Wednesday, October 9, 2024
Homeଖବରପ୍ରମୁଖ ଖବରଶ୍ରୀମନ୍ଦିରର ବ୍ୟବସ୍ଥା ବଢ଼ାଉଛି ଭକ୍ତଙ୍କ ମନରେ କଷ୍ଟ 

ଶ୍ରୀମନ୍ଦିରର ବ୍ୟବସ୍ଥା ବଢ଼ାଉଛି ଭକ୍ତଙ୍କ ମନରେ କଷ୍ଟ 

ଭୁବନେଶ୍ବର: ଚଳିତ ବର୍ଷର ଅନ୍ୟତମ ଧର୍ମମାସ ‘କାର୍ତ୍ତିକ’ ସରିଛି। କାର୍ତ୍ତିକ ମାସର ଶେଷ ଦିନ ‘ପୂର୍ଣ୍ଣିମା’ ଅବସରରେ ସୋମବାର ଲକ୍ଷାଧିକ ଭକ୍ତ ଶ୍ରୀଜିଉମାନଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀକ୍ଷେତ୍ରରୁ କାର୍ତ୍ତିକ ହବିଷ୍ୟାଳିମାନଙ୍କର ଧୀରେଧୀରେ ଘରବାହୁଡ଼ା ଆରମ୍ଭ ହୋଇଯାଇଛି। କିନ୍ତୁ ସାଧାରଣ ଭକ୍ତଙ୍କ ସମାଗମ ପୂର୍ବ ଭଳି ରହିଛି। ତେବେ ଚଳିତ ବର୍ଷ କାର୍ତ୍ତିକ ମାସ ତମାମ ପୂର୍ବ ବର୍ଷ ତୁଳନାରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ରହିଥିବା ପରିଲକ୍ଷିତ କରାଯାଇଥିଲା, ଯେଉଁଥି ପାଇଁ ଏକାଧିକ ଅଘଟଣ ମଧ୍ୟ ଦେଖିବାକୁ ମିଳିଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୀର୍ଘ ସମୟ ଧରି ଧୈର୍ଯ୍ୟର ସହିତ ଲାଇନ୍ରେ ରହିଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଜୋରଦାର ଚାଲିଛି। ଆସନ୍ତା ଜାନୁଆରି ୧୭ ତାରିଖରେ ଏହାର ପ୍ରତିଷ୍ଠା କରାଯିବ। ଏଥି ପାଇଁ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ବ୍ୟସ୍ତ ରହୁଛନ୍ତି। ଶ୍ରୀମନ୍ଦିର ବାହାର ପାର୍ଶ୍ବ ଚକାଚକ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସରକାର ବା ପ୍ରଶାସନ ଏହା ଅପେକ୍ଷା ଭକ୍ତମାନେ କିଭଳି ଭାବେ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ମାତ୍ର କ୍ଷୋଭର ବିଷୟ ହେଲା ଯେ, ଶ୍ରୀମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଭିତରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିଥାନ୍ତି। ଏହି କାରଣରୁ ବିଗତ ଦିନରେ ଏକାଧିକ ଅଘଟଣ ଘଟିଛି। ଏପରିକି ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଦଳାଚକଟା, ରକ୍ତଛିଟା ପଡ଼ିବା ଆଦି ସାମିଲ ରହିଛି।

ଭକ୍ତ ମୃତ, ସେବାୟତ ଗୁରୁତର

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଭକ୍ତମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଏହା କେବଳ କାର୍ତ୍ତିକ ମାସରେ ନୁହେଁ କି ନୂଆଁବର୍ଷରେ ନୁହେଁ। ବର୍ଷ ସାରା ଏହି ସମସ୍ୟା ରହୁଛି। ଏପରିକି ଗ୍ରୀଷ୍ମର ପ୍ରବଳ ଖରାରେ ମଧ୍ୟ ଭକ୍ତମାନଙ୍କୁ ଏଭଳି କଷ୍ଟ ସହ୍ୟ କରିବାକୁ ପଡୁଛି। ଏହାର କାରଣ ହେଲା ପ୍ରଶାସନର ଦର୍ବଳତା ଏବଂ ଧାଡ଼ି ବ୍ୟବସ୍ଥାରେ ତ୍ରୁଟି। କେବଳ ବାହାର ଯନ୍ତ୍ରଣା ନୁହେଁ। ବରଂ ଶ୍ରୀମନ୍ଦିର ଭିତର ଯନ୍ତ୍ରଣା ମଧ୍ୟ ବଳିଗଲାଣି। ନାଟମଣ୍ଡପ, ସାତପାହାଚ ସ୍ଥିତି ଅଣାୟତ ହୋଇପଡ଼ୁଛି। କିଛି ଦିନ ପୂର୍ବରୁ ଜଣେ ହବିଷ୍ୟାଳି ଶ୍ରୀମନ୍ଦିର ଭିତରେ ଥିବା ବେଳେ ନୀଳାଚଳ ଉପବନରେ ବସିଥିବା ବେଳେ ଗୁରୁତର ଅସୁସ୍ଥ ହୋଇଗଲେ ହବିଷ୍ୟାଳି। ଆଉ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ ୨୫ ତାରିଖ ଦିନ ଗରମ ଡାଲି ପଡ଼ି ଜଣେ ବୋଝିଆ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧ ଅଣନିଃଶ୍ବାସୀ ହୋଇ ହୋଇ ପଡ଼ିଥିଲେ।  ପୁରୀ ସଦର ଥାନା କଣ୍ଠପୁରର ବୋଝିଆ ଜମ୍ବେଶ୍ବର ବରାଳ(୪୦) ପ୍ରାୟ ସାଢ଼େ ୩ଟାରେ ବେତାରେ ମହାପ୍ରସାଦ ନେଇ ଆସୁଥିବା ବେଳେ ବାଇଶିପାହାଚ ଠେଲାପେଲାରେ ମୁଣ୍ଡରୁ ମହାପ୍ରସାଦ ଗଳି ପଡ଼ିଥିଲା। ଫଳରେ ଗରମ ଡାଲି, ବେସର ଆଦି ଦେହରେ ପଡ଼ିଯାଇଥିଲା। ଏଥିରେ ଜମ୍ବେଶ୍ବରଙ୍କ ମୁଣ୍ଡ, ବେକ, ହାତ ଛାତି ସହ ଶରୀରର ଅନ୍ୟାନ୍ୟ ସ୍ଥାନ ଫୋଟକା ହୋଇଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ ପଠାଇ ଦିଆଯାଇଥିଲା। ସେହିପରି ସେଦିନ ମଧ୍ୟାହ୍ନରେ ଅତ୍ୟଧିକ ଭିଡ଼ କାରଣରୁ ଦର୍ଶନ ବେଳେ ଶ୍ରୀମନ୍ଦିର ଭିତରେ ଅଣନିଃଶ୍ବାସୀ ହୋଇ ଜଣେ ୭୫ ବର୍ଷୀୟ ବୃଦ୍ଧ ଚେତାଶୂନ୍ୟ ହୋଇ ପଡ଼ିଥିଲେ।  

କଲବଲ ହେଲେ ଭକ୍ତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିର ପ୍ରଶାସନର ଦର୍ଶନ ବ୍ୟବସ୍ଥାରେ କିଛି ତ୍ରୁଟି କାରଣରୁ ହବିଷ୍ୟାଳିଙ୍କୁ କଲବଲ କରିଥିଲା। ବହୁ ବୟସ୍କା ହବିଷ୍ୟାଳି ଦର୍ଶନ ନ ପାଇ ଫେରିଯାଇଥିଲେ। ଅନ୍ୟ ଶ୍ରଦ୍ଧାଳୁମାନେ ଭିଡ଼ ଭିତରେ ପଶି ଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ। ଶ୍ରୀମନ୍ଦିରର ଚାରି ଦ୍ବାରା ଖୋଲିବା ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲେ ମଧ୍ୟ ଏଥି ପ୍ରତି ସରକାର ଓ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି। ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ହଟ୍ଟହଟା ହେବାର ଏହା ମଧ୍ୟ ଅନ୍ୟତମ କାରଣ ହୋଇପାରେ। ଗତ ୨୩ ତାରିଖ ଦିନ ପଞ୍ଚୁକର ପ୍ରଥମ ଦିନ ଅବସରରେ ଯେଉଁମାନଙ୍କ ପାଖରେ ହବିଷ୍ୟାଳି ପରିଚୟପତ୍ର ନଥିଲା, ସେମାନେ ବଡ଼ ହଇରାଣ ହୋଇଥିଲେ। କିନ୍ତୁ ଯେଉଁ ହବିଷ୍ୟାଳିମାନେ ପରିଚୟପତ୍ର ପକାଇ ଆସିଥିଲେ, ସେମାନଙ୍କୁ ବାରିକେଡ୍ ବାହାରେ ପୁଲିସ ଫାଣ୍ଡି କଡ଼ ଦେଇ ଛାଡ଼ିଥିଲା। ପରିଚୟପତ୍ର ପକାଇ ନଥିବା ଭକ୍ତଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା।, ସେମାନଙ୍କୁ ଛଡ଼ାଯାଇନଥିଲା। ଏହାକୁ ନେଇ ଦିନତମାମ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା।  

ଜୋତାଷ୍ଟାଣ୍ଡ୍, ମୋବାଇଲ ଷ୍ଟାଣ୍ଡରେ ଶୋଷଣ

ଦୁଇ ବର୍ଷ ପୂର୍ବରୁ ପ୍ରଶାସନିକ ବ୍ୟବସ୍ଥାରେ ଭକ୍ତମାନେ ଜୋତା, ଚପଲ, ମୋବାଇଲ, ଲଗେଜ ଆଦି ସାମଗ୍ରୀ ସହଜରେ ରଖିପାରୁଥିଲେ। ମାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବା ଠାରୁ ଭକ୍ତମାନେ ନିଜନିଜ ଜୋତା, ଚପଲ, ମୋବାଇଲ ଓ ଅନ୍ୟ ସାମଗ୍ରୀ ରଖିବାରେ ହଇରାଣ ହେଉଛନ୍ତି। କାରଣ ପରିକ୍ରମା ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ସରକାର ଜେତା, ଚପଲ ଷ୍ଟାଣ୍ଡ୍ ପାଇଁ ବିକଳ୍ପ ବ୍ୟବସ୍ଥା କରି ନାହାନ୍ତି। ତେଣୁ ବଡ଼ଦାଣ୍ଡରେ ଥିବା କିଛି ଦୋକାନୀଙ୍କ ଦ୍ବାରା ଭକ୍ତମାନେ ଶୋଷିତ ହୋଇଛନ୍ତି। ଭକ୍ତମାନେ ଶୋଷଣର ଶିକାର ହେଉଥିବା ଜାଣି ବି ଏଠାରେ ନିଜର ଆସବାବ ରଖିବାକୁ ବାଧ୍ୟ ହୋଇଛନ୍ତି। ଯେଉଁଥିପାଇଁ ଏହି ଷ୍ଟାଣ୍ଡଗୁଡ଼ିକରେ ମନଇଛା ଦର କଷିଛନ୍ତି। ମୋବାଇଲ୍ ପିଛା ୨୫ ଟଙ୍କା ଲେଖାଏଁ ଆଦାୟ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments