ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଲୋୟର ପିଏମ୍ଜି ଛକ ବିରୋଧର ସ୍ଥଳୀ ପାଲଟିଛି। ରାଜ୍ୟ ସରକାରଙ୍କ ଅସନ୍ତୁଷ୍ଟ କର୍ମଚାରୀ ହୁଅନ୍ତୁ କି ବିରୋଧୀ ଦଳ ହେଉ ଅଥବା ଅନ୍ୟ ସଂଗଠନର କର୍ମୀମାନେ ଏଠାରେ ଧାରଣା ଦେଉଛନ୍ତି। ଏଠାରେ ବର୍ଷର ଅଧିକ ସମୟ ଆନ୍ଦୋଳନ, ଧାରଣ, ଗଣବିକ୍ଷୋଭ ଜାରି ରହୁଛି। ବେଳେ ବେଳେ ଅପ୍ରୀତିକର ଅଘଟଣ ମଧ୍ୟ ଘଟୁଛି। ଏପରିକି ଆତ୍ମହୁତି ଧମକ ମଧ୍ୟ ଦିଆଯିବା ଘଟଣା ସାମ୍ନାକୁ ଆସିଛି। ବିଧାନସଭା ସମ୍ମୁଖରେ ଥିବା ଏହି ପ୍ରସସ୍ତ ରାସ୍ତା ବେଳେ ବେଳେ ଆନ୍ଦୋଳନକାରୀଙ୍କ ମାତ୍ରାଧିକ ଭିଡ଼ କାରଣରୁ ସଂକୀର୍ଣ୍ଣ ଜଣାପଡୁଛି। ମୁତୟନ ଥିବା ପୁଲିସଙ୍କର ଚିନ୍ତା ମଧ୍ୟ ବଢ଼ାଇ ଦେଉଛି।
ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆନ୍ଦୋଳନର ଡାକରା ଦେଇଛନ୍ତି। ନୂତନ ପେନସନ ଯୋଜନାରେ ସରକାରଙ୍କ ନୀତିବିହୀନ ନିଷ୍ପତିକୁ ବିରୋଧ କରି ଆନ୍ଦୋଳନକୁ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହୋଇଛନ୍ତି। ଏନପିଏସ ଶିକ୍ଷକ ସଂଘର ଦାବି ଗୁଡ଼ିକ ଯଥାର୍ଥ ଏବଂ ସରକାର ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦରକାର ବୋଲି କହି ଓଷ୍ଟା ଆନ୍ଦୋଳନକୁ ସମର୍ଥନ ଜଣାଇଛି । ଶିକ୍ଷକ ସଂଘର ଆନ୍ଦୋଳନ ଜାରି ରହିଥିବାରୁ ରାଜ୍ୟବ୍ୟାପୀ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି।
ଅନ୍ୟାୟ କରିଛନ୍ତି ସରକାର
ରାଜ୍ୟ ସରକାରଙ୍କ ବିଚିତ୍ର ନୀତି କାରଣରୁ ଶିକ୍ଷକ ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୀର୍ଘ ୨୦ ବର୍ଷଧରି ଶିକ୍ଷକମାନଙ୍କ ତୁଳନାରେ ନୂତନ ଭାବରେ ଯୋଗଦେଇଥିବା ଶିକ୍ଷକମାନଙ୍କୁ ଅଧିକ ସୁବିଧା ମିଳୁଛି। ଯେଉଁମାନେ କମ୍ ଟଙ୍କାରେ ପିଲାମାନଙ୍କର ଭବିଷ୍ୟତ ଗଢ଼ିଛନ୍ତି, ସେହି ଶିକ୍ଷକମାନଙ୍କୁ ଅବହେଳା କରିବା ନିହାତି ଅନ୍ୟାୟ। ସରକାର ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଲେ ଆନ୍ଦୋଳନ ହୁଅନ୍ତା ନାହିଁ। ଶିକ୍ଷକମାନେ ଦାବି କରିଛନ୍ତି, ସରକାର ଯାହା କହୁଛନ୍ତି, ତାହା କରନ୍ତୁ। ପକ୍ଷପାତତାକୁ ଗ୍ରହଣ କରାଯିବା ନାହିଁ। ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।
ଶିକ୍ଷାନୁଷ୍ଠାନର ପୂଜାରୀ ଶିକ୍ଷକ
କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ରାଜ୍ୟରୁ ଠିକା କର୍ମଚାରୀଙ୍କ ଯୁଗ ଶେଷ ହୋଇଯାଇଛି। ପ୍ରାର୍ଥୀମାନେ ଏଣିକି କାର୍ଯ୍ୟ ଆରମ୍ଭ ଦିନଠାରୁ ନିୟମିତ ଭାବେ କର୍ମଚାରୀ ଯୋଗେେଦେବେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରୁ ଶିକ୍ଷକ ସଂଘ ବହୁତ ଆଶା କରିଥିଲେ। କିନ୍ତୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ବିଶେଷ ଉପକୃତ ହେବେ ନାହିଁ ବୋଲି ଜାଣିବାରୁ ଆନ୍ଦୋଳନର ରାସ୍ତା ବାହାର କରିଛନ୍ତି। ତେବେ ମନ୍ଦିର ରୂପୀ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କର ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କୁ ଅସନ୍ତୁଷ୍ଟ କରାଯିବା କେତେଦୂର ଯଥାର୍ଥ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
ଶିକ୍ଷକଙ୍କ ଦାବିକୁ ବିରୋଧୀଙ୍କ ସମର୍ଥନ
ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସୁଛନ୍ତି ଯେ, ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାରର ସଦସ୍ୟ। ତେବେ ୫ ଲକ୍ଷ ଶିକ୍ଷକ ପରିବାର ଉପରେ ଦୃଷ୍ଟି ପକାନ୍ତୁ। ତେବେ ତୁରନ୍ତ ସେମାନଙ୍କର ଦାବି ପୂରଣ କରନ୍ତୁ ବୋଲି ଶିକ୍ଷକ ସଂଘର ସଭାପତି ଦାବି କରିଛନ୍ତି। ଭାରତବର୍ଷର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ୪୦ଶହ ଗ୍ରେଡ୍ ପେ ଦିଆଯାଉଥିବା ବେଳେ ଓଡ଼ିଶା ସରକାର ୨୨ଶହ ଗ୍ରେଡ୍ ପେ ଦେଉଛନ୍ତି। ଅନ୍ୟ ବିଭାଗରେ କମ୍ ଶିକ୍ଷାମାନ ଦଣ୍ଡରେ କାମ କରୁଥିବା କର୍ମଚାରୀଙ୍କ ଠାରୁ ସେମାନଙ୍କୁ କମ୍ ଦରମା ଦିଆଯାଉଛି। ଯେହେତୁ ପାଠପଢ଼ାବାରେ କେବେ ବି ଅବହେଳା କରାଯାଉନାହିଁ, ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସହ ପାତରଅନ୍ତର କରନ୍ତୁ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଶିକ୍ଷକ ସଂଘର ଦାବିକୁ କଂଗ୍ରେସ ଓ ବିଜେପି ସମର୍ଥନ ଜଣାଇଛି।