Wednesday, July 24, 2024
Homeରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ିଚାଲିଛି ହିଂସା
Array

ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ିଚାଲିଛି ହିଂସା

ଭୁ‌ବନେଶ୍ବର:  ଭୁବନେଶ୍ୱର: ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି। ମହିଳା ଏକାକୀ ଘରୁ ବାହାରକୁ ଯିବାକୁ ସାହାସ କରିପାରୁ ନାହିଁ। ସରକାରଙ୍କ ବିଫଳତା ହେଉ ଅଥବା ପୋଲିସର ସ୍ଥାଣୁତା ହେଉ ଅଥବା ପୁରୁଷ ସମାଜର ମାନସିକତାରେ ପରିବର୍ତ୍ତନର ଅଭବା ହେଉ ଜଣେ ଯୁବତୀ ଯେତେବେଳେ ଘରୁ ବାହାରକୁ ଏକାକୀ ଯାଉଛି, ସେ ପ୍ରଥମେ ନିଜର ସୁରକ୍ଷା ନେଇ ଅନେକ କଥା ଭାବିବାକୁ ପଡୁଛି। ଏହାର କାରଣ ହେଲା ରାଜ୍ୟରେ ମହିଳା ପ୍ରତି ହିଂସା, ନିର୍ଯାତନା, ଦୁଷ୍କର୍ମ, ଅପହରଣ, ଅସଦାଚାରଣ ଭଳି ଅଘଟଣ ପ୍ରାୟ ଅଧିକାଂଶ ଦିନରେ ଦେଖିବାକୁ ମିଳୁଛି। ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ।

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଏହି ମାମଲା ଏବେ ଜାତୀୟ ମାନବାଧିକାର କମିସନ ପର୍ଯ୍ୟନ୍ତ ପହଂଚିଛି। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସବୁଆଡେ ଆଲୋଚନା ହେଉଛି। ସେହିପରି ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ମମିିତା ମେହେରଙ୍କ ହତ୍ୟାକୁ ନେଇ ସମାଲୋଚନା କରୁଛନ୍ତି। ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ଗିରଫ ହୋଇଥିବା ବେଳେ ରାଜ୍ୟ ସରକାର କହିଛନ୍ତି ଘଟଣାର ତଦନ୍ତ ଜାରି ରହିଛି ଏବଂ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ।

ଏକାଧିକ ଚର୍ଚ୍ଚିତ ଘଟଣା

ରାଜ୍ୟରେ ବିଗତ ଦିନରେ ଏକାଧିକ ଯୁବତୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁଲି, ରାୟଗଡ଼ା ଜିଲ୍ଲା   ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ, ପୁରୀ ଜିଲ୍ଲା ପିପିଲି ଅର୍ଜୁନଗୋଦା ଗାଁର ବେବିନା, ବ୍ରହ୍ମଗିରି ଅଂଚଳର ବହୁଚର୍ଚ୍ଚିତ ଆୟୁର୍ବେଦିକ ଡାକ୍ତର ମାଧବୀଲତା, ଯାଜପୁର ଜିଲ୍ଲା ହରିଦାସପୁର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳ ଘଟଣା ଯଦିଓ ଚର୍ଚ୍ଚାକୁ ଆସିଛି, ଆହୁରି ଶତାଧିକ ଘଟଣା ଚାପି ହୋଇ ରହିଯାଉଛି। ରାଜ୍ୟରେ ଆଇନ କାନୁନର ବ୍ୟବସ୍ଥା ମଜବୁତ ନଥିବାରୁ ମହିଳାମାନଙ୍କ ପାଇଁ ବିପଦ ବଢ଼ିବାରେ ଲାଗିଛି।

ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ

ଚଳିତ ମାସ ୨୨ ତାରଖି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମଇଦାନକେଲରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ଏଯାଏଁ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ମଇଦାନକେଲ ଅଞ୍ଚଳର ଜଣେ ଯୁବତୀ ଲକ୍ଷ୍ମୀପୂଜା ଭସାଣି ଦେଖିବାକୁ ଯାଇଥିଲେ। ଭସାଣି ଦେଖିବା ପରେ ଶୌଚ ହେବାକୁ ନିଜଘର ବାଡ଼ିକୁ ଯାଇଥିଲେ। ଏହି ସମୟରେ ଦୁଇ ଅଭିଯୁକ୍ତ ସଂଜୟ ମୁଣ୍ଡା ଏବଂ ସିପୁନ ମହାନ୍ତ ତାଙ୍କୁ ଟେକି ନେଇ ଓଣିରେ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ। ସେହିପରି ଏକତରଫା ପ୍ରେମରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ମା’ଙ୍କୁ ତଣ୍ଟିଚିପି ହତ୍ୟା କରିଛି ଜଣେ ଯୁବକ। ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଆଙ୍କଲପଡ଼ା ଗାଁର ସନାତନ ନାଏକଙ୍କ ସ୍ତ୍ରୀ ହୀରାମଣି (୫୫)ଙ୍କ ମୃତ୍ୟୁ ଘଟଣାରେ ପୋଲିସ ପଂଚାନନ ନାଏକ (୨୭)କୁ ଗିରଫ କରିଛି।  

ପୋଖରୀରୁ ନାବାଳିକାର ମୃତଦେହ ଠାବ

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଳଦିଆଗୁଣା ଅଂଚଳରେ ଜଣେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଛି। ଏହା ପରେ ମନୁଷ୍ୟ ରୂପି ରାକ୍ଷସମାନେ ଯୁବତୀର ଗ‌ୋଡହାତ ବାନ୍ଧି ପୋଖରୀରେ ଫିଙ୍ଗିଦେଇଛନ୍ତି। ଘଟଣା ଦିନ ନାବାଳିକା ନିଜ ମା’ ସହିତ ନାବଳିକା ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲା। ଏହି ସମୟରେ ଝିଅ କିନ୍ତୁ ହଠାତ ନିଖୋଜ ହୋଇଯାଇଥିଲା। ଝିଅ ନିଖୋଜ ହେବା ପରେ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିଥିଲେ ଓ ପରେ ଥାନାରେ ଏତଲା ଦେଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments