ଭୁବନେଶ୍ବର: ଗରିବୀର କଷାଘାତରେ ଓଡ଼ିଶାର ଲକ୍ଷଲକ୍ଷ ପରିବାର ଛଟପଟ ହେଉଥିବା ବେଳେ ମାତ୍ର ୨୫ କିଲୋମିଟର ଦୂର ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ଉଡୁଛନ୍ତି। ଗତ ୧୬ ତାରିଖ ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ସେହିଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକ ଗସ୍ତ କରି ନେତାଜୀ ବସ୍ ଟର୍ମିନାଲକୁ ଉଦ୍ଘାଟନ କରିବା ସହିତ ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟ ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ବିଗତ ୩ ମାସ ମଧ୍ୟରେ ରାଜ୍ୟର ସବୁ ଜିଲ୍ଲାକୁ ହେଲିକପ୍ଟରରେ ଗସ୍ତ କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଗରିବୀ ଓଡ଼ିଶାରେ ଲୋକେ ପେଟ ପୋଷିବା ପାଇଁ ଉପାୟ ଶୂନ୍ୟ ହେଉଛନ୍ତି। ଶେଷରେ ଜୀବନ ବଞ୍ଚାଇବା ପାଇଁ ପଡୋଶୀ ରାଜ୍ୟ ଓ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ପ୍ରବାସୀ ଦାଦନ ଶ୍ରମିକମାନଙ୍କ ମଧ୍ୟରୁ ଅନେକ ଶବ ହୋଇ ଫେରୁଛନ୍ତି। ୨୩ ବର୍ଷର ରାଜ୍ୟ ସରକାର ଏହି ଚିର ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଇପାରି ନାହାନ୍ତି। କରୋନା ସମୟରେ ସରକାର ପ୍ରବାସୀ ଓଡ଼ିଆଙ୍କୁ ରୋଜଗାର ଦେବା ପାଇଁ କହିଥିଲେ। କିନ୍ତୁ ସେସବୁ ଭୁଲି ଯାଇଥିଲେ। ୫ଟି ସଚିବଙ୍କ ହେଲିକପ୍ଟରରେ ଜିଲ୍ଲାଗସ୍ତ ନେଇ ଗଣମାଧ୍ୟମ, ବୁଦ୍ଧିଜୀବୀ ଓ ବିରୋଧୀ ଦଳ ନେତାମାନେ ଅଭିଯୋଗ ଆଣିଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋମବାର ବିଧାନସଭାରେ ବିବୃତ୍ତି ରଖିଛନ୍ତି। ବିବୃତ୍ତି ମାଧ୍ୟମରେ ସେ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି। କହିଛନ୍ତି ଯେ, ସଚିବଙ୍କ ୫ଟି ଗସ୍ତ ଦ୍ବାରା ଖର୍ଚ୍ଚ କମ ହୋଇଛି। ଲୋକମାନେ ଅଭିଯୋଗ ପାଇଁ ଭୁବନେଶ୍ବର ଆସିଥିଲେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଗତ ମେ’ ୧୪ ତାରିଖରେ ୫ଟି ସଚିବ ହେଲିକପ୍ଟରରେ ଅନୁଗୁଳ ଯାଇ ପାଳଲହଡ଼ାରେ ଏକ ବିବାହ ଭୋଜିରେ ଯୋଗ ଦେଇଥିଲେ। ସେହିପରି ଜୁନ ୨୮ରେ ଜଣେ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବାବଦରେ ମୁଖ୍ୟମନ୍ତ୍ରୀ ପାଟି ଫିଟାଇ ନାହାନ୍ତି। ସେ କ’ଣ ଏହି ଗସ୍ତ ବିଷୟରେ ଅଜଣା ନା ଗାଲୁ ମାରୁଛନ୍ତି।
ଲୋକଙ୍କ ସ୍ବାର୍ଥ ଦେଖନ୍ତି କି ମୁଖ୍ୟମନ୍ତ୍ରୀ?
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କର ଅଭିଯୋଗ ଶୁଣିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଗସ୍ତ କରିଥିଲା। ତାଙ୍କର କାର୍ଯ୍ୟାଳୟରୁ ଅଧିକାରୀ ଏହି ଗସ୍ତ କରିଥିଲେ। ସମୟ କମ ଥିବାରୁ ହେଲିକପ୍ଟରକୁ ମାଧ୍ୟମ କରାଯାଇଥିଲା। ତେବେ ଯଦି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କର ଖର୍ଚ୍ଚ କାଟ କରିବା ପାଇଁ ଏହି ବିକଳ୍ପ ବାଛିଥିଲେ, ସେ ପ୍ରତିଜିଲ୍ଲା ପାଇଁ ସ୍ବତନ୍ତ୍ର ଭାବେ ଭିଡିଓ କନଫରେନ୍ସରେ ଅଭିଯୋଗ ଶୁଣାଇ ପାରିଥାନ୍ତେ। ହଜାର ହଜାର ଲୋକଙ୍କ ପାଇଁ ଟେଣ୍ଟ ନିର୍ମାଣ, ଲୋକଙ୍କୁ ଆଣିବା ପାଇଁ ପରିବହନ, ଖାଇବା ବ୍ୟବସ୍ଥା ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହେଲା ତାହା ବଞ୍ଚି ଯାଇଥାନ୍ତା। ୫ଟି ସଚିବଙ୍କ ଗସ୍ତ କାଳରେ ବିଭିନ୍ନ ସ୍ଥାନରେ ଯେଉଁ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା ତାହା ହୋଇ ନଥାନ୍ତା। ଏପରିକି ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ଼, ସୋନପୁର, ବୌଦ୍ଧ, ଜଗତସିଂହପୁରରେ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ ହୋଇ ନଥାନ୍ତା।
ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ କରାଯାଇ ପାରିଥାନ୍ତା
ଅଭିଯୋଗସ୍ଥଳକୁ ବିଜେଡିର ରଂଗକୁ ପ୍ରତୀକ ଭାବେ ନିଆଯାଇଥିଲା। ମଂଚ ଓ ଟେଣ୍ଟର ତତାରଖ କରୁଥିଲେ ମନ୍ତ୍ରୀ ଓ ବିଜେଡି ନେତା। ଗୋଟିଏ କାର୍ଯ୍ୟକ୍ରମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ମୁଖ୍ୟମନ୍ତ୍ରୀ ଏହାର ହିସାବ ଦେଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ଯଦି ଚାହାନ୍ତି ଯେ, ଅନ୍ୟଥାରେ ରାଜ୍ୟର ରାଜସ୍ବ ଖର୍ଚ୍ଚ ନହେଉ, ଏଥି ପାଇଁ ଭିଡିଓ କନଫରେନ୍ସିଂରେ ଜନଶୁଣାଣି କରିଥିଲେ ଭଲ ହୋଇଥାନ୍ତା। ଜିଲ୍ଲାର ମୁଖ୍ୟାଳୟରେ ଥିବା ସରକାରୀ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ କରାଯାଇ ପାରିଥାନ୍ତା। ଯଦି ୫ଟି ସଚିବଙ୍କୁ ସେ ଅଭିଯୋଗ ଶୁଣାଣି ଓ ଅଭିଯୋଗ ଗ୍ରହଣ କରିବାକୁ ପଠାଇଥିଲେ, ତାହେଲେ ଗଂଜାମ ଗସ୍ତରେ ଭିକେ ପାଣ୍ଡିଆନ ବିନା ନାମ ନେଇ ଜଣେ ବିଧାୟକଙ୍କ ବିରୋଧରେ କାହିଁକି ଅନର୍ଗଳ କହୁଥିଲେ। ଯଦି ସିଏମ୍ଓ କାର୍ଯ୍ୟାଳୟ ଅଭିଯୋଗ ଶୁଣିବାକୁ ଯାଉଥିଲେ, ତା’ହେଲେ ଅଭିଯୋଗକାରୀଙ୍କ ବଦଳରେ କାହିଁକି ମିସନ ଶକ୍ତିର ସଦସ୍ୟ ଓ ସ୍କୁଲ-କଲେଜର ଛାତ୍ରଛାତ୍ରୀଙ୍କୁ ସଭାସ୍ଥଳୀଙ୍କୁ ଅଣାଯାଉଥିଲା। ଆହୁରି ଅଭିଯୋଗ ହେଉଛି ଯେ, କିଛି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଠାରୁ ଚାନ୍ଦା ଅସୁଲି କରାଯାଇଥିଲା।
କ’ଣ କହିଲେ ମୁଖ୍ୟମନ୍ତ୍ରୀ
ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲି। ସିଏମଓର ଅଫିସରମାନେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ବାଟ ବାହାର କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ସିଏମଓ ଗତ ୬ ମାସରେ ରାଜ୍ୟର ୧୯୦ ଜାଗାରେ ଲୋକଙ୍କୁ ଭେଟି ୫୭ ହଜାର ୪୪୨ ପିଟିସନ୍ ପାଇଥିଲା। ସେଥିରୁ ୪୩,୫୩୬ ପିଟିସନ୍ର ସମାଧାନ ହୋଇପାରିଛି। ୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡ଼ିଥାନ୍ତା। ଏଥିପାଇଁ ଲୋକଙ୍କ ଯିବା ଆସିବା, ରହିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଲୋକଙ୍କ ଦୈନିକ ମଜୁରୀ ମଧ୍ୟ ହାତଛଡ଼ା ହୋଇଥାନ୍ତା। ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ ସିଏମଓର ତ୍ରୁଟି ନାହିଁ। ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ଟାରୁ ୩ଟା ମଧ୍ୟରେ କରିବା ଯେକୌଣସି ମଣିଷ ପାଖରେ ଅସମ୍ଭବ ଅଟେ। ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ନରସିଂହ ମିଶ୍ର କହିଲେ
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି। ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ବିଧାନସଭାର ଆବଶ୍ୟକତା ନାହିଁ। ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଉନାହିଁ। ପ୍ରଶ୍ନର ଉତ୍ତର ମିଳୁନି। ମତେ କହିବାର ସୁଯୋଗ ଦିଆଗଲା ନାହିଁ। ମାଇକକୁ ବନ୍ଦ କରିଦିଆଗଲା। ସଚିବଙ୍କ ଗସ୍ତ ମନ୍ତ୍ରୀମାନେ ବୁଝୁଛନ୍ତି। ଗାଡ଼ିରେ ଲୋକଙ୍କୁ ବୁହାଯାଉଛି। ଜିଲ୍ଲା ଏସପି, କଲେକ୍ଟର ଦଳର ଜିଲ୍ଲା ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି। ପ୍ରକୃତରେ ଯଦି ଲୋକଙ୍କ ସମସ୍ୟା ସେ ଶୁଣୁଛନ୍ତି ତାହାଲେ କାହିଁକି ଆଜି ରାଜା ରାସ୍ତାରେ ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି। ସତ କଥା ହେଲା ୫-ଟି ସଚିବ ନିର୍ବାଚନୀ ପ୍ରଚାର ପାଇଁ ଯାଉଛନ୍ତି। ଯିଏ ସମାଲୋଚନା କରୁଛି, ତା ପ୍ରତି ପ୍ରତିହିଂସା ପରାୟଣ ହେଉଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରାଯାଉଛି।
ସଚିବଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି: ଜୟନାରାୟଣ
ଆମେ ଯେଉଁ ପ୍ରଶ୍ନ କରୁଛୁ ତାର ଉତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଆଡୁ ଗ୍ରିଭାନ୍ସ କେବେ ହୋଇଥିଲା କହୁଛନ୍ତି। ଆମେ ତାଙ୍କୁ କଣ ତାହା ପଚାରିଥିଲୁ? ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଦେଖା କରନ୍ତିନି, ଲୋକଙ୍କୁ କଣ ଦେଖା କରିବେ ଗ୍ରିଭାନ୍ସ ଶୁଣିବେ? ଆମେ ତାହା ପଚାରିନଥିଲୁ। ତୁମକୁ କେଉଁ ସଚିବ କହିଥିବ, ତେଣୁ ତୁମେ ନିଜ ଆଡୁ ଆସି ବିବୃତ୍ତି ରଖିଛ। ବିରୋଧୀ ଦଳ ନେତା କହୁଥିବା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଗଲା, ଯାହା କି ବିଧାନସଭା ଇତିହାସରେ ପ୍ରଥମ ଘଟଣା। ବିଧାନସଭା ନିୟମ ଅନୁଯାୟୀ ଚାଲୁନାହିଁ। ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡ଼ିଛି। ଗଣତନ୍ତ୍ରରେ ସରକାର ଉତ୍ତର ଦେବା ପାଇଁ ବାଧ୍ୟ। ଆମେ ଯେଉଁ ପ୍ରଶ୍ନ କରିଛୁ ତାହା ଲୋକଙ୍କ ପ୍ରଶ୍ନ। ଲୋକେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଛନ୍ତି ଅନ୍ୟ କାହାକୁ ଭୋଟ ଦେଇ ନାହାନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ ଆଣିଛନ୍ତି।