Monday, October 14, 2024
Homeଶ୍ରଦ୍ଧାଳୁ ପୁଣି ନିରାଶ, ଏବେ ଖୋଲିବନି ଧର୍ମାନୁଷ୍ଠାନ
Array

ଶ୍ରଦ୍ଧାଳୁ ପୁଣି ନିରାଶ, ଏବେ ଖୋଲିବନି ଧର୍ମାନୁଷ୍ଠାନ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କୋଭିଡ-୧୯ କାୟା ବିସ୍ତାର କରିଛି । ଭାରତରେ କରୋନାର ୨ୟ ଲହରରେ ସାମାନ୍ୟ ସୁଧାର ଆସିଛି । ଦେଶରେ କୋଭିଡ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଅଗଷ୍ଟ ମାସ ପାଇଁ ଓଡ଼ିଶା ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ରାଜ୍ୟର ଅଧିକାଂଶ ଜିନିଷ ଧୀରେ ଧୀରେ ଖୋଲିସାରିଛି । କିନ୍ତୁ ମନ୍ଦିର, ଶିକ୍ଷାନୁଷ୍ଠାନ, ସମାବେଶ ଓ ବ୍ୟବସାୟିକ ମେଳା ଖୋଲିବାକୁ ଆହୁରି କେତେ ଦିନ ଲାଗିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଗତ ମେ’ ମାସ ୫ ତାରିଖ ଠାରୁ ରାଜ୍ୟ ଲକ୍‌ଡାଉନ ହେବା ପରେ ପର୍ଯ୍ୟାୟକ୍ରମେ ରାଜ୍ୟରୁ କଟକଣା କୋହଳ ହେଉଛି ।

ଭକ୍ତ ପୁଣି ନିରାଶ

ବର୍ଷର ଅନ୍ୟ ମାସ ତୁଳନାରେ ଶ୍ରାବଣ ମାସର ଅଧିକ ଗୁରୁତ୍ୱ ରହିଛି । ଶ୍ରାବଣ ମାସର ସୋମବାରରେ କାଉଡ଼ିଆମାନେ ଶିବମନ୍ଦିର ଯାଇଥାନ୍ତି । ଅନ୍ୟ ଶ୍ରଦ୍ଧାଳୁମାନେ ମଧ୍ୟ ମନ୍ଦିର ଯିବାକୁ ପୂଣ୍ୟ କାମ ମନେ କରଥାନ୍ତି । ଜୁଲାଇ ୨୫ ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ, ସରକାରଙ୍କ କୋଭିଡ କଟକଣା ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଥିଲା । କିନ୍ତୁ ଏହାରି ମଧ୍ୟରେ ସରକାର ପୂରା ଅଗଷ୍ଟ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡ ଲାଇନରେ ମନ୍ଦିର ଖୋଲିବା ନେଇ କୌଣସି ଘୋଷଣା ହୋଇନାହିଁ । ଫଳରେ ଭକ୍ତଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ଅନ୍ୟପଟରେ ଯଦି ରାଜ୍ୟର ଅଧିକାଂଶ ଜିନିଷ ଖୋଲାଯାଇପାରିଛି, କଟକଣା ଭିତରେ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିଲେ କ’ଣ ଅସୁବିଧା ରହୁଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।

ମନ୍ଦିର ଖୋଲିବାକୁ ଜିଲ୍ଲାପାଳ ନେବେ ନିଷ୍ପତ୍ତି

ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି ରାଜ୍ୟରେ ଯଦିଓ ଅଧିକାଂଶ ସ୍ଥାନରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣକୁ ଆସି ସାରିଛି, ତଥାପି କିଛି ଜାଗାରେ କରୋନା ରହିଛି । ତେଣୁ ଧାର୍ମିକ ସମାବେଶ, ରାଜନୈତିକ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ, ବାଣିଜ୍ୟ ମେଳା-ମହୋତ୍ସବ ଆଦି କ୍ଷେତ୍ରରେ କଟକଣା ଜାରି ରହିବ । ଜିଲ୍ଲାପାଳଙ୍କ ଅନୁମତି ନେଇ ତଥା ସ୍ଥାନୀୟ ଅଂଚଳର ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲାଯାଇପାରିବ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗଙ୍କର ବୈଠକ ହେବ ।

ସେପ୍ଟେମ୍ବରରେ ଖୋଲିପାରେ ମନ୍ଦିର

ଶ୍ରାବଣ ମାସ ୭ ଦିନ ଅତିକ୍ରମ କରିଛି । ଆହୁରି ୨୧ ଦିନ ପରେ ଶ୍ରାବଣ ଶେଷ ହେବ । ଅଗଣ୍ଟ ମାସର ୨, ୯ ଓ ୧୬ ତାରିଖ ସୋମବାର ପଡୁଛି । ୨୨ ତାରିଖରେ ଶ୍ରାବଣ ପୂର୍ଣ୍ଣିମା ହେବ । ବୋଧେ ଶ୍ରାବଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେଇ ନାହାନ୍ତି । ଶ୍ରାବଣ ଶେଷ ହୋଇଯିବା ପରେ ଭାଦ୍ରବ ମାସରେ ମନ୍ଦିର ଗୁଡ଼ିକରେ କମ ଭିଡ ରହିଥାଏ । ତେଣୁ ସେପ୍ଟେମ୍ବର ମାସରେ ଯଦି କୋଭିଡ ସଂକ୍ରମଣ ନିୟନ୍ତ୍ରଣ ଥାଏ, ତାହେଲେ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲାଯାଇପାରେ ।

ରାତ୍ରିକାଳନୀ କର୍ଫ୍ୟୁ ୧୦ ଘଣ୍ଟା

ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ-ବାଜର ଗୁଡ଼ିକ ଖୋଲା ରହିବ । ରାଜ୍ୟ ସରକାର ଏବେବି ରାତ୍ରିକାଳୀନ କର୍ଫ୍ୟୁକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରୁ ୧୦ ଘଣ୍ଟା ରାତ୍ରିକାଳନୀ କର୍ଫ୍ୟୁ ରହିବ । ଅଗଷ୍ଟ ମାସର ଗାଇଡ ଲାଇନରେ ସରକାର କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲା ତାଲିକା ହଟାଇ ଦେଇଛନ୍ତି । ଭୁବନେଶ୍ୱର, କଟକ ଏବଂ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ ।

ଅଧିକାଂଶ କଟକଣା କୋହଳ

ଏବେ ରାଜ୍ୟର ଆହାର କେନ୍ଦ୍ର ଗୁଡ଼ିକ, ସପିଂ ମଲ, ରେଷ୍ଟୁରାଣ୍ଟ, ନାଟ୍ୟ ଶାଳା, ଥିଏଟର, ସିନେମାହଲ, ରାସ୍ତାକଡ଼ର ଦୋକାନ, ଦୈନିକ ହାଟ ଓ ସାପ୍ତାହିକ ହାଟ ଖୋଲା ରହିବ । ଅନ୍ତଃରାଜ୍ୟ ବସ ଚଳାଚଳ କରିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଅପେରା ଅନୁଷ୍ଠାନ ଚାଲିିବ । କୋଭିଡ ନିୟମ ଅନୁଯାୟୀ ପାର୍କ, ଚିଡିଆଖାନା, ସଂଗ୍ରହାଳୟ ଖୋଲିବ । ଅଟୋ, ଟ୍ୟାକ୍ସି ଆଦି ନିଦ୍ଦିଷ୍ଟ ସିଟ ଅନୁସାରେ ପରହିବହନ ହୋଇପାରିବେ । ରେଳଷ୍ଟେସନ, ବସଷ୍ଟେସନ ଓ ବିମାନବନ୍ଦରକୁ ଯାଉଥିବା ଲୋକଙ୍କ ପାଇଁ ଅସୁବିଧା ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments