାଚନ ପ୍ରକ୍ରିୟା
ମୁଖ୍ୟମନ୍ତ୍ରୀ ତାଙ୍କର ବିବୃତ୍ତିରେ କହିଥିଲେ ଯେ, ନିର୍ବାଚନ ପ୍ରକ୍ରିୟାରେ ପୂର୍ଣ୍ଣ ସଂସ୍କାର ଅଣାଯାଉଛି । ଯଦି ଏହା ସତ, ତା’ହେଲେ ଜଣେ ସରପଞ୍ଚଙ୍କ ନିର୍ବାଚନ ଜିତିବା ପାଇଁ କାହିଁକି ଅତିକମରେ ୨୦ ଲକ୍ଷ ଟଙ୍କା ଦରକାର ପଡୁଛି । ନିର୍ବାଚନ ସମୟରେ ହିଂସା କାହିଁକି ଘଟୁଛି । ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ କାହିଁକି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି । ନିକଟରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଶେଷ ହୋଇଛି । ପରୀକ୍ଷା ଦିନ ପ୍ରତିଦିନ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଏକଥା ବି ମୁଖ୍ୟମନ୍ତ୍ରୀଙ୍କୁ ଜଣାନାହିଁ । କାରଣ ମୁଖ୍ୟମନ୍ତ୍ରୀ ନିଜେ ବିନା ସୁରକ୍ଷାକର୍ମୀଙ୍କ ସହାୟତାରେ ତୃଣମୂଳସ୍ତରକୁ ଯାଇ ବିକାଶର ସମୀକ୍ଷା କରନ୍ତି ନାହିଁ । ଅଧିକାରୀମାନେ ତାଙ୍କୁ ଯାହା କୁହନ୍ତି, ତାହା ହିଁ ସତ ବୋଲି ଭାବିନିଅନ୍ତି । ଅନ୍ୟପଟରେ ଆମରାଜ୍ୟର ଲୋକେ ଶାନ୍ତିପ୍ରିୟ ହୋଇଥିବାରୁ କେବଳ ନିଜର ଚିନ୍ତା କରନ୍ତି । ସାମଗ୍ରିକ ବିକାଶ ଚିନ୍ତା କରୁନଥିବାରୁ ନିର୍ବାଚନ ପ୍ରକ୍ରିୟାରେ ଠିକ୍ରେ ଅଂଶଗ୍ରହଣ କରନ୍ତି ନାହିଁ । ଉପଯୁକ୍ତ ନେତାଙ୍କୁ ଚୟନ କରିପାରନ୍ତି ନାହିଁ ।
ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ
ଦୀର୍ଘ ୨୩ ବର୍ଷ ଧରି ଗୋଟିଏ ଦଳ ଓଡ଼ିଶାକୁ ଶାସନ କରିବା ମଧ୍ୟରେ ରାଜ୍ୟରେ ଘୋର ଦୁର୍ନୀତି ବଢ଼ିଚାଲିଛି । ବାବୁମାନେ ନିଜକୁ ସର୍ବେସର୍ବା ମନେକରନ୍ତି । ସାଧାରଣ ଲୋକଙ୍କର ଭାଗ୍ୟ କିନ୍ତୁ ବଦଳେ ନାହିଁ । କେନ୍ଦ୍ରର ଅର୍ଥରେ ମାଗଣାରେ ଚାଉଳ ୫କିଲୋ ଦେଇଦେଲେ ଗରିବୀ ହଟିବ ନାହିଁ । ଗରିବୀ ହଟାଇବାକୁ ହେଲେ, ସେହିଭଳି ଭିତ୍ତିଭୂମିର ଆବଶ୍ୟକତା ରହିଛି । ସର୍ବପ୍ରଥମେ ଚାଷୀର ବିଲକୁ ପାଣି, ବେରୋଜଗାର ଯୁବକଙ୍କୁ ବିଭିନ୍ନ ମାଧ୍ୟମରେ ନିଯୁକ୍ତି ଦରକାର । କେବଳ ଭାଷଣବାଜୀରେ ଓଡ଼ିଶା ୧ ନମ୍ବର ରାଜ୍ୟ କହିଲେ, ଆମେ ୧ ନମ୍ବର ହୋଇପାରିବା କି?