Thursday, January 23, 2025
Homeଶିକ୍ଷକ ମରୁଡ଼ି, ତାଲିମପ୍ରାପ୍ତ ଆଶାୟୀ ବେକାର 
Array

ଶିକ୍ଷକ ମରୁଡ଼ି, ତାଲିମପ୍ରାପ୍ତ ଆଶାୟୀ ବେକାର 

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷାର ବିକାଶ ଓ ପିଲାମାନଙ୍କୁ ଯୁଗୋପଯୋଗୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କିଛି ମାସ ହାଇସ୍କୁଲଗୁଡ଼ିକରେ ସବୁଜ ରଂଗ ଲଗାଉଛନ୍ତି । ଏଥି ସହିତ କିଛି ସ୍ଥାନରେ ଅତିରିକ୍ତ କୋଠାରୀ ନିର୍ମାଣ କରିଛନ୍ତି । ମାର୍ବଲ ଓ ଟାଇଲ ବସାଇ ଏକ ନୂଆ ରୂପ ଦେଉଛନ୍ତି । ବିଦ୍ୟାଳୟଗୁଡ଼ିକରେ ନୂତନ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବା ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତାମୂଳକ ପରୀକ୍ଷାର ଆୟୋଜନ କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ବିଦ୍ୟାଳୟଗୁଡ଼ିକରେ ଏକାଧିକ ସମସ୍ୟା ରହୁଛି । କେଉଁଠି ଶିକ୍ଷକ ମରୁଡ଼ି ଥିବା ବେଳେ ଅନ୍ୟ ସ୍ଥାନରେ ଯୋଗ୍ୟ ଶିକ୍ଷକ ନାହାନ୍ତି । ଏହି କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆନ୍ଦୋଳନର ଦାନା ବାନ୍ଧୁଛି । ବିଦ୍ୟାଳୟରେ ତାଲା ପଡୁଛି । ରାଜ୍ୟରେ ଲକ୍ଷଲକ୍ଷ ପ୍ରାର୍ଥୀ ସିଟି ଓ ବିଇଡି ପାଠପଢ଼ି ଚାକିରି ପାଇଁ ଅପେକ୍ଷା କରିଥିବା ବେଳେ ସରକାର ସେମାନଙ୍କୁ ନିଯୁକ୍ତି ଦେଉନାହାନ୍ତି ।

ଗୁଣାତ୍ମକ ଶିକ୍ଷା ଦେବାକୁ ହେଲେ ଭିତ୍ତିଭୂମି ମଜବୁତ ରହିବା ଦରକାର । ଏଥି ସହିତ ଶିକ୍ଷକମାନେ ଉତ୍ସର୍ଗୀକୃତ ମନୋଭାବ ରଖିବା ଉଚିତ । ଶିକ୍ଷକତା ଏକ ଚାକିରି ନଭାବି ଏହା ଏକ ସେବା ଓ ବ୍ରତ ମନେ କରାଯିବା ଉଚିତ । ପିଲାମାନଙ୍କର ଉନ୍ନତି ସଂପର୍କରେ ବିଦ୍ୟାଳୟର ସମୀକ୍ଷା ହେବା ଉଚିତ । ଭଲ ପ୍ରଦର୍ଶନ କରୁ ନଥିବା ପିଲାମାନଙ୍କୁ ଅତିରିକ୍ତ ସମୟ ଦେଇ, ସେମାନଙ୍କୁ ଆଗକୁ ଆଣିବା ପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ଅଛି । ପିଲାମାନଙ୍କର ଉନ୍ନତି ପାଇଁ ଉଭୟ ଶିକ୍ଷକ ଓ ଅଭିଭାବକମାନେ ଯତ୍ନବାନ ହେବା ଉଚିତ ।

ଦାୟିତ୍ୱ କେମିତି ତୁଲାନ୍ତି ପ୍ରଶାସକ

ସ୍କୁଲ ପିଲାମାନଙ୍କର ଶୈଖିକ ବିକାଶ ପାଇଁ ଉଭୟ ଅଭିଭାବକ ଓ ଶିକ୍ଷକଙ୍କର ଗୁରୁ ଦାୟିତ୍ୱ ରହିଛି । ସେହିପରି ଶିକ୍ଷକମାନେ ସେମାନଙ୍କର ଦାୟିତ୍ୱ କିଭଳି ଭାବେ ପରିଚାଳନା କରୁଛନ୍ତି, ସେଥି ପାଇଁ ସିଆରସି, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ନିୟମିତ ତଦାରଖ କରିବା ଉଚିତ । ଦରକାର ପଡ଼ିଲେ ଜିଲ୍ଲାପାଳମାନେ ମଧ୍ୟ ମଝିରେ ମଝିରେ ଅଚାନକ ବିଦ୍ୟାଳୟରେ ପହଞ୍ଚି ସମୀକ୍ଷା କଲେ ଭଲ । ପ୍ରଶାସନିକ ଅଧିକାରୀମାନେ ବିଦ୍ୟାଳୟକୁ ବିନା ସୂଚନାରେ ପହଞ୍ଚିବା ଦ୍ୱାରା ଶିକ୍ଷକମାନେ ସତର୍କ ହୋଇ ସେମାନଙ୍କର କର୍ତ୍ତବ୍ୟ କରିବେ । ଆଉ ଢିଲା ମାରିବେ ନାହିଁ । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ଓ ଅନ୍ୟ କାର୍ଯ୍ୟକ୍ରମରେ ଅଗ୍ରଗତି ହେଉନାହିଁ ।

ବିକାଶ ପାଇଁ ସମୀକ୍ଷା

ବିଦ୍ୟାଳୟକୁ କେବଳ ସବୁଜ ରଂଗ, ମାର୍ବଲ ଓ ଟାଇଲ ବିଛାଇ ଚକାଚକ କରିଦେଲେ ପିଲାମାନେ ଉନ୍ନତି କରିବେ ନାହିଁ । ବରଂ ପିଲାମାନଙ୍କର ବିକାଶ ପାଇଁ ନିୟମିତ ଓ ବ୍ୟବସ୍ଥିତ ଶୈଳୀରେ ପାଠପଢ଼ା ହେବା ଦରକାର । କ୍ରୀଡ଼ା, ସାଧାରଣ ଜ୍ଞାନ, ବକୃତା ପାଇଁ ସ୍ୱତନ୍ତ୍ର କ୍ଲାସ ହେବା ଦରକାର । ବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନ ଉପରେ ବାର୍ଷିକ ସମୀକ୍ଷା ହେବା ଉଚିତ । ସରକାର ଦେଇଥିବା ଉପକରଣ କିଭଳି ଭାବେ ବ୍ୟବହାର ହେଉଛି, ତାକୁ ତଦାରଖ କରାଯିବାର ଆବଶ୍ୟକତା ରହିଛି । ଅଭିଭାବକଙ୍କ ବ୍ୟତୀତ ବିଦ୍ୟାଳୟ କମିଟିରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ସଦସ୍ୟ କରାଯାଇ ପାରିଲେ ଭଲ ।

ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଅବ୍ୟବସ୍ଥା

ବିଶେଷ ଭାବେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଭଲ ପାଠ ପଢ଼ାଯାଉ ନଥିବା ନେଇ ଶିକ୍ଷକମାନେ ଅଜବ ଯୁକ୍ତି ବାଢ଼ନ୍ତି । ଶିକ୍ଷକଙ୍କର ଅଭିଯୋଗ ହେଲା ଯେ, ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଆବଶ୍ୟକ ପଦବି ସୃଷ୍ଟି କରାଯାଉନାହିଁ । ପୁଣି ଜନଗଣନା, ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଆଦି କାର୍ଯ୍ୟ କରିବାକୁ ପଡୁଛି । ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ତାଳସାକରସ୍ଥିତ ମହାମାୟୀ ଉଚ୍ଚବିଦ୍ୟାଳୟରେ ୧୪୫ ଜଣ ଛାତ୍ରୀଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ କେବଳ ଜଣେ ଶିକ୍ଷକ ଅଛନ୍ତି । ଏହି ସ୍କୁଲର ୯ମ ଶ୍ରେଣୀରେ ୭୩ ଜଣ ଓ ଦଶମ ଶ୍ରେଣୀରେ ୭୨ ଜଣ ଛାତ୍ରଛାତ୍ରୀ ପିଲା ପାଠ ପଢ଼ନ୍ତି । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ଶିକ୍ଷାର ବ୍ୟବସ୍ଥା ଏଭଳି ରହିଛି, ଅନ୍ୟ ସ୍ଥାନର ଅବସ୍ଥା କ’ଣ ଥିବ । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ମୟୂରଭଂଜ ଜିଲ୍ଲାରେ ମଧ୍ୟ ପ୍ରାଥମିକ ଶିକ୍ଷାର ଅବସ୍ଥା ଦୟନୀୟ । ସୁବର୍ଣ୍ଣରେଖା ଇରିଗେସ ପ୍ରୋଜେକ୍ଟ କମ୍ପୋଜିଟ ସ୍କୁଲରେ ୩୩୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଠାରେ ମାତ୍ର ୩ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଅଧିକ ଶିକ୍ଷକ ନିଯୁକ୍ତି ଦାବିରେ ଏହି ବିଦ୍ୟାଳୟର ପିଲାମାନେ ୪ କିଲୋମିଟର ଚାଲିଚାଲି ଜିଲ୍ଲାପାଳଙ୍କ ନିକଟକୁ ଆସୁଥିଲେ । ସେମାନଙ୍କୁ ଅଧବାଟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକାଇଥିଲେ ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments