Tuesday, September 10, 2024
Homeଖବରଶ୍ରୀମନ୍ଦିରରେ ପୁଣି ଅଣହିନ୍ଦୁ ପଶିଲେ

ଶ୍ରୀମନ୍ଦିରରେ ପୁଣି ଅଣହିନ୍ଦୁ ପଶିଲେ

ଭୁବନେଶ୍ବର: କୋଟିକୋଟି ହିନ୍ଦୁ ଭକ୍ତଙ୍କର ମଉଣମଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଲକୁ ପୁଣି ଥରେ ଅଣହିନ୍ଦୁମାନେ ପ୍ରବେଶ କରିଛନ୍ତି। ଏହା ପୁଣି ଜଣେ କି ଦୁଇ ଜଣ ନୁହେଁ। ଜଣେ ବିଦେଶୀ ହିନ୍ଦୁ ଭକ୍ତଙ୍କ ସାହାଯ୍ୟରେ ଏକାଥରକେ ୮ ଜଣ ଅଣହିନ୍ଦୁ ବଡ଼ଦେଉଳକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଶ୍ରୀମନ୍ଦିରରେ ଅଣହିନ୍ଦୁମାନଙ୍କର ବାରମ୍ବାର ଏଭଳି ଆଚରଣ ଜଗନ୍ନାଥଙ୍କ ଭକ୍ତକୁ ଆଘାତ ଲାଗିଛି। ଶ୍ରୀମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ସୂଚନାତ୍ମକ ଫଳକ ଲାଗିଥିଲେ ମଧ୍ୟ ଅଣହିନ୍ଦୁମାନେ ଏହାକୁ ଖାତିର କରିନାହାନ୍ତି। ଶ୍ରଦ୍ଧାଳୁମାନେ ସରକାର, ପ୍ରଶାସନ ଓ ଶ୍ରୀମନ୍ଦିରରେ ମୁତୟନ ଥିବା ପୁଲିସ ଉପରେ ପ୍ରଶ୍ନ କରିଛନ୍ତି।

୬ ବାଂଲାଦେଶୀ ପଶିଲେ ଶ୍ରୀମନ୍ଦିର
ଶ୍ରୀମନ୍ଦିରର ଭିତର ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ସମସ୍ତ ପ୍ରକାର ସୁରକ୍ଷା ବଳୟ ଭେଦ କରି ଜଣେ ହିନ୍ଦୁ ସମେତ ୬ ଜଣ ବାଂଲାଦେଶୀ ରବିବାର ପ୍ରବେଶ କରିଛନ୍ତି। ବାଂଲାଦେଶୀ ନାଗରିକମାନଙ୍କ ମଧ୍ୟରୁ ୫ ଜଣ ଅଣହିନ୍ଦୁ ସାମିଲ ଥିଲେ। ସମସ୍ତେ  ସିଂହଦ୍ବାର ଦେଇ ଗର୍ଭଗୃହରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ। କେବଳ ଏତିକି ନୁହେଁ ସେମାନେ ପଲିଥିନ୍‌ରେ ମହାପ୍ରସାଦ ମଧ୍ୟ କିଣିଥିଲେ। ତିନି ଜଣ ମୁସ୍‌ଲିମ୍‌ ବ୍ୟକ୍ତି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରୁଥିବା ସମୟରେ ସେବାୟତମାନଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ବେଶଭୁଷା ଦେଖି ସନ୍ଦେହ ହେବାରୁ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା ବେଳେ ସେମାନେ ବାଂଲାଦେଶୀ ନାଗରିକ ବୋଲି ଜଣାପଡ଼ିଥିଲା। ତାଙ୍କ ସହ ଆସିଥିବା ଅନ୍ୟ ୫ ଜଣ ମୁସ୍‌ଲିମ୍‌ ଓ ଜଣେ ହିନ୍ଦୁ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ଦେଇଥିଲେ।

ଗତବର୍ଷ ମୁସଲିମ ମହିଳା କରିଥିଲେ ପ୍ରବେଶ

୨୦୨୩ ଫେବ୍ରୁଆରି ୨୪ ତାରିଖ ଦିନ ମଧ୍ୟ ଜଣେ ମୁସଲିମ ମହିଳା ତଥା ଆଇଆର୍ଏସ୍ ଅଧିକାରୀ ନିଜ ପଦବିର ଅପବ୍ୟବହାର କରି ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିଲେ। ଏପରିକି ଜଣେ ଅଧିକାରୀ ତାଙ୍କୁ ନିୟମ ବାବଦରେ ସଚେତନ କରିବା ସହ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ବୋଲି କହିବାରୁ ତାଙ୍କୁ ୪ଶହ କିଲୋମିଟର ଦୂରକୁ ବଦଳି କରିଥିଲେ। ଶ୍ରୀମନ୍ଦିରର ସେବାୟତଙ୍କ ବାବଦରେ କଟୁ କଥା କହିଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏତଲାରେ ଉଲ୍ଲେଖ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କୁ ପ୍ରବେଶ କରିବା ବାରଣ ଥିବା କଥା ସିଂହଦ୍ବାର ସମ୍ମୁଖରେ ସୂଚନା ଫଳକରେ ଉଲ୍ଲେଖ ଥିବା ସତ୍ତ୍ବେ ସେ ଜୋର୍ ଜବରଦସ୍ତ ପ୍ରବେଶ କରିବା ସମଗ୍ର ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ କରିଛି। ଜଣେ ଅଧିକାରୀ ଓ ଉଚ୍ଚ ଶିକ୍ଷିତ ହୋଇ ନିୟମ ଅମାନ୍ୟ କରିବା ଗ୍ରହଣୀୟ ନୁହେଁ। ସେ କେବଳ ନିୟମକୁ ଅବମାନନା କରିନାହାନ୍ତି ବରଂ ସନାତନ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି।

ବଡ଼ଦେଉଳରେ ବିଦେଶିନୀ

ଶ୍ରୀମନ୍ଦିରରେ ବିଦେଶୀ ନାଗରିକ ଓ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏହା ସତ୍ତ୍ବେ ଗତ ଜାନୁଆରି ୮ ତାରିଖରେ ଜଣେ ବିଦେଶିନୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। କିନ୍ତୁ ସଂପୃକ୍ତ ଅଣହିନ୍ଦୁ ଜଣେ ବିଦେଶିନୀ ଓ ଇସ୍କନ ଧର୍ମାବଲମ୍ବୀ ଥିଲେ। ସଂପୃକ୍ତ ବିଦେଶିନୀ ଶ୍ରୀମନ୍ଦିରର କଡ଼ା ସୁରକ୍ଷା ବଳୟ ଭେଦ କରି ସାତପାହାଚ ନିକଟରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଶ୍ରୀମନ୍ଦିର ବାହାରେ ଆଣି ଛାଡ଼ିଥିଲା। କିନ୍ତୁ ଏହା ପୂର୍ବରୁ ବିଦେଶିନୀ ଜଣକ ଶ୍ରୀମନ୍ଦିରରୁ ଭୋଗ ନେଇ ଫେରିଥିଲେ। ଗତବର୍ଷ ଜାନୁଆରି ୨୬ ତାରିଖରେ ମଧ୍ୟ ଜଣେ ବିଦେଶିନୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ଗହଳଚହଳ ଥିବାବେଳେ ସମ୍ପୃକ୍ତ ବିଦେଶୀ ମହିଳା ଶ୍ରୀମନ୍ଦିର ଭିତରେ ପଶିଯାଇଥିଲେ। ଶ୍ରୀମନ୍ଦିର ଭିତରୁ ବାଇଶି ପାହାଚ ଦେଇ ସମ୍ପୃକ୍ତ ବିଦେଶୀ ଫେରୁଥିବା ବେଳେ ଗଣମାଧ୍ୟମର ନଜର ପଡ଼ିଥିଲା। ପରେ ସଂପୃକ୍ତ ବିଦେଶୀ ସିଂହଦ୍ୱାର ଦେଇ ଫେରି ଆସିଥିଲେ। କିନ୍ତୁ, କାହାରି ପ୍ରଶ୍ନର ପ୍ରତ୍ୟୁତ୍ତର ରଖିନଥିଲେ।

ସୁରକ୍ଷା ଉପରେ ପ୍ରଶ୍ନବାଚୀ

ଶ୍ରୀମନ୍ଦିର ସେବାୟତ ଓ ଅଣହିନ୍ଦୁଙ୍କୁ ଚିହ୍ନଟ ପାଇଁ ଚାରିଦ୍ୱାରରେ ଶ୍ରୀମନ୍ଦିର ପୁଲିସ ସହ ଓଡ଼ିଶା ପୁଲିସ ନିୟୋଜିତ ହୋଇଛନ୍ତି। ଓଡ଼ିଶା ପୁଲିସ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ଏତେ ସୁରକ୍ଷା ଭିତରେ ଏହି ବିଦେଶୀ ଜଣକ ଶ୍ରୀମନ୍ଦିର ଭିତରକୁ ପଶିଯିବା ଘଟଣାକୁ ଆଜି ସେବାୟତ ଓ ଭକ୍ତ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଭକ୍ତଙ୍କ ମନରେ ଆଘାତ ଲାଗିଛି। ଭକ୍ତମାନେ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments