Tuesday, September 17, 2024
Homeଖବରପ୍ରମୁଖ ଖବରଶ୍ରୀମନ୍ଦିର: ବରିଷ୍ଠ ଓ ଅସୁସ୍ଥଙ୍କୁ ଅସମ୍ମାନ! 

ଶ୍ରୀମନ୍ଦିର: ବରିଷ୍ଠ ଓ ଅସୁସ୍ଥଙ୍କୁ ଅସମ୍ମାନ! 

ଭୁବନେଶ୍ବର: ଧର୍ମ ମାସ ‘କାର୍ତ୍ତିକ’ ଚାଲିଛି। ନଭେମ୍ବର ୨୨ ତାରିଖ (କାର୍ତ୍ତିକ ଶୁକ୍ଲପକ୍ଷ ଦଶମୀ ତିଥି ଅବସରରେ ପଞ୍ଚୁକ ଆରମ୍ଭ ହେବ। ଏହି କାରଣରୁ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଛି। ଫଳରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଗହଳି ରହୁଛି। ତଥାପି ଭିଡ଼ ନିୟନ୍ତ୍ରଣ ପାଇଁ କାରଣ ଓ ତା’ର ନିରାକରଣର ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଛି। ଏହାରି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନକ ରଂଜନ କୁମାର ଦାସ ନିଜ ଜାଣତରେ ହେଉ ବା ଭୁଲବଶତଃ ହେଉ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ବୟସ୍କ ଓ ଅସୁସ୍ଥ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି। ଶ୍ରୀ ଦାସଙ୍କ ଏହି କେଇ ପଦ କଥା ଜଗନ୍ନାଥପ୍ରେମୀଙ୍କୁ କଠୋର ଆଘାତ ଦେଇଛି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ଠାକୁର। ସେ ହେଉଛନ୍ତି ଭକ୍ତ ବତ୍ସଳ। ତାଙ୍କୁ ଭକ୍ତମାନେ ଶ୍ରଦ୍ଧା କରନ୍ତି ବୋଲି ହଜାର ହଜାର କିଲୋମିଟର ଦୂରରୁ କେତ‌େ କଷ୍ଟ ପାଇଁ ଶ୍ରୀମନ୍ଦିର ପହଞ୍ଚି ଥାଆନ୍ତି। ଭକ୍ତମାନେ କାଳିଆ ଠାକୁରଙ୍କୁ ଦର୍ଶନ କଲା ପରେ ସବୁ ଦୁଃଖ-କଷ୍ଟକୁ ଭୁଲି ଯାଇଥାନ୍ତି। କାର୍ତ୍ତିକ ମାସ ପୂଣ୍ୟମାସ ହୋଇଥିବାରୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀ ପହଞ୍ଚିଛନ୍ତି। ସକାଳୁ ଓ ସନ୍ଧ୍ୟାରେ ଶ୍ରୀଜିଉଙ୍କ ଦର୍ଶନ କରି ଧନ୍ୟ ମନେ କରୁଛନ୍ତି। ବୟସ୍କ ନାଗରିକମାନେ ଜୀବନର ସାୟାହ୍ନରେ ଭଗବାନଙ୍କ ଉପରେ ହିଁ ଭରସା ରଖନ୍ତି। ସେହିପରି ଅସୁସ୍ଥ ବା ରୋଗୀ ଯେତେବେଳେ କଷ୍ଟ ପାଇଥାଏ, ସେ ଭଗବାନଙ୍କ ଉପରେ ନିଜକୁ ସମର୍ପି ଦେଇଥାଏ। ରାଜ୍ୟ ସରକାର ହବିଷ୍ୟାଳି ଯୋଜନା କରିଛନ୍ତି। ଏହାରି ମଧ୍ୟରେ ବରିଷ୍ଠ ନାଗରିକଙ୍କୁ ଜଗନ୍ନାଥ ଦର୍ଶନ କରାଉଛନ୍ତି। ଏହାରି ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଟିପ୍ପଣୀ ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି। ଏହାକୁ ସବୁ ମହଲରେ ତୀବ୍ର ନନ୍ଦା କରାଯାଉଛି।

ପଞ୍ଚୁକ ପାଇଁ ବ୍ୟବସ୍ଥା

ଅନ୍ୟପଟେ ପୁରୀରେ ପଞ୍ଚୁକ ବ୍ରତ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିବ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ଆଇଜି ସମୀକ୍ଷା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ପାଞ୍ଚ ଦିନ ବଡ଼ଦାଣ୍ଡରେ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିବ। ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବରେ ୩ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ମୋବିଲାଇଜେସନ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଏଥିସହ ପର୍ଯ୍ୟାପ୍ତ ପାନୀୟ ଜଳ ସହ ବୃଦ୍ଧ, ବୃଦ୍ଧା, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ୩ଟି ସିଫ୍ଟରେ ୫୦ ସ୍ବେଚ୍ଛାସେବୀ ମୁତୟନ ହେବେ।  

କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଥିଲେ ଯେ, ବୟସ୍କ ଓ ଅସୁସ୍ଥ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସନ୍ତୁ ନାହିଁ। କାର୍ତ୍ତିକ ମାସ କାରଣରୁ ଏବେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ତେଣୁ ଅଯଥା ଭିଡ଼ରେ ଆସି ଯନ୍ତ୍ରଣା ପାଆନ୍ତୁ ନାହିଁ। ସେ  ଏଭଳି ଢଙ୍ଗରେ ନିବେଦନ କରିଥିଲେ ଯେ, ୨୫ ବର୍ଷ ବୟସ୍କ ଭକ୍ତମାନେ ଯେଉଁଭଳି ଭିଡ଼ ଭିତରେ ଯାଇପାରିବେ, ୭୦ ବର୍ଷର ଅବା ଅସୁସ୍ଥ ଭକ୍ତମାନେ ସେଭଳି ଭିଡ଼ରେ ଯାଇପାରିବେନି। ନଚେତ୍‌ ଅଯଥା ଭିଡ଼ରେ କଷ୍ଟ ପାଇବେ। ପରିସ୍ଥିତି ଦେଖି ଦର୍ଶନ ପାଇଁ ଆସନ୍ତୁ। ଯଦି ପାରୁଛନ୍ତି ଭିଡ଼ରେ ନ ପଶି ଘରେ ବସି ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ।

ସହଯୋଗ କରୁ ପ୍ରଶାସନ

ସରକାର ଓ ପ୍ରଶାସନ ହାତରେ କ୍ଷମତା ଥିବାରୁ ଶ୍ରୀଗନ୍ନାଥଙ୍କୁ ନେଇ ମନଇଚ୍ଛା ଆଇନ ପ୍ରସ୍ତୁତ କରୁଛନ୍ତି। ନୂଆବର୍ଷରୁ ଶ୍ରୀମନ୍ଦିରରେ ଡ୍ରେସ କୋଡ ଲାଗୁ କରିବାକୁ ଯାଉଛନ୍ତି। ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଯାହା ହୋଇ ନଥିଲା, ଏଠାରେ ତାହା କରାଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି। କିନ୍ତୁ ଗୋଟେ ମଣିଷ ନିଜର ଶେଷ ଅବସ୍ଥାରେ ବିଶେଷ କରି ରୋଗଗ୍ରସ୍ତ ଥିବାବେଳେ ଏବଂ ବୃଦ୍ଧାବସ୍ଥାରେ ହିଁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଧାଇଁ ଆସିବାକୁ ବ୍ୟାକୁଳ ହୋଇ ପଡୁଥିବା ବେଳେ, ତାଙ୍କୁ ଅଟକାଇବା ପାଇଁ ଯେଉଁ ପ୍ରୟାସ କରାଯାଉଛି, ତାହା କେତେ ଠିକ୍‌?  ଭଲ ଓ ସୁସ୍ଥ ମଣିଷ ତ ଯେକୌଣସି ସମୟରେ ଜଗା ଦର୍ଶନ କରିପାରିବେ। ତେଣୁ ସବୁଠୁ ଜରୁରୀ ରୋଗୀ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ଏକ ସୁନ୍ଦର, ସହଜ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା। ପ୍ରଶାସନ ତାହା ନ କରି ରୋଗୀ ଓ ବୃଦ୍ଧ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଯିବାକୁ ମନା କରୁଛି। ବୟସ୍କ ଓ ଅସୁସ୍ଥଙ୍କ ଜଗାଦର୍ଶନ ପାଇଁ ପ୍ରଶାସନ ଓ ପୁଲିସ ଚାହିଁଲେ ସହଜ କରିପାରିବ। ଏହାକୁ ସମସ୍ତେ ଭଲ ବୋଲି କହିବେ। ପ୍ରଶଂସା କରିବେ। କିନ୍ତୁ ତାହା ନକରି ପୁଲିସ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଆଉ ପୁରୁଷଙ୍କ ପକେଟ୍ ଅଣ୍ଡାଳିବାରେ ବ୍ୟସ୍ତ।  

ଭଲ ବ୍ୟବସ୍ଥା ଦରକାର

ଶ୍ରୀଜିଉଙ୍କ ଦର୍ଶନ ଲାଗି ବୟସ୍କ ଲୋକ ଓ ରୋଗଗ୍ରସ୍ତ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ।  ସେମାନେ ସହଜରେ ଯେପରିକି ଜଗନ୍ନାଥ ଦର୍ଶନ କରିପାରିବେ, ଜଗନ୍ନାଥ ଦର୍ଶନ କରି ଖୁସିରେ ଯିବେ ସେହିଭଳି ପଦକ୍ଷେପ ନିଆଯିବା ଉଚିତ ବୋଲି ବୋଲି ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଉଛି। ଠାକୁର ସମସ୍ତଙ୍କର। ସମସ୍ତେ ଦର୍ଶନ କରିପାରିବେ। ଆଗରୁ ତ ସମସ୍ତେ ଦର୍ଶନ କରିପାରୁଥିଲେ କିଛି ଅସୁବିଧା ହଉନଥିଲା। ଏଇ କେତେ ବର୍ଷ ହେଲା ସବୁ ଅସୁବିଧା ହଉଛି। ଭକ୍ତ ଓ ଭଗବାନ ମଝିରେ ପ୍ରଶାସନ କାହିଁକି ପାଚେରୀ ଭଲି ଠିଆ ହେଉଛି? ଭଗବାନ ସମସ୍ତଙ୍କର। ତେଣୁ ଶୃଂଖଳିତ ଦର୍ଶନ କରେଇବାକୁ ପ୍ରଶାସନ ଗୁରୁତ୍ୱ ଦେଉ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ପୁଲିସ କର୍ମଚାରୀ କେବଳ ନେତା-ମନ୍ତ୍ରୀଙ୍କୁ ମହାପ୍ରଭୁଙ୍କର ଶୃଙ୍ଖଲିତ ଦର୍ଶନ କରାଇଥାନ୍ତି। କାରଣ ସେମାନଙ୍କ ଚାମଚାଗିରି କଲେ ତାଙ୍କର ପଦୋନ୍ନତି ହେବ। ଭଲ ଜାଗାକୁ ବଦଳି ହେବ ବୋଲି ମଧ୍ୟ ଜଣେ ଜଗନ୍ନାଥ ଭକ୍ତ ଅଭିଯୋଗ ଆଣିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments