Monday, September 9, 2024
Homeରାଷ୍ଟ୍ରପତିଙ୍କ ନିବାସରେ ପ୍ରଦର୍ଶନକାରୀଙ୍କ ମଉଜ
Array

ରାଷ୍ଟ୍ରପତିଙ୍କ ନିବାସରେ ପ୍ରଦର୍ଶନକାରୀଙ୍କ ମଉଜ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ପୁଣି ଥରେ ରାଜନୈତିକ ସଂକଟ ଦେଖାଯାଇଛି। ଏଥିରୁ ଲାଭ ଉଠାଇଛନ୍ତି ପ୍ରଦର୍ଶନକାରୀ। ଏବେ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ନିବାସ ମଧ୍ୟରେ ମଉଜ ମସ୍ତି କରୁଛନ୍ତି। ଏନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହୋଇଛି। ପ୍ରଦର୍ଶନକାରୀମାନଙ୍କ ଗତିବିଧିରୁ ଯାହା ଜଣାପଡୁଛି, ସେମାନେ ରାଷ୍ଟ୍ରପତିଙ୍କ ଘରେ ପିକ୍ନିକ୍ କରୁଛନ୍ତି। କାରଣ କିଛି ଲୋକ ଜିମିଂ କରୁଥିବା ବେଳେ ଅନ୍ୟମାନେ ସୁଇମିଂ ପୁଲରେ ଭାସୁଛନ୍ତି। ରାଷ୍ଟ୍ରପତି ଭବନକୁ ସର୍ବସାଧାରଣ ଲୋକଙ୍କ ପ୍ରବେଶ ଉପରେ କଡ଼ା କଟକଣା ଥିବା ବେଳେ ଏବେ ଯୁବ ପ୍ରଦର୍ଶନକାରୀମାନେ ଭିତରେ ପଶି ମୋବାଇଲ୍ ଫୋନ୍ରେ ସେଲ୍ଫି ନେଉଛନ୍ତି।

ଶ୍ରୀଲଙ୍କାରେ ବିଗିଡ଼ି ଥିବା ଆର୍ଥିକ ସଂକଟ ନେଇ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିବାସରେ ଉତ୍ପାଦ କରିଛନ୍ତି। ଶନିବାର ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଭବନକୁ ଘେରାବନ୍ଦୀ କରିଥିଲେ । କିନ୍ତୁ ଏହାର ଯଥେଷ୍ଟ ସମୟ ପୂର୍ବରୁ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ପରିସ୍ଥିତି ଦେଖି ନିବାସ ଛାଡ଼ି ପଳାୟନ କରିଥିଲେ । ସେ ନିଜର ଜୀବନ ସୁରକ୍ଷା ପାଇଁ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଗନୀଙ୍କ ପନ୍ଥା ଅବଲମ୍ବନ କରିଥିଲେ। କାରଣ ଆଫଗାନିସ୍ତାନରେ ଯେତେବେଳେ ତାଲିବାନମାନେ ମାଡ଼ି ଆସିଥିଲେ, ତତ୍କାଳୀନ ରାଷ୍ଟ୍ରପତି ଉପାୟ ଶୂନ୍ୟ ହୋଇ ଦେଶ ଛାଡ଼ି ପଳାୟନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଘର ଜଳିଲା

ପ୍ରଦର୍ଶନକାରୀମାନେ ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଧେଙ୍କ ଘରକୁ ଟାର୍ଗେଟ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀ ନିବାସ ବାହାରେ ଏକତ୍ର ହୋଇଥିଲେ, ସୁରକ୍ଷାବାହିନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । କାରଣ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ ହୋଇଥିଲେ ମଧ୍ୟ ଏହାକୁ ଭୃକ୍ଷେପ କରି ନଥିଲେ। ଶେଷରେ ପ୍ରଧାନମନ୍ତ୍ରୀଙ୍କ ଘରେ ଲଙ୍କାକାଣ୍ଡ କରିବାରେ ସଫଳ ହୋଇଥିଲେ।

ବାଚସ୍ପତିଙ୍କ ବୈଠକ

ତେବେ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଭବନକୁ ନିଜ ଅଧିନରେ ନେବା ପରେ  ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ନେତାମାନେ ସର୍ବସମ୍ମତି କ୍ରମେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଧେଙ୍କ ଇସ୍ତଫାର ସର୍ତ୍ତ ରଖିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ କିଛି ସର୍ତ୍ତ ସହିତ ଇସ୍ତଫା ଦେବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଦେଶରେ ଇନ୍ଧନ ଓ ଭୋଜନର ଆବଶ୍ୟକତା ଭଳି ସମସ୍ୟା ଯୋଗୁଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରମୁଖ ଦେଶର ଗସ୍ତ କରିବେ ।  

ଇସ୍ତଫା ଦେବେ ରାଷ୍ଟ୍ରପତି

ଶ୍ରୀଲଙ୍କାରେ ଆଜି ଯେଉଁ ଲଙ୍କାକାଣ୍ଡ, ହିଂସା ଓ ପ୍ରଦର୍ଶନ ଦେଖାଯାଇଛି, ଏହାର ମୂଳ କାରଣ ହେଲା ଆର୍ଥିକ ସଂକଟ। ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ସରକାର ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା ଓ କର୍ଫ୍ୟୁ ଜାରି କରିଥିଲେ ବି କେହି ଶୁଣୁ ନାହାନ୍ତି ।  ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ନିଷ୍ପତ୍ତି ପରେ ତୁରନ୍ତ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି । କାରଣ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଇସ୍ତଫାର ସର୍ତ୍ତ ନେଇ ମୁହଁ ଖୋଲିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜୁଲାଇ ୧୩ ତାରିଖରେ ଇସ୍ତଫା ଦେବେ । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଧେଙ୍କ ଇସ୍ତଫା ପରେ ସଂସଦରେ ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଧନ ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments