ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀରେ ସମଗ୍ର ବିଶ୍ୱ ସହିତ ଭାରତ ଅତିଷ୍ଠ ହୋଇଛି । ଦେଶରେ ସଂକ୍ରମଣର ୨ୟ ଲହର ଆସିବା ଦିନଠାରୁ ଅଧିକ ଜନଜୀବନକୁ କ୍ଷତି ପହଂଚିଛି । ଗୋଟିଏ ପଟେ କରୋନା ସଂକ୍ରମଣ ପାଇଁ ଦେଶବାସୀ ଛଟପଟ ହେଉଥିବା ବେଳେ ହସ୍ପିଟାଲ ଗୁଡ଼ିକରେ ଅମ୍ଲଜାନର ଅଭାବ ଅନ୍ୟ ଏକ ପ୍ରମୁଖ ସମସ୍ୟା ସାଜିଛି । ବେସରକାରୀ ଭାବେ କୁହାଯାଉଛି ଯେ, ବିଗତ ୨ ମାସ ମଧ୍ୟରେ ଦେଶରେ ଅମ୍ଲଜାନର ଅଭାବ ଲାଗି ଶତାଧିକ ଲୋକଙ୍କର ଜୀବନ ଚାଲିଯାଇଛି । ଦେଶର ଅମ୍ଲଜାନ ଚାହିଦାକୁ ଓଡ଼ିଶା ପୂରଣ କରିବାରେ ଲାଗିପଡ଼ିଛି ।
ଓଡ଼ିଶାରୁ ଗଲା ୪୩୭ ଅକ୍ସିଜେନ ଟ୍ୟାଙ୍କର
ଓଡ଼ିଶାରୁ ବିଗତ ୧୭ ଦିନ ମଧ୍ୟରେ ଅନ୍ୟ ରାଜ୍ୟକୁ ୪୭୩ଟି ଅକ୍ସିଜେନ ଟ୍ୟାଙ୍କର ରପ୍ତାନୀ ହୋଇପାରିଛି । ଏଥିରେ ୮୬୮୯.୬୨୬ ମେଟ୍ରିକ୍ ଟନ୍ ଅକ୍ସିଜେନ ପଠାଯାଇଛି । କେବଳ ରାଉରକେଲାରୁ ୧୯୧ ଟ୍ୟାଙ୍କର ଅକ୍ସିଜେନ ବାହାର ରାଜ୍ୟକୁ ପଠାଯାଇଛି । ସେହିପରି ଯାଜପୁର ଜିଲ୍ଲାରୁ ୧୧୯ଟି ଟ୍ୟାଙ୍କର, ଢେଙ୍କାନାଳରୁ ୧୧୬ ଓ ଅନୁଗୁଳରୁ ୪୭ଟି ଟ୍ୟାଙ୍କର ଅମ୍ଲଜାନ ପଠାଯାଇଛି । ଏବେ ଓଡ଼ିଶାର ଅମ୍ଲଜାନ ଉପରେ ୧୧ଟି ରାଜ୍ୟ ନିର୍ଭରଶୀଳ । ଆନ୍ଧ୍ରପ୍ରଦେଶକୁ ୧୪୧ ଟ୍ୟାଙ୍କର ଅକ୍ସିଜେନ ଯାଇଥିବା ବେଳେ ତେଲେଙ୍ଗାନାକୁ ୧୨୨ଟି ଟ୍ୟାଙ୍କର ଯାଇଛି । ହରିୟାଣା ୬୫, ମଧ୍ୟପ୍ରଦେଶ ୪୨ଟି, ଉତ୍ତର ପ୍ରଦେଶ ୩୫, ମହାରାଷ୍ଟ୍ର ୨୨, ଛତିଶଗଡ଼ ୧୯, ଦିଲ୍ଲୀ ୧୩, ତାମିଲନାଡୁ ୧୦, ପଂଜାବ ଓ ବିହାର ୨ଟି ଲେଖାଏଁ ଟ୍ୟାଙ୍କର ଅକ୍ସିଜେନ ଓଡ଼ିଶାରୁ ପାଇଛନ୍ତି ।
ଫୋକସ୍ରେ ଓଡ଼ିଶା
କରୋନାର ସଂକଟ ସମୟରେ ଓଡ଼ିଶାରୁ ବାହାର ରାଜ୍ୟକୁ ଅକ୍ସିଜେନ ଯୋଗାଣ ହେବା ପରେ ରାଜ୍ୟରେ ଥିବା ଉନ୍ନତ କଳକାରଖାନା ଗୁଡ଼ିକ ଲୋକଲୋଚନକୁ ଆସୁଛି । ଅକ୍ସିଜେନ ଯୋଗାଇ ପାରୁଥିବାରୁ ଏବେ ସମଗ୍ର ଦେଶବାସୀଙ୍କ ନଜର ଓଡ଼ିଶା ଉପରେ ରହୁଛି । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରର କଳକାରଖାନା ଥିଲେ ବି ରୋଜଗାର ମିଳୁ ନଥିବାରୁ ଲକ୍ଷାଧିକ ଯୁବକ-ଯୁବତୀ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ଛତିଶଗଡ଼, ହରିୟାଣା ଓ ଦିଲ୍ଲୀରେ କାମ କରୁଛନ୍ତି । ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରୁ ଅନେକ ଦାଦନ ଶ୍ରମିକ ଭାବେ କାମ କରନ୍ତି ।
ବିପର୍ଯ୍ୟୟ ବେଳେ ଓଡ଼ିଶା
ବିକଶିତ ଓ ବିକାଶଶୀଳ ରାଜ୍ୟଗୁଡ଼ିକରେ ଅକ୍ସିଜେନର ଘୋର ଅଭାବ ଦେଖାଯାଇଛି, ଯେଉଁଥି ପାଇଁ ସେମାନେ ଓଡ଼ିଶା ଉପରେ ନିର୍ଭର କରୁଛନ୍ତି । ଧରାଯାଉ ତାମିଲନାଡୁ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀରେ ବହୁ ସଂଖ୍ୟାରେ ଶିଳ୍ପ ଓ କଳକାରଖାନା ଥିଲେ ମଧ୍ୟ ସେଠାରେ ଚାହିଦା ମୁତାବକ ଅକ୍ସିଜେନ ଉତ୍ପାଦନ ହୋଇ ପାରୁନାହିଁ, ଯେଉଁଥି ପାଇଁ ଓଡ଼ିଶା ଉପରେ ନିର୍ଭରଶୀଳ । ଦେଶରେ ଅନେକ ସମୟରେ ଯେତେବେଳେ ବିପର୍ଯ୍ୟୟ ଆସୁଛି, ଓଡ଼ିଶା ମୁଣ୍ଡ ଟେକି ଛିଡ଼ା ହେଉଛି । ଲୋକଙ୍କର ଜୀବନ ବଂଚାଇବା ପାଇଁ ଆଗେଇ ଆସୁଛି ।
ରେକର୍ଡ କଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟ
ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ମେଡିକାଲ ଅକ୍ସିନେଜର ଗୁରୁତ୍ୱ ଢେର ଗୁଣ ବଢ଼ିଯାଇଛି । ଏହି ପରିପ୍ରେକ୍ଷୀରେ ରାଉରକେଲାସ୍ଥିତ ଇସ୍ପାତ କାରଖାନା ଆଉ ଏକ ରେକର୍ଡ ପ୍ରତିଷ୍ଠା କରିଛି । ଇସ୍ପାତ ଉତ୍ପାଦନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଦେଶ ବିଦେଶରେ ନାଁ କରିଥିବା ବେଳେ ଏବେ ଅକ୍ସିଜେନ ଉତ୍ପାଦନ ପାଇଁ ଚର୍ଚ୍ଚାକୁ ଆସିଛି । ଏଠାରୁ ଅନ୍ୟ ରାଜ୍ୟକୁ ଗୋଟିଏ ଦିନରେ ମେ’ ମାସ ୭ ତାରିଖରେ ୪୭୪.୧୬ ଟନ୍ ଅକ୍ସିଜେନ ପଠାଯାଇ ରେକର୍ଡ ହାସଲ କରିଛି । ଚଳିତ ମାସର ପ୍ରଥମ ସପ୍ତାହରେ ଆରଏସ୍ପିରୁ ୨୪୦୫ ଟନ୍ ଅକ୍ସିଜେନ ରପ୍ତାନୀ କରାଯାଇଛି । ସେହିପରି ଏଠାରୁ ମୋଟ ୫୨୮୨ ଟନ୍ ଅକ୍ସିଜେନ ପଠାଯାଇଛି ।