ଭୁବନେଶ୍ୱର: ଦେଶର ଶିଶୁ ମାନଙ୍କର ସାମଗ୍ରୀକ ବିକାଶ ପାଇଁ ୪୬ ବର୍ଷ ହେବ ସମନ୍ଵିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) କାର୍ଯ୍ୟକାରୀ ହୋଇଆସୁଛି। ୬ ବର୍ଷରୁ କମ୍ ଶିଶୁ ଓ ସେମାନଙ୍କର ମା’ ମାନଙ୍କୁ ପୁଷ୍ଟିକର ଖାଦ୍ୟ, ପ୍ରାରମ୍ଭିକ ସ୍କୁଲ ଶିକ୍ଷା, ପ୍ରାଥମିକ ସ୍ୱାସ୍ଥ୍ୟ ଓ ଯତ୍ନ, ପ୍ରତିରୋପଣ, ସ୍ୱାସ୍ଥ୍ୟ ଯାଞ୍ଚ ଓ ଶିଶୁ ସଂପର୍କିତ ଅନ୍ୟାନ୍ୟ ଅସୁବିଧାର ସମାଧାନ କରିବା ଲକ୍ଷ୍ୟ ନେଇ ଏହି ବିଭାଗ କାମ କରୁଛି। କେନ୍ଦ୍ର ସରକାର ଦ୍ୱାରା ଏହି ଯୋଜନା ୧୯୭୫ ମସିହାରେ ଶୁଭାରମ୍ଭ କରାଯାଇଥିଲା। ମୋରାରଜୀ ଦେଶଇଙ୍କ ଶାସନ କାଳରେ ଏହା ୧୯୭୮ ମସିହାରେ ବନ୍ଦ ହୋଇଯାଇଥିଲା ବେଳେ ପରେ ପୁଣି ସେବା ଜାରି ରହିଛି।
ଦଶମ ପଞ୍ଚବାର୍ଷିକୀ ଯୋଜନାରେ ଆଇସିଡିଏସ୍ ସହିତ ଅଙ୍ଗନବାଡ଼ି ଯୋଡ଼ି ହୋଇଥିଲ। ଦେଶର ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି ଗୁଡ଼ିକ ପ୍ରତିଷ୍ଠା ହେଲା। ପ୍ରତ୍ୟେକ ଅଙ୍ଗନବାଡ଼ି ଗୁଡ଼ିକ ଜଣେ କର୍ମୀ ଓ ଅନ୍ୟ ଜଣେ ସେବିକାଙ୍କୁ ରଖାଯାଇଥିଲା। ୨୦୦୫ରେ ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ପୁଷ୍ଟିହୀନତା ହ୍ରାସ କରିବାର ଆଇସିଡିଏସ୍ କାର୍ଯ୍ୟକ୍ରମ ବିଶେଷ ପ୍ରଭାବଶାଳୀ ନୁହେଁ। କାରଣ ବିଭିନ୍ନ ସମସ୍ୟା କାରଣରୁ ଗରିବ ରାଜ୍ୟ ଗୁଡ଼ିକୁ ସେହି ସମୟରେ ସର୍ବନିମ୍ନ ପାଣ୍ଠି ମିଳିଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ପାଣ୍ଠି ଦେଇଥାନ୍ତି। ଯୋଜନା ଠିକ୍ ଭାବରେ ପରିଚାଳନା ହେଲେ ଶିଶୁ ଓ ମା’ ମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ମିଳିପାରିବ। ସେହିପରି ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅନେକ ସୁବିଧା ମିଳିପାରିବ। ମାତ୍ର ରାଜ୍ୟରେ ଦୁର୍ନୀତିର ସୀମା ଟପିଥିବାରୁ ଏସବୁ ଭାବିବା ସ୍ୱପ୍ନ ସଦୃଶ।
ପିଲାଙ୍କ ଟଙ୍କାକୁ ହଡ଼ପ
ଛୋଟ ପିଲାମାନଙ୍କୁ କିଛି ଦେଇପାରିଲେ ପୁଣ୍ୟ ହୋଇଥାଏ। ପିଲମାନଙ୍କ ମୁହଁରେ ହସ ଦେଖିଲେ ମନକୁ ଶାନ୍ତି ମିଳିବା ସହିତ ଆନନ୍ଦ ଅନୁଭବ ହୋଇଥାଏ। ନିଜ ରୋଜଗାର ଟଙ୍କା ବିନା ସ୍ବାର୍ଥରେ ଛୋଟ ପିଲାମାନଙ୍କୁ ଦେଇ ନପାରିଲେ ବି କିଛି ଅସୁବିଧା ନାହିଁ, କିନ୍ତୁ ସେହି ପିଲମାନଙ୍କ ପାଇଁ ଆସୁଥିବା ଟଙ୍କାକୁ ବିଭିନ୍ନ ମାଧ୍ୟମରେ ହଡ଼ପ କରିବା ଅପରାଧ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନେକ ସମୟରେ ଅଭିଯୋଗ ଆସିଥାଏ ଯେ, ଆଇସିଡିଏସ୍ ଅଧନରେ କାର୍ଯ୍ୟରତ ଅଙ୍ଗନବାଡ଼ି ଦିଦିଙ୍କ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ଆସୁଥିବା ପାଣ୍ଠିକୁ ହଡ଼ପ କରୁଛନ୍ତି। ମିଛ ବିଲ ମାଧ୍ୟମରେ କୋଟି କୋଟି ଟଙ୍କା ଆତ୍ମସାତ୍ ହେଉଛି। ବିଗତ ଦିନରେ ଅଣ୍ଡା, ଛତୁଆ ଓ ପିଲାଙ୍କ ସାମଗ୍ରୀ ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି।
୮ ମହିଳା କର୍ମଚାରୀ ଭିଜିଲାନ୍ସ ହାତରେ
ଆଇସିଡିଏସ୍ ଅଧିନରେ କାର୍ଯ୍ୟରତ ୮ କର୍ମଚାରୀ ୩ ମାସ ଭିତରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଗତ ଅଗଷ୍ଟ ୨୪ ତାରିଖରେ ସୁପରଭାଇଜର ମାଳିଲତା ଦାସ, ସେପ୍ଟେମ୍ବର ୧୪ରେ ଭୁବନେଶ୍ବରର ଅଙ୍ଗନବାଡ଼ି କର୍ମୀ କବିତା ମାଥନ, ୩୦ରେ ବାଲେଶ୍ବର ଜିଲ୍ଲା ନୀଳଗିରି ଆଇସିଡିଏସ୍ ସୁପରଭାଇଜର ସୁବର୍ଣ୍ଣ ସିଂହ, ଅକ୍ଟୋବର ୪ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଡିପିଓ ମୀନା ପାତ୍ର, ୨୫ରେ ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ, ନଭେମ୍ବର ୯ରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ସିଡିପିଓ ସାରଳା ଦେଇ, ଅଙ୍ଗନବାଡ଼ି ସୁପରଭାଇଜର ପ୍ରତିମା ସାହୁ ଓ ୨୨ ତାରିଖରେ ନୂଆପଡ଼ା ଜିଲ୍ଲା ଆଇସିଡିଏସ୍ ସୁପରଭାଇଜର ହର୍ଷମଣି ଦେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
କର୍ମଚାରୀଙ୍କ ଦ୍ବାରା ବାଟ ମାରଣ
ସରକାର ପିଲାମାନଙ୍କ ପାଇଁ ମାଗଣାରେ ଅଣ୍ଡା, ଚିନାବାଦାମ, ଲଡୁ ସମେତ ପୁଷ୍ଟିକର ଭୋଜନ, ପୋଷାକ, ଖେଳଣା ଆଦି ଦେଉଛନ୍ତି। ପିଲାମାନେ ପାଠ ପଢ଼ିବା ପାଇଁ ସ୍ବତନ୍ତ୍ର ଭାବେ ଅଙ୍ଗନବାଡ଼ି ଘର ମଂଜୁର କରୁଛନ୍ତି। ଗର୍ଭବତୀ ଓ ପ୍ରସୁତୀଙ୍କ ପାଇଁ ମଧ୍ୟ ସରକାର ପୁଷ୍ଟିକର ଖାଦ୍ୟ ଦେଉଛନ୍ତି। ଶିଶୁ ମାନଙ୍କର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ କାମ ହାତକୁ ନେଇଛନ୍ତି। ଆଇସିଡିଏସ୍ ଅଧିନରେ ବହୁତ ଗୁଡ଼ିଏ କାର୍ଯ୍ୟ କରାଯାଇଥାଏ। କିନ୍ତୁ ଯୋଜନା ଗୁଡ଼ିକ ସୁପରିଚାଳନାରେ ଅଭାବ ଦେଖାଯାଉଛି। କାରଣ ଏହି ବିଭାଗ ଅନ୍ତର୍ଗତ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟତଃ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି। ଏଥିରୁ କିଛି ଧରାପଡ଼ନ୍ତି। କିନ୍ତୁ ଅନେକ ଖସି ଯାଆନ୍ତି।
ଓଡ଼ିଶାରେ ସଫଳ ପରିଚାଳନା!
ଆଇସିଡିଏସ୍ ଅଧିନରେ କାର୍ଯ୍ୟକରୁଥିବା ରାଜ୍ୟର ମହିଳା ଅଧିକାରେ ଦୁର୍ନୀତି କାମରେ ଲିପ୍ତ ରହିଥିବା ନେଇ ଯଦିଓ ଲମ୍ବା ତାଲିକା ରହିଛି ତଥାପି ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନ ଉଭୟ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟି ଆବଶ୍ୟକତା ପରିପୂରଣ ଦିଗରେ ଦ୍ରୁତ ଅଭିବୃଦ୍ଧି ଘଟିଛି ବୋଲି ୨୦୧୯ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ବୋଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ମହିଳା ଓ ଶିଶୁବିକାଶ ଏବଂ ମିସନ ଶକ୍ତି ବିଭାଗ ଆନୁକୂଲ୍ୟରେ ‘ଟ୍ରାନ୍ସଫର୍ମିଂ ନ୍ୟୁଟ୍ରିସନ୍ ଆଉଟକମ୍ସ ଇନ୍ ଓଡ଼ିଶା’ ଶୀର୍ଷକ କର୍ମଶାଳାରେ ବିଭାଗୀୟ ମନ୍ତ୍ରୀ ଟୁକୁନୀ ସାହୁ ଏହା କହିଥିଲେ।