ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କୁ ବାରମ୍ବାର ବିରୋଧ କରାଯାଉଛି। ଓଡ଼ିଶା ସରକାରରେ ସବୁଠାରୁ ଦକ୍ଷ ଏବଂ ପ୍ରଭାବଶାଳୀ ସଚିବଙ୍କୁ ବାରମ୍ବାର ବିରୋଧ କରାଯାଇ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ଼ କରାଯିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ କଡ଼ା ସମାଲୋଚନା କରାଯାଉଛି। ୫-ଟି ସଚିବଙ୍କ ଗସ୍ତକୁ ଶାସକ ଦଳ ସମର୍ଥନ ଜଣାଉଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ବିରୋଧ କରୁଛି। ଏବେ ୫-ଟି ସଚିବଙ୍କୁ ଆମ୍ ଆଦମୀ ପାର୍ଟି (ଆପ୍)ର କିଛି କର୍ମକର୍ତ୍ତାମାନେ ମଧ୍ୟ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦେଖୁଛନ୍ତି। ଏପର୍ଯ୍ୟନ୍ତ କିନ୍ତୁ ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ନିଜର ପ୍ରତିକ୍ରିୟା ରଖିଥାନ୍ତି। ଏହି ପ୍ରସଙ୍ଗରେ ମଧ୍ୟ ଆଗାମୀ ଦିନରେ ସେ ମୁହଁ ଖୋଲିପାରନ୍ତି।
୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସବୁଠାରୁ ଭରସାଯୋଗ୍ୟ ଅଧିକାରୀ। ଏଇଥି ପାଇଁ ସେ କିଛି ମାସ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଇ ପ୍ରକଳ୍ପ ନିର୍ମାଣ କାମ ପାଇଁ ତଦାରଖ କରିବାକୁ ପଠାଉଛନ୍ତି। ୫-ଟି ସଚିବ ଯେତେବେଳେ ସଭା-ସମିତିକୁ ସମ୍ବୋଧନ କରୁଛନ୍ତି, ସେହି ସମୟରେ ସେ ଏହା ଉପସ୍ଥିତ ଜନତାଙ୍କୁ କହୁଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ଆପଣମାନଙ୍କ ପାଖକୁ ଆସିଛି। ଅନ୍ୟପଟରେ କେଉଁ ଜିଲ୍ଲା ବା ଅଞ୍ଚଳରେ କ’ଣ ଦରକାର ସେନେଇ ସେଠାକାର ବିଧାୟକ ଅଥବା ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ କିଛି ଘୋଷଣା କରିପାରିବେ ନାହିଁ। ଲୋକେ ସ୍ଥାନୀୟ ନେତା ଓ ବିଧାୟକଙ୍କୁ ସେମାନଙ୍କର ଆବଶ୍ୟକତା ବିଷୟରେ କହୁନାହାନ୍ତି। ବରଂ ସୁଯୋଗ ମିଳିଲେ ଶ୍ରୀ ପାଣ୍ଡିଆନଙ୍କୁ ଦାବି ପତ୍ର ଦେଉଛନ୍ତି।
ସ୍ଥାନୀୟ ନେତାଙ୍କ କାମ କ’ଣ?
ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ବିଧାୟକମାନେ ନିଜ ଅଞ୍ଚଳର ଲୋକଙ୍କ ପାଇଁ କିଛି ଘୋଷଣା କରିପାରୁ ନାହାନ୍ତି। ସେଥିପାଇଁ ଆଗାମୀ ନିର୍ବାଚନରେ ଲୋକମାନଙ୍କୁ କ’ଣ କହିବେ ଚିନ୍ତିତ ମଧ୍ୟ ଅଛନ୍ତି। ଯଦି ରାଜ୍ୟ ବିକାଶ କାମ କେବଳ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ କରୁଛନ୍ତି, ତା’ହେଲେ ନିର୍ବାଚନ କାହିଁକି ହେବ ବୋଲି ମଧ୍ୟ କିଛି ଲୋକ ମତଦେବା ଆରମ୍ଭ କଲେଣି। ସ୍ଥାନୀୟ ନେତାଙ୍କର କାମ କ’ଣ? ସେମାନେ କେଉଁ ଆଧାରରେ ନାମକୁ ମାତ୍ର ଲୋକପ୍ରତିନିଧିଙ୍କୁ ଭୋଟ ଦେବେ। କାରଣ ସ୍ଥାନୀୟ ଅଞ୍ଚଳରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ନେଇ ସେମାନଙ୍କୁ ଦଳୀୟ ସୁପ୍ରିମୋ ସେହିଭଳି ଅଧିକାର ଦେଇ ନାହାନ୍ତି।
ବିଚିତ୍ର ଶାସନ ବ୍ୟବସ୍ଥା
ଓଡ଼ିଶାର ଶାସନ ବ୍ୟବସ୍ଥା ଯେଉଁଭଳି ସ୍ଥିତିରେ ପହଞ୍ଚିଛି, ଦେଶରେ ଏଭଳି ଅବସ୍ଥା ଆଉ କୌଣସି ରାଜ୍ୟରେ ଦେଖାଯାଉଥିବାର ନଜିର ନାହିଁ। କିନ୍ତୁ ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେଡି କର୍ମୀ, ପ୍ରଶାସନିକ ଅଧିକାରୀ-କର୍ମଚାରୀ, ମିଶନ ଶକ୍ତିର ସଦସ୍ୟ ଓ ସ୍ଥାନୀୟ ଲୋକେ ବହୁତ ଖୁସି ଅନୁଭବ କରୁଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାରେ କୌଣସି ସ୍ଥାନରେ ତ୍ରୁଟି ଦେଖାଯାଉଥିଲେ ଗଣମାଧ୍ୟମ ତାକୁ ବିରୋଧ କରିବାର ଅଧିକାର ଅଛି। କିନ୍ତୁ ରାଜ୍ୟରେ ଗଣମାଧ୍ୟମ ସବୁ ଜାଣି ମଧ୍ୟ କିଛି ଲେଖିପାରୁ ନାହିଁ। ଆଉ ଏକ ଆଶ୍ଚର୍ଯ୍ୟର କଥା ହେଲା ଯେ, ବିଗତ କିଛି ମାସ ମଧ୍ୟରେ ୫-ଟି ସଚିବ ଜିଲ୍ଲାୱାରି ଗସ୍ତ କରି ଯେଉଁଭଳି ଭାବେ ପ୍ରକଳ୍ପ ଘୋଷଣା କରୁଛନ୍ତି, ବିଗତ ୨୨ ବର୍ଷର ଓଡ଼ିଶା ସରକାରରେ ସେହିଭଳି ଦେଖାଯାଇ ନଥିଲା। କିନ୍ତୁ ଘୋଷିତ ପ୍ରକଳ୍ପ କାମ କେରତେ ମଜବୁତ ହେବ ତାହା ସମୟ କହିବ।
୫-ଟି ସଚିବଙ୍କୁ କଳାପତାକା ଦେଖାଇଲେ
ବିଗତ ୯ ଦିନ ଭିତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ କରାଯାଇଛି। ଜୁନ ୨୯ ତାରିଖ ଦିନ ଜଗତସିଂହପୁର ଗସ୍ତ କାଳରେ ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ବରେ ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ରାହାମା, କୁଜଙ୍ଗ ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶତାଧିକ ମହିଳା ସରକାରଙ୍କ ମହିଳା ବିରୋଧୀ ମନୋଭାବ ବିରୋଧରେ କଳା ଶାଢ଼ି ପିନ୍ଧି ପ୍ରତିବାଦ କରିଥିଲେ। ୫-ଟି ସଚିବ ହେଲିକପ୍ଟର୍ରେ ପାରାଦୀପ ଆସିଥିବାରୁ ଆକାଶରେ କଳା ବେଲୁନ୍ ଉଡ଼ାଇ ବିରୋଧ କରିଥିଲେ। କର୍ମୀମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା। ଜୁଲାଇ ୭ ତାରିଖରେ ବୌଦ୍ଧ ଜିଲ୍ଲାରେ ସମାନ ପ୍ରକାର ପରିସ୍ଥିତି ଦେଖାଯାଇଥିଲା। ବୌଦ୍ଧରେ କଂଗ୍ରେସ ଓ ବିଜେପି କର୍ମୀ ବିରୋଧ କରିଥିଲେ। କଳାପତାକା ଦେଖାଇଥିଲେ ଓ ଅଣ୍ଡାମାଡ଼ କରିଥିଲେ। ଏହା ପୂର୍ବରୁ ଜୁଲାଇ ୬ରେ ସୁବର୍ଣ୍ଣପୁରରେ ମଧ୍ୟ ପାଣ୍ଡିଆନଙ୍କୁ ସମାନ ପ୍ରକାରର ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥିଲା।