ଭୁବନେଶ୍ବର: ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମି ଉପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ସଂଘର୍ଷ ଜାରି ରହିଥିଲା, ଏହାକୁ ନେଇ ଭକ୍ତମାନଙ୍କ ମନରେ ହସ ଦେଖିବାକୁ ମିଳୁଛି। ରାମଲଲାଙ୍କ ମନ୍ଦିର ନିର୍ମାଣ କାମ ଜାରି ରହିଛି। ସମ୍ଭବତଃ ଆଗାମୀ ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହୋଇଯାଇପାରେ। କିନ୍ତୁ ଏହା ପୂର୍ବରୁ ୨୦୨୪ ଜାନୁଆରି ୨୨ ତାରିଖରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଯାଇଛି। ରାମଲଲା ବିରାଜମାନ କରିଛନ୍ତି। ମନ୍ଦିରକୁ ଅନ୍ତିମ ରୂପ ଦେବା ପାଇଁ ଦିନ-ରାତି କାମ ଚାଲିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଦେଶବ୍ୟାପି ଲକ୍ଷାଧିକ ଅତିଥି ଯୋଗଦେଇଛନ୍ତି। ଦେଶର ଜଣାଶୁଣା ବ୍ୟକ୍ତି ବିଶେଷଙ୍କ ସମେତ ସାଧୁ-ସନ୍ଥମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ରାମଲଲା ପ୍ରାଣପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମ ସଂପନ୍ନ ହେଲା ପରେ ସାଧାରଣ ଶ୍ରଦ୍ଧାଳୁ ଭବ୍ୟ ଏବଂ ଐତିହାସିକ ରାମ ମନ୍ଦିର ଦର୍ଶନ କରିପାରିବେ।
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବା ଭିତରେ ଏକାଧିକ ସଂଘର୍ଷର କାହାଣୀ ରହିଛି। ବିଶ୍ବ ହିନ୍ଦୁ ପରିଷଦର ଲଗାତାର ଉଦ୍ୟମ ଏହି ମନ୍ଦିର ନିର୍ମାଣ ପାଇଁ ଶ୍ରେୟର ଅଧିକାର ଯିବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାକୁ ମଧ୍ୟ ଭୁଲି ହେବ ନାହିଁ। ଉତ୍ତରପ୍ରଦେଶ ସରକାର ଓ ଦେଶର ହିନ୍ଦୁ ସଂଗଠନଗୁଡ଼ିକର ମଧ୍ୟ ବଡ଼ ଅବଦାନ ରହିଛି। ଭାରତ ବ୍ୟତୀତ ବିଦେଶରୁ ମଧ୍ୟ ରାମମନ୍ଦିରକୁ ବିପୁଳ ସମର୍ଥନ ମିଳୁଛି। ଅଯୋଧ୍ୟାକୁ ଦେଶ ବିଦେଶରୁ ପ୍ରଭୁ ରାମଙ୍କ ପାଇଁ ବିରଳ ଉପହାର ଆସୁଛି।
ରାମ ଜନ୍ମଭୂମି ଉପରେ ବାବ୍ରି ମସଜିଦ ନିର୍ମାଣ
ରାମ ଜନ୍ମଭୂମି ଉପରେ ୧୫୨୮ ମସିହାରେ ବାବ୍ରି ମସଜିଦ ନିର୍ମାଣ ହୋଇଥିଲା। ମୋଗଲ ସମ୍ରାଟ କମାଣ୍ଡର ମୀର ବାକି ଏହି କାମ କରିଥିଲେ। ମୀର ବାକି ଏହାର ନାମ ବାବ୍ରି ରଖିଥିଲେ। ସେହି ସମୟରେ ମୋଗଲମାନଙ୍କର ପ୍ରଭାବ ଏତେ ଥିଲା ଯେ, ହିନ୍ଦୁମାନେ ବିରୋଧ କରିପାରି ନଥିଲେ। ମୋଗଲ ସାମ୍ରାଜ୍ୟ ପତ୍ତନ ପରେ ଭାରତକୁ ଇଂରେଜ ମାନେ ଅକ୍ତିଆର କରିଥିଲେ। ୧୮୮୫ ମସିହାରେ ରାମମନ୍ଦିର ମାମଲା ଅଦାଲତରେ ପହଞ୍ଚି ଥିଲା। ମହନ୍ତ ରଘୁବରଦାସ ତତ୍କାଳୀନ ଫୈଜାବାଦ ଅଦାଲତରେ ବାବ୍ରି ମସଜିଦ ସନ୍ମିକଟ ରାମ ମନ୍ଦିର ନିର୍ମାଣର ଅନୁମତି ପାଇଁ ଆବେଦନ କରିଥିଲେ। ୧୯୪୯ ମସିହାର ଘଟଣା। ବିବାଦୀୟ ଭିତ୍ତିଭୂମି ଭିତରୁ ରାମଲଲାଙ୍କ ମୂର୍ତ୍ତି ବାହାରିଥିଲା। ଏହା ପରେ ସେଠାରେ ଲୋକେ ପୂଜାର୍ଚ୍ଚନା କରିଥିଲେ। ୧୯୫୦ ମମିହାରେ ଗୋପାଳ ସିଂହ ବିଷାରଦ ଫୈଜାବାଦ କୋର୍ଟରେ ମୋକଦ୍ଦମା ଦାୟର କରି ପୂଜା କରିବାର ଅଧିକାର ଦାବି କରିଥିଲେ। ଏହି ମାମଲା ପରେ ହିନ୍ଦୁମାନଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଅଧିକାର ମିଳିଥିଲା।
୧୯୫୦ରେ କୋର୍ଟରେ ମୋକଦ୍ଦମା
ସେହିବର୍ଷ ପରମହଂସ ରାମଚନ୍ଦ୍ର ଦାସ ପୂଜା ଓ ମୂର୍ତ୍ତିକୁ ରଖିବା ପାଇଁ ଫୈଜାବାଦ କୋର୍ଟରେ ମୋକଦ୍ଦମା କରିଥିଲେ। ପରମହଂସଙ୍କ ଏହି ପଦକ୍ଷେପ ଦ୍ବାରା ରାମ ମନ୍ଦିର ଆନ୍ଦୋଳନକୁ ବଡ଼ ସମର୍ଥନ ମିଳିଥିଲା। ନିର୍ମୋହୀ ଆଖଡ଼ା ୧୯୫୯ ମସିହାରେ ବିବାଦୀୟ ସ୍ଥାନ ଅଧିକାର କରିବା ପାଇଁ ଆବେଦନ କରିଥିଲା। ବିରୋଧରେ ୧୯୮୧ରେ ୱକଫ ବୋର୍ଡ ମଧ୍ୟ ମୋକଦ୍ଦମା ଦାୟର କରିଥିଲା। ଉତ୍ତରପ୍ରଦେଶ ସୁନ୍ନୀ ୱକଫ ବୋର୍ଡ ଏହି କାମ କରିଥିଲା। ୧୯୮୬ ମସିହା ଫେବ୍ରୁଆରି ୧ ତାରିଖ ସ୍ଥାନୀୟ ଅଦାଲତ ହିନ୍ଦୁମାନଙ୍କୁ ପୂଜା କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ୧୯୮୯ ଅଗଷ୍ଟ ୧୪ରେ ଆହ୍ଲାବାଦ ହାଇକୋର୍ଟ ମାମଲାର ଯଥାସ୍ଥିତି ଜାରି ରଖିବାକୁ ଆଦେଶ ଦେଇଥିଲେ।
୧୯୯୨ରେ ବାବ୍ରି ମସଜିଦ ଭଙ୍ଗାରୁଜା
୧୯୯୨ ମସିହା ଡିସେମ୍ବର ୬ ତାରିଖର ଘଟଣା। ବିଶ୍ବ ହିନ୍ଦୁ ପରିଷଦର ହଜାର ହଜାର ସଦସ୍ୟ ବିବାଦୀୟ ଭିତ୍ତିଭୂମିକୁ ଭାଙ୍ଗି ଦେଇଥିଲେ। ଫଳରେ ସେଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ ତୀବ୍ର ହୋଇଥିଲା। ୨୦୦୨ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ସ୍ଥଳର ମାଲିକାନା ନେଇ ଶୁଣାଣି ଆରମ୍ଭ କରିଦେଇଥିଲେ। ୨୦୧୦ ସେପ୍ଟେମ୍ବର ୩୦ ତାରିଖ ହାଇକୋର୍ଟ ବିବାଦୀୟ ସ୍ଥଲକୁ ନେଇ ୩ ସମାନ ଭାଗ (ସୁନ୍ନୀ ୱକଫ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମଲଲା) ବାଣ୍ଟିବାକୁ ରାୟ ଶୁଣାଇଥିଲେ। ମାତ୍ର ଏହି ରାୟ ଉପରେ ସୁପ୍ରିମକୋର୍ଟ ୨୦୧୧ ମେ’ ମାସ ୯ ତାରିଖରେ ରୋକ ଲଗାଇଥିଲେ। ୨୦୧୮ ଫେବ୍ରୁଆରି ୮ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଥିଲେ। ୨୦୧୯ରେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ତଥା ତତ୍କାଳୀନ ପ୍ରଧାନବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ପୀଠ ଗଠନ କରିଥିଲେ। ସୁପ୍ରିମକୋର୍ଟ ଦୈନିକ ଶୁଣାଣି ପରେ ୨୦୧୯ ଅଗଷ୍ଟ ୧୬ରେ ଶୁଣାଣି ଶେଷ କରି ରାୟ ସୁରକ୍ଷିତ ରଖିଥିଲେ। ୨୦୧୯ ନଭେମ୍ବର ୯ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶ୍ରୀରାମ ଜନ୍ମଭୂମି ପକ୍ଷରେ ରାୟ ପ୍ରକାଶ କରିଥିଲେ। ୨.୭୭ ଏକର ବିବାଦୀୟ ଜମି ହିନ୍ଦୁ ପକ୍ଷକୁ ମିଳିବ ଓ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ମୁସଲିମ ପକ୍ଷକୁ ଅନ୍ୟ ସ୍ଥାନରେ ଦିଆଯିବ।
ସଂକ୍ଷେପରେ ରାମ ମନ୍ଦିର
୧୦୭ ଏକର ଜମିରେ ରାମ ମନ୍ଦିର ପରିସର ନିର୍ମାଣ ହୋଇଛି। କେବଳ ମୁଖ୍ୟ ମନ୍ଦିର ପାଇଁ ୨.୭୭ ଏକର ଜମି ବ୍ୟବହୃତ ହୋଇଛି। ମନ୍ଦିରର ଉଚ୍ଚତା ୧୬୧ ଫୁଟ ଓ ପ୍ରସ୍ଥ ୨୩୫ ଫୁଟ ହେବ। ତିନି ମହଲା ବିଶିଷ୍ଟ ମନ୍ଦିରର ଲମ୍ବ ୩୬୦ ଫୁଟ ଥିବା ବେଳେ ପ୍ରଥମ ମହଲାରେ ୧୩୨ଟି ଖମ୍ବ ନିର୍ମାଣ ସରିଛି। ଦ୍ବିତୀୟ ମହଲାରେ ୭୪ ଓ ତଳ ମହଲାରେ ୧୬୦ଟି ଖମ୍ବ ରହିବ। ମନ୍ଦିରର କାମ ୨୦୨୧ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ୨୦୨୨ରେ ପଥର ଲଗାକାମ ଆରମ୍ଭ ହୋଇଥିଲା। ୨୦୨୩ରେ ତଳ ମହଳା କାମ ଶେଷ ହୋଇଥିଲା। ଗର୍ଭଗୃହର ଲମ୍ବ ୨୦ ଫୁଟ ଲମ୍ବ ଓ ୨୦ ଫୁଟ ପ୍ରସ୍ଥ। ଏକକାଳୀନ ୧୦୦୦ ଶ୍ରଦ୍ଧାଳୁ ରାମଲଲାଙ୍କୁ ଦର୍ଶନ କରିପାରିବେ। ମନ୍ଦିର ଆଖପାଖର ୩ କିମି ଯାଏଁ ରେଡ ଜୋନ୍ କୁହାଯିବ। ମନ୍ଦିରର ଦୂରତା ରେଳ ଷ୍ଟେସନ ଠାରୁ ମାତ୍ର ୧.୩ କିମି। ମହର୍ଷି ବାଲ୍ମିକୀ ବିମାନବନ୍ଦର ୧୦କିମି ଦୂରରେ ରହିଛି।