Wednesday, September 18, 2024
Homeସଚେତନତା କମ୍, ହେଲମେଟ୍ ଚେକିଂ ବେଶୀ
Array

ସଚେତନତା କମ୍, ହେଲମେଟ୍ ଚେକିଂ ବେଶୀ

ଭୁବନେଶ୍ବର: ୨୦୨୧ ତୁଳନାରେ ୨୦୨୨ ମସିହାରେ ଯେଉଁଭଳି ଭାବେ ସଡ଼କ ଦୁର୍ଘଟଣା ଘଟିଛି ଘରୁ ବାହାରିବାକୁ ଭୟ ଲାଗୁଛି। ଭାରତ ହେଉ ବା ଓଡ଼ିଶା ହେଉ ଚାରିଆଡ଼େ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଘଟିବାର କାରଣ ଯଦିଓ ଅନେକ ଥାଇପାରେ ତଥାପି ଏହାର ପ୍ରମୁଖ କାରଣ ହେଉଛି ବ୍ୟକ୍ତିଗତ ସଚେତନତା। ରାସ୍ତାରେ ଯେତେବେଳେ ଲୋକେ ଯାନବାହନରେ ଯାତାୟତ କରୁଛନ୍ତି, ସେମାନେ କେବଳ ନିଜର ଚିନ୍ତା କରୁଛନ୍ତି। କିନ୍ତୁ ଜଣେ ଚାଳକ ଯଦି ନିଜ ସହିତ ଅନ୍ୟର ଚିନ୍ତା କରିବେ ଦୁର୍ଘଟଣା ବଢ଼ିବା ବଦଳରେ ହ୍ରାସ ପାଇପାରନ୍ତା।

ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଚେତନତାର ଆବଶ୍ୟକତା ରହିଛି। କାରଣ ସତର୍କତାର ସହିତ କାମ କଲେ ବିକାଶ ନିଶ୍ଚିତ। ରାସ୍ତା ଯିବା ବେଳେ ଯେହେତୁ ଦୁର୍ଘଟଣାକୁ ଏଡେଇ ଦିଆଯାଇ ନପାରେ, ତେଣୁ ଏହାକୁ ପ୍ରତ୍ୟେକ ମନୁଷ୍ୟ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏଥି ପାଇଁ ପ୍ରଥମତଃ ବ୍ୟକ୍ତିଗତ ଭାବେ ଉଦ୍ୟମ ହେବା ଦରକାର। ପରେ ପ୍ରଶାସନ, ପୁଲିସ ଓ ସରକାରଙ୍କ କାମ। ସରକାର ପ୍ରତି ବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ କରୁଛନ୍ତି। ମନ୍ତ୍ରୀ, ନେତା ଓ ଅଧିକାରୀ ସଡ଼କ ସୁରକ୍ଷା ନେଇ ଭାଷଣ ବାଜି କରୁଛନ୍ତି। ସେହିପରି ପୁଲିସ ମଧ୍ୟ ନିଜର ପାରିବା ପଣିଆର ରିପୋର୍ଟ କାର୍ଡ ଦେଖାଉଛି। କିନ୍ତୁ ବାସ୍ତବରେ ସଡ଼କ ଦୁର୍ଘଟଣା ହ୍ରାସ ପାଉନାହିଁ। ବରଂ ଏହା ବଢ଼ି ଚାଲିଛି, ଯାହାକି ଚିନ୍ତାର କାରଣ ପାଲଟୁଛି।

ଭିତ୍ତିଭୂମି ମଜବୁଦ ହେବା ଦରକାର

ଗାଁ ହେଉ ବା ସହର ହେଉ, ଦିନକୁ ଦିନ ଲୋକସଂଖ୍ୟା ବଢ଼ିଚାଲିଛି। ଏହା କେବଳ ଓଡ଼ିଶାରେ ନୁହେଁ କି ଭାରତରେ ନୁହେଁ। ସମଗ୍ର ବିଶ୍ବର ସ୍ଥିତି। ଯେହେତୁ ଲୋକସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି। ସେହି ହିସାବରେ ଭିତ୍ତିଭୂମି ହେବାର ଆବଶ୍ୟକତା ରହିଛି। ଅନ୍ୟପଟରେ ଭିତ୍ତିଭୂମି ଯେ କେବଳ ପ୍ରଶସ୍ତ ସଡ଼କ ନିର୍ମାଣରେ ସୀମିତ ରହିବା କଥା ନୁହେଁ। ବରଂ ଦୁର୍ଘଟଣା ନ ଘଟିବା ଅଥବା ହ୍ରାସ ପାଇଁ ବ୍ୟାପକ ପଦକ୍ଷେପ ନିଆଯିବା ଦରକାର। ସଚେତନତା ମାଧ୍ୟମରେ ଲୋକଙ୍କୁ ଜାଗ୍ରତ କରାଯିବା ଦରକାର। ଆଉନ୍କାନୁନକୁ ଭାଷଣ ବଦଳରେ କାର୍ଯ୍ୟରେ ଲାଗୁ କରାଯିବା ଦରକାର।

ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣା ନେଉଛି ୧୫ ଜୀବନ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟରୁ ରୋଡ୍ ଆକ୍ସିଡେଣ୍ଟସ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟ ପ୍ରକାଶିତ ହୋଇଛି। ୨୦୨୧ରେ ରାଜ୍ୟରେ ୧୦,୯୮୩ଟି ସଡ଼କ ଦୁର୍ଘଟଣା ହୋଇଥିଲା। ୨୦୨୨ରେ ଏଥିରେ ୬.୨ ପ୍ରତିଶତ ବୃଦ୍ଧି ଘଟି ୧୧,୬୬୩ରେ ପହଞ୍ଚିଛି। ରାଜ୍ୟରେ ୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨.୭ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୧ରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୫୦୮୧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାରେ ୨୦୨୨ ମସିହାରେ ସମୁଦାୟ ୧୧,୬୬୩ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୫୪୬୭ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ପ୍ରତ୍ୟେକ ଦିନ ଓଡ଼ିଶାରେ ପାଖାପାଖି ୩୨ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଦିନକୁ ହାରାହାରି ୧୫ ଜଣଙ୍କର ଜୀବନ ଯାଇଛି। ରିପୋର୍ଟ ଅନୁସାରେ ୨୦୨୨ରେ ଦେଶରେ ୪,୬୧,୩୧୨ ସଡ଼କ ଦୁର୍ଘଟଣା ହୋଇଛି। ଏହି ସଡ଼କ ଦୁର୍ଘଟଣାରେ ୧,୬୮,୪୯୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪,୪୩,୩୬୬ ଜଣ ଆହତ ହୋଇଛନ୍ତି।

ସଡ଼କର ଅବସ୍ଥା ଚେକିଂ ହେଉନି

ଦୁର୍ଘଟଣା ହ୍ରାସ କରିବା ପାଇଁ ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ଯାନବାହନ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛନ୍ତି। ଚେକିଂ ସମୟରେ ପରିବହନ ଓ ପୁଲିସ ବିଭାଗର କର୍ମଚାରୀମାନେ ଯାନବାହନର ଚାଳକମାନେ ହେଲମେଟ ପିନ୍ଧିଛନ୍ତି କି ନାହିଁ ପ୍ରଥମେ ଦେଖୁଛନ୍ତି। ଗାଡ଼ିର ବୀମା, ପ୍ରଦୂଷଣ ପ୍ରମାଣ ପତ୍ର ଓ ଗାଡ଼ିର ମାଲିକାନା ମଧ୍ୟ ଯାଞ୍ଚ କରୁଛନ୍ତି। ଏସବୁ ନଥିଲେ ହଜାର ହଜାର ଟଙ୍କା ଜରିମାନା ଆଦାୟ କରୁଛନ୍ତି। କିନ୍ତୁ ସରକାରୀ ବାବୁମାନଙ୍କୁ ମଧ୍ୟ ଏକଥା ମନେ ରଖିବାର କଥା ଯେ, ଯାନବାହନ ବ୍ୟବହାରୀଙ୍କ ସବୁ ଯୋଗ୍ୟତା ଥାଇ ଯଦି ଦୁର୍ଘଟଣା ଘଟୁଛି, ସେଥି ପାଇଁ ଅନୁନ୍ନତ ଭିତ୍ତିଭୂମିକୁ ଦାୟୀ କରାଯାଇପାରି କି ନାହିଁ। ଆମର ରାସ୍ତାଘାଟ କିଭଳି ସେକଥା ମଧ୍ୟ ସରକାରଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ଯାନବାହନ ଚେକିଂ ଯେମିତି ଏକ କାମ ଠିକ୍ ସୋହିପରି ରାସ୍ତାଘାଟ ଭଲ ଅଛି କି ନାହିଁ ତାହାର ତଦନ୍ତ ମଧ୍ୟ କରାଯିବା ଦରକାର ଅଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments