Wednesday, October 9, 2024
Homeଲକ୍ଷାଦ୍ବୀପକୁ ମୋଦୀଙ୍କ ଗସ୍ତ, ଚାରିଆଡ଼େ ଚର୍ଚ୍ଚା
Array

ଲକ୍ଷାଦ୍ବୀପକୁ ମୋଦୀଙ୍କ ଗସ୍ତ, ଚାରିଆଡ଼େ ଚର୍ଚ୍ଚା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦ୍ବୀପକୁ ଗତ ୩ ତାରିଖରେ ଗସ୍ତ କରିବା ଏବଂ ଗସ୍ତକାଳୀନ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍ କରାଯିବା ପରେ ଏହା ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅନେକେ ଲକ୍ଷାଦ୍ବୀପକୁ ମାଳଦ୍ବୀପ ସହିତ ତୁଳନା କରିଛନ୍ତି। ମୋଦୀଙ୍କ ଗସ୍ତ ପରେ ମାଳଦ୍ବୀପକୁ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଲକ୍ଷାଦ୍ବୀପ ବିଷୟରେ ପ୍ରାୟ ୩୫୦୦ ପ୍ରତିଶତ ଲୋକ ଜାଣିବାକୁ ଚାହୁଁଛନ୍ତି। ଗତମାସ ତୁଳନାରେ ଲୋକେ ଲକ୍ଷାଦ୍ବୀପକୁ ଭଲଭାବରେ ଜାଣିବା ପାଇଁ ଗୁଗଲରେ ସର୍ଚ୍ଚ କରୁଛନ୍ତି।  

ଓଡ଼ିଆରେ ଏକ କଥା ରହିଛି, ‘ଯାହା ନାହିଁ ଭାରତେ, ତାହା ନାହିଁ ମରତୋ’ ଅର୍ଥାତ ଯେଉଁ ଜିନିଷ ଭାରତରେ ନାହିଁ, ତାହା ବିଶ୍ବରେ ନାହିଁ। ଆହୁରି ସଂକ୍ଷେପରେ କହିବାକୁ ବିଶ୍ବରେ ମିଳୁଥିବା ପ୍ରତ୍ୟେକ ଜିନିଷ ଭାରତରେ ଉପଲବ୍ଧ। ଖାଦ୍ୟ, ଉତ୍ପାଦନ, ରପ୍ତାନୀ, ପ୍ରାକୃତିକ, ମାନବ ସମ୍ବଳ, ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରତିଟି କ୍ଷେତ୍ରରେ ଭାରତ ଅଗ୍ରଣୀଲାଭ କରିଛି। ସେହିପରି ଶିକ୍ଷା, ସଂସ୍କୃତି, କଳା, ସ୍ଥାପତ୍ୟ ସମେତ ବିପୁଳ ପର୍ଯ୍ୟଟନ କ୍ଷେତ୍ର ରହିଛି। ଦେଶରେ ସମୁଦ୍ରତଟ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷଣ କରିଥାଏ। ଦେଶରେ ମୋଟ ୭୫୧୬ କିମି ଉପକୂଳବର୍ତ୍ତୀ ଅଞ୍ଚଳ ରହିଛି। ଏଥିରେ ୨୦୯୪କିମି ଆଇସଲାଣ୍ଡ ବେଳାଭୂମି ରହିଛି। ଭାରତ ମହାସାଗରର ପୂର୍ବ ବଙ୍ଗୋପସାଗର ଓ ଆରବ ସାଗର ଉପକୂଳରେ ବେଳାଭୂମି ରହିଛି। ମୋଦୀଙ୍କ ନିକଟ ଗସ୍ତ ନେଇ ଚର୍ଚ୍ଚାରେ ଥିବା ଲକ୍ଷାଦ୍ବୀପ ଏଥିରେ ଅନ୍ୟତମ।  

ଗସ୍ତ ନେଇ କ’ଣ କହିଥିଲେ ମୋଦୀ

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ କହିଥିଲେ- ନିକଟରେ ଲକ୍ଷାଦ୍ବୀପ ଯିବାର ସୌଭାଗ୍ୟ ମିଳିଥିଲା। ଆଗତି, ବଙ୍ଗାରାମ ଓ କାଭାରାତିର ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିଥିଲା।  ଏଠାର ଲୋକମାନେ ବହୁତ ଭଲ। ସରକାର ଲକ୍ଷାଦ୍ବୀପର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଏଠାକାର ଭିତ୍ତିଭୂମିର ବିକାଶ କରାଯିବ। ସ୍ବାସ୍ଥ୍ୟ, ଦ୍ରୁତ ଇଣ୍ଟରନେଟ ଓ ପାନୀୟ ଜଳର କ୍ଷେତ୍ରରେ କାମ କରାଯିବ। ଏଠାକାର ସୁନ୍ଦରତା ଅବର୍ଣ୍ଣନୀୟ। ଯଦି ଆଡଭେଞ୍ଚର ପର୍ଯ୍ୟଟନ ବୁଲିବାକୁ ଚାହୁଁଛନ୍ତି, ଲକ୍ଷାଦ୍ବୀପ ବହୁତ ଭଲ ସ୍ଥାନ। ଗସ୍ତ କାଳରେ ମୁଁ ସାମାନ୍ୟ ଏହାର ଅନୁଭବ କରିଛି।  ବେଳାଭୂମିରେ ସକାଳୁ ବୁଲିବା ସ୍ମରଣୀୟ ହୋଇ ରହିବ। ଲକ୍ଷାଦ୍ବୀପ କେବଳ ଦୀପପୁଞ୍ଜ ନୁହେଁ। ଏହା ଏଠାରେ ରହୁଥିବା ଲୋକଙ୍କର ଶକ୍ତି।  

ସଂକ୍ଷେପରେ ଲକ୍ଷାଦ୍ବୀପ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ଲକ୍ଷାଦ୍ବୀପ ଅଧିକ ଚର୍ଚ୍ଚାକୁ ଆସିଛି। ୩୬ଟି ଦ୍ବୀପକୁ ନେଇ ଗଠିତ ’ଲକ୍ଷାଦ୍ବୀପ’ରେ ପ୍ରାୟ ୭୦ ହଜାର ଲୋକ ବସବାସ କରନ୍ତି, ଯେଉଁଥିରେ ଅଛନ୍ତି, ୯୭ ପ୍ରତିଶତ ମୁସଲିମ। ପର୍ଯ୍ୟଟନ, ନଡ଼ିଆ, ହସ୍ତଶିଳ୍ପରୁ ଏଠାକାର ଲୋକେ ଅର୍ଥ ରୋଜଗାର କରନ୍ତି। ଏଠାକୁ ବୁଲିଯିବା ପାଇଁ ଅନେକ ଯୋଜନା ମଧ୍ୟ କରୁଛନ୍ତି। ଲକ୍ଷାଦ୍ବୀପ ଯିବା ପାଇଁ କେରଳର କୋଚି ଠାରୁ ଉଭୟ ଜାହାଜ ଓ ଡଡ଼ାଜାହାଜ ବ୍ୟବସ୍ଥା ରହିଛି। ଟୁରିଷ୍ଟ ପ୍ୟାକେଜ ମାଧ୍ୟମରେ ବୁଲିଗଲେ ଜଣପିଛା ୨୫,୦୦୦ରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଲକ୍ଷାଦ୍ବୀପରେ ଭାରତୀୟ ଖାଦ୍ୟ ମିଳିପାରିବ। ଆରବ ସାଗର ମଧ୍ୟରେ ୨୦୦ରୁ ୪୦୦ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଏହି ଦ୍ବୀପଗୁଡ଼ିକ ବୁଲିବା ପାଇଁ ଯଦିଓ ଆର୍ଥିକ ଦୃଷ୍ଟିରୁ ବ୍ୟୟସାପେକ୍ଷ ତଥାପି ପର୍ଯ୍ୟଟକମାନେ ସେଠାକୁ ଯିବା ପାଇଁ ଚାହୁଁଛନ୍ତି। ‌

ମନ୍ତ୍ରୀଙ୍କ ବୟାନକୁ ପୂର୍ବତନ ରାଷ୍ଟ୍ରପତିଙ୍କ ନିନ୍ଦା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ମାଳଦ୍ବୀପର ମନ୍ତ୍ରୀମାନେ ଦେଇଥିବା ରୁଚିହୀନ ମନ୍ତବ୍ୟକୁ ଦେଶର ପୂର୍ବତନ ରାଷ୍ଟ୍ରପତି ନିନ୍ଦା କରିଥିଲେ। ସେ କହିଥିଲେ, ଆମର ଏଇ ଦ୍ବୀପପୁଞ୍ଜ ଦେଶର ସୁରକ୍ଷା ଓ ସମୃଦ୍ଧି ନିମନ୍ତେ ଭାରତ ଆମର ପ୍ରମୁଖ ମିତ୍ର ହୋଇଥିବା ବେଳେ ମନ୍ତ୍ରୀ ମରିୟାମ୍ ଶିୟୁନା ବ୍ୟବହାର କରିଥିବା ଭାଷା ଅତି କଦର୍ଯ୍ୟ। ‘ଏକ୍ସ୍’ କରି ସେ ଲେଖିଥିଲେ, ମାଳଦ୍ବୀପର ସୁରକ୍ଷା ଓ ସମୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ପ୍ରମୁଖ ଦେଶର ନେତାଙ୍କ ପ୍ରତି ମାଳଦ୍ବୀପର ସରକାରୀ ଅଧିକାରୀ କି କଦର୍ଯ୍ୟ ଭାଷା କହିଲେ। ମହମ୍ମଦ୍ ମୁଇଜୁ ସରକାର ଏସବୁ ବିବୃତିଠାରୁ ଦୂରେଇ ରହିବା ସହିତ ଭାରକୁ ନିର୍ଭର ପ୍ରତିଶ୍ରୁତି ଦେବା କଥା ଯେ, ଏଭଳି ମନ୍ତବ୍ୟ ଦେଶର ସରକାରଙ୍କର ନୁହେଁ।

କ’ଣ କହିଥିଲେ ମାଳଦ୍ବୀପ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋପଦୀଙ୍କ ଲକ୍ଷାଦ୍ବୀପ ଗସ୍ତ ପରେ ମାଳଦ୍ବୀପର ମନ୍ତ୍ରୀମାନେ ତାଙ୍କୁ ବିଦ୍ରୂପ କରିବାରୁ ବିବାଦର ସୂତ୍ରପାତ ହୋଇଛି। ମାଳଦ୍ବୀପର ଯୁବ ସଶକ୍ତିକରଣ ଉପମନ୍ତ୍ରୀ ମରିୟାମ୍ ଶିନୁଆ ‘ଏକ୍ସ’ ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଜୋକର୍’ ଓ ‘ଖେଳନା’ ବୋଲି କହିଥିଲେ। ବିବାଦ ଘନେଇବା ପରେ ଉକ୍ତ ପୋଷ୍ଟ୍କୁ ମନ୍ତ୍ରୀ ମରିୟାମ୍  ଡିଲିଟ୍ କରିଦେଇଥିଲେ। ଶିୟୁନାଙ୍କ ଛଡ଼ା, ମାଳଦ୍ବୀପର ଅନ୍ୟତମ ମନ୍ତ୍ରୀ ଜାହିଦ ରମୀଜ୍ ଓ କେତେକ ସରକାରୀ ଅଧିକାରୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋନଦୀଙ୍କ ଲକ୍ଷାଦ୍ବୀପ ଗସ୍ତକୁ ବିଦ୍ରୂପ କରିଥିଲେ।

ଭାରତରେ ପର୍ଯ୍ୟଟନ

ସମଗ୍ର ବିଶ୍ବରେ ମୋଟ ୬୩ ପ୍ରକାରର ପର୍ଯ୍ୟଟନ ରହିଛି। ଆଜିକାଲର ଲୋକେ ଅବସର ମିଳିଲେ ବାହାରକୁ ବୁଲିଯିବାକୁ ଚାହୁଁଛନ୍ତି। ନିଜର ଆର୍ଥିକ ସ୍ଥିତି ଅନୁସାରେ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳ ବୁଲିବାକୁ ପସନ୍ଦ କରୁଛନ୍ତି। ବାହାରକୁ ବୁଲିବାକୁ ଯିବା ପାଇଁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଘରୋଇ ସଂସ୍ଥା ସହଯୋଗ କରୁଛନ୍ତି। ବିଭିନ୍ନ ପ୍ୟାକେଜ ମାଧ୍ୟମରେ ବାହାରକୁ ବୁଲିଯିବା ମଧ୍ୟ ସହଜ ହୋଇପାରିଛି। ଭାରତରେ ମୁଖ୍ୟତଃ ୧୦ ପ୍ରକାରର ପର୍ଯ୍ୟଟନ ରହିଛି। ଏଥିରେ ଆଡଭେଞ୍ଚର ମଧ୍ୟ ସାମିଲ ରହିଛି, ଯାହାକି କିଛି ବର୍ଷ ହେଲା ବିକଶିତ ହୋଇଛି।  ସେହପରି ବେଳାଭୂମି ପର୍ଯ୍ୟଟନ ଦେଶର ଅନ୍ୟତମ ଅଂଶବିଶେଷ। କାରଣ ଦେଶରେ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଗୋଆ, ମହାରାଷ୍ଟ୍ର ଓ ଗୁଜୁରାଟ ସୀମାରେ ସମୁଦ୍ର ତିନିଟି ସମୁଦ୍ର ରହିଛି।  ସାଂସ୍କୃତିକ, ଇକୋ, ମେଡିକାଲ, ବନ୍ୟପ୍ରାଣୀ ଭଳି ପର୍ଯ୍ୟଟନ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments