ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଉତ୍କଳମଣି ଗୋପବନ୍ଧୁଙ୍କ ନିଜର ସ୍ୱରଚିତ ପୁସ୍ତକ ‘ବନ୍ଦୀର ଆତ୍ମକଥା’ରେ ଲେଖିଥିଲେ, ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ । ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।’ କିନ୍ତୁ ଆଜିର ସମାଜରେ ବିଶେଷ କରି ସରକାରୀ ଚାକିରିଆମାନେ ଦେଶର ସଂପତ୍ତି ଲୁଟିନେବାକୁ ପଛାଉ ନାହାନ୍ତି ।
ସେହିଭଳି ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ପାଇଁ କବିତା ହେଉଛି ‘ମିଶୁ ଦେଶ ପାଣ୍ଠି ମୋନ ନିଜ ପାଣ୍ଠିରେ, ମୁହିଁ ଚାଲିଯାଏଁ ଦେଶବାସୀଙ୍କ ପିଠିରେ ।’ ଆମେ ଏଠାରେ ପ୍ରସଙ୍ଗ କ୍ରମେ ଇଂଜିନିୟର ରବୀନ୍ଦ୍ର ନାଥ ପ୍ରଧାନଙ୍କ କଥା କହୁଛି । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଟିମ୍ ମଙ୍ଗଳବାର ଭୋର ସକାଳୁ ଚଢ଼ାଉ କରିଥିଲା । ଦିନ ସାରା ଚଢ଼ାଉ ପରେ ବୁଧବାର ତାଙ୍କର ସଂପତ୍ତି ଆକଳନ ହୋଇଛି । ଶେଷର ଭିଜିଲାନ୍ସ ଟିମ ବୁଧବାର ତାଙ୍କୁ ଗିରଫ କରିଛି ।
ଇଂଜିନିୟର ରବୀନ୍ଦ୍ର ନାଥ ପ୍ରଧାନଙ୍କ ଲୋଭ ରାଜ୍ୟର ଅନ୍ୟ ଯେକୌଣସି ସରକାରୀ ଚାକିରିଆଙ୍କ ଠାରୁ ଅଧିକ ବୋଲି କୁହାଯାଉଛି । ଏମିତି ବି କୁହାଯାଉଛି ଯେ, ସେ ରୋଜଗାର ତୁଳନାରେ ୨୪୧ ପ୍ରତିଶତ ସଂପତ୍ତି ଏକାଠି ଠୁଳ କରି ରଖିଥିବାରୁ ତାଙ୍କର ଆଗାମୀ ପୀଢ଼ିକୁ କୌଣସି କାମ ନକଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ ।
ଇଂଜିନିୟର ରବୀନ୍ଦ୍ର ନାଥ ପ୍ରଧାନଙ୍କ ସଂପତ୍ତି
-୬ କୋଟି ୫୮ ଲକ୍ଷ ୫୮ ହଜାର ୪୫୦ ଟଙ୍କାର ସଂପତ୍ତି ଠାବ
-ଭୁବନେଶ୍ୱର ଶାସ୍ତ୍ରୀ ନଗରରେ ୨ ମହଲା କୋଠା
-ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା-ନୂଆଁଗା-କଞ୍ଚିଲୋରେ ଆପାର୍ଟମେଣ୍ଟ
-ଭୁବନେଶ୍ୱର ନହରକଣ୍ଟାରେ ଜମି
-ଗଂଜାମ ଜିଲ୍ଲା ପୋଲସରା, ବୁଗୁଡ଼ା ଓ ଗଂଜାମରେ ଜମି
-ବ୍ରହ୍ମପୁର ଅଯୋଧ୍ୟାନଗରରେ ପୈତୃକ ଘର
-୪୩ ଲକ୍ଷ ଟଙ୍କାରେ ୮ଟି ଜମି ପ୍ଲଟ
-୭୨ ଲକ୍ଷର ବ୍ୟାଙ୍କ ଜମା ରାଶି
-୨୫ ହଜାର ଟଙ୍କା ଗଚ୍ଛିତ ଟଙ୍କା
-୫୪ ଗ୍ରାମ ସୁନା (ପ୍ରାୟ ୩ ଲକ୍ଷ ଟଙ୍କା)
-୨ଟି କାର (ହୁଣ୍ଡାଇ କ୍ରେଟା ଓ ହୋଣ୍ଡା ଆମାଜେ)
୨୪ ଘଣ୍ଟାରେ ୩ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ
ରାଜ୍ୟ ସରକାର ବେଆଇନ ସଂପତ୍ତି ଠୁଳ କରୁଥିବା କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅନେକ ସମୟରେ ଦୁର୍ନୀତିଖୋର କର୍ମଚାରୀମାନେ ଲୋକ ଲୋଚନକୁ ଆସିପାରୁ ନାହାନ୍ତି । ମଙ୍ଗଳବାର ସକାଳ ୬ଟାରୁ ବୁଧବାର ସକାଳ ୬ଟା ମଧ୍ୟରେ ଇଂଜିନିୟର ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ମିଶାଇ ୩ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି । ଅନ୍ୟମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସବଳୟାର ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ଓ ମାଲକାନଗିରି ଜିଲ୍ଲା ପଡ଼ିଆ ବିପିଏମ (ବ୍ଲକ ପ୍ରୋଗ୍ରାମ ମ୍ୟାନେଜର) ଶ୍ରୀମନ୍ତ ଅତିବୁଦ୍ଧି ।
ଅକ୍ଟୋବର ମାସରେ କେତେ ଦୁର୍ନୀତି
ଚଳିତ ମାସ ଶେଷ ହେବାକୁ ଆହୁରି ୮ ଦିନ ଅଛି । ଇତି ମଧ୍ୟରେ ୦୦ ଜଣ ସରକାରୀ କର୍ମଚାରୀଙ୍କ କାର୍ଯ୍ୟାଳୟ ଓ ନିବାସରେ ଚଢ଼ାଉ କରି ଭିଜିଲାନ୍ସ ସେମାନଙ୍କର ମୁଖା ଖୋଲିଛି । ଜାଣନ୍ତୁ ଚଳିତ ମାସରେ ଧରାପଡ଼ିଥିବା କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବାବଦରେ…
-୧୯ ତାରିଖ: ଗଜପତି ଜିଲ୍ଲା ଗୁରାଣ୍ଡିସ୍ଥିତ ମୀନକେତନ ଡିଗ୍ରୀ କଲେଜର ଅଧ୍ୟାପକ ଜି. ନାଗେଶ୍ୱରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।
-୧୭ ତାରିଖ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଫରେଷ୍ଟ ଗାର୍ଡ ଚୈତନ୍ୟ ମହରଣା କାଠ ବେପାରୀ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ ।
-୧୪ ତାରିଖ: ନବରଂଗପୁରରେ ଆରଏମସିର ବରିଷ୍ଠ କିରାଣୀ ଅଶୋକ ନନ୍ଦଙ୍କ ଘରେ ଚଢ଼ାଉ ।
-୧୪ ତାରିଖ: ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ୯ଟି ଠିକଣାରେ ଭିଜିଲାନ୍ସର ଚଢ଼ାଉ ।
-୧୦ ତାରିଖ: କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିଦ୍ଦେଶକ ରମେଶ ଚନ୍ଦ୍ର ଦାଶଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।
-୯ ତାରିଖ: ବ୍ରହ୍ମପୁରର କୁକୁଡ଼ାଖଣ୍ଡି ଜୁନିୟର କଲେଜର ଅଧ୍ୟକ୍ଷ ୧୫ ହଜାର ଟଙ୍କା ଲାଂଚ ନେଇ ଧରାପଡ଼ିଥିଲେ ।
-୯ ତାରିଖ: ଜାତୀୟ ରାଜପଥର ସହକାରୀ ଯନ୍ତ୍ରୀ ୨୦ ହଜାର ଟଙ୍କା ଲାଞ୍ଚ ନେଇ ନୂଆପଡ଼ାରେ ଧରାପଡ଼ିଲେ ।
-୧ ତାରିଖ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ କିରାଣୀ ତପନ କୁମାର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
-୧ ତାରିଖ: ଭଦ୍ରକ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।