Saturday, March 22, 2025
Homeଶ୍ରୀଜିଉଙ୍କ ସ୍ନାନଯାତ୍ରା-ହାତୀବେଶ ଦେଖିବେ ଶ୍ରଦ୍ଧାଳୁ
Array

ଶ୍ରୀଜିଉଙ୍କ ସ୍ନାନଯାତ୍ରା-ହାତୀବେଶ ଦେଖିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ସ୍ନାନବେଦୀରେ ପ୍ରଭୁ ଓ ତାଙ୍କର ଭକ୍ତଙ୍କ ମଧ୍ୟରେ ଅପୂର୍ବ ମିଳନ ହେବ। ଶ୍ରୀଜିଉମାନେ ଯେତେବେଳେ   ମହାସ୍ନାନ କରୁଥିବେ ଭକ୍ତମାନେ ପାଖରେ ଥିବେ। ସେବାୟତମାନେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ଗାଧୋଉଥିବା ବେଳେ ଏହି ଅପୂର୍ବ ଦୃଶ୍ୟକୁ ଭକ୍ତମାନେ ପାଖରୁ ଦେଖୁଥିବେ। ବିଗତ ୨ ବର୍ଷ ହେବ ଏହି ଦୃଶ୍ୟ ପାଖରୁ ଦେଖିପାରି ନଥିବାରୁ ଭକ୍ତମାନେ ବିକଳ ହୋଇଛନ୍ତି। କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ସ୍ନାନଯାତ୍ରା କଟକଣା ମଧ୍ୟରେ ସଂପନ୍ନ ହୋଇଥିଲା। ଭକ୍ତଙ୍କୁ କେବଳ ଶ୍ରୀମନ୍ଦିର   ନୁହେଁ ବରଂ ପୁରୀ ବଡ଼ଦାଣ୍ଡ ମଧ୍ୟ ମନା ଥିଲା। ଫଳରେ ଭକ୍ତମାନେ ଘରେ ଥାଇ ଟେଲିଭିଜନରେ ମହାପ୍ରଭୁଙ୍କ ସ୍ନାନଯାତ୍ରା (୨୦୨୨ ଜୁନ୍‌ ୧୪) ଦେଖିବାକୁ ବାଧ୍ୟ ହୋଇଥିଲେ।

ଖୁସିର କଥା ହେଲା ଯେ, ଚଳିତ ବର୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ ହେବାକୁ ଯାଉଛି। ଭକ୍ତମାନେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ମଧ୍ୟରେ ଗୁରୁବାର ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ମିଳିଛି। ଭକ୍ତମାନେ କୋଭିଡ ପୂର୍ବରୁ ଯେଭଳି ସ୍ନାନଯାତ୍ରାରେ ସାମିଲ ହେଉଥିଲେ, ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବେ ସେହିଭଳି ସ୍ନାନଯାତ୍ରା ଦେଖିପାରିବେ। ଭକ୍ତମାନେ ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ମନଲୋଭା ହାତୀବେଶକୁ  ଦେଖିପାରିବେ। ସ୍ନାନବେଦୀ ଉପରେ ଚଢ଼ିବାକୁ ସୁଯୋଗ ମିଳିବ। ହାତୀ ବେଶ ପରେ ଭକ୍ତ ସ୍ନାନବେଦୀ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଶ୍ରୀବିଗ୍ରହମନଙ୍କୁ ସ୍ପର୍ଶ କରିବା ଉପରେ କଟକଣା ଲାଗୁ ହେବ।

ବିଭିନ୍ନ ଦର୍ଶନ ଉପରେ ପ୍ରସ୍ତାବ

ଦଇତାପତି ନିଯୋଗ, ପୂଜାପଣ୍ଡା ନିଯୋଗ, ପ୍ରତିହାରି ନିଯୋଗ, ପୁଷ୍ପାଳକ ନିଯୋଗ ସହ ଆଲୋଚନା ହୋଇଛି। ସ୍ନାନଯାତ୍ରା ସମୟରେ ୨ରୁ ୩ ଘଣ୍ଟା ପାଇଁ ସାହାଣମେଳା ଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ହାତୀବେଶ ପରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଭକ୍ତ ଯେପରି ଦର୍ଶନ କରିପାରିବେ ସେନେଇ ଆଲୋଚନା ହୋଇଛି। ତେବେ ଏଥିପାଇଁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଭକ୍ତ ଯେପରି ଅଧିକ ସମୟ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ, ସେଥିପାଇଁ ନୀତିନିଘଣ୍ଟକୁ ସୁରୁଖୁରରେ କରାଯିବ ବୋଲି ଆଲୋଚନା ହୋଇଛି।

ରଥଯାତ୍ରା ଏବେବି ଅସ୍ପଷ୍ଟ

ସମଗ୍ର ବିଶ୍ୱରୁ ଏବେସୁଦ୍ଧା କରୋନା ସଂକ୍ରମଣ ଶେଷ ହୋଇନାହିଁ। କରୋନାର ଉତ୍ପତ୍ତି ସ୍ଥଳୀ ଚୀନ୍‌ରେ ଅନ୍ୟ ଦେଶ ତୁଳନାରେ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିନ୍ତୁ ଖୁସିର କଥା ହେଲା ଯେ, ଭାରତରେ କରୋନାର ପ୍ରଭାବ ନାହିଁ କହିଲେ ଚଳିବ। ଓଡ଼ିଶାରେ ମଧ୍ୟ କିଛି ମାସ ହେବ କୋଭିଡ-୧୯ ନିୟନ୍ତ୍ରିତ ଅବସ୍ଥାରେ ଅଛି। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ଜୁଲାଇ ୧ ତାରିଖରେ ଆୟୋଜନ ହେବ। ଯଦି ସେହି ସମୟରେ କୋଭିଡର ପ୍ରଭାବ ନଥିବ, ତା’ହେଲେ ରଥଯାତ୍ରା ସୁରଖୁରରେ ହେବ। ସଂକ୍ରମଣ କେତେବେଳେ କେଉଁ ସ୍ଥିତିରେ ଥିବା କହିହେବ ନାହିଁ। ତେଣୁ କୋଭିଡ କଟକଣା ନ ଥିଲେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ ବୋଲି ଆଶା କରାଯାଉଛି।

ରଥଯାତ୍ରାକୁ ନେଇ ଭକ୍ତ ଆଶାବାଦୀ

ବିଗତ ୨ ବର୍ଷ ହେଲା ଭକ୍ତ ପୁରୀ ରଥଯାତ୍ରାରେ ସାମିଲ ହୋଇପାରି ନଥିବାରୁ ବ୍ୟସ୍ତ ହୋଇପଡ଼ିଛନ୍ତି। ଏବେ କରୋନା ନିୟନ୍ତ୍ରିତ ଅବସ୍ଥାରେ ଥିବାରୁ ଗତ ୧୬ ତାରିଖରେ ଭକ୍ତଙ୍କ ଉପସ୍ଥିତିରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଭକ୍ତଙ୍କୁ ସାମିଲ କରାଯିବା ନେଇ ମଧ୍ୟ ଯୋଜନା ଚାଲିଛି। କୋଭିଡ ପରିସ୍ଥିତି ଠିକ୍‌ଠାକ ଥିଲେ ଘୋଷଯାତ୍ରାରେ ମଧ୍ୟ ଲକ୍ଷାଧିକ ଭକ୍ତ ସାମିଲ ହେବେ। ଶ୍ରୀକ୍ଷେତ୍ର ଲୋକାରଣ୍ୟରେ ପରିଣତ ହେବ। ବ୍ୟବସାୟୀମାନେ ଭଲ ରୋଜଗାର କରିବେ। ପୁରୀ ବ୍ୟବସାୟୀଙ୍କ ବଳ ହେଉଛନ୍ତି ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments