Tuesday, September 10, 2024
Homeଖବରପ୍ରମୁଖ ଖବରଶିକ୍ଷା ବିଭାଗରେ ଦୁର୍ନୀତି: ଭିଜିଲାନ୍ସ ଜାଲରେ କର୍ମଚାରୀ

ଶିକ୍ଷା ବିଭାଗରେ ଦୁର୍ନୀତି: ଭିଜିଲାନ୍ସ ଜାଲରେ କର୍ମଚାରୀ

ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତିର କାୟା ବିସ୍ତାର ଦେଖିବାକୁ ମିଳୁଛି। ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ ଓ ‘୫’ଟିକୁ ସରକାରୀବାବୁମାନେ ଖାତିର କରୁନାହାନ୍ତି। ପ୍ରତ୍ୟେକ କାମରେ ହାତଗୁଞ୍ଜା ଦେବାକୁ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଲିସ, ଅବକାରୀ, ରାଜସ୍ବ, ମହିଳା ଓ ଶିଶୁ ବିକାଶ, ବନ ବିଭାଗରେ ଦୁର୍ନୀତିର ସୀମା ଟପିସାରିଛି। କିଛି ବର୍ଷ ପୂର୍ବରୁ ଦେଖିବାକୁ ମିଳୁଥିଲା ଇଂଜିନିୟର ଓ ଡାକ୍ତରମାନେ ବେଆଇନ ଭାବେ ଅର୍ଥ ରୋଜଗାର କରି ଅମାପ ସଂପତ୍ତିର ଅଧିକାରୀ ହେଉଥିଲେ। କିନ୍ତୁ ଆଜିର ଦିନର ଦୁର୍ନୀତିର ସଂଜ୍ଞା ଆଉ କିଛି।

ସରକାରୀ କାର୍ଯ୍ୟାଳୟରେ ଚପରାସି ଠାରୁ ଆରମ୍ଭ କରି ଅଧିକାରୀମାନେ ଦୁର୍ନୀତି କାମରେ ଲିପ୍ତ ରହୁଛନ୍ତି। ସତେ ଯେପରି ସେମାନେ ଭାବନ୍ତି ଯେ, ଲାଞ୍ଚ ନେବା ଏକ ଅତିରିକ୍ତ କାମ। ଲାଞ୍ଚୁଆ ବାବୁମାନେ ଭୁଲି ଯାଆନ୍ତି ଯେ, ସରକାର ତାଙ୍କୁ ଲୋକଙ୍କର ସେବା କରିବା ପାଇଁ ନିଯୁକ୍ତି ଦେଇଛନ୍ତି। ଅତୀତର ଇତିହାସ ଦେଖିବାକୁ ଗଲେ ଲାଞ୍ଚ କାରବାରରେ ରାଜସ୍ବ ନିରୀକ୍ଷକ, ତହସିଲଦାର, ପୁଲିସ କନଷ୍ଟେବଳ, ଏସ୍‌ଆଇ, ଏସ୍‌ଡିପିଓ, ଏଷ୍ଟିମେଟର, ସୁପରଭାଇଜର, ସିଡିପିଓ, ଇଂଜିନିୟରମାନେ ସଂପୃକ୍ତ ରହୁଛନ୍ତି। ସେହିପରି ବ୍ଲକ କାର୍ଯ୍ୟାଳୟ ଠାରୁ ଲୋକସେବା ଭବନ ଯାଏଁ ଦୁର୍ନୀତିର ଚେର ଲମ୍ବିଛି। ନୀରିହ ଜନତା ନିଜର ମୂଲ୍ୟର ସମୀକ୍ଷା ନକରି ଦୀର୍ଘ ଦିନ ହେଲା ଗୋଟିଏ ଦଳର ସରକାରକୁ ବସାଇ ରଖିଛି, ଯାହାକି ଭବିଷ୍ୟତ ପାଇଁ କାଳ ହେଉଛି।

ଶିକ୍ଷା ବିଭାଗରେ ଦୁର୍ନୀତି

ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ଶିକ୍ଷା ବିଭାଗରେ ମଧ୍ୟ ଦୁର୍ନୀତିମୂଳକ ଗତିବିଧି ଦେଖାଯିବା। କାରଣ ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅନ୍ୟ ବିଭାଗ ତୁଳନାରେ ଭିନ୍ନ। ଯେଉଁ ବିଭାଗ ସମାଜକୁ ଭଲ ରାସ୍ତା ଦେଖାଇଥାଏ, ଯଦି ସେଠାରେ କାର୍ଯ୍ୟରତ ବ୍ୟକ୍ତି ଦୁର୍ନୀତିରେ ବୁଡ଼ି ରହିବେ, ତା’ହେଲେ ଅନ୍ୟମାନଙ୍କର ଅବସ୍ଥା କ’ଣ ରହିବ। ଶିକ୍ଷା ବିଭାଗରେ କାର୍ଯ୍ୟରତ ଦୁର୍ନୀତି କାମରେ ଜଡ଼ିତ ଥିବା ନେଇ ଆମେ ବିଗତ ଦିନର ଘଟଣା ଦେଖିଛେ। କିନ୍ତୁ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ସଂପତ୍ତି ଲୋକଲୋଚନକୁ ଆସିବା ପରେ ରାଜ୍ୟର ଅବସ୍ଥା ଉତ୍ତର ପ୍ରଦେଶ ଓ ବିହାରକୁ ଟପିଗଲାଣି କୁହାଯାଇପାରିବ। ଶିକ୍ଷା ବିଭାଗରେ କାର୍ଯ୍ୟରତ ବ୍ୟକ୍ତିମାନେ ସେମାନେ ନିଜ ନିଜର କର୍ତ୍ତବ୍ୟ ପ୍ରତି ସମର୍ପିତ ନୁହଁନ୍ତି ବୋଲି ଏହା ପ୍ରମାଣିତ କରୁଛି।  

ମେଡିକାଲ ଅଧ୍ୟକ୍ଷକଙ୍କ ୧୬ଟି ପ୍ଲଟ

ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କର ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଟିମ୍ ବିସ୍ମିତ ହୋଇଥିଲେ। ଶ୍ରୀ ବେହେରାଙ୍କ ପୁରୀରେ ୧୬ଟି ପ୍ଲଟ୍ ଥିବା ବେଳେ ତିନିଟି ବହୁମହଲାବିଶିଷ୍ଟ ଘର, ତିନିଟି ଦାମୀ କାର୍ ଓ  ଗୋଟିଏ ବାଇକ୍ ରହିଛି। ତାଙ୍କ ପାଖରେ ଥିବା ତିନିଟି ଦାମୀ କାରର ମୂଲ୍ୟ ୩୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହାଛଡ଼ା ତାଙ୍କ ନାମରେ ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ଏହାଛଡ଼ା କେତେ ଟଙ୍କାର ବୀମା ଓ ଅନ୍ୟ ପୁଞ୍ଜି ବିନିଯୋଗ ଉପରେ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ବି ଖୋଳତାଡ଼ କରୁଛି ଭିଜିଲାନ୍ସ। ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ କରିଥିଲା।

ଶିକ୍ଷକଙ୍କ ଠାରୁ ଲାଞ୍ଚ

ଗତ ଅଗଷ୍ଟ ୨୬ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ସଇନ୍ତଳା‌ ସଇନ୍ତଳା ବ୍ଲକ୍‌ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ୍‌ ଅଜୟ ଖୁଣ୍ଟିଆ ଜଣେ ଶିକ୍ଷକଙ୍କ ମହଙ୍ଗା ଭତ୍ତା ମଞ୍ଜୁରି ପାଇଁ ସେ ୧୮ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଶିକ୍ଷକ ସହଦେବ ଦନ୍ତା ଜାତୀୟ ପେନସନ୍‌ ଯୋଜନାର ମହଙ୍ଗା ଭତ୍ତା ମଞ୍ଜୁରି ପାଇଁ ଆବେଦନ କରିଥିଲେ। ଏଥିପାଇଁ ବ୍ଲକ୍‌ ଶିକ୍ଷା ବିଭାଗରେ ଚୁକ୍ତିଭିତ୍ତିକ ଆକାଉଣ୍ଟାଣ୍ଟ ଭା‌ବେ କାମ କରୁଥିବା ଅଜୟ ଖୁଣ୍ଟିଆ ତାଙ୍କୁ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ଶିକ୍ଷକ ଶ୍ରୀ ଦନ୍ତା ସମ୍ବଲପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଭିଜିଲାନ୍ସ ବିଭାଗ ପୂର୍ବ ପସ୍ତୁତି ଅନୁଯାୟୀ ଶୁକ୍ରବାର ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରି ଲାଞ୍ଚ ଟଙ୍କା ନେଉଥିବା ବେଳେ ଅଜୟଙ୍କୁ କାବୁ କରିଥିଲା। ଏହା ପୂର୍ବରୁ ଏପ୍ରିଲ ୨୭ରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଜଣେ ଶିକ୍ଷକଙ୍କର ବକେୟା(ଏରିଅର୍) ଦରମା ପ୍ରଦାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିପରି ଏପ୍ରିଲ ୧୧ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଜଣେ ନିଲମ୍ବିତ ଶିକ୍ଷକଙ୍କଠାରୁ କାଗଜପତ୍ର କରାଇ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments