ଭୁବନେଶ୍ୱର: କୋଟି କୋଟି ଓଡ଼ିଆ ଜନତାଙ୍କ ଆରାଧ୍ୟ ଦେବତା ‘ପ୍ରଭୁ ଶ୍ରୀଜଗନ୍ନାଥ’ଙ୍କୁ ସମଗ୍ର ବିଶ୍ୱବାସୀ ଜାଣନ୍ତି। ତଥାପି ଯୁଗ ଅନୁସାରେ ଏହାର ବାହାର ଚାକଚକ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଉଭୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥି ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ମନ୍ଦିର ଚତୁଃପାର୍ଶ୍ଵରେ ଖନନ ଓ ନିର୍ମାଣ କାମ ଚାଲିଛି। କିନ୍ତୁ ଏହି ପ୍ରକଳ୍ପର ନିର୍ମାଣ ନେଇ ଅନେକ ଲୋକ ସନ୍ତୁଷ୍ଟ ନାହାନ୍ତି। ଅର୍ଥାତ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଭକ୍ତ, ସେବାୟତ, ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଏହା ବିରୋଧରେ ପ୍ରତିବାଦ ଚଳାଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଏଭଳି ଖନନ ଓ ନିର୍ମାଣ ମନ୍ଦିର ପ୍ରତି ବିପଦ ସାଜିଥିବାରୁ ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ ମଧ୍ୟ ଦାବି କରି ଆସୁଛନ୍ତି। ପୂର୍ବଭଳି ଖନନ ଓ ନିର୍ମାଣ ଜାରି ରହିଛି। ଏଭଳି ସ୍ଥଳେ ଏବେ ପ୍ରଶାସନିକ ଅଧିକାରୀ ଓ ଠିକା ସଂସ୍ଥାଙ୍କ କାର୍ଯ୍ୟକଳାପ ସାଧାରଣରେ ସନ୍ଦେହ ସୃଷ୍ଟି କଲାଣି।
ପ୍ରକଳ୍ପର ବେଆଇନ ନର୍ମାଣ ପ୍ରତିବାଦରେ ଶ୍ରୀକ୍ଷେତ୍ରରେ ବିଶାଳ ପଦଯାତ୍ରା ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ସେପଟେ ପ୍ରକଳ୍ପ ସପକ୍ଷବାଦୀ ସମାନ୍ତରାଳ ଭାବେ ମାର୍କେଟ ଛକରେ ଧାରଣା ଦେବେ ବୋଲି ମଧ୍ୟ ସୂଚନା ମିଳିଛି। ଏପରି ସମୟରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଗଜପତି ଦିବ୍ୟସିଂହ ଦେବଙ୍କ ବୟାନ କଣ ପ୍ରଭାବ ପକାଇବ ତା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ବର୍ତ୍ତମାନର ବିବାଦ ଭିତରେ ଏବଂ ଆସନ୍ତା ୨୭ରେ ବିରୋଧୀ ପଦଯାତ୍ରା ପାଇଁ ପ୍ରସ୍ତୁତି କରୁଥିବାବେଳେ ମହାରାଜାଙ୍କ ଏହି ବୟାନକୁ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଦେଖିବାର ସମ୍ଭାବନା ରହିଛି।
୨୭ରେ ପୁରୀରେ ବିଶାଳ ପଦଯାତ୍ରା
ଅନ୍ୟପଟରେ ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ବିରୋଧୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିରୋଧୀଙ୍କ ରାଲି ଶରଧାବାଲି ଠାରୁ ଆରମ୍ଭ ହୋଇ ସିଂହଦ୍ୱାରରେ ଶେଷ ହେବ। ଏହି ପଦଯାତ୍ରାକୁ ନେଇ ପୁରୀ ରାଜନୀତି ଆହୁରି ଅଧିକ ସରଗରମ ହୋଇଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଆନ୍ଦୋଳନରେ ୫ ହଜାର ଲୋକଙ୍କୁ ନେଇ ସାମିଲ ହେବାକୁ କହିଥିଲେ। ଏବେ ସେ କହିଛନ୍ତି ଯେ, ପାଇକ ଆନ୍ଦୋଳନ ଯୋଗୁଁ ପୁରୀ ଯାଇପାରିବେ ନାହିଁ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ପଦଯାତ୍ରାରେ ଆସି ବାସ୍ତବ ସ୍ଥିତି ପରଖନ୍ତୁ। ପ୍ରକଳ୍ପ ବିରୋଧରେ କିଛି ସଙ୍ଗଠନ ପଦଯାତ୍ରା କରିବାକୁ ଥିବାବେଳେ ପୁରୀର ଆଉ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ଏନେଇ ପୁରୀର ବିଭିନ୍ନ ସଙ୍ଗଠନ ଭିନ୍ନ ଭିନ୍ନ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି। ‘ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ’ ପଦଯାତ୍ରାକୁ ବିରୋଧ କରି ମାର୍କେଟ ଛକରେ ଧାରଣା ଦେବାକୁ ଘୋଷଣା କରିଛି।
କ’ଣ କହିଲେ ଗଜପତି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀମନ୍ଦିର ପାଇଁ କୌଣସି ବିପଦ ନାହିଁ ଏବଂ ମହାପ୍ରଭୁ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ମହାପ୍ରଭୁଙ୍କ କାମକୁ କେହି ବିରୋଧ କରିବା ଉଚିତ ନୁହେଁ। ଏହା ସମସ୍ତଙ୍କର କାମ ହୋଇଥିବାରୁ ସମସ୍ତେ ମିଳିମିଶି ମହାପ୍ରଭୁଙ୍କ ପ୍ରକଳ୍ପ କାମ ଆଗେଇ ନେବା ଉଚିତ୍। ମହାପ୍ରଭୁଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ। ଆପୋଷା ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିବ। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିବା ଦରକାର। ଶ୍ରଦ୍ଧାଳୁ ସମୂହର ଉପକାର କାମରେ ସମସ୍ତଙ୍କର ସହଯୋଗ ରହିବା ଦରକାର।
ମେ’ ୧୬ରେ ହାଇକୋର୍ଟରେ ଶୁଣାଣି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ଵରେ ଖନନ ଓ ନିର୍ମାଣ ମାମଲା ନେଇ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ବିସ୍ତତ ତଥ୍ୟ ରଖିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଅଧିକ ସମୟ ମାଗିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ଗତ ୨୧ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଛି। ଗତ ୮ତାରିଖରେ ମାମଲାର ଶୁଣାଣି କରି ୧୭ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ୱ ବିଭାଗକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ବିସ୍ତୃତ ତଥ୍ୟ ରଖିପାରି ନଥିବା ବେଳେ ପୁଣି ଅତିରିକ୍ତ ସମୟ ମାଗିଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୬ରେ ହେବ ବୋଲି ଜଣାପଡ଼ିଛି।