ଭୁବନେଶ୍ବର: ସାରା ଓଡ଼ିଶାରେ ଶୀତର ଲହର ଜାରି ରହିଛି। କନ୍ଧମାଳ ଜିଲ୍ଲାରେ ସ୍ଥିତି ଅଧିକ ସଂଗୀନ ହୋଇଯାଇଛି। ସୂର୍ଯ୍ୟୋଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ ଘରୁ ବାହାରକୁ ବାହାରିବା ଭାରି କଷ୍ଟକର ହୋଇପଡୁଛି। ଶୀତର ପ୍ରକୋପ ପାଇଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରିକି ଅନେକ ଲୋକ ଶରୀରରୁ ଶୀତବସ୍ତ୍ର ବାହାର କରୁନାହାନ୍ତି। ସେହିପରି ଗ୍ରାମାଂଚଳରେ ଲୋକମାନେ ନିଜ ଦେହକୁ ଗରମ ରଖିବା ପାଇଁ ସକାଳୁ ଓ ସଂଧ୍ୟାରେ କାଠଗଣ୍ଡି ଜଳାଉଛନ୍ତି। କିନ୍ତୁ ପ୍ରବଳ ଥଣ୍ଡାରେ ଚିଲିକା ସମେତ ଅନ୍ୟ ଜଳାଶୟରେ ପକ୍ଷୀମାନଙ୍କର ସମାଗମ ଦେଖିବାକୁ ମିଳୁଛି।
ଏସିଆ ମହାଦେଶର ବୃହତ୍ତ ଲୁଣିହ୍ରଦ ‘ଚିଲିକା‘ରେ ପକ୍ଷୀ ସମାଗମ ହୋଇଛି। ଚିଲିକାର ବୃହତ୍ ଜଳରାଶିରେ ଲକ୍ଷାଧିକ ପକ୍ଷୀମାନଙ୍କର ଆଗମନ ହୋଇଛି। ଚଳିକାର ନୀଳ ଜଳରାଶି ଉପରେ ଧଳା, କଳା ଓ ଅନ୍ୟ ରଂଗବେରଙ୍ଗର ପକ୍ଷୀମାନେ ସୁନ୍ଦର ବଢ଼ାଉଛନ୍ତି। ଏଥିରେ ପର୍ଯ୍ୟଟକମାନଙ୍କୁ ଉତ୍ସାହିତ ଲାଗୁଛି। କେଳବ ଚିଲିକା ନୁହେଁ, ବରଂ ରାଜ୍ୟର ଅନ୍ୟ ଜଳାଶୟ ଯଥା, ଅଂଶୁପା, ହୀରାକୁଦ ଜଳଭଣ୍ଡାର, ଭିତରକନିକା, ସାତକୋଶିଆକୁ ମଧ୍ୟ ଦେଶୀବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଛି। ରିପୋର୍ଟ ଅନୁସାରେ ଚଳିତ ବର୍ଷ ରାଜ୍ୟରେ ଥିବା ବିଭିନ୍ନ ଜଳାଶୟଗୁଡ଼ିକରେ ମଧ୍ୟ ପକ୍ଷୀମାନଙ୍କର ସଂଖ୍ୟା ଗତବର୍ଷ ତୁଳନାରେ ଅଧିକ ଥିବା ଜଣାଯାଇଛି।
ଡିଏଫ୍ଓ ପି. ରାମ ସ୍ୱାମୀ ଗତ ୪ ତାରିଖ ଦିନ କହିଥିଲେ ଯେ, ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଏସିଆ ମହାଦେଶର ଏହି ସର୍ବବୃହତ୍ ଲବଣାକ୍ତ ହ୍ରଦକୁ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ହଜାର ୯୨୯ଟି ରଙ୍ଗବେରଙ୍ଗର ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ଏହା ୫୭ହଜାର ୭୫୬ ଅଧିକ। ପକ୍ଷୀ ଅଭୟାରଣ୍ୟ ‘ନଳବଣ’କୁ ୯୮ ପ୍ରଜାତିର ୩ଲକ୍ଷ ୪୨ହଜାର ପକ୍ଷୀ ଆସିଛନ୍ତି। ସେହିପରି ଭିତରକନିକାକୁ ମଧ୍ୟ ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପକ୍ଷୀ ଆସିଛନ୍ତି। ରିପୋର୍ଟ ଅନୁସାରେ ଭିତରକନିକାକୁ ୧୪ ପ୍ରଜାତିର ୧ ଲକ୍ଷ ୩୯ ହଜାର ୯୫୯ ପକ୍ଷୀ ଆସିଛନ୍ତି। ଏହା ଗତବର୍ଷ ତୁଳନାରେ ୧୮୦୨ ପକ୍ଷୀ ଅଧିକ।
ପକ୍ଷୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗ ପକ୍ଷରୁ ବ୍ୟାପକ ସତର୍କତା ଅଭିଯାନ କରାଯାଉଛି। ପକ୍ଷୀ ଶିକାରୀଙ୍କ ଉପରେ ବନ ବିଭାଗର କର୍ମଚାରୀମାନେ ନଜର ରଖିଥିଲା ବେଳେ ମଧ୍ୟ ଏଥିରେ ବ୍ୟତୀକ୍ରମ ଦେଖାଯାଉନାହିଁ। ପୂର୍ବବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଚିଲିକା ଜଳରାଶି କୂଳରେ ପକ୍ଷୀ ଶିକାର ଦୃଷ୍ଟିଗୋଚର ହେଉଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ପକ୍ଷୀ ଶିକାରୀମାନେ ବନ ବିଭାଗର ପାଟ୍ରୋଲିଂ ହାତରେ ଧରାପଡୁନାହିଁ। ଶିକାରୀମାନେ ପକ୍ଷୀ ଶିକାର କରି ବିକ୍ରି ମଧ୍ୟ କରୁଥିବା ଅଭିଯୋଗ ହେଉଛି। ଶୀତର ମଜା ନେବା ପାଇଁ ବିଦେଶରୁ ହଜାର ହଜାର କିଲୋମିଟର ଦୂରରୁ ଆସି ଏଠାରେ ବଳିପଡୁଥିବା ପକ୍ଷୀଙ୍କୁ ନେଇ ପରିବେଶବିତ୍ ମହଲରେ କ୍ଷୋଭ ପ୍ରକାଶ ପାଇଛି।
ଚିଲିକାର ଜଳରାଶି ଓ ଏହାର ପାରିପାର୍ଶ୍ବିକ ଅଂଚଳକୁ ସବୁଜ, ସୁନ୍ଦର ଓ ସୁରକ୍ଷିତ ରଖିପାରିଲେ ଆହୁରି ଅଧିକ ପକ୍ଷୀମାନଙ୍କର ସମାଗମ ହୋଇପାରନ୍ତା। କିନ୍ତୁ ବିଭିନ୍ନ କାରଣରୁ ପକ୍ଷୀମାନେ ଅସୁରକ୍ଷିତ ହେଉଛନ୍ତି। ଏପରିକି ନିଷିଦ୍ଧାଂଚଳରେ ମଧ୍ୟ ବେଆଇନ ଭାବେ ମାଛ ଧରାଯାଉଛି। ମାଛ ଧରାଳିମାନେ ବେଆଇନ ଭାବେ ନଳବଣ ସାଂଚୁରୀ ଭିତରେ ପଶି ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ଧରୁଛନ୍ତି। ଡଙ୍ଗା ଶବ୍ଦରେ ବିଦେଶୀ ପକ୍ଷୀମାନେ ଭୟଭୀତ ହୋଇ ଚିଲିକା ଛାଡୁଛନ୍ତି। ପକ୍ଷୀଙ୍କ ଭିଡ଼କୁ ନଜରରେ ରଖି ବନ ବିଭାଗ ପକ୍ଷରୁ ଅକ୍ଟୋବର ମାସ ଠାରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲଗାଯଇ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । କିନ୍ତୁ ଶିକାରୀମାନେ ନଳବଣ ଭିତରେ ପଶି ମାଛ ଧରୁଛନ୍ତି ।