Wednesday, October 9, 2024
Homeଶୀତଳଭଣ୍ଡାର ଅଭାବ ବଢ଼ାଉଛି ଟମାଟୋ ଦର
Array

ଶୀତଳଭଣ୍ଡାର ଅଭାବ ବଢ଼ାଉଛି ଟମାଟୋ ଦର

ଭୁବନେଶ୍ୱର: ଟମାଟୋ । ଓଡ଼ିଆ ଭାଷାରେ ବିଲାତି । ରାଜ୍ୟରେ ଟମାଟୋର ପ୍ରଚୁର ଉତ୍ପାଦନ ହେଉଥିଲେ ବି ଏହାକୁ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା ନଥିବାରୁ ଏବେ କିଲୋ ପିଛା ୭୦ରୁ ୧୦୦ ଟଙ୍କା ଯାଏଁ ବିକ୍ରି ହେଉଛି, ଯାହାଦ୍ୱାରାକି ଗ୍ରାହକଙ୍କୁ ଭାରି ବାଧୁଛି । ଏହି ପରିବା ରୋଷେଇଶାଳ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ଲୋକେ ବାଧ୍ୟ ହୋଇ କିଲେ ନହେଲେ ବି ୨୫୦ଗ୍ରାମରୁ ଅଧିକ କିଣିବାକୁ ଆଗ୍ରହ କରୁନାହାନ୍ତି । ସମସ୍ତ ପରିବା ବିକାଳିଙ୍କ ପାଖରେ ଟମାଟୋ ରହୁନାହିଁ । ଯେଉଁମାନଙ୍କ ପାଖରେ ରହିଛି, ସେମାନେ କିଲୋ ବଦଳରେ ୨୫୦ ଗ୍ରାମ (ଅଢେଇ ଶହ)କୁ ୨୦ରୁ ୫୦ଟଙ୍କା କହୁଛନ୍ତି ।

ଗାଁରୁ ସହର ଯାଏଁ ରାଜ୍ୟର ଚାରିଆଡ଼େ ଅନ୍ୟ ପରିବା ସହିତ ଟମାଟୋ ଦର ବଢ଼ିଛି । କିନ୍ତୁ ଟମାଟୋ ଦର ହଠାତ ଶତକ ମାରିବାକୁ ଗ୍ରାହକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଗରିବ ଲୋକଙ୍କୁ ଏହା ଭାରି ବାଧୁଛି । ଗରିବ ଶ୍ରେଣୀର ଲୋକେ ଏବେ ବିନା ଟମାଟୋରେ ତରକାରୀ କରୁଛନ୍ତି । ମଧ୍ୟବିତ୍ତ ଶ୍ରେଣୀର ଲୋକେ ୨୫୦ ଗ୍ରାମ ଟମାଟୋ କିଣୁଥିବା ବେଳେ ଧୀନବାଲାଙ୍କୁ କିଛି ସମସ୍ୟା ନାହିଁ । ଭୁବନେଶ୍ୱର ୧ନମ୍ବର ହାଟ, କଟକ ଛତ୍ରବଜାର, ରାଉରକେଲାର ସର୍ବପୁରାତନ ଇସ୍ପାତ ମାର୍କେଟ ଓ ବ୍ରହ୍ମପୁର ବଜାରରେ ଟମାଟୋ ଦର ବଢ଼ିଛି । ବ୍ୟବସାୟୀମାନେ ଚଢ଼ା ଦରରେ ଟମାଟୋ କିଣୁଥିବାରୁ ସେହି ହିସାବରେ ବିକ୍ରି କରୁଛନ୍ତି ।

ଜୁନ ମାସ ଶେଷ ସପ୍ତାହରେ ଓଡ଼ିଶାରେ ବର୍ଷା ଋତୁ ଆରମ୍ଭ ହୋଇଯାଉଥିବାରୁ ଟମାଟୋ ଉତ୍ପାଦନ  ହୋଇପାରି ନଥାଏ । ରାଜ୍ୟରେ ଟମାଟୋ ଉତ୍ପାଦନ ଅକ୍ଟୋବର ମାସରୁ ଆରମ୍ଭ ହୋଇଯାଏ । ଡିସେମ୍ବର ଓ ଜାନୁଆରି ମାସରେ ଚାଷୀମାନେ ବ୍ୟାପକ ଟମାଟୋ ଉତ୍ପାଦନ କରିଥାନ୍ତି । ଏହି ସମୟରେ ଚାଷୀମାନେ ଟମାଟୋ କିଲୋ ଗ୍ରାମାଞ୍ଚଳରେ ୨ରୁ ୫ ଟଙ୍କା ମଧ୍ୟରେ ମିଳିଥାଏ । ଚାଷୀମାନେ ବିକ୍ରିଜନିତ ସମସ୍ୟା କାରଣରୁ ରାସ୍ତାରେ ଢାଳି ପ୍ରତିବାଦ କରନ୍ତି । ଯାଜପୁର ଓ କେନ୍ଦୁଝର ଜିଲ୍ଳାରେ ଅତୀତରେ ଏହିଭଳି ଅଭାବନୀୟ ଘଟଣା ଅନେକ ସମୟ ଦେଖିବାକୁ ମିଳିଛି । ଚାଷୀମାନେ ଶୀତଳଭଣ୍ଡାର ଖୋଲିବାକୁ ଦାବି କରନ୍ତି । ପ୍ରଶାସନ କିନ୍ତୁ ଚାଷୀଙ୍କ କଥାକୁ ଶୁଣି ନିଦାବିଷ୍ଣୁ ପାଲଟିଯାଇଥାଏ ।

ଟମାଟୋ ଏକ ଭଲ ପରିବା । ତେଣୁ ଏହା ପ୍ରାୟତଃ ଅଧିକାଂଶ ଖାଦ୍ୟପଦାର୍ଥରେ ମିଶ୍ରଣ କରାଯାଇଥାଏ । ଘର ରୋଷେଇ, ହୋଟେଲ, ରେଷ୍ଟୁରାଣ୍ଟ, ଫୁଟପାଥର ମୁଢ଼ିବାଲା ମଧ୍ୟ ଟମାଟୋକୁ ବ୍ୟବହାର କରିଥାନ୍ତି । ଟମାଟୋ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନଥାଏ । ବରଂ ଏହା ଏକପ୍ରକାରର ଔଷଧ ଭଳି କାମ କରିଥାଏ । ଟମାଟୋରେ ପ୍ରଚୁର ପରିମାଣରେ ଖଣିଜଧାତୁ ଥାଏ । ଭିଟାମିନ ‘ଏ’ ଓ ‘ସି’ ସମେତ ଅର୍ଗାନିକ ଏସିଡ, ଅତ୍ୟାବଶ୍ୟକ ଆମିନେ ଏସିଡ, ଫାଇବର ଆଦି ଥାଏ । ସେହିଭଳି ଆଇରନ ଓ ଫସଫରସ ଥାଏ ବୋଲି ଡାକ୍ତରମାନେ ଟମାଟୋ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ଚୀନ ପରେ ଭାରତ ହେଉଛି ଟମାଟୋ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ଦେଶ । ସଂଯୁକ୍ତ ରାଷ୍ଟ୍ର, ନେଦରଲାଣ୍ଡସ୍ ଓ ଜର୍ମାନୀକୁ ଭାରତରୁ ଟମାଟୋ ରପ୍ତାନୀ ହେଉଛି । ୨୦୨୧-୨୨ ଆର୍ଥିକ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ସର୍ବାଧିକ ୨୯,୭୦,୦୦୦ ଟନ୍ ଟମାଟୋ ଉତ୍ପାଦନ ହୋଇଥିଲା । ମଧ୍ୟପ୍ରଦେଶ ତଳକୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ଥିଲା । ଶ୍ରେଷ୍ଠ ତାଲିକାରେ ଓଡ଼ିଶାର ସ୍ଥାନ ୫ମ ସ୍ଥାନରେ ଥିଲା । ଓଡ଼ିଶାର ସ୍ଥାନ ୫ମ ଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ । କିନ୍ତୁ ରାଜ୍ୟରେ ଉତ୍ପାଦନ ହୋଇଥିବା ଟମାଟୋକୁ ସୁରକ୍ଷିତ ରଖିବା ପାଇଁ ଶୀତଳଭଣ୍ଡାର ନଥିବାରୁ କ୍ଷତି ହୋଇଯାଏ । ଚାଷୀମାନଙ୍କ ପାଖରେ ଟମାଟେ ପଚି, ସଢ଼ି ନଷ୍ଟ ହୋଇଯାଇଥାଏ । ତେବେ ଆମ ପଡୋଶୀ ରାଜ୍ୟଗୁଡ଼ିକରେ ଟମାଟୋକୁ ସୁରକ୍ଷିତ ଭାବେ ରଖିବା ପାଇଁ ବ୍ୟାପକ ଶୀତଳଭଣ୍ଡାର ଥିବାରୁ ସେମାନେ ଉତ୍ପାଦନ ହ୍ରାସ ସମୟରେ ଶୀତଳଭଣ୍ଡାରରେ ଗଚ୍ଛିତ ଥିବା ଟମାଟୋକୁ ବ୍ୟବହାର କରିଥାନ୍ତି ।  
ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଅନ୍ତର୍ଗତ ମଦନପଲ୍ଲୀ ହେଉଛି ଏସିଆ ମହାଦେଶର ସବୁଠୁ ବଡ଼ ଟମାଟୋ ବଜାର । ଆନ୍ଧ୍ର ସରକାରଙ୍କ ଦ୍ୱାରା ପ୍ରତ୍ସୋହନ ମିଳୁଥିବାରୁ ଏହି ଅଞ୍ଚଳର ୨୦ ହଜାର ଚାଷୀ ପ୍ରାୟ ୧ ଲକ୍ଷ ହେକ୍ଟର ଜମିରେ ଟମାଟୋ ଚାଷ କରିଥାନ୍ତି । ଓଡ଼ିଶାରେ ଟମାଟୋ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସେହିଭଳି କ୍ଷେତ୍ର ପ୍ରସ୍ତୁତ କରିପାରି ନାହାନ୍ତି । ଅତୀତରେ ରାଜ୍ୟ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସରକାର ସେହିସବୁ ଭୁଲି ଯାଇଛନ୍ତି । ଏବେ ରାଜ୍ୟରେ ଟମାଟୋର ଆକାଶଛୁଆଁ ଦର ନେଇ ବ୍ୟବସାୟୀମାନେ କହୁଛନ୍ତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଯୋଗୁଁ ଟମାଟୋ ଉତ୍ପାଦନ ହ୍ରାସ ପାଇଛି । ମେ’ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ଟଙ୍କା ବିକିଥିଲେ । ଚାଷୀମାନେ କ୍ଷତି ସହିଥିଲେ । ଓଡ଼ିଶାକୁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରୁ ଟମାଟୋ ଆସୁଛି । ତେଣୁ ଦର ବୃଦ୍ଧି ହେଉଛି । ଆଗାମୀ ୧୫ ଦିନ ଯାଏଁ ଏହି ଭଳି ସ୍ଥିତି ରହିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments