ନୂଆଦିଲ୍ଲୀ: ଆକାଶ ପଥରେ ଯୋଗାଯୋଗ କ୍ଷେତ୍ରରେ ଭାରତ ଆଜି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ମାତ୍ର ୨ରୁ ୩ ବର୍ଷ ପରେ ଏହାର ଫଳ ମିଳିବାକୁ ଯାଉଛି। ଭାରତ ସହିତ ବିଦେଶୀ ରାଷ୍ଟ୍ର ଗୁଡ଼ିକର ଆକାଶ ମାର୍ଗରେ ଯୋଗାଯୋଗ ବଢ଼ିବ। ଏସିହା ମହାଦେଶର ସର୍ବ ବୃହତ ତଥା ବିଶ୍ବର ୪ର୍ଥ ବଡ଼ ବିମାନବନ୍ଦର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଳାନ୍ୟାସ କରିଛନ୍ତି। ଏହି ବିମାନବନ୍ଦର ଉତ୍ତର ପ୍ରଦେଶର ନୋଏଡା (ଗୌତମବୁଦ୍ଧ ନଗର)ସ୍ଥିତ ଜେୱରରେ ନିର୍ମାଣ ହେଉଛି। ଏହା ଦ୍ବାରା ରାଜ୍ୟର ହଜାର ହଜାର ଜନତା ପରୋକ୍ଷ ଓ ପ୍ରତକ୍ଷ୍ୟ ଭାବରେ ରୋଜଗାର ପାଇପାରିବେ ବୋଲି ଆଶା କରୁଛନ୍ତି। ଅନ୍ୟ ପକ୍ଷରେ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ମିଳିବ। ହୋଟେଲ ଓ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ଅଧିକ ରୋଜଗାର କରିବାର ସମ୍ଭାବନା ରହିବ।
ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ୪ଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ୮ଟି ଛୋଟ ବିମାନବନ୍ଦର ଥିବା ବେଳେ ନଭେମ୍ବର ୨୫ରେ ୫ମ ଅନ୍ତର୍ଜାତୀୟ ବିମାନବନ୍ଦ ପାଇଁ ଭୂମିପୂଜନ ହୋଇଛି। ଏହା ପରେ ନିର୍ମାଣ କାମକୁ ତ୍ବରାନ୍ବିତ କରାଯିବ। ଏହି ବିମାନବନ୍ଦରର ନିର୍ମାଣ କାମ ସରଲେ ଉତ୍ତର ପ୍ରଦେଶ ଦେଶର ସର୍ବାଧିକ ବିମାନବନ୍ଦର ଥିବା ତାଲିକାରେ ପ୍ରଥମ ସ୍ଥାନ ହାସଲ କରିବ। ଜେୱରରେ ନିର୍ମାଣ ହେବାକୁ ଥିବା ଏହି ବିମାନବନ୍ଦର ଦିଲ୍ଲୀ-ଏନସିଆରରେ ଦ୍ବିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ହେବ। ଏହା ଦ୍ବାରା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଚାପ ମଧ୍ୟ କମ ରହିବ।
ନିର୍ବାଚନ ଭେଟି
ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ-୨୦୨୪କୁ ଦୃଷ୍ଟିରେ କେନ୍ଦ୍ର ସରକାର ରାଜ୍ୟର ବିକାଶକୁ ଉଚ୍ଚରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ନିକଟରେ ରାଜ୍ୟରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ର ଉଦ୍ଘାଟନ କରିଥିବା ବେଳେ ବୃହତ୍ ବିମାନବନ୍ଦର ବିମାନବନ୍ଦରର ନିର୍ମାଣ କାମ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ହଜାର ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ପାଇଁ ଯୋଗୀ ସରକାର ୫୮୪୫ ହେକ୍ଟର ଜମି ଉପଲବ୍ଧ କରାଇଛନ୍ତି। ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର କାମ ପୂରା ହେବା ପରେ ବାର୍ଷିକ କ୍ଷମତା ୧.୨ କୋଟି ଯାତ୍ରୀ ହେବେ। ଜେୱରରେ ନିର୍ମାଣାଧୀନ ବିମାନବନ୍ଦର ଏସିଆ ମହାଦେଶର ସର୍ବବୃହତ୍ ଓ ବିଶ୍ବର ୪ର୍ଥ ବଡ଼ ବିମାନବନ୍ଦର ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ସଂପୂର୍ଣ୍ଣ ଭାବେ ପ୍ରଦୂଷଣମୁକ୍ତ ହେବ ଏହି ବିମାନବନ୍ଦର। ଏକୀକୃତ ମଲ୍ଟି ମଡେଲ କାର୍ଗୋ କେନ୍ଦ୍ର ରହିବ। ଲଜିଷ୍ଟିକ୍ ସଂପର୍କିତ ଖର୍ଚ୍ଚ ଏବଂ ସମୟ ମଧ୍ୟ ହ୍ରାସ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।
ରୋଜଗାର ଦେବେ ବିମାନବନ୍ଦର
ସରକାରଙ୍କ ଯୋଜନା ଅନୁସାରେ ବିମାନବନ୍ଦରରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ରହିବ। ବିଦେଶରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯେଭଳି ବ୍ୟବସ୍ଥା ରହିଛି, ଏଠାରେ ମଧ୍ୟ ଯାତ୍ରୀଙ୍କୁ ସମାନ ପ୍ରକାରର ସୁବିଧା ମିଳିବ। ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟେଶନ ସେଣ୍ଟର, ମଲ୍ଟି ଟ୍ରାଞ୍ଜିଟ କେନ୍ଦ୍ର, ମେଟ୍ରୋ ଏବଂ ହାଇସ୍ପିଡ ରେଳ ଷ୍ଟେସନ ରହିବ। ଏଥି ସହିତ ଟ୍ୟାକ୍ସି, ବସ ସେବା ଏବଂ ଘରୋଇ ବାହନ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିବ। ବିମାନବନ୍ଦର ସହିତ ସଡ଼କ, ରେଳ ଓ ମେଟ୍ରୋ ସଂଯୋଗ ହେବ। ସେହିପରି ଆଖପାଖର ସମସ୍ତ ରାଜପଥ, ଏକ୍ସପ୍ରେସ୍-ୱେ ମଧ୍ୟ ଯୋଡ଼ିବ। ପାଖାପାଖି ୧ ଲକ୍ଷ ଲୋକଙ୍କୁ ପରୋକ୍ଷ ଓ ପ୍ରତକ୍ଷ୍ୟ ଭାବେ ରୋଜଗାର ମିଳିବ।
୭ ବର୍ଷରେ ୮ ବିମାନବନ୍ଦର
ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗଣମାଧ୍ୟମକୁ କହିଛନ୍ତି , ଜେୱର ବିମାନବନ୍ଦର ଉଭୟ ଉତ୍ତର ପ୍ରଦେଶ ଓ ଦେଶ ପାଇଁ ଗୌରବ। ଏହି ପ୍ରକଳ୍ପରେ ପାଖାପାଖି ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ବାଧୀନତାର ୭୦ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ୨ଟି ବିମାନବନ୍ଦର ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର ପରିବର୍ତ୍ତନ ଆଣିଛନ୍ତି। ଏବେ ଉତ୍ତର ପ୍ରଦେଶରେ ମୋଟ ୯ଟି ବିମାନବନ୍ଦର ଅଛି। ଆଗାମୀ ୫ ବର୍ଷରେ ଉତ୍ତର ପ୍ରଦେଶରେ ବିମାନବନ୍ଦର ସଂଖ୍ୟା ୧୦ରୁ ୧୭ରେ ପହଞ୍ଚିବ।