Monday, October 14, 2024
Homeରାହୁଲ ଗାନ୍ଧୀଙ୍କୁ ‘ଇଡି’ର ୩ ଦିନ ଜେରା
Array

ରାହୁଲ ଗାନ୍ଧୀଙ୍କୁ ‘ଇଡି’ର ୩ ଦିନ ଜେରା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୀର୍ଘ ୩ ତିନି ଦିନ ହେଲା ପଚରାଉଚରା କରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ପାଖାପାଖି ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଛି। ରାହୁଲକୁ ଇଡି ପଚରାଉଚରା କରୁଥିବା ବେଳେ କଂଗ୍ରେସ ଆନ୍ଦୋଳନ କରୁଛି। ବିରୋଧ ପ୍ରଦର୍ଶନ କରୁଛି। ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି। ଦିଲ୍ଲୀର ଆନ୍ଦୋଳନ ଏବେ ସମଗ୍ର ଭାରତବର୍ଷକୁ ପହଞ୍ଚିଛି। ରାଜସ୍ଥାନ ଓ ଛତିଶଗଡ଼ରେ ଆନ୍ଦୋଳନ ଅଧିକ ସକ୍ରିୟ ରହିଛି। କଂଗ୍ରେସ ପାର୍ଟି ତରଫରୁ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ, ଗୃହମନ୍ତ୍ରୀ ଅମିତ ଶାହ ଓ ଆଇନମନ୍ତ୍ରୀ କିରଣ ରିଜିଜ୍ଜୁଙ୍କୁ ଲିଗାଲ ନୋଟିସ ଦିଆଯାଇଛି। ଏଥିରେ ପ୍ରଶ୍ନ କରାଯାଇଛି ଯେ, କେମିତି ସେମାନଙ୍କୁ ପଚରାଉଚୁରାର ସମସ୍ତ ସୂଚନା ମିଳୁଛି। ତେବେ ଏନେଇ ମନ୍ତ୍ରୀମାନେ ଅଥିବା ବିଜେପି ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ।

ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ରାହୁଲ ମଙ୍ଗଳବାର କଂଗ୍ରେସ ମୁଖ୍ୟାଳୟ ମଧ୍ୟ ଯାଇଥିଲେ । ତାଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଥିଲେ । ଏହାରି ମଧ୍ୟରେ ପୋଲିସ ନିଜର କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରିଦେଇଥିଲା। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ବରିଷ୍ଠ ନେତା କେସି ବେଣୁଗୋପାଳ, ଅଧୀର ରଂଜନ ଚୌଧୁରୀ, ଗୌରବ ଗୋଗୋଇ, ଦୀପେନ୍ଦ୍ର ସିଂହ ହୁଡ୍ଡା, ରଂଜୀତ ରଂଜନ, ଇମରାନ ପ୍ରତାପଗଡ଼ି ପ୍ରମୁଖ ନେତାଙ୍କୁ ଅଟକ ରଖିଥିଲା। କଂଗ୍ରେସ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବାକୁ ସୁଯୋଗ ଦିଆଗଲା ନାହିଁ । ଆକବର ରୋଡରେ ୧୪୪ ଧାରା ଲାଗୁ କରି ଦିଆଯାଇଥିଲା ।

ଜୁନ ୧୬ରେ ସବୁ ରାଜଭବନ ଘେରାଉ

ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ପୋଲିସ ଦଳୀୟ କର୍ମୀଙ୍କ ଉପରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଗୁରୁବାର ଦଳ ପକ୍ଷରୁ ସମଗ୍ର ଦେଶରେ ଥିବା ରାଜ୍ୟ ରାଜଭବନଗୁଡ଼ିକୁ ଘେରାଓ କରାଯିବ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କଂଗ୍ରେସ କାର୍ଯ୍ୟାଳୟ ମଧ୍ୟକୁ ଅନଧିକାର ପ୍ରବେଶ କରି ପୋଲିସ କର୍ମୀମାନେ ଯେଭଳି ଭାବେ ଦଳୀୟ କର୍ମୀମାନଙ୍କୁ ମାଡ଼ମାରିଛନ୍ତି, ତାହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ। ସେ କହିଛନ୍ତି ଯେ, ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ସୀମା ଅତିକ୍ରମ କରିଛି। ଏହାକୁ ଆଉ ବରଦାସ୍ତ କରାଯାଇ ପାରିବ ନାହିଁ ।

ରାଜସ୍ଥାନରେ କଂଗ୍ରେସ ମେଳି

ରାଜସ୍ଥାନର ଉଦୟପୁରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳାର ଆୟୋଜନ ହୋଇଥିଲା। ଏଥିରେ ଦଳର ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। କର୍ମଶାଳାରେ ପାଖାପାଖି ୧୫୦ରୁ ଅଧିକ ପଦାଧିକାରୀ ଓ କର୍ମକର୍ତ୍ତା ମଧ୍ୟାହ୍ନ ଭୋଜନ କରିଥିଲେ। ଏହା ପରେ ସମସ୍ତଙ୍କୁ ନିଜର ରାଷ୍ଟ୍ରୀୟ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ବିରୋଧ-ପ୍ରଦର୍ଶନ କରିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିବାର ଥିଲା। କିନ୍ତୁ କେବଳ ୪୦ ଜଣ ପଦାଧିକାରୀ ଓ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲେ। ଅର୍ଥାତ ବାକି ସବୁ ଦଳୀୟ ନେତା ମଧ୍ୟାହ୍ନ ଭୋଜନ ପରେ କେଉଁଆଡେ ଚାଲିଯାଇଥିଲେ ତାହା ଜଣାପଡ଼ି ନ ଥିଲା।

ନ୍ୟାସନାଲ ହେରାଲ୍ଡ ମାମଲା

ବର୍ଷ ୨୦୧୨ରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏକ ଆବେଦନ ଦାଖଲ କରି ଅଭିଯୋଗ ଆଣିଥିଲେ ଯେ, କିଛି କଂଗ୍ରେସ ନେତା ଭୁଲ ଶୈଳୀରେ ୟଙ୍ଗ ଇଣ୍ଡିଆନ ଲିମିଟେଡ ମାଧ୍ୟମରେ ଏସୋସିଏଟେଡ ଜର୍ନାଲ୍ସ ଲିମିଟେଡ ଅଧିଗ୍ରହଣ କରିଥିଲେ । ସ୍ୱାମୀଙ୍କ ଅନୁସାରେ ସବୁକିଛି ଦିଲ୍ଲୀର ବାହାଦୂର ଶାହ ଜାଫର ମାର୍ଗସ୍ଥିତ ହେରାଲ୍ଡ ହାଉସର ୨୦୦୦ କୋଟି ଟଙ୍କାର କୋଠା ଉପରେ ଅକ୍ତିଆର କରିବା ପାଇଁ କରାଯାଇଥିଲା । ଷଡଯନ୍ତ୍ର କରି ୟଙ୍ଗ ଇଣ୍ଡିଆନ ଲିମିଟେଡକୁ ଟିଜେଏଲର ସଂପତ୍ତିର ଅଧିକାର ଦିଆଯାଇଥିଲା । ବର୍ଷ ୨୦୧୫ରେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣୀ ପାଇଁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କୁ ହାଇକୋର୍ଟରେ ଆବେଦନ ଦାଖଲ କରିବାକୁ କହିଥିଲେ । ୨୦୧୫ ଡିସେମ୍ବର ୧୯ରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ । ୨୦୧୬ରେ ସୁପ୍ରିମ କୋର୍ଟ ମାମଲାକୁ ରଦ୍ଦ କରିବାକୁ ମନା କରି ସମସ୍ତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମୋତିଲାଲ ବୋରା, ଅସ୍କାର ଫର୍ଣ୍ଣାଡିଜ ଓ ସୁମନ ଦୁବେଙ୍କୁ କୋର୍ଟରେ ହାଜର ହେବାରେ ଛୁଟି ଦେଇଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments