Wednesday, September 18, 2024
Homeଶିମିଳିପାଳ: ବନ୍ୟଜନ୍ତୁ ଓ ବନ କର୍ମଚାରୀ ଅସୁରକ୍ଷିତ
Array

ଶିମିଳିପାଳ: ବନ୍ୟଜନ୍ତୁ ଓ ବନ କର୍ମଚାରୀ ଅସୁରକ୍ଷିତ

ଭୁବନେଶ୍ୱର: ଓଡ଼ିଶା ବଣ-ଜଙ୍ଗଲ ଏବଂ ବନ୍ୟ ପ୍ରାଣୀ ପାଇଁ ଅନ୍ୟତମ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା  ଶିମିଳିପାଳ ଅଭୟାରଣ୍ୟ ଦିନକୁ ଦିନ ବିପଦ ଆଡ଼କୁ ମୁହାଁଉଛି । ଜୈବମଣ୍ଡଳ ସନ୍ତୁଳନ ହରାଉଛି । ଏହି ଅଭୟାରଣ୍ୟ ଆଗଭଳି ଆଉ ଘଞ୍ଚ ହୋଇ ରହିନାହିଁ । ଜଙ୍ଗଲ ମାଫିଆ ସକ୍ରିୟ ରହୁଥିବାରୁ ବହୁ ମୂଲ୍ୟବାନ ଗଛ ଚୋରି ହୋଇଯାଉଛି । ବନ୍ୟଜନ୍ତୁଙ୍କୁ ଶିକାର କରାଯାଉଛି । ବାଘ ଓ ହାତୀ ପାଇଁ ପ୍ରସିଦ୍ଧ ଏହି ଅଭୟାରଣ୍ୟରେ ଆଜିକାଲି ହାତୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ, ବାଘମାନଙ୍କର ଉପସ୍ଥିତି ନେଇ ସନ୍ଦେହ ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ ସବୁଠାରୁ କ୍ଷୋଭର ବିଷୟ ହେଲା ଶିମିଳିପାଳ ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଉଛି । ବିଗତ ଏକ ମାସ ମଧ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇସାରିଛି ।

ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି ୧୯୯୯ ମସିହା ଠାରୁ ଶିମିଳିପାଳ ଉପରେ ଶିକାରୀଙ୍କ ନଜର ପଡ଼ିଛି । ସେହିବର୍ଷ କିଛି ମଣିପୁରୀ ଶିକାରୀ ଧରାପଡ଼ିଥିଲେ । ସେମାନଙ୍କ ଠାରୁ ରାଇଫଲ ଜବତ ହୋଇଥିଲା । ବାହାର ରାଜ୍ୟର ଶିକାରୀମାନେ ଆଦିବାସୀମାନଙ୍କୁ ଟଙ୍କାର ଲୋଭ ଦେଖାଇ ବନ୍ୟଜନ୍ତୁ ଶିକାର କରୁଛନ୍ତି । ହାତୀ ଦାନ୍ତ, ବାଘ ଚମଡ଼ା, ନଖ, ନିଶ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ଚାଲିଯାଉଛନ୍ତି । ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର-ପୂର୍ବ ରାଜ୍ୟକୁ ଚାଲାଣ ହେଉଛି ।  

ମାସକ ଭିତରେ ୨ ବନ କର୍ମଚାରୀଙ୍କୁ ହତ୍ୟା

ଅଭୟାରଣ୍ୟର ଦକ୍ଷିଣାଞ୍ଚଳରେ ଶୁକ୍ରବାର-ଶନିବାର (ଜୁନ ୧୬-୧୭) ମଧ୍ୟ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି । ଶିକାରୀମାନେ ରାତିରେ ପାଟ୍ରୋଲିଂରେ ନିୟୋଜିତ ବନ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ । କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡ଼ା ଫରେଷ୍ଟର ମାଟିଆ ହାଁସଦାଙ୍କୁ ଶିକାରୀମାନେ ଗୁଳି କରିଥିଲେ । ଶ୍ରୀ ହାଁସଦାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଶିମିଳିପାଳରେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯିବା ପ୍ରଥମ ଘଟଣା ନୁହେଁ । ଗତ ମେ’ ମାସ ୨୩ ତାରିଖରେ ବିମଳ କୁମାର ଜେନା ନାମକ ଜଣେ ବନରକ୍ଷୀଙ୍କୁ ଗୁଳି କରିଥିଲେ । ଏହି ଘଟଣାରେ ବନବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଶିମିଳିପାଳରେ ଜଙ୍ଗଲ ଦସ୍ୟୁ

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅବାଧ ବନ୍ୟଜନ୍ତୁ ଶିକାର ଚାଲିଛି । ଶିକାରୀ ଓ ମାଫିଆମାନେ ଏହାକୁ ଅକ୍ତିଆର କରିନେଇଛନ୍ତି । ସେମାନେ ଜଙ୍ଗଲ ଦସ୍ୟୁ ସାଜିଛନ୍ତି । ଶିମିଳିପାଳରେ କେବଳ ସେମାନଙ୍କର ଅଧିକାର । ସେମାନଙ୍କର ଯାହା ଇଚ୍ଛା, ତାହା ହିଁ କରିବେ । ସେଥିପାଇଁ ସେମାନେ ସରକାରୀ କର୍ମଚାରୀଙ୍କୁ ଖାତିର କରୁନାହାନ୍ତି । ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ବିଶାଳ ଅଭୟାରଣ୍ୟରେ ସେ ମନଇଚ୍ଛା ପଶୁ ଶିକାର କରିବାକୁ ଚାହୁଁଛନ୍ତି । ଅଭୟାରଣ୍ୟରୁ ହାତୀ, ବାଘଙ୍କ ସମେତ ବିଷଧର ସାପ, ସମ୍ବର, କୁଟୁରା, ହରିଣ, ବଜ୍ରକାପ୍ତା ଆଦି ଶିକାର କରାଯାଉଛି । ବନ ବିଭାଗ ପାଖରେ ଖବର ରହୁନାହିଁ । ବେଳେ ବେଳେ ବନ ବିଭାଗ ବିଳମ୍ବରେ ଖବର ପାଉଛି । ବେଆଇନ ଭାବେ ଗଛ କଟା ଯାଉଥିବାରୁ ଜଙ୍ଗଲ ହ୍ରାସ ପାଉଛି ।

ସଂକ୍ଷେପରେ ଶିମିଳିପାଳ

ଶିମିଳିପାଳ ଜାତୀୟ ଉଦ୍ୟାନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର, ହଦଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ କୁଲଡିହା ଅଭୟାରଣ୍ୟକୁ ନେଇ ଗଠିତ । ୨୦୦୯ ମସିହାରେ ୟୁନେସ୍କୋ ୱାର୍ଲଡ ନେଟୱାର୍କ ଅଫ ବାଇଓସ୍ପିଅର ରିଜର୍ଭର ମାନ୍ୟତା ପାଇଥିଲା । ରାଜ୍ୟ ସରକାର ୧୯୫୬ ମସିହାରେ ବାଘମାନଙ୍କ ସୁରକ୍ଷା ପାଇଁ କରିଥିଲେ । ଯଶୀପୁରର ରାମତୀର୍ଥରେ ୧୯୭୯ ମସିହାରେ କୁମ୍ଭୀର ଗବେଷଣା କେନ୍ଦ୍ର କରିଥିଲେ । ୧୯୭୯ ମସିହାରେ ରାଜ୍ୟ ସରକାର ଶିମିଳିପାଳକୁ ଅଭୟାରଣ୍ୟ ଘୋଷଣା କରିଥିଲେ । ୧୯୮୦ ମସିହାରେ ଜାତୀୟ ଉଦ୍ୟାନ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ୧୯୯୪ ମସିହାରେ କେନ୍ଦ୍ର ସରକାର ଏହାକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments