ନୂଆଦିଲ୍ଲୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶ୍ରୀଲଙ୍କାରେ ବିଗତ ଏକ ମାସରୁ ଅଧିକ ସମୟ ହେବ ସଂକଟ ଦେଖାଯାଇଛି। ଆଥିର୍କ ସମସ୍ୟା ଦେଇ ଗତି କରୁଥିବା ସୁବର୍ଣ୍ଣର ଲଙ୍କାପୁରୀରେ ଏବେ ଚାରିଆଡେ ହିଂସା ଦେଖିବାକୁ ମିଳୁଛି। ହିଂସାର ମୁଖ୍ୟ କାରଣ ଖାଦ୍ୟପେୟର ଅଭାବ। ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ଯୋଗୁଁ ଦେଶର ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଘରେ ସୋମବାର ରାତିରେ ଅଗ୍ନି ସଂଯୋଗ କରିଦେଇଛନ୍ତି। ଉପଦ୍ରବକାରୀମାନେ ଦାବି କରିଛନ୍ତି ଯେ, ମହିନ୍ଦା ରାଜପକ୍ଷେଙ୍କ ଯୋଗୁଁ ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ରସାତଳକୁ ଚାଲିଯାଇଛି। ଅବସ୍ଥା ଆହୁରି ଅଧିକ ଦୟନୀୟ ହୋଇଯାଇଛି। ଏପରିକି ଲୋକଙ୍କୁ ଖାଇବାକୁ ମିଳିପାରୁ ନାହିଁ।
ସୁବର୍ଣ୍ଣର ଲଙ୍କାପୁରୀରେ ତ୍ରେତୟା ଯୁଗର ହନୁମାନ ଲଙ୍କାକାଣ୍ଡ କରିନାହାନ୍ତି। ବରଂ ଏହି ଲଙ୍କାକାଣ୍ଡ କରିଛନ୍ତି ଦେଶର ସାଧାରଣ ନାଗରିକ। ଉତ୍ତେଜିତ ଲୋକେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜପକ୍ଷେଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। ଉତ୍ତର-ପଶ୍ଚିମ ରାଜ୍ୟର କୁରୁନେଗଲାରେ ଥିବା ରାଜପକ୍ଷେଙ୍କନିବାସରେ ସୋମବାର ନିଆଁ ଲଗାଇଦେଇଛନ୍ତି। ରାଷ୍ଟ୍ରପତିଙ୍କୁ ମହିନ୍ଦାନିଜର ଇସ୍ତଫା ପତ୍ର ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଉତ୍ତେଜିତ ଜନତାଙ୍କ ରାଗ ଏତିକିରେ ଶେଷ ହୋଇନାହିଁ ବରଂ ମୋରାତୁବା ମେୟର ସମନ ଲାଲ ଫର୍ଣ୍ଣାଡୋ ଓ ସାଂସଦ ସନଥ ନିଶାନ୍ତ, ରମେଶ ପଥିରାନା, ମହିପାଳ ହେରାଥ, ଥିସା କୁଟ୍ଟିୟାରାଚୀ ଓ ନିମଲ ଲାଞ୍ଜା ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଇଣ୍ଟର-ୟୁନିଭରର୍ସିଟି ଷ୍ଟୁଡେଣ୍ଟ ଫେଡରେଶନ ସମେତ ଅନ୍ୟ ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଥିଲେ ଏବଂ ପୋଦୁଜାନା ପେରାମୁନାର ସାଂସଦଙ୍କ ଉପରେ ଆକ୍ରମଣ କରିଥିଲେ।
ଆତ୍ମହତ୍ୟା କଲେ ସାଂସଦ
ହିିଂସାକାଣ୍ଡ ଯୋଗୁଁ ଶ୍ରୀଲଙ୍କାର ଜଣେ ସାଂସଦଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ, ନିଟ୍ଟବୁୱା ସହର ନିକଟ ପ୍ରଦର୍ଶନକାରୀମାନେ ସାଂସଦଙ୍କ ଅମରକୀର୍ତ୍ତି ଅଥୁକୋରଳାର କାରକୁ ଘେରି ଯାଇଥିଲେ। ଏହାକୁ ଦେଖି ସାଂସଦ ବ୍ୟସ୍ତ ହୋଇ ପ୍ରଥମେ ପ୍ରଦର୍ଶନକାରୀଙ୍କ ଉପରକୁ ବନ୍ଧୁକରୁ ଗୁଳି ଚଳାଇଥିଲେ। ପରେ ସେ ଲୋକଙ୍କ ଭିଡକୁ ଭୟକରି ଆତ୍ମହତ୍ୟା କରିଦେଇଥିଲେ। ସାଂସଦଙ୍କର ଏହି ଫାଇରିଂରେ ୨ ଜଣ ଗୁରୁତର ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଭିଡରେ ଥିବା ପ୍ରଦର୍ଶନକାରୀମାନେ ସାଂସଦଙ୍କୁ ଘେରି ଯାଇଥିଲେ। ପୋଦୁଜାନା ପେରାମୁନାର କିଛି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି।
ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି
ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଶ୍ରୀଲଙ୍କାରେ ମାସକ ପରେ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ। ଗତ ଶୁକ୍ରବାର ମଧ୍ୟରାତ୍ରିଠାରୁ ଜରୁରୀକାଳନୀ ଲାଗୁ ହୋଇଛି। ଏହା ପୂର୍ବରୁ ମଧ୍ୟ ଗତ ଏପ୍ରିଲ ୪ ତାରିଖ ଶ୍ରୀଲଙ୍କାରେ ଆର୍ଥିକ ସଂକଟ କାରଣରୁ ଜରୁରୀକାଳୀନ ଘୋଷଣା କରାଯାଇଥିଲା। ଦେଶରେ ଆର୍ଥିକ ସମେତ ରାଜନୈତିକ ଅସ୍ଥିରତା ଦେଖାଯାଇଥିଲେ। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବିରୋଧରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ରାଷ୍ଟ୍ରପତିଙ୍କ ଇସ୍ତଫା ମାଗିଥିଲେ।
ମୃତ୍ୟୁ ସଂଖ୍ୟା ବଢ଼ିଲା, ଲୁଚିଲେ ମହିନ୍ଦ୍ରା !
ସରକାରଙ୍କୁ ବିରୋଧ କରି ଦେଖାଯାଇଥିବା ହିଂସାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ୨୧୭ ଜଣ ଆହତ ହୋଇଛନ୍ତି। ଦେଶରେ ହିଂସାକାଣ୍ଡ ଓ ବିକ୍ଷୋଭ ଜାରି ରହିଛି। ଶାସକ ସମର୍ଥିତ ଗୋଷ୍ଠୀ ଓ ସରକାର ବିରୋଧୀ ଲୋକମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଛି। ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ କର୍ଫ୍ୟୁ ଲଗାଇଦେଇଛନ୍ତି। ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି। ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମହିନ୍ଦ୍ରା ରାଜପକ୍ଷେ ନିଜ ପରିବାର ସହ ପ୍ରାଣ ବିକଳରେ ରାଷ୍ଟ୍ରପତି ଭବନରୁ ଖସିଯାଇଛନ୍ତି। ସେ ସେନା ହେଲିକପ୍ଟର ମାଧ୍ୟମରେ କଲମ୍ବୋଠାରୁ ୨୭୦ କିଲୋମିଟର ଦୂର ତ୍ରିଙ୍କୋଣମାଲି ସହରରେ ଥିବା ନାଭାଲ ବେସ୍ ବା ନୌସେନା ଘାଟିରେ ଆଶ୍ରୟ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।