ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କୁ ଖୁସି କରିବା ଭଳି କାମ ହାତକୁ ନେଇଛନ୍ତି। ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ୍, ଖବରକାଗଜ ହକ୍ରର୍ସ ମାନଙ୍କୁ କୋଭିଡ ସହାୟତା ପ୍ରଦାନ, ସରକାରୀ ଚାକିରିଆଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ, ୮ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା, ଏପ୍ରିଲ ସୁଦ୍ଧା ୧୧ ହଜାର ଶିକ୍ଷକ ପଦବି ପୂରଣ ପାଇଁ ଘୋଷଣା ପରେ ଏବେ ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ବାଇଛନ୍ତି। ସରକାରଙ୍କ ଏହି ବସୟ ସୀମା କୋହଳ ଯୋଗୁଁ ହଜାର ହଜାର ସଂଖ୍ୟାରେ ଯୁବପିଢ଼ି ପ୍ରବେଶିକା ପରୀକ୍ଷା ତଥା ଚାକିରି ପାଇଁ ଆବେଦନ କରିପାରିବେ, ଯେଉଁମାନଙ୍କର ବୟସ ଯୋଗ୍ୟତା ଚାଲିଯାଇଥିଲା। ରାଜ୍ୟ ସରକାର ୨୦୨୧କୁ ମିଶାଇ ୩ ବର୍ଷ ପାଇଁ ଏହି ବୟସ କୋହଳ କରିଛନ୍ତି। ୨୦୨୧ରେ ଚାକିରି ପାଇଁ ଆବେଦନ କରିଥିବା ପ୍ରାର୍ଥୀ ମଧ୍ୟ ଏଥିରୁ ଉପକୃତ ହେବେ।
ତେବେ ପ୍ରଶ୍ନ ଉଠୁଛି, ପଞ୍ଚାୟତ ନିର୍ବାଚନ ଆଗକୁ ଥିବାରୁ ଚାକିରି ଆଶାୟୀ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ଉଦ୍ୟମ କି? ସେ ଯାହା ହେଉ ପ୍ରକୃତ ପକ୍ଷେ ଏହି ବୟସ ସୀମା କୋହଳ କରାଯିବା ପରେ ଆଗାମୀ ଦିନରେ ଚାକିରି ପାଇଁ ଖାଲି ପଦ ପୂରଣ ପାଇଁ ଦରଖାସ୍ତ ଆହ୍ଵାନ କରାଯାଏ, ତା’ହେଲେ ଯୁବପିଢ଼ି ଏଥିରୁ ହଜାର ହଜାର ଆଶାୟୀ ପ୍ରାର୍ଥୀ ଉପକୃତ ହେବେ। କିନ୍ତୁ ଏହି ସମୟ ମଧ୍ୟ ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ପଦବି ପୂରଣ ହେବା ଦରକାର। ଆଗାମୀ ୩ ବର୍ଷ ମଧ୍ୟରେ ଯଦି ଚାକିରି ପାଇଁ ଆହ୍ଵାନ କରାଯାଏ, ତା’ହେଲେ ଆଶା ଛାଡ଼ିଥିବା କିଛି ପ୍ରାର୍ଥୀଙ୍କ ତ ଭାଗ୍ୟ ବଦଳିବ। କାରଣ ଆଜିର ଯୁବପିଢ଼ି ସରକାରୀ ଚାକିରି ପାଇଁ ଚାତକ ପରି ଚାହିଁ ରହିଥାନ୍ତି। ବ୍ୟକ୍ତିଗତ ଉଦ୍ୟମରେ କିଛି କରିବାକୁ ବହୁତ କମ୍ ଲୋକ ଚାହିଁଥାନ୍ତି।
କାହାର ଆଶା ହେବ ପୂରଣ
ଏଯାଏଁ ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମା ସାଧାରଣ ବର୍ଗଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ଥିଲା। ସଂଶୋଧିତ କୋହଳ ପରେ ଏହା ୩୮ ବର୍ଷକୁ ବୃଦ୍ଧି କରାଯାଇଛ। ଅନୂସୂଚିତ ଜାତି, ଜନଜାତି, ମହିଳା ଓ ଏସଇବିସି ପ୍ରାର୍ଥୀଙ୍କ ପାଇଁ ସମୟ ସୀମା ୪୩ ବର୍ଷ କରାଯାଇଛି। ସାଧାରଣ ବର୍ଗର ଭିନ୍ନକ୍ଷମଙ୍କ ଚାକିରି ଆବେଦନ ସୀମା ୪୮ ହୋଇଥିବା ବେଳେ, ଅନୂସୂଚିତ ଜାତି, ଜନଜାତି ଓ ଏସଇବିସି ଭିନ୍ନକ୍ଷମ ପ୍ରାର୍ଥୀ ୫୩ ବର୍ଷ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଆଶାନୁସାରେ ପ୍ରାର୍ଥୀଙ୍କୁ ଲାଭ ପହଞ୍ଚାଇବା ନେଇ ସନ୍ଦେହଜାତ ହୋଇଛି। କାରଣ ଯେଉଁମାନଙ୍କର ସରକାରୀ ଚାକିରି ଆଶା ଥିଲା, ପୁଣି ଥରେ ନିଜକୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାର ପ୍ରୟାସ ସରିଯାଇଛି। ତେଣୁ ଏଭଳି ପ୍ରାର୍ଥୀଙ୍କ ପାଇଁ ଏହା ବିଶେଷ ଫଳପ୍ରଦ ହେବନାହିଁ।
କ’ଣ କୁହନ୍ତି ସରକାର?
୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ ପ୍ରଥମ ଥର ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍ ଆରମ୍ଭ ହୋଇଯିବା ପରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ବାତିଲ ହୋଇଯାଇଥିଲା। ଏହି ସମୟରେ ନୂଆ ଚାକିରି ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଥିଲା। କିନ୍ତୁ ଏହି ସମୟ ପରେ ହଜାର ହଜାର ଶିକ୍ଷିତ ବେକାରିଙ୍କ ବସୟ ଅତିକ୍ରମ କରି ସାରିଥିଲା। ଶିକ୍ଷିତ ବେକାରିଙ୍କ ମନ କଥା ବୁଝି ପାରି ସରକାର ଏହି ବୟସ ସୀମା ନିର୍ଦ୍ଧାରଣ କରିଛନ୍ତି। କିନ୍ତୁ ଏହା ଆସନ୍ତା ୩ ବର୍ଷ (୨୦୨୧, ୨୦୨୨ ଓ ୨୦୨୩) ପାଇଁ ଉଦ୍ଦିଷ୍ଟ। ସେ ଯାହା ହେଉ ସର୍ବୋଚ୍ଚ ବୟସ ସୀମା ଅତିକ୍ରମ କରିଥିବା ତଥା ସରକାରୀ ଚାକିରି ପାଇଁ ଆଶାୟୀଙ୍କ ପାଇଁ ଏହା ପୁଣି ସୁଯୋଗ ଆଣିଦେଇଛି ବୋଲି କୁହାଯାଉଛି।