Monday, September 9, 2024
Homeରାଜ୍ୟରେ ୫ଦିନରେ ୩ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
Array

ରାଜ୍ୟରେ ୫ଦିନରେ ୩ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ମାତ୍ର ୫ ଦିନ ଭିତରେ ରାଜ୍ୟର ୩ଟି ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ଘଟିଛି। ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିଲା ଏହି ଦୁର୍ଘଟଣା, ଯାହାକି କେବଳ ବର୍ତ୍ତମାନର ଜନତା ନୁହେଁ, ବରଂ ଅନେକ ଦଶନ୍ଧି ଯାଏଁ ବିଶ୍ବବାସୀ ମନେ ରଖିବେ। ଜୁନ୍ ୫ ତାରିଖରେ ବରଗଡ଼ରେ ମାଲଗାଡ଼ି ଲାଇନ୍ଚ୍ୟୁତ ହୋଇଥିବା ବେଳେ ଦିନକ ପରେ ପୁଣି ବ୍ରହ୍ମପୁର ରେଳ ଷ୍ଟେସନରେ ସିକନ୍ଦରାବାଦ୍-ଅଗରତଲା ଏକ୍ସପ୍ରେସ୍ ଟ୍ରେନ୍ର ଏସି କୋଚରେ ନିଆଁ ଲାଗିଛି। ଏସବୁ ଦୃଶ୍ୟଗୁଡ଼ିକ ଦେଖିଲା ପରେ ଟ୍ରେନ୍ରେ ଯିବାକୁ ସାହାସ ହେଉ ନାହିଁ। ତଥାପି ସୁବିଧା ହେଉ ଅଥବା ପରିସ୍ଥିତିରେ ପଡ଼ି ଲୋକଙ୍କୁ ଏକ ସଂକଟ ଭିତରେ ଟ୍ରେନ୍ରେ ଯିବାକୁ ପଡୁଛି।

ଦୁଇବର୍ଷ ପୂର୍ବରୁ କୋଭିଡ-୧୯ ସାରା ବିଶ୍ବବାସୀଙ୍କୁ କୋଭିଡ-୧୯ ଚିନ୍ତାରେ ପକାଇ ଦେଇଥିଲା। ସେହି ସମୟରେ ମଧ୍ୟ ବାହାନଗବାସୀ ଏତେ ଭୟଭୀତ ହୋଇ ନଥିଲେ, ଯେତିକି କରମଣ୍ଡଳ ଏକ୍ସପ୍ରେସ, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ ଏବଂ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ଯୋଗୁଁ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁକୁ ନେଇ ଚିନ୍ତିତ ଥିଲେ। ଆଖି ଆଗରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛଟପଟ ହୋଇ ମରିଯାଉଥିବା ଦୃଶ୍ୟ ବୋଧେ ଏମିତି ଆଉ ଦେଖିବାକୁ ନପଡୁ ଏହା ସମସ୍ତେ ଚିନ୍ତା କରୁଛନ୍ତି। ବାହାନଗରେ ଯେଭଳି ଭାବେ ଟ୍ରେନ୍ ଦୁର୍ଘଟଣା ଘଟିଲା, ପରିସ୍ଥିତି ଦେଖି ଲୋକ ଟାଙ୍କୁରି ଉଠିଥିଲା। ସେଠାକାର ପରିସ୍ଥିତି ଭୟଙ୍କର ଥିଲା। ଛାତି ଥରା ଦୃଶ୍ୟ ଥିଲା। ଏହି ଘଟଣାକୁ ଯେଉଁମାନେ ଦେଖିଛନ୍ତି, ତାଙ୍କ ଆଖିରୁ ଲୁହ ବାହାରି ଯାଉଛି। ଆଉ ଯେଉଁମାନଙ୍କର ପରିବାରର ସଦସ୍ୟ ଏହାକୁ ସାମ୍ନା କରିଛନ୍ତି, ସେମାନଙ୍କର ଅବସ୍ଥା ଅବର୍ଣ୍ଣନୀୟ।  

ବାହାନଗା ଦୁର୍ଘଟଣା: ୨୮୮ ମୃତ

ବାହାନଗାରେ ଟ୍ରେନ୍ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ନେଇ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।   ଏପର୍ଯ୍ୟନ୍ତ ୨୦୫ଟି ମୃତଦେହ ଚିହ୍ନଟ ହୋଇଛି। କିନ୍ତୁ ଆହୁରି ୮୩ଟି ମୃତଦେହ ଚିହ୍ନଟ କରାଯାଇପାରି ନାହିଁ। ତେଣୁ ସେଗୁଡ଼ିକର ଡିଏନ୍ଏ ନମୁନା ରଖାଯାଇଛି। ଦିଲ୍ଲୀରେ ଏଗୁଡ଼ିକର ଡିଏନ୍ଏ ନମୁନା ପରୀକ୍ଷା ହେବ। ଅଚିହ୍ନା ଏବଂ ଦ୍ଵନ୍ଦ ସୃଷ୍ଟି କରୁଥିବା ମୃତଦେହର ଅଗ୍ରାଧିକାର ଅନୁସାରେ ଡିଏନ୍ଏ ଟେଷ୍ଟ କରାଯିବ। ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ।

ସହାୟତା ରାଶି ପ୍ରଦାନ

ଭାରତୀୟ ରେଳବାଇ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କ ପରିବାରକୁ ୫ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଏତଦ୍ ବ୍ୟତୀତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶା ସରକାର ୩୯ଟି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବେ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ୯୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଂଜୁର କରିଛନ୍ତି। ସେହିପରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ସରକାର ମଧ୍ୟ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦେବେ।  

ଏକ୍ସପ୍ରେସ୍ ଟ୍ରେନ୍ରେ ଲାଗିଲା ନିଆଁ

ବ୍ରହ୍ମପୁର ରେଳ ଷ୍ଟେସନରେ ମଙ୍ଗଳବାର ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସ୍ ଟ୍ରେନ୍ର ବି-୫ରେ ଧୂଆଁ ଦେଖିବାକୁ ମିଳିଥିଲା। ଏହି ଧୂଆଁ ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ। ସେମାନେ ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ। ପରେ ତତକ୍ଷଣାତ୍ ରେଳବାଇ କର୍ମଚାରୀମାନେ ଆସି ଧୂଆଁକୁ ନିର୍ବାପିତ କରିଥିଲେ। କିନ୍ତୁ ଏହି ଘଟଣା ପରେ ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସ୍ରେ ଯାତ୍ରା କରିବାକୁ ଅମଙ୍ଗ ହୋଇ ଯାଇଥିଲେ। ଏନେଇ ରେଳବାଇ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ୪୫ ମିନିଟ ଧରି ବ୍ରହ୍ମପୁର ଷ୍ଟେସନରେ ଟ୍ରେନ୍ଟି ଅଟକିଥିଲା। ପରେ ପୁଣି ଗନ୍ତବ୍ୟ ପଥରେ ଗଡ଼ିଥିଲା।  

ଚୂନପଥର ବୋଝେଇ ଟ୍ରେନ୍ ଲାଇନ୍ଚ୍ୟୁତ

ସେହିପରି ସୋମବାର ଦିନ ବରଗଡ଼ସ୍ଥିତ ଏକ ସିମେଣ୍ଟ କାରଖାନାରୁ ଚୂନପଥର ବୋଝେଇ ଟ୍ରେନ୍ ସମ୍ବରଧରା ନିକଟରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଟ୍ରେନ୍ ଚାଳକ ସୁରକ୍ଷିତ ଥିଲେ। ଡୁଙ୍ଗୁରି ଖଣିରୁ ବରଗଡ଼ସ୍ଥିତ କାରଖାନାକୁ ଚୂନପଥର ବୋଝେଇ ଆସୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଉପରୋକ୍ତ ଦୁର୍ଘଟଣାଗୁଡ଼ିକ ସଂପର୍କରେ ଅବଗତ ହେଲା ପରେ ଟ୍ରେନ୍ରେ ଯାତ୍ରା କରିବା ସମସ୍ତଙ୍କର ସାହାସ ହେବ ନାହିଁ। ଦ୍ରୁତଗତିରେ ଯାଉଥିବା ଟ୍ରେନ୍ ଯାତ୍ରା ସମୟରେ କେତେବେଳେ କ’ଣ ହେବ, ତାହା କେହି କହିପାରିବେ ନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments