ଭୁବନେଶ୍ୱର: ଏକଦା ବିଦ୍ୟୁତ୍ ଶକ୍ତିର ପ୍ରାଣକେନ୍ଦ୍ର କୁହାଯାଉଥିବା ତାଳଚେର ଥର୍ମାଲ ପାୱାର ଷ୍ଟେସନ୍(ଟିଟିପିଏସ୍)କୁ ନେଇ ଓଡ଼ିଶା ଗର୍ବ କରୁଥିବା ବେଳେ ଏହି ଐତିହାସିକ କାରଖାନାକୁ ଗତ ମାର୍ଚ୍ଚ ୩୧ ତାରିଖ ଠାରୁ ବନ୍ଦ କରି ଦିଆଯାଇଛି । ଦୀର୍ଘ ୫୪ ବର୍ଷରୁ ମୁଣ୍ଡ ଟେକିଥିବା ରାଜ୍ୟର ପ୍ରଥମ ତାପଜ କେନ୍ଦ୍ର ଟିଟିପିଏସ୍ର ୬ଟି ୟୁନିଟରେ ତାଲା ଲାଗିଛି । କାରଖାନାର ବୟସ ଅତିକ୍ରାନ୍ତ ହୋଇଯାଇଛି ଦର୍ଶାଇ ଏହି ତାପଜ ବିଦ୍ୟୁତ୍ କାରଖାନାରୁ ଶକ୍ତି ଉତ୍ପାଦନ ଏପ୍ରିଲ ୧ ତାରିଖ ଠାରୁ ବନ୍ଦ କରିଦିଆଯାଇଛି । ଟିଟିପିଏସ୍ ବନ୍ଦ ହୋଇଯିବା ଫଳରେ ପ୍ରାୟ ୨୦ ହଜାର ଲୋକଙ୍କ ଜୀବନ ଦୁର୍ଦ୍ଦିନକୁ ଠେଲି ହୋଇଯାଇଛି । ହଜାର ହଜାର ଲୋକ ଏବେ କେମିତି ପରିବାର ପୋଷିବେ, ରହିବେ କେମିତି, ଖାଇବେ କ’ଣ ତାହା ଚିନ୍ତାର ବିଷୟ ପାଲଟିଛି ।
ନ୍ୟାସ୍ନ୍ୟାଲ ଥର୍ମାଲ ପାୱାର ପ୍ଲାଣ୍ଟ ଦ୍ୱାରା ପରିଚାଳିତ ଟିଟିପିଏସ୍ ବନ୍ଦ ହେବାର ଅତିକମ୍ରେ ଏକ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ନୋଟିସ୍ ଦିଆଯାଇଥାନ୍ତା, ଏଠାରେ କାର୍ଯ୍ୟରତ ଠିକା କର୍ମଚାରୀ ଓ ଶ୍ରମିକମାନେ ଜୀବନଧାରଣ ପାଇଁ ବିକଳ୍ପ ରାସ୍ତା ଖୋଜିଥାନ୍ତେ । କିନ୍ତୁ ଏହା ହେଲା ନାହିଁ । କାରଖାନା ବନ୍ଦ ହେବାର ଅଳ୍ପ ଦିନ ପୂର୍ବରୁ ହଠାତ୍ ଯେତେବେଳେ ଏଭଳି ନିଷ୍ପତ୍ତି ନେଲେ କର୍ମଚାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ଭଳି ଲାଗିଛି । ପୁଣି କାରଖାନା ଏମିତି ଏକ ସମୟରେ ବନ୍ଦ ହୋଇଛି, ଯେଉଁ ସମୟରେ କୌଣସି ସ୍ଥାନକୁ ଯାଇ ରୋଜଗାର ଖୋଜିବା ସମ୍ଭବ ନୁହେଁ । ଗୋଟିଏ ପଟେ କରୋନା ସଂକ୍ର୍ରମଣ ବ୍ୟାପି ଚାଲିଥିବା ବେଳେ ତାଲଚେଳ ଓ ଅନୁଗୁଳ ଅଂଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି ।
ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ
ଟିଟିପିଏସ୍ ଚାଲିଥିବା ବେଳେ ଏହି ଅଂଚଳରେ ଛୋଟ ବଡ଼ ଦୋକାନ ବଜାର ଖୋଲି ଶହ ଶହ ଲୋକେ କୁଟୁମ୍ବ ଚଳାଉଥିଲେ । ଏବେ କାରଖାନା ବନ୍ଦ ହୋଇଯିବା ପରେ ସେମାନେ ହାତବାନ୍ଧି ବସିଛନ୍ତି । ଏକଦା ଗ୍ରାହକଙ୍କ ଭିଡ ଯୋଗୁଁ ଦୋକାନୀମାନେ ବହୁତ ବ୍ୟସ୍ତ ରହୁଥିବା ବେଳେ ଏବେ ଦିନକୁ କେତେ ଗ୍ରାହକ ଆସୁଛନ୍ତି, ତାହା ଗଣିବାକୁ ପଡୁଛି । କାରଣ ପରିବାର ଚଳାଇବାକୁ ଅତି କମରେ ଦିନକୁ ୫୦୦ ଟଙ୍କା ଖର୍ଚ୍ଚ ରହିଛି । ଥର୍ମାଲ ବଜାର, ଜଗନ୍ନାଥ ବଜାର ଓ ଆନନ୍ଦ ବଜାରରେ ଆଉ ଲୋକାରଣ୍ୟ ଦେଖାଯାଉନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଶୁଣିଲାନି ଏନ୍ଟିପିସି
ଟିଟିପିଏସ୍ ଚାଲୁ ରଖିବା ପାଇଁ ଏନ୍ଟିପିସିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । କାରଖାନା ପୂର୍ବ ଭଳି ପରିଚାଳନା କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚିଠି ଲେଖିଥିଲେ । କିନ୍ତୁ ଏସବୁକୁ ଏନ୍ଟିପିସି କର୍ତ୍ତୃପକ୍ଷ ଶୁଣିନାହିଁ । କିନ୍ତୁ ଟିଟିପିଏସ୍ ପକ୍ଷରୁ କୁହାଯାଇଛି ଯେ, କାରଖାନାରେ ବେଳେ ବେଳେ ଯାନ୍ତ୍ରିକ ତୃଟି ଦେଖାଯାଉଛି । ଏହା ବଜାରରେ ମିଳିପାରୁ ନାହିଁ । କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ନେଇ ଆଶଙ୍କା ଲାଗି ରହିଥିବା ବେଳେ ପ୍ରଦୂଷଣ ବୋର୍ଡର ସର୍ତ୍ତାବଳି ଆଉ ଏକ ସମସ୍ୟା ଦେଖାଯାଇଛି ।
ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
ଟିଟିପିଏସ୍ରେ ତାଲା ଝୁଲିବା ପରେ ତାଲଚେରରେ ଆନ୍ଦୋଳନ ପାଇଁ ଶ୍ରମିକମାନେ ଏକଜୁଟ ହୋଇଛନ୍ତି । କାରଖାନା ଭିତରକୁ ପ୍ରବେଶ କରିପାରି ନଥିବା ଶ୍ରମିକମାନେ ଧାରଣା ଦେଇଛନ୍ତି । ତାଳଚେରରୁ ଏନ୍ଟିପିସି ଓ ନାଲକୋକୁ କୋଇଲା ରପ୍ତାନୀ ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଶ୍ରମିକଙ୍କ ଅଶାନ୍ତି ଯୋଗୁଁ ହିଂସା ଆଶଙ୍କାରେ ପୋଲିସ ମୁତୟନ କରାଯାଇଛି । ଚାପା ଉତ୍ତେଜନା ଲାଗି ରହିଛି ।