ଭୁବନେଶ୍ୱର: ଆଶାଢ଼ ମାସର ଶୁକ୍ଲପକ୍ଷ ଦ୍ୱିତୀୟା ତିଥି (ଜୁଲାଇ ୧୨ ତାରିଖ)ରେ ପତିତପାବନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୯ ଦିବସୀୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଏକ ସପ୍ତାହରୁ ଅଧିକ ସମୟ ଧରି ମାଉସୀ ଘରେ ରହିବେ । ଗୁଣ୍ଡିଚା ରାଣୀଙ୍କ ଦ୍ୱାରା ପ୍ରସ୍ତୁତ ଅନ୍ନ, ଡାଲି, ଶାଗ, ମହୂର, ପିଠା, ପଣା ଆଦି ବ୍ୟଂଜନ ଓ ସୂଆଦିଆ ଖାଦ୍ୟ ଖାଇବେ । ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ଲାଗି ବ୍ୟାକୁଳ ହୋଇପଡ଼ିଥିଲେ ମଧ୍ୟ ସେ ସୁଯୋଗ ମିଳିପାରି ନାହିଁ । କୋଭିଡ କଟକଣା ସହିତ ରଥଯାତ୍ରାର ଆୟୋଜନ ହୋଇଥିବାରୁ ସାଧାରଣ ଭକ୍ତମାନେ ବଡ଼ଦାଣ୍ଡ ସ୍ପର୍ଶ କରିପାରିନାହାନ୍ତି । ଜୁଲାଇ ୧୩ ତାରିଖରେ ରଥ ଉପରେ ଶ୍ରୀଜିଉମାନଙ୍କୁ ଶୁଖିଲା ଭୋଗ ଅର୍ପଣ କରାଯିବ । ପରଦିନ ଅର୍ଥାତ ଜୁଲାଇ ୧୪ ତାରିଖରେ ମହାପ୍ରଭୁ ଜନ୍ମବେଦୀରେ ଶୋଭାପାଇବେ । ଚଳିତ ବର୍ଷ ବହୁତ କମ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଆଡ଼ପ ଅବଢ଼ା ମିଳିବ । କଟକଣା ଯୋଗୁଁ ଇଚ୍ଛା ଥିଲେ ବି ଭକ୍ତମାନେ ଶରଧାବାଲିରେ ପହଂଚିପାରିବେ ନାହିଁ ।
ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ-୧୯ କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥ ଗଡ଼ିନାହିଁ । କିନ୍ତୁ ଅନ୍ୟସ୍ଥାନରେ କୋଭିଡ-୧୯ କଟକଣା ମଧ୍ୟରେ ମନ୍ଦିର ଭିତରେ ରଥଯାତ୍ରା ନୀତି ସଂପନ୍ନ କରାଯାଇଛି । ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ଆଜି ବଂଚିତ ହୋଇଛନ୍ତି । କାରଣ ପୁରୀରେ ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ରାଜ୍ୟର ଅନ୍ୟସ୍ଥାନରେ ରଥଯାତ୍ରା ପାଇଁ ସରକାର ଅନୁମତି ପ୍ରଦାନ କରିନାହାନ୍ତି ।
୨ ଘଣ୍ଟା ପୂର୍ବରୁ ଗଡ଼ିଲା ରଥ
ଚଳିତ ବର୍ଷର ରଥଯାତ୍ରାରେ କେବଳ ସେବାୟତମାନେ ହିଁ ତିନି ରଥକୁ ଟାଣିଛନ୍ତି । କିନ୍ତୁ ଭକ୍ତବିହୀନ ବଡ଼ଦାଣ୍ଡରେ ସେବାୟତମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଗୁଡ଼ିକୁ ଶରଧାବାଲିରେ ପହଂଚାଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରଥଟଣା କାର୍ଯ୍ୟ ଅପରାହ୍ନ ୩ଟାରେ ଆରମ୍ଭ ହେବାର ଥିଲା । କିନ୍ତୁ ପହଣ୍ଡି ବିଜେ ନୀତି ପୂର୍ବାହ୍ନ ୧୦ରେ ଶେଷ ହୋଇଯାଇଥିବାରୁ ମଧ୍ୟାହ୍ନ ୧୨ଟାରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ପୁରୀବାସୀଙ୍କୁ ମଧ୍ୟ ରଥଯାତ୍ରା ଦେଖିବା ମନା
ଚଳିତ ବର୍ଷ ପୁରୀର ନିବାସୀ ମଧ୍ୟ ଶ୍ରୀଜିଉଙ୍କ ରଥଯାତ୍ରା ଦେଖିପାରି ନାହାନ୍ତି । ଏଠାକାର ଲୋକଙ୍କୁ ବଡ଼ଦାଣ୍ଡକୁ ଆସିବା ପାଇଁ ମନା ହୋଇଛି । ସେହିପରି ନିଜ ଘର ଛାତ ଉପରକୁ ଚଢ଼ିବା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇନାହିଁ । ରଥଯାତ୍ରାରେ କେଉଁ ସେବାୟତମାନେ ନିୟୋଜିତ ହେବେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୟନ କରାଯାଇଥିଲା । ଯେଉଁ ସେବାୟତମାନେ କରୋନା-୧୯ ଟିକାରର ୨ଟିଯାଗ ଡୋଜ ନେଇଥିଲେ, ସେମାନଙ୍କୁ ହିଁ ପ୍ରଭୁଙ୍କ ସେବା କରିବାକୁ ସୁଯୋଗ ମିଳିଛି । ରଥଯାତ୍ରା ସମୟରେ ପୁରୀରେ ୧୦ ଲକ୍ଷରୁ ଅଧିକ ଲୋକଙ୍କର ସମାବେଶ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବହୁତ କମ । କେବଳ ଶ୍ରୀମନ୍ଦିରର କିଛି ଅଧିକାରୀ ଓ କର୍ମଚାରୀ ଓ ସେବାୟତଙ୍କୁ ନେଇ ରଥଯାତ୍ରାର ଆୟୋଜନ କରାଯାଇଛି । ସୁରକ୍ଷା ପାଇଁ ୬୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି ।
ବାରିପଦା-କେନ୍ଦ୍ରାପଡ଼ାରେ ଗଡ଼ିନାହିଁ ରଥ
ଓଡ଼ିଆ ସଂସ୍କୃତିର ଆତ୍ମା ହେଉଛନ୍ତି ଜଗନ୍ନାଥ । ପୁରୀ ବ୍ୟତୀତ ରାଜ୍ୟରେ ହଜାର ହଜାର ଜଗନ୍ନାଥ ମନ୍ଦିର ରହିଛି । କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିର ସମଗ୍ର ବିଶ୍ୱରେ ବିଖ୍ୟାତଲାଭ କରିଛି । ପୁରୀକୁ ଥରଯାତ୍ରା ଦେଖିବା ପାଇଁ ବିଦେଶରୁ ଲୋକେ ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ବାହାର ଲୋକଙ୍କୁ ପୁରୀ ମନା ହୋଇଛି । ପୁରୀ ବ୍ୟତୀତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଆକର୍ଷଣୀୟ ରଥଯାତ୍ରାର ଆୟୋଜନ ହୋଇଥାଏ । କେନ୍ଦ୍ରାପଡ଼ା, କୋରାପୁଟ, ଅନୁଗୁଳ, ବରପାଲିର ରଥଯାତ୍ରା ମଧ୍ୟ ସ୍ଥାନୀୟ ଅଂଚଳରେ ଲୋକପ୍ରିୟତା ଅର୍ଜନ କରିଛି । କିନ୍ତୁ କୋଭିଡ କଟକଣା ଯୋଗୁଁ ଏସବୁ ସ୍ଥାନରେ ରଥଯାତ୍ରାର ଆୟୋଜନ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିନାହାନ୍ତି । କୋଭିଡ-୧୯ କଟକଣା ଯୋଗୁଁ ଭଗବାନ-ଭକ୍ତଙ୍କ ମଧ୍ୟରେ ମିଳନ ହୋଇପାରିନାହିଁ । କିନ୍ତୁ ଭକ୍ତମାନେ ଭଗବାନଙ୍କୁ ଦୂରରେ ଥାଇ ସ୍ମରଣ କରିଛନ୍ତ ।