ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରତି ବର୍ଷ ଦେଶରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଲକ୍ଷ ଲକ୍ଷ ଲୋକ ଆହତ ହେଉଛନ୍ତି। ଏଥିରୁ ଅନେକ ଚିରଦିନ ପାଇଁ ଅକର୍ମଣ୍ୟ ହୋଇଯାଉଥିବା ନଜର ଆସୁଛି। ସଚେତନାର ଅଭାବ କାରଣରୁ ସଡ଼କ ଦୁର୍ଘଟଣା ଘଟୁଥିବା ବୁଦ୍ଧିଜୀବୀମାନେ ମତ ଦିଅନ୍ତି। ସରକାର ଓ ଘରୋଇ ସଂସ୍ଥା ଦ୍ବାରା ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଡ୍ରାଇଭରମାନେ ଗାଡ଼ି ଚଳାଇବା ସମୟରେ ମଦ ପିଇବା ସଂପୂର୍ଣ୍ଣ ମନା ଥିଲେ ବି ସେମାନେ ଏଥିରୁ ଦୂରେଇ ରହୁନାହାନ୍ତି। ଡ୍ରାଇବରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କମ ହେଉଥିବାରୁ ଅନ୍ୟମାନେ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି। ତେବେ ବରଂ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି। ଦୁର୍ଘଟଣା ଏଡେଇବା ପାଇଁ ପ୍ରତିବର୍ଷ ସତର୍କତା ମୂଳକ ଅଭିଯାନ ହେଉଛି। କିନ୍ତୁ ଏଥିରୁ କୌଣସି ସୁଫଳ ମିଳୁ ନାହିଁ।
ରାଜରାସ୍ତାରେ ପ୍ରତିବର୍ଷ ଶହ ଶହ ଲୋକଙ୍କର ମୁଣ୍ଡ ଗଡୁଛି। କେତେବେଳେ ବାଇକ୍କୁ ବାଇକ୍ ପିଟୁଛି ତ ଅନେକ ସମୟରେ ବାଇକ୍ ଉପରେ ଦ୍ରୁତଗାମୀ ଯାନବାହନ ଚଢ଼ି ଯାଉଛି। ରାସ୍ତାରେ ଜୀବନ ଯିବା ଦ୍ବାରା ସେମାନଙ୍କର ପରିବାରରେ ଘୋର ବିପତ୍ତି ପଡ଼ିଯାଛି। ଅନେକ ପିଲା ଅନାଥ ହୋଇଯାଉଛନ୍ତି। ରାସ୍ତା ଦୁର୍ଘଟଣା କେବଳ ଓଡ଼ିଶା ଅଥବା ଭାରତର ସମସ୍ୟା ନୁହେଁ। ଏହା ସମଗ୍ର ବିଶ୍ବର ସମସ୍ୟା। ଉପସ୍ଥିତ ବୁଦ୍ଧି ଓ ସଚେତନ ନାଗରିକ ଭାବେ ଯାନବାହନ ଚଳାଚଳ କରିବା ଦ୍ବାରା ସଡ଼କରେ ଦୁର୍ଘଟଣାକୁ ହ୍ରାସ କରାଯାଇ ପାରନ୍ତା।
ମା’-ଝିଅଙ୍କୁ ଟ୍ରକ୍ ଚଢ଼ାଇ ହତ୍ୟା
ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡା ଛକ ନିକଟରେ ଗତ ୩ ତାରିଖ ଦିନ ଘଟିଥିବା ଦୁର୍ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି। ପ୍ରତିଶୋଧ ପରାୟଣ ହୋଇ ଜଣେ ଡ୍ରାଇଭର ବାଇକ ସ୍କୁଟି ଆରୋହୀ ମା’-ଝିଅଙ୍କ ଉପରେ ଟ୍ରକ୍ ଚଢ଼ାଇଦେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ସୁକିନ୍ଦା ଅଂଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ ଓ ଝିଅ ସୋନାଲି କେନ୍ଦ୍ରାପଡା ଜିଲ୍ଲାରୁ ଶୁଦ୍ଧିକ୍ରିୟାରେ ଯୋଗଦେଇ ଘରକୁ ଫେରୁଥିଲେ। ବାଟରେ ଏକ ଟ୍ରକ୍ ଡ୍ରାଇଭର ମା’ ଓ ଝିଅଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା। ଯୁବତୀ ଜଣକ ଏହାର ପ୍ରତିବାଦ କରି ୫୩ ନମ୍ବର ଜାତୀୟ ରାଜପଥ ଆରୁହା ନିକଟରେ ଗାଡି ଅଟକାଇ ଟ୍ରକ ଡ୍ରାଇଭରଙ୍କୁ ଗାଳି କରିଥିଲେ। ଏହାକୁ ନେଇ ଟ୍ରକ୍ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ମାମଲାର ସମାଧାନ କରିଥିଲେ। କିନ୍ତୁ ଡ୍ରକ ଡାଇଭର ଅଳ୍ପ ସମୟ ପରେ ପ୍ରତିଶୋଧ ପରାୟଣ ହୋଇ ମା’-ଝିଅଙ୍କୁ ଗାଡି ଚଢାଇ ହତ୍ୟା କରିଥିଲା। ପ୍ରଥମରୁ ଏହି ଘଟଣା ଦୁର୍ଘଟଣା ବୋଲି ଜଣା ପଡୁଥିବାବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣା ପଡିଥିଲା।
ବିହାରରେ ୧୩ ଜଣଙ୍କ ଉପରେ ଚଢ଼ିଲା ଟ୍ରକ୍
ଗତ ବୁଧବାର କେବଳ ଓଡ଼ିଶାରେ ନୁହେଁ। ବରଂ ବିହାର ପାଇଁ ମଧ୍ୟ ଏକ କଳା ଦିନ ଥିଲା। ବୈଶାଳୀ ଜିଲ୍ଲା ପାଟେପୁର ପୁଲିସ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବାହୁରା ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ୧୩ ଜଣଙ୍କ ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାର ସାମ୍ନା କରିଥିବା ୭ ଜଣ ଲୋକ ରାସ୍ତାକଡ଼ର ଏକ ହୋଟେଲରେ ଖାଉଥିଲେ। ଅନ୍ୟମାନେ ହୋଟେଲ ବାହାରେ ଇ-ରିକ୍ସା ଛିଡ଼ା କରିଥିଲେ। ଦ୍ରୁତଗାମୀ ଟ୍ରକ୍ ଚାଳକ ଯୋଗୁଁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୮ ଜଣଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ଉତ୍ତରପ୍ରଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା
ସୂଚନାଯୋଗ୍ୟ, ପ୍ରତିବର୍ଷ ହଜାର ହଜାର ଲୋକଙ୍କର ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି। ୨୦୧୯ରେ ଭାରତରେ ମୋଟ ୪,୩୭,୩୯୬ଟି ସଡ଼କ ଦୁର୍ଘଟଣା ହୋଇଥିଲା। ୨୦୧୮ ମସିହାରେ ଏହି ସଂଖ୍ୟା ୪,୪୫,୫୧୪ ଥିଲା। ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ। ଏହା ପରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ନାଁ ତାଲିକାରେ ଆସିଥାଏ। ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କେବଳ ଉତ୍ତରପ୍ରଦେଶରେ ୧୬.୪ ପ୍ରତିଶତ। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଯଥାକ୍ରମେ ୭.୪% ଓ ୬.୯ ପ୍ରତିଶତ।