Friday, January 24, 2025
Homeଖବରପ୍ରମୁଖ ଖବରଶଙ୍ଖ ଫୁଙ୍କିଲେନି, ଦୀପ ଜାଳିଲେ ଲୋକେ

ଶଙ୍ଖ ଫୁଙ୍କିଲେନି, ଦୀପ ଜାଳିଲେ ଲୋକେ

ଭୁବନେଶ୍ବର: ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠ ପରେ ଅଯୋଧ୍ୟାଧାମରେ ଶ୍ରୀରାମଙ୍କ ଦର୍ଶନ କରିବାକୁ ଭଙ୍କମାନଙ୍କର ଜନସମୁଦ୍ର ପାଲଟିଛି। ଭକ୍ତମାନେ ଅଯୋଧ୍ୟା ପହଞ୍ଚି କୌଣସି ପ୍ରକାରରେ ଶୀଘ୍ର ରାମଲଲାଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି। ମଙ୍ଗଳବାର ଭୋର ସକାଳୁ ଶ୍ରୀରାମ ଜନ୍ମଭୂମିରେ ନିର୍ମାଣ ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଲମ୍ବା ଲାଇନ୍‌ ଲାଗିଛି। ରାମ ମନ୍ଦିରର ମୁଖ୍ୟ ଦ୍ବାର ବାହାରେ ଭକ୍ତମାନଙ୍କର ଲମ୍ବା ଲାଇନ୍‌ ରାତିରୁ ଲାଗୁଛି। ଭୋର ୨ଟାରୁ ଲୋକଙ୍କର ଭିଡ଼ ଲାଗୁଛି। ଜୟ ଶ୍ରୀ ରାମ ଶ୍ଲୋଗାନରେ କମ୍ପୁଛି। ଦେଶବ୍ୟାପି ଭକ୍ତମାନେ ଅଯୋଧ୍ୟା ଅଭିମୁଖେ ବାହାରୁଛନ୍ତି।

ରାମ ମନ୍ଦିର କେବଳ ଅଯୋଧ୍ୟା କି ଉତ୍ତରପ୍ରଦେଶବାସୀଙ୍କ ନୁହେଁ। ବରଂ ଏଠାରେ ପ୍ରଭୁ ରାମଲଲାଙ୍କ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଭାରତବାସୀ ଓ ବିଶ୍ବର କୋଣ ଅଣୁକୋଣରେ ରହୁଥିବା ହିନ୍ଦୁମାନେ ସ୍ବପ୍ନ ଦେଖିଥିଲେ। ପ୍ରାୟ ୫୦୦ ବର୍ଷ ହେଲା ଏଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଦେଖାଯାଇଥିବା ସ୍ବପ୍ନ ପୂରା ହୋଇଥିବା ବେଳେ ଏହାକୁ ନେଇ ଦେଶବାସୀ ବେଶ୍‌ ଉତ୍ସାହିତ ଦେଖାଯାଇଛି। ବିରୋଧୀମାନେ ଯଦି ରାମ ମନ୍ଦିର ବିଜେପିର କାମ ବୋଲି ଅଭିଯୋଗ ଆଣୁଛନ୍ତି, ତଥାପି ଏହାକୁ ବ୍ୟାପକ ଜନ ସମର୍ଥନ ମିଳିଛି। ଏହାର ଉଦାହରଣ ହେଉଛି ସୋମବାର ଗାଁରୁ ସହର ଯାଏଁ ଉତ୍ସାହ।

ଓଡ଼ିଶାରେ ଉତ୍ସାହ

ରାମଲଲା ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଭାରତ ସମେତ ଓଡ଼ିଶାରେ ମଧ୍ୟ ପ୍ରବଳ ଉତ୍ସାହ ଦେଖାଯାଇଛି। ମନ୍ଦିର ଓ ମଠଗୁଡ଼ିକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହିତ ଆଧ୍ୟାତ୍ମିକ ମୂଳକ କାର୍ଯ୍ୟ କରାଯାଇଛି। ଓଡ଼ିଶାବାସୀ ଘରେ ଶ୍ରୀରାମଙ୍କ ପତାକା ବାନ୍ଧିଛନ୍ତି। ସେହିପରି ରଂଗୋଲି, ଦୀପ ଜାଳିବା ଓ ବାଣ ଫୁଟାଇଛନ୍ତି। ଗାଁରେ ଗାଁରେ ସୁନ୍ଦରକାଣ୍ଡ, ନାମଯଜ୍ଞ, ସଂକୀର୍ତ୍ତନ ଓ ରାଲି ମଧ୍ୟ ହୋଇଛି। ସେହିପରି ପ୍ରାଣ ପ୍ରତିଷ୍ଠା ଅବସରରେ ଅନ୍ନ ଯଜ୍ଞ, ନଗର ସଂକୀର୍ତ୍ତନର ଆୟୋଜନ ହୋଇଛି। ଏହି ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଓଡ଼ିଶାବାସୀ ଦୀପାବଳି ଭାବେ ପାଳନ କରିଛନ୍ତି।

ଶଙ୍ଖ ଫୁଙ୍କି ନଥିଲେ ଲୋକେ

ଗତ ୧୭ ତାରିଖ ଦିନ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମେଘନାଦ ପାଚେରି ବାହାରେ ପରିକ୍ରମା ପ୍ରକଳ୍ପ (ମନ୍ଦିର ବାହାରେ ପରିକ୍ରମା ସହିତ ୪ଟି ଶୌଚାଳୟ) ଲୋକାର୍ପଣ ହୋଇଥିଲା। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପ୍ରକଳ୍ପର ପ୍ରବଳ ପ୍ରଚାର ପ୍ରସାର କରିଥିଲେ। ପ୍ରକଳ୍ପରେ ୯୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏତଦ୍‌ ବ୍ୟତୀତ ଏହାର ପ୍ରଚାର ପ୍ରସାର ପାଇଁ ଆହୁରି ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରକଳ୍ପ ଲୋକାର୍ପଣ ହେବାର କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଅପିଲ କରିଥିଲେ ଯେ, ୨୦୨୪ ଜାନୁଆରି ୧୭ ତାରିଖ ସନ୍ଧ୍ୟାରେ ଲୋକେ ଶଙ୍ଖ ଫୁଙ୍କନ୍ତୁ, ଘଣ୍ଟ ବଜାନ୍ତୁ ଓ ଦୀପ ଜାଳନ୍ତୁ। ମାତ୍ର ନବୀନଙ୍କ କଲା ଲୋକେ ଜାଣି ଅଜଣା ପରି ରହିଥିଲେ। କାରଣ ଲୋକେ ଜଗନ୍ନାଥଙ୍କୁ ଭଲ ପାଆନ୍ତି, ପ୍ରଭୁଙ୍କ ନାମରେ ନିର୍ବାଚନ ପ୍ରଚାରକୁ ଭଲ ପାଆନ୍ତି ନାହିଁ। ପରିକ୍ରମା ନାଁରେ ଲୋକଙ୍କ ବିଶ୍ବାସରେ ଆଘାତ ଦିଆଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ଭାଇରାଲ ମଧ୍ୟ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ

ରାମ ମନ୍ଦିର ନିର୍ମାଣ ଓ ରାମଲଲା ପ୍ରାଣ ପ୍ରତିଷ୍ଠା ହେଉଛି ବିଜେପିର ବଡ଼ ପ୍ରକଳ୍ପ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏହି ପ୍ରକଳ୍ପ ମାଧ୍ୟମରେ ବିଜେପି ଯଦିଓ ଜନ ସମର୍ଥନ କରୁଛି। କିନ୍ତୁ ରାମ ମନ୍ଦିର ନିର୍ମାଣକୁ ଦେଶବାସୀ ସ୍ବାଗତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜାନୁଆରି ୨୨ ତାରିଖରେ ଲୋକଙ୍କୁ ଦୀପ ଜାଳିବା ପାଇଁ ଅପିଲ କରିଥିଲେ। ଲୋକେ କିଛି ଦିନ ପୂର୍ବରୁ ନବୀନ କରିଥିବା ଅପିଲକୁ ଅଣଦେଖା କରିଥିବା ବେଳେ ଶ୍ରୀ ମୋଦୀଙ୍କ କଥାକୁ ଗୁରୁତ୍ବ ଦେଇଥିଲେ। ଦୀପ ଜାଳି ପ୍ରଭୁ ରାମଙ୍କୁ ସ୍ବାଗତ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଜଣାଇଛନ୍ତି। ଓଡ଼ିଶାବାସୀ ଦିନ ସାରା ରାମନାମରେ ନିଜକୁ ମିଶାଇ ଦେଇଛନ୍ତି। ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ରାଉରକେଲା, ଜୟପୁର ରାମମୟ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସହରଗୁଡ଼ିକରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣୀ ଭଳି ପ୍ରାଣ ପ୍ରତିଷ୍ଠା ସମାରୋହ ପାଳନ କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments