ଭୁବନେଶ୍ୱର: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ନରସଂହାର ଘଟଣାକୁ ୧୦ ଦିନ ପୂରିଛି। କିନ୍ତୁ ଗୋଟିଏ ପରିବାରର ୫ ଜଣଙ୍କୁ ଏକକାଳୀନ ଜଣେ ଅଭିଯୁକ୍ତ ହତ୍ୟା କରିବା ନେଇ ସନ୍ଦେହ ଦୂର ହୋଇପାରି ନାହିଁ। ଜଣେ ବ୍ୟକ୍ତି ଖୁବ୍ କମ ସମୟରେ କେମିତି କ୍ରମାଗତ ଭାବେ ୫ ଜଣଙ୍କୁ ହତ୍ୟା କରିପାରିଲା, ତାହାକୁ ନେଇ ସନ୍ଦେହ ଉପୁଜିଛି। ପୁଣି ଯେଉଁ ବଡ଼ଭାଇ ସହିତ ଅଭିଯୁକ୍ତ ନିଜ ପିଲାଦିନରେ ଖେଳକୁଦ କରୁଥିଲା, ତା’ର ପରିବାରକୁ ନିଶ୍ଚିହ୍ନ କରିବା ପାଇଁ ହାତ ଅଟକିଗଲା ନାହିଁ କେମିତି, ଏଭଳି ଅନେକ ପ୍ରଶ୍ନ ଛିଡ଼ା ହେଉଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଶିବପ୍ରସାଦ ସାହୁ କିନ୍ତୁ ସବୁବେଳେ କହି ଆସୁଛି ଯେ, ବଡ଼ଭାଇର ପରିବାରକୁ ସେ ହିଁ ନିଶ୍ଚିହ୍ନ କରିଥିଲା।
ଏହାରି ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଅଭିଯୁକ୍ତ ଧାରୁଆ ଅସ୍ତ୍ର ଦ୍ୱାରା ସମସ୍ତ ୫ ଜଣଙ୍କୁ ହତ୍ୟା କରିଛି। ବ୍ୟବଚ୍ଛେଦ ରିପୋର୍ଟ ସହ ହତ୍ୟାକାରୀ ଶିବପ୍ରସାଦ ସାହୁର ସିଡିଆର ଅର୍ଥାତ ମୋବାଇଲ୍ ଫୋନ୍ କଲ୍ ଡିଟେଲ୍ ରେକର୍ଡ ମଧ୍ୟ ପୁଲିସ ପାଇଛି। ଏହାର ଅନୁଧ୍ୟାନ ଆରମ୍ଭ ହୋଇଥିବାବେଳେ ଏବେ ପୁଲିସ ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ତେବେ ହତ୍ୟା କାରଣ ପଛରେ ରହିଛି ସମ୍ପତ୍ତି। କାରଣ ବଡ଼ଭାଇ ଅଲେଖ ସାହୁ ନିଜର ସାନଭାଇକୁ ପୈତୃକ ସମ୍ପତ୍ତି ଦେବାରେ ଅବହେଳା କରିଥିଲେ। ନିଜ ପରିବାରକୁ ଯେମିତି ସୁଖରେ ରଖିଥିଲେ, ସାନଭାଇର ପରିବାରର ସୁଖ ଚାହିଁ ନଥିଲେ। ଅଭିଯୁକ୍ତ ଶିବ ଭିଡିଓ କ୍ଲିପ ଜରିଆରେ ଏହା କହିଛି। ସୂଚନାଯୋଗ୍ୟ, ଗତ ୧୧ ତାରିଖଦିନ ଅଭିଯୁକ୍ତ ଶିବପ୍ରସାଦ ବଡ଼ଭାଇ ଅଲେଖ ସାହୁ (୪୪), ଭାଉଜ ରଶ୍ମିରେଖା ପୃଷ୍ଟି (୩୮), ବଡ଼ ପୁତୁରା ସ୍ମୃତି ସ୍ମାଇଲ (୧୭), ସାନ ପୁତୁରା ସ୍ମୃତି ସୌରଭ (୧୪) ଓ ଝିଆରୀ ସ୍ମୃତିସନ୍ଧ୍ୟା (୧୯)ଙ୍କୁ ହତ୍ୟା କରିଥିଲା।
ଅହମଦାବାଦ୍ରେ ୪ ଜଣଙ୍କୁ ନୃଶଂସ ହତ୍ୟା
ଗୁଜରାଟର ଅହମଦାବାଦ୍ ଗତମାସ ୨୯ ତାରିଖରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପୁଅ-ଝିଅଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ପାରିବାରିକ କହଳ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ପୋଲିସ କହିଥିଲା। ଅହମଦାବାଦ୍ର ଓପ ଅଞ୍ଚଳରେ ଦିବ୍ୟପ୍ରଭା ସୋସାଇଟିରେ ଏକ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୁାଲିସକୁ ଏବାବଦରେ ସୂଚନା ଦେଇଥିଲେ। ପୋଲିସ ଘରର ତାଲାଭାଙ୍ଗି ଦେଖିଲା ବେଳକୁ ଭିନ୍ନ ଭିନ୍ନ କୋଠାରୀରେ ୪ଟି ମୃତଦେହ ପଡ଼ିରିହିଥିଲା। ପାରିବାରିକ କଳହ ଯୋଗୁଁ ପରିବାରର ମୁଖ୍ୟ ବିନୋଦ ମରାଠୀ ନିଜ ପତ୍ନୀ ସୋନଲ ମରାଠୀ, ଝିଅ ପ୍ରଗତି, ପୁଅ ଗଣେଶ ଓ ଶାଶୁ ସୁଭଦ୍ରାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା।
ସ୍ତ୍ରୀ ଓ ୩ ଝିଅଙ୍କ ଗଳା କାଟି ଆତ୍ମହତ୍ୟା
ସେହିପରି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗତ ୧୬ ତାରିଖ ଦିନ ପରିବାରର ମୁଖ୍ୟ ନିଜ ସ୍ତ୍ରୀ ଓ ୩ ଝିଅଙ୍କୁ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଥିଲା। ନବାବଗଂଜ ଥାନା ଅନ୍ତର୍ଗତ ଖାଗଲପୁର ଗାଁର ମୃତକମାନେ ଥିଲେ ରାହୁଲ ତିୱାରୀ (୪୨), ସ୍ତ୍ରୀ ପ୍ରୀତି (୩୮), ତିନି ଝିଅ ମାହୀ, ପୀହୁ ଓ ପୋହୁ। ପରିବାରର ମୁଖ୍ୟ ରାହୁଲ ତିୱାରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା।