Saturday, March 22, 2025
Homeଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ରାମମନ୍ଦିର ପ୍ରତିଷ୍ଠା
Array

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ରାମମନ୍ଦିର ପ୍ରତିଷ୍ଠା

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଛି। ପ୍ରାୟ ୬ ମାସ ପରେ ଦେଶବ୍ୟାପୀ ଲୋକସଭା ନିର୍ବାଚନ ହେବ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କ୍ଷମତାରେ ଥିବା ଶାସକ ରାଜନୈତିକ ଦଳଗୁଡ଼ିକ ନୂଆ ନୂଆ ଯୋଜନା ଆଣୁଛନ୍ତି। ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ସମେତ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଘୋଷଣାପତ୍ର ଜାରି କରିଛନ୍ତି। ଏହି ଘୋଷଣା ପତ୍ରରେ ରହିଛି ଅନେକ ପ୍ରକାରର ମାଗଣା ଯୋଜନା। କେବଳ ଏତିକି ନୁହେଁ ଶାସକ ଦଳମାନେ ବିଭିନ୍ନ ଗୋଷ୍ଠୀ, ସଂପ୍ରଦାୟର ଲୋକଙ୍କୁ ନିଜ ସହିତ ଯୋଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।  

ଆସନ୍ତା ଜାନୁଆରି ମାସରେ ଦେଶର ୨ଟି ବୃହତ୍ ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ହେବ। ଏହି ଦୁଇଟି ପ୍ରକଳ୍ପ ଲୋକଙ୍କର ଆଧ୍ୟାତ୍ମିକ ଜୀବନ ସହିତ ଜଡ଼ିତ। ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିର ଓ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନୀ ରିପୋର୍ଟ କାର୍ଡରେ ଉଲ୍ଲେଖ କରିପାରନ୍ତି। ରାମ ମନ୍ଦିର ନିର୍ମାଣ ନେଇ ବିଜେପି ୨୦୧୯ ନିର୍ବାଚନରେ ପ୍ରଚାର କରିଥିଲା। ବିଜେପି ନେତୃତ୍ବରେ ଏନ୍ଡିଏ ସରକାର ପ୍ରତିଶ୍ରୁତି ଅନୁଯାୟୀ ଅଯୋଧ୍ୟାରେ ଭବ୍ୟ ନିର୍ମାଣ କରାଇପାରିଛି। ତେଣୁ ଭଗବାନ ଶ୍ରୀରାମଙ୍କୁ ଭଲ ପାଉଥିବା ଭୋଟରମାନେ ବିଜେପି ସପକ୍ଷରେ ଭୋଟ ଦେଇପାରନ୍ତି। ଉଭୟ ପ୍ରକଳ୍ପ ଧାର୍ମିକ ମନୋଭାବ ସହିତ ଜଡ଼ିତ। ଗୋଟିଏ ପ୍ରକଳ୍ପକୁ ନେଇ ଦେଶର କୋଟି କୋଟି ଜନତା ଅପେକ୍ଷାରତ ଥିବା ବେଳେ ଶ୍ରୀକ୍ଷେତ୍ରରେ ନିର୍ମାଣାଧୀନ ପ୍ରକଳ୍ପର କାମ ଶେଷ ହୋଇ ପ୍ରତିଷ୍ଠା ହୋଇଗଲେ ଭକ୍ତମାନଙ୍କୁ ଆଉ ପୂର୍ବପରି ହଟହଟା ହେବାକୁ ପଡ଼ିବ ନାହିଁ। ଭାରତ ଏକ ହିନ୍ଦୁ ସଂପ୍ରଦାୟ ବିଶିଷ୍ଟ ରାଷ୍ଟ୍ର ହୋଇଥିବାରୁ ଉଭୟ ପ୍ରକଳ୍ପ ପାଇଁ ହେଉଥିବା କାର୍ଯ୍ୟ  ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହି ଧାର୍ମିକ ବିକାଶ ମୂଳକ କାର୍ଯ୍ୟକୁ ନେଇ ଲୋକେ ନିର୍ବାଚନରେ କେତେ ଜନମତ ଦେବେ ତାହା ଭିନ୍ନ କଥା।

୧୮୦୦ କୋଟିର ରାମମନ୍ଦିର ପ୍ରକଳ୍ପ

ରାମଲଲାଙ୍କ ଜନ୍ମସ୍ଥଳ ଓ ବାବ୍ରି ମସଜିଦ ବିବାଦ ବହୁ ପୁରାତନ। ରାମ ମନ୍ଦିର ନେଇ ୧୯୮୫ ମସିହାରେ ପ୍ରଥମ ଥର ମାମଲା ରୁଜୁ ହୋଇଥିଲା। ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ ବିଶ୍ବ ହିନ୍ଦୁ ପରିସଦର ପ୍ରାୟ ଦେଢ଼ ଲକ୍ଷ ସଦସ୍ୟ ବାବ୍ରି ମସଜିଦ ଭାଙ୍ଗିବାରେ ନିୟୋଜିତ ଥିଲେ। ଏହି ଘଟଣା ପରେ ପ୍ରଭୁ ରାମଙ୍କ ଜନ୍ମସ୍ଥଳୀ ଅଧିକ ବିବାଦ ଘେରକୁ ଆସିଥିଲା। ଏହି ମାମଲା ଦୀର୍ଘ ଦିନ ପର୍ଯ୍ୟନ୍ତ କୋର୍ଟରେ ଚାଲିବା ପରେ ସୁପ୍ରିମକୋର୍ଟ ୨୦୧୯ ନଭେମ୍ବର ୯ରେ ଆଦେଶ ଦେଲେ ଯେ, ବିବାଦୀୟ ସ୍ଥଳରେ ହିନ୍ଦୁ ମନ୍ଦିର ନିର୍ମାଣ ହେବ। ମୁସଲିମମାନଙ୍କ ପାଇଁ ଅଯୋଧ୍ୟାରେ ଅନ୍ୟ ଏକ ସ୍ଥାନରେ ଜମି ଦିଆଯିବ। ଏହା ପର ଠାରୁ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ୨୦୨୦ ଅଗଷ୍ଟ ୫ରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ହୋଇଥିଲା। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଜଣାଶୁଣା ସାଧୁସନ୍ଥ ଏକତ୍ର ହୋଇଥିଲେ। ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପର ନିର୍ମାଣ କାମ ୩ ବର୍ଷ ୫ ମାସ ମଧ୍ୟରେ ଶେଷ କରାଯିବା ନିଶ୍ଚିତ ରୂପେ ଏକ ମହାନ କାମ। ଏହା ପରେ ନିର୍ମାଣ କାମ ଜାରି ରହିଛି। କିଛି ଦିନ ପୂର୍ବରୁ ଘୋଷଣା ହୋଇଛି ଯେ, ରାମମନ୍ଦିରର ପ୍ରତିଷ୍ଠା ଆଗାମୀ ଜାନୁଆରି ୨୨ ତାରିଖରେ ହେବ।  

୮୦୦ କୋଟିର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ହେଉଛି ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।‘ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହାକୁ ସାରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ଜାନୁଆରି ୧୭ ତାରିଖରେ ଏହି ପ୍ରକଳ୍ପର ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରକଳ୍ପ ଉଦଘାଟନ ହେବାକୁ ଥିବା ବେଳେ ବଡ଼ଧରଣର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହେବ। ପ୍ରାୟ ୮୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣାଧୀନ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମସିହା ନଭେମ୍ବର ୨୫ରେ ଶିଳାନ୍ୟାସ କରିଥିଲେ। ଶ୍ରୀମନ୍ଦିର ମେଘନାଦ ପାଚେରି ଠାରୁ ବାହାରକୁ ୭୫ ମିଟର ଅଂଚଳକୁ ଏହି ପ୍ରକଳ୍ପ ମାଧ୍ୟମରେ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହାରି ମଧ୍ୟରେ ଭକ୍ତମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments