Tuesday, September 17, 2024
Homeଶରୀର ସୁସ୍ଥ ଓ ମନ ଶାନ୍ତି ପାଇଁ ଯୋଗ
Array

ଶରୀର ସୁସ୍ଥ ଓ ମନ ଶାନ୍ତି ପାଇଁ ଯୋଗ

ଭୁବନେଶ୍ୱର: ଏକଦା ମୁନିଋଷିମାନେ ଯୋଗ ସାଧନା କରୁଥିଲେ । ପାହାଡ଼-ପର୍ବତ-ଗୁମ୍ଫାରେ ରହି ବହୁ ବର୍ଷ ଯାଏଁ ଯୋଗସାଧନା କରୁଥିଲେ । ଏହି ଯୋଗ ସାଧାନା ବଳରେ ସେମାନେ ସଫଳତାର ସ୍ୱାଦ ଚାଖୁଥିଲେ । ଅତ୍ୟାଧୁନିକ ଯୁଗରେ ମଧ୍ୟ ସେହି ପୁରୁଣା ଅଭ୍ୟାସକୁ ଗୁରୁତ୍ୱ ଦିଆଯାଉଛି । ଯୋଗ କରିବାକୁ ଟଙ୍କା ଖର୍ଚ୍ଚ ହେଉ ନାହିଁ । କେବଳ ସମୟ ବାହାର କରିବାର ଅଛି । ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ହେଉଥିବା ବେଳେ ମନ ଭଲ ରହୁଛି । ଯୋଗକୁ ଚିକିତ୍ସା ବିଜ୍ଞାନ ସ୍ୱୀକାର କରୁଛି । ସେଥିପାଇଁ ଯୋଗ ଦିନକୁ ଦିନ ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରୁଛି ।

ସାରା ବିଶ୍ୱରେ ଯୋଗ ଦିବସ ପାଳନ ହୋଇଛି । ଭାରତର ଏହି ପ୍ରାଚୀନ ସଂସ୍କୃତି ବିଶ୍ୱରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । କରୋନା ଭାଇରସ ସଂକ୍ରମର ଯୋଗୁଁ ୨୦୨୧ ମସିହା ଜୁନ ୨୧ ତାରିଖ (ସୋମବାର)ର ଯୋଗ ପୂର୍ବ ବର୍ଷ ଭଳି ହୋଇପାରି ନାହିଁ । କିନ୍ତୁ ଯୋଗକୁ ନେଇ ବ୍ୟକ୍ତିଗତ ସ୍ତରରେ ଲୋକଙ୍କ ମନରେ ଉତ୍ସାହ ଦିନକୁ ଦିନ ବଢୁଛି । ଲୋକମାନେ ନିଜ ଘରେ ଏକାକୀ ଓ ପରିବାର ସହ ଯୋଗ କରୁଛନ୍ତି । ଅତ୍ୟାଧୁନିକ ମେଡିକାଲ ଚିକିତ୍ସା ତଥା ଡାକ୍ତରମାନେ ମଧ୍ୟ ଯୋଗକୁ ଗ୍ରହଣ କରିଛନ୍ତି ।

ଆଶାର ଆଲୋକ ଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, କରୋନା ମହାମାରୀକୁ ମୁକାବିଲା ସମୟରେ ଯୋଗ ଆଶାର କିରଣ ଭାବେ କାମ କରୁଛି । ସଂକ୍ରମଣ ପାଇଁ ଯଦିଓ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନାହିଁ, ତଥାପି ଯୋଗ କରିବାକୁ ଲୋକଙ୍କ ମନରେ ଭାରି ଉତ୍ସାହ । ବିଶ୍ୱର ଅଧକାଂଶ ଦେଶରେ ଲୋକଙ୍କ ପାଇଁ ଯୋଗ ଶତାବ୍ଦୀ ପୁରୁଣା ସାଂସ୍କୃତିକ ସଂପର୍କ ନଥିଲା । ବିପଦ ସମୟରେ ଏତେ ଅସୁବିଧାରେ ଲୋକେ ଯୋଗକୁ ଭୁଲିପାରି ନାହାନ୍ତି । ବରଂ ଲୋକଙ୍କ ମଧ୍ୟରେ ଯୋଗ ନେଇ ଉତ୍ସାହ ବଢ଼ିଛି । ଯୋଗକୁ ଲୋକେ ଭଲ ପାଉଛନ୍ତି । କରୋନା ସମୟରେ ଲୋକଙ୍କ ପାଇଁ ଯୋଗ ଏକ ବଡ଼ ଅସ୍ତ୍ର ପାଲଟିଛି ।

ଯୋଗ ପାଇଁ ପଦକ୍ଷେପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ୨୦୧୪ ମସିହାରେ ଭାରତ ୟୁନାଇଟେଡ ନ୍ୟାସନରେ ଅନ୍ତର୍ଜାତୀୟ ଯୋଗ ଦିବସ ନେଇ ପ୍ରସ୍ତାବ ରଖିଥିଲା । ଏହାର ପଛରେ ଲକ୍ଷ୍ୟ ଥିଲା ଯେ, ଯୋଗ ପୂରା ବିଶ୍ୱରେ ଆଦୃତ ହେଉ । ଭାରତ ଆଜି ୟୁନାଇଟେଡ ନ୍ୟାସନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଳିତ ଭାବେ ଆହୁରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । କରୋନା ସମୟରେ କୌଣସି ଦେଶ ସମ୍ବଳ, ସାମର୍ଥ୍ୟ ଓ ମାନସିକ ଅବସ୍ଥାରେ ମଜବୁତ ନ ଥିଲା । ଆମେ ସମସ୍ତେ ଏହି କଠିନ ସମୟରେ ଯୋଗ ମାଧ୍ୟମରେ ଆତ୍ମବଳକୁ ବଢ଼ାଇଛେ । ଏବେ ବିଶ୍ୱକୁ ଏମ୍‌-ଯୋଗ ଆପର ଶକ୍ତି ମିଳିବାକୁ ଯାଉଛି । ଏହି ଆପ ମାଧ୍ୟମରେ ସାଧାରଣ ଯୋଗ ପ୍ରୋଟୋକଲ ଆଧାରରେ ଯୋଗ ତାଲିମର ଅନେକ ଭିଡିଓ ବିଶ୍ୱର ବିଭିନ୍ନ ଭାଷାରେ ଉପଲବ୍ଧ ହେବ ।

ଲଦ୍ଦାଖରେ ଯବାନଙ୍କ ଯୋଗ

ଯୋଗକୁ ସମାଜର ସବୁ ବର୍ଗର ଲୋକେ ଗ୍ରହଣ କରୁଛନ୍ତି । ଯୋଗ ମାଧ୍ୟମରେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଜନିତ ସମସ୍ୟା ଠିକ୍ କରାଯାଇପାରୁଛି ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ମାନସିକ ରୋଗୀଙ୍କ ପାଇଁ ଯୋଗ ଏକ ବଡ଼ ଔଷଧ । ଯୋଗ କେବଳ ଘର, କାର୍ଯ୍ୟାଳୟ, ପଡ଼ିଆ, କ୍ଲବ ଘରରେ ସୀମତି ହୋଇ ରହିନାହିଁ । ହିମାଳୟର ଉଚ୍ଚ ପାହାଡ଼ରେ ମଧ୍ୟ ଦେଶର ଯବାନମାନେ ଯୋଗ କରୁଛନ୍ତି । ଜୁନ ୨୧ରେ ଅନ୍ତର୍ଜାତୀୟ ଦିବସ ଅବସରରେ ସମୁଦ୍ର ପତନରୁ ୧୮ ହଜାର ଫୁଟ ଉଚ୍ଚ ଲଦ୍ଦାଖର ଉଚ୍ଚ ପାହାଡ଼ରେ ଆଇଟିବିପିର ଯବାନମାନେ ଯୋଗ କରିଛନ୍ତି । ଯବାନମାନେ ଦେଶ ସୁରକ୍ଷା କରିବା ସହିତ ସୁସ୍ଥ ଓ ନିରୋଗ ରହିବାର ବାର୍ତ୍ତା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments