ଭୁବନେଶ୍ୱର: ନୂଆପଡ଼ା ପରେ ଏବେ ମୟୂରଭଂଜ ଜିଲ୍ଲାରେ ଲୋକଙ୍କୁ ବାଘ ଚିନ୍ତା ଘାରିଛି । ସଂଜ ନଇବା ପରେ ଲୋକେ ବାଘ ଭୟରେ ଘର ଭିତରୁ ବାହାରକୁ ଯିବା ପାଇଁ ସାହାସ କରିପାରୁ ନାହାନ୍ତି । ସନ୍ଧ୍ୟା ୬ଟା ପରେ ଲୋକେ ଦାଣ୍ଡ କବାଟ ବନ୍ଦ କରି ଘର ଭିତରେ ରହୁଛନ୍ତି । ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଯଦି କୌଣସି ବଡ଼ ଧରଣର ଶବ୍ଦ ଶୁଣିବାକୁ ମିଳୁଛି, ତା’ହେଲେ ଲୋକେ ଏହାକୁ ବାଘର ଗର୍ଜନ ଭାବୁଛନ୍ତି । ଶିମିଳିପାଳ ଜୈବ ମଣ୍ଡଳରେ ଦିନକୁ ଦିନ ବାଘ ଆତଙ୍କ ବଢ଼ିବାରେ ଲାଗିଛି । ତିନି ଦିନ ପୂର୍ବରୁ ବିଶୋଇ ବ୍ଲକ ଅନ୍ତର୍ଗତ ଖଡ଼ମବେଡ଼ା ପଂଚାୟତର ଦ୍ୱାରଶୁଣି ବୁଢ଼ାପାହଡ଼ରେ ଅଂଚଳରେ ଏକ କଲରାପତରିଆ ବାଘ ୪ଟି ଗୋରୁକୁ ଖାଇଥିବା ବେଳେ ଏବେ ଏକ ୪ ମାସର ହାତୀ ଛୁଆକୁ ଆକ୍ରମଣ କରି ଖାଇଦେଇଥିବା ସ୍ଥାନୀୟ ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ ଆଣିଛନ୍ତି ।
୪ ମାସର ହାତୀ ଶାବକକୁ ବାଘର ଆକ୍ରମଣ
ରାଇରଂଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନଖଣ୍ଡ ଅଧିନ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲ କୁଂଜକଚା ଗାଁ ନିକଟରେ ଅବସ୍ଥିତ । ଏହି ଜଂଗଲରେ ଏକ ୪ ମାସର ହାତୀ ଛୁଆକୁ କଲରାପତରିଆ ବାଘା ମାରିଦେଇଛି । ସ୍ଥାନୀୟ ଗାଁର ଲୋକେ ଗତ ୧୪ ତାରିଖ ଦିନ ଜଙ୍ଗଲକୁ ଯାଇଥିବା ସମୟରେ ୪ ମାସର ହାତୀ ଛୁଆର ମୃତଦେହ ପଡ଼ିଥିବାର ଦେଖିଥିଲେ । ସେମାନେ ହାତୀଛୁଆର ମୃତଦେହ ପଡ଼ିଥିବା ନେଇ ବନ ବିଭାଗକୁ ସୂଚନା ଦେଇଥିଲେ । ରାଇରଂଗପୁର ଡିଏଫ୍ଓ ଅରୁଣ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଏସିଏଫ ନବୀନ ନାଏକ, ବୈଦ୍ୟନାଥ ମାଝୀ, ରାଇରଂଗପୁର ରେଂଜ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼, ବିଶୋଇ ବନପାଳ ପ୍ରଦୀପ କୁମାର ପୃଷ୍ଟି, ଫରେଷ୍ଟର ପ୍ରଦୀପ କୁମାର ପୃଷ୍ଟି ଘଟଣାସ୍ଥଳକୁ ପହଂଚିଥିଲେ ।
ପୋଷ୍ଟମର୍ଟମ ରିପୋର୍ଟରୁ ବାଘ ଆକ୍ରମଣ ସ୍ପଷ୍ଟ
ବନ ବିଭାଗର ଅଧିକାରୀମାନେ ମୃତ ହାତୀ ଛୁଆକୁ ଠାବ କରିବା ପରେ ପୋଷ୍ଟମର୍ଟମ କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, କଲରାପତରିଆ ବାଘର ଆକ୍ରମଣରେ ହାତୀ ଛୁଆର ମୃତ୍ୟୁ ହୋଇଛି । ହାତୀଛୁଆର ମୃତଦେହ ଉଦ୍ଧାର ହେବାର ପୂର୍ବ ଦିନ ଅର୍ଥାତ ଫେବ୍ରୁଆରୀ ୧୩ ତାରିଖରେ କଲରାପତରିଆ ଆକ୍ରମଣ କରିଥିଲା । ପରେ ବନ ବିଭାଗର କର୍ମଚାରୀମାନେ ହାତୀ ଛୁଆର ମୃତଦେହକୁ ପୋତି ଦେଇଥିଲେ । ତେବେ ବନ ବିଭାଗ ହାତୀ ଛୁଆର ମୃତ୍ୟୁ ନେଇ ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।
୪ ବଳଦ ଖାଇଥିଲା କଲରାପତରିଆ
ହାତୀ ଛୁଆକୁ ଆକ୍ରମଣ କରି ମାରିଦେବା ପୂର୍ବରୁ କଲରାପତରିଆ ଗତ ୧୪ ତାରିଖରେ ୪ଟି ବଳଦର ଜୀବନ ନେଇଥିଲା ବୋଲି କହିଛନ୍ତି ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷୀ ରେଂଜନ ଯୋକା ବିଟର ବୁଢାପହାଡ଼ ବ୍ୟାଘ୍ର ସଂରକ୍ଷଣ ଫରେଷ୍ଟର ହରିଡ଼ାଡିହି (ଦ୍ୱାରଶୁଣି) ଗାଁ ବାସିନ୍ଦା । ସେମାନଙ୍କ କହିବା ଅନୁସାରେ ୪ ଜଣ ଚାଷୀଙ୍କ ବଳଦକୁ କଲରାପତରିଆ ଆକ୍ରମଣ କରି ମାରି ଦେଇଛି । କ୍ଷତିଗ୍ରସ୍ତର ସମ୍ମୁଖୀନ ହୋଇଥିବା ଚାଷୀମାନେ ଏନେଇ ଯୋଗା ବନ କାର୍ଯ୍ୟାଳୟରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ମୃତ ବଳଦମାନଙ୍କର ପୋଷ୍ଟମର୍ଟମ ହୋଇଥିଲା । ରିପୋର୍ଟରୁ ଜଣାପଡ଼ିଥିଲା ଯେ, କଲରାପତରିଆ ଆକ୍ରମଣରେ ବଳଦଗୁଡ଼ିକର ମୃତ୍ୟୁ ହୋଇଛି । ସେଥିପାଇଁ କ୍ଷତିଗ୍ରସ୍ତ ବଳଦର ମାଲିକଙ୍କୁ କ୍ଷତିପୂରଣ ମିଳିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱାରଶୁଣି ଘାଟି ନିକଟସ୍ଥ ଗାଁର ଲୋକେମାନେ ଆଜିକାଲି ସଂଜ ନଇଁବା ପରେ ଘର ଭିତରୁ ବାହାରକୁ ଯିବା ପାଇଁ ଆଉ ସାହସ କରୁ ନାହାନ୍ତି ।