ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଳା ଅନ୍ତର୍ଗତ ତିକୁନିଆ ଠାରେ ଗତ ରବିବାର ହୋଇଥବା ହିଂସା କାଣ୍ଡରେ ୮ ଜଣ (୪ଚାଷୀ, ୩ ବିଜେପି କର୍ମୀ ଓ ଜଣେ ସାମ୍ବାଦିକ)ଙ୍କର ମୃତ୍ୟୁ ହୋଇଛି । ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଓ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗସ୍ତ ବିରୋଧରେ ଚାଷୀମାନେ ପ୍ରଦର୍ଶନ କରିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦ୍ରୁତଗାମୀ ଗାଡ଼ିକୁ ରକ୍ତମୁଖା ହୋଇ ପ୍ରଦର୍ଶନରତ ୪ ଜଣ ଚାଷୀଙ୍କ ଉପରେ ଚଢ଼ିଯାଇଥିଲା । ଏହି ଘଟଣାକୁ ନେଇ ପରବର୍ତ୍ତୀ ହିସାଂରେ ଅନ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ହୋଇଥିବା ଅମାନବୀୟ ଘଟଣା ପାଇଁ କିଏ ଦାୟୀ ତାହା ଏବେ ପ୍ରଶ୍ନ ଉଠୁଛି ।
ଲକ୍ଷ୍ମୀପୁରରେ ହୋଇଥିବା ଏହି ହିଂସାକାଣ୍ଡ ଘଟଣା ନେଇ ଏବେ ଚାଷୀ ଆନ୍ଦୋଳନକାରୀଙ୍କ ସହିତ ରାଜନେତାମାନେ ହାତ ମିଳାଇଛନ୍ତି । କାରଣ ଯେକୌଣସି ସମୟରେ ଯେତେବେଳେ ବଡ଼ ଧରଣର ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇଥାଏ, ସେତେବେଳେ ନେତାମାନେ ଦରଦୀ ପଣିଆ ଦେଖାଇ ହୁଅନ୍ତି । ନେତାମାନେ ସରକାରଙ୍କୁ ଟାର୍ଗେଟ କରିଥାନ୍ତି । ଲକ୍ଷ୍ମୀପୁରରେ ହୋଇଥିବା ହିଂସା ପାଇଁ ଚାଷୀ ଆନ୍ଦୋଳନକାରୀମାନେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କର ପୁଅ ଆଶିଷ ମିଶ୍ରାଙ୍କୁ ଦାୟୀ ବୋଲି କହୁଛନ୍ତି । କିନ୍ତୁ ମିଶ୍ରା ବାପ-ପୁଅ ଏହାକୁ ଖଣ୍ଡନ କରିଛନ୍ତି । ଓଲଟା କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ରା କହିଛନ୍ତି ଯେ, ଉତ୍ତେଜିତ ଲୋକଙ୍କ ଦ୍ୱାରା ତାଙ୍କର ୩ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁ ମନ୍ତ୍ରୀ ଲୋକଙ୍କ ସେବା ପାଇଁ ରାଜନୀତିରେ ପ୍ରବେଶ କରନ୍ତି, ସେମାନଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିବା ଗଣତନ୍ତ୍ର ପାଇଁ ଲଜ୍ଜାଜନକ ।
ପ୍ରଶାସନିକ ସ୍ତରରେ ପଦକ୍ଷେପ କେମିତି?
ନିଜର ଆତ୍ମୀୟ ଲୋକଙ୍କୁ ହରାଇଥିବା ପରିବାର ଗୁଡ଼ିକରେ ଶୋକର ଛାୟା ଖେଳିଯାଇଛି । ତେବେ ଶୋକ ଚିନ୍ତାରୁ ସାମାନ୍ୟ ଆଶ୍ୱସ୍ତି ଦେବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ହୋଇଛି । ହିଂସାକାଣ୍ଡ ଘଟଣାରେ ମୃତ ୪ ଜଣ ଚାଷୀଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ୪୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ । ସେହିପରି ସଂପୃକ୍ତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବେ । ଆହତ ଚାଷୀଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ । ହାଇକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତି ମାମଲାର ତଦନ୍ତ କରିବେ ।
ଇଣ୍ଟରନେଟ୍ ବନ୍ଦ
ଲକ୍ଷ୍ମୀପୁର ହିଂସା ଘଟଣା ପରେ ସଂପୃକ୍ତ ଅଂଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ଯାଇ ଏହି ସେବା ପୁଣି ଚାଲୁରଖାଯିବ । ଏହା ପୂର୍ବରୁ ଶାନ୍ତିଶୃଙ୍ଖଳା ଜାରି ରଖିବାକୁ ବ୍ୟାପକ ପୋଲିସ ବଳ ମୁତୟନ ହୋଇଛି । ପୋଲିସ ସଂପୃକ୍ତ ସ୍ଥଳକୁ ଚାରିପାଶ୍ୱର୍ରୁ ବନ୍ଦ କରିଦେଇଛି । ବାହାରୁ ପ୍ରବେଶ କରିବାକୁ ଚାହୁଁଥିବା ଲୋକଙ୍କୁ ପ୍ରବେଶ ଦେଉନାହିଁ । ଏହି ଘଟଣା ପରେ ନିଜର ଦରଦୀ ପଣିଆ ଦେଖାଇବାକୁ ରବିବାର ରାତିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଲକ୍ଷ୍ମୀପୁର ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଅଟକ ରଖିଥିଲା ।
ଅଜୟ-ଆଶିଷଙ୍କ ବୟାନ
୪ ଜଣ ଚାଷୀମାନଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯିବା ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ତାଙ୍କର ବଡ଼ ପୁଅ ଆଶିଷ ଗାଡି ଚଳାଉଥିଲେ । ଏହି ଘଟଣାପାଇଁ କିଛି ଅସାମାଜିକ ବ୍ୟକ୍ତି ଦାୟୀ । ଆମର କର୍ମୀମାନେ ମୁଖ୍ୟ ଅତିଥିଙ୍କ ସ୍ୱାଗତ କରିବାରେ ବ୍ୟାସ୍ତ ଥିଲେ । ସେହି ସମୟରେ ଦୁର୍ବୃତ୍ତମାନେ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଏଥିରେ କାର ଚାଳକ ଆହତ ହୋଇଥିଲେ ଏବଂ ତାଙ୍କର ସନ୍ତୁଳନ ବିଗିଡ଼ି ଯାଇଥିଲା । ଆଶିଷ କହିଛନ୍ତି ଯେ, କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ସେ ବନୱାରୀପୁରରେ ଥିଲେ । ମୋ ଉପରେ ଅଣାଯାଇଥିବା ହତ୍ୟା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ଆମର ୩ଟି ଗାଡ଼ି ଉପମୁଖ୍ୟମନ୍ତ୍ରୀଙ୍କୁ ଆଣିବାକୁ ଯାଇଥିଲା । ରାସ୍ତାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ ।
ଆହତ ଚାଷୀଙ୍କ ଅଭିଯୋଗ
ଦୁର୍ଘଟଣାରେ ଆହତ ହୋଇ ଗୁରଜୀତ ସିଂହ କୋଟିଆ ନାମରେ ଚାଷୀ କହିଛନ୍ତି ଆମେ ହେଲିପ୍ୟାଡକୁ ସଂପୂର୍ଣ୍ଣ ଭାବରେ ଘେରି ଯାଇଥିଲୁ । ହେଲିକପ୍ଟର ଅବତରଣ କରିପାରି ନଥିଲା ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ଗସ୍ତରେ ଆସିଲେ କି ନାହିଁ ଜଣା ନାହିଁ । କିନ୍ତୁ ଯେଉଁ ଗାଡ଼ି ମନ୍ତ୍ରୀଙ୍କୁ ନେବାକୁ ଆସିଥିଲା ତାହା ଆମର ଉପରେ ଚଢ଼ି ଯାଇଥିଲା । ଏହି ଗାଡ଼ି ଆମକୁ ୨୦୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା ।