Monday, November 4, 2024
Homeସଡ଼କରେ ସମ୍ବଲପୁର ଯିବେ କି ମୁଖ୍ୟମନ୍ତ୍ରୀ?
Array

ସଡ଼କରେ ସମ୍ବଲପୁର ଯିବେ କି ମୁଖ୍ୟମନ୍ତ୍ରୀ?

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜୟନ୍ତୀ ଅବସରରେ ମାର୍ଚ୍ଚ ୫ ତାରିଖ ଦିନ ବରଗଡ଼ ଜିଲ୍ଲା ସୋହେଲା ଠାରୁ କଳାହାଣ୍ଡି ଜିଲ୍ଲାର ଆମପାଣି ପର୍ଯ୍ୟନ୍ତ ଚାରି ଥାକିଆ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି। ଆଗାମୀ ଦିନରେ ଏହି ରାସ୍ତା ସଂପ୍ରସାରିତ ହେବ। ଅର୍ଥାତ ଆମପାଣିରୁ ମାଲକାନଗିରି ଜିଲ୍ଲା ମୋଟୁ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ମଧ୍ୟ ଲୋକାର୍ପିତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୫୪୬ କିଲୋମିଟର ରାସ୍ତା ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସ୍ବାସ୍ଥ୍ୟ, ଯୋଗାଯୋଗ, ରୋଜଗାର, ପର୍ଯ୍ୟଟନ, ସହରୀକରଣ ସର୍ବୋପରି ଶିଳ୍ପାୟନର ଅଭିବୃଦ୍ଧିର ଆଶା ନେଇ ପ୍ରକଳ୍ପ ନିର୍ମାଣ କରାଯାଇଛି।

‘ବିଜୁ ଏକ୍ସପ୍ରେସ୍ ୱେ’ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ଶତାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ନିର୍ମାଣ କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ରହିଛି। ସେ କହିଛନ୍ତି ଯେ, ଆମର ପ୍ରିୟ ନେତା ବିଜୁ ବାବୁ ଥିଲେ ଓଡ଼ିଶାବାସୀଙ୍କ ଭରସା। ଏ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡି ହୋଇ ରହୁଥିଲେ। ଜଣେ ଓଡ଼ିଆ ଭାବେ ସେ ଗର୍ବ କରୁଥିଲେ। ତେଣୁ ତାଙ୍କ ଜନ୍ମଦିବସରେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରି ମୁଁ ବହୁତ ଖୁସି । ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ । ‘ବିଜୁ ଏକ୍ସପ୍ରେସ ୱେ’ରେ ଘାଟିପଡା ଠାରୁ ଆମପାଣି ପର୍ଯ୍ୟନ୍ତ ରାସ୍ତା ରେକର୍ଡ ବର୍ଷକ ମଧ୍ୟରେ ଶେଷ ହୋଇଛି। ତେବେ ମୁଖ୍ୟ କଥା ହେଲା ଯେ, ନବୀନ ଶାସନରେ ରାଜ୍ୟବାସୀ କେତେ ଖୁସି ଅଛନ୍ତି। ଦାଦନ ଖଟୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ହିଁ ପ୍ରକୃତ ଖୁସି ଜାଣିଥିବେ।

୫୫ ନମ୍ବର ଜାତୀୟ ରାଜପଥ ଶୋଚନୀୟ

‘ବିଜୁ ଏକ୍ସପ୍ରେସ୍ ୱେ‘ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିଛନ୍ତି। ଏହା ହେଉଛି ତାଙ୍କ ଶାସନର ୨୩ ବର୍ଷ ମଧ୍ୟରେ ଅନ୍ୟତମ ବଡ଼ ଉପଲବ୍ଧି। ମୁଖ୍ୟମନ୍ତ୍ରୀ ‘ବିଜୁ ଏକ୍ସପ୍ରେସ୍ ୱେ’ରେ ଯେଉଁଭଳି ଭାବରେ ରୋଡ ସୋ’ କରିଛନ୍ତି, ସେହିଭଳି ଏକଦା କଟକରୁ ଜାତୀୟ ରାଜପଥ ୫୫ ନମ୍ବର ଦେଇ ସମ୍ବଲପୁର ଗସ୍ତ କରନ୍ତୁ। ୨୦୧୭ରୁ ଆରମ୍ଭ ହୋଇଥିବା ନିର୍ମାଣ କାମ କାହିଁକ ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ, ସମୀକ୍ଷା କରନ୍ତୁ। ଏହି ରାସ୍ତା ଯଦିଓ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ, ତଥାପି ରାଜ୍ୟ ସରକାରଙ୍କ ଯୋଗଦାନ ଅଛି କି ନାହିଁ ଭଲଭାବରେ ଚିନ୍ତା କରନ୍ତୁ। କେନ୍ଦ୍ର ଏହି ରାସ୍ତା ନିର୍ମାଣ ପାଇଁ ଯଦି ଠିକ ପାଣ୍ଠି ଦେଇଛି, ତାହେଲେ ରାଜ୍ୟ ସରକାର ଅବହେଳା କରିଛନ୍ତି କି ସ୍ଥିନ ମନରେ ଟିକିଏ ଭାବନ୍ତୁ ଏବଂ କୁହନ୍ତୁ ଯେ, ସେ କଥାରେ ନୁହେଁ, ବରଂ କାମରେ ବିଶ୍ବାସ କରନ୍ତି। ୫୫ ନମ୍ବର ଜାତୀୟ ରାଜପଥ ଉପରେ ପୂରା ପଶ୍ଚିମ ଓଡ଼ିଶାର ଲୋକେ ନିର୍ଭର କରିଥାନ୍ତି। ଏହି ରାସ୍ତା ରାଜ୍ୟର ଅନ୍ୟତମ ପ୍ରମୁଖ ମାର୍ଗ ହୋଇଥିବାରୁ ପୂର୍ବ ଓଡ଼ିଶାର ଲେକେ ମଧ୍ୟ ନିର୍ଭର କରିଥାନ୍ତି। ମୁଖ୍ୟତ ନିର୍ମାଣ କାମରେ ବିଳମ୍ବ ଯୋଗୁଁ, ବିଗତ ୭ ବର୍ଷ ମଧ୍ୟରେ ବୁର୍ଲା ମେଡିକାଲରୁ କଟକ ବଡ଼ଡାକ୍ତରଖାନା ରୋଗୀ ସ୍ଥାନାନ୍ତରିତ ହେଲା ବେଳେ ଅନେକଙ୍କ ଜୀବନ ଚାଲିଯାଇଛି।  

ବିରୋଧୀଙ୍କ ଟାର୍ଗେଟରେ ନବୀନ

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି ସମାଲୋଚନା କରିଛି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ଏ ଗସ୍ତରେ ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି। ନିର୍ବାଚନରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ଏ ବିଶାଳ ଆୟୋଜନ କରିଛି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ସେ ହତାଶ ଏବଂ ନିରାଶ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ବିକାଶରେ ୩୫ ହଜାର କୋଟି ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ସାତ ବର୍ଷ ଭିତରେ କିନ୍ତୁ ସେ ଅର୍ଥ ଖର୍ଚ୍ଚ ହୋଇପାରିଲା ନାହିଁ। ‘ବିଜୁ ଏକ୍ସପ୍ରେସ୍ ୱେ’ରେ ଯେତେ ବ୍ରିଜ ନିର୍ମାଣ ହୋଇଛି, ସେସବୁ କେନ୍ଦ୍ର ସରକାର କରିଛନ୍ତି । ପଶ୍ଚିମ ଓଡ଼ିଶାବାସୀ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ବୋନସ କଥା କହିବେ। ଗଙ୍ଗାଧର ମେହେର ଜଳସେଚନ କଥା କହିବେ। ଦାଦନ ପାଇଁ ନୂଆ ନୂଆ ଯୋଜନା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ କହିବେ। କିନ୍ତୁ ଏ ବିଷୟରେ ସେ ପଦଟିଏ କହିଲେ ନାହିଁ।  

ଧୁମଧାମରେ ପାଳନ ହେଉ ମଧୁବାବୁଙ୍କ ଜୟନ୍ତୀ

ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପି ବିଜୁବାବୁଙ୍କ ଜୟନ୍ତୀ ପାଳନ କରାଯାଉଛି। ରାଜ୍ୟ ସରକାର ବିଜୁବାବୁଙ୍କ ଜୟନ୍ତୀକୁ ବ୍ଲକସ୍ତରରେ ମଧ୍ୟ ପାଳନ କରିଛନ୍ତି। କିନ୍ତୁ କ୍ଷୋଭର ବିଷୟ ଯେ, ବିଜୁବାବୁ ନିଜ ଜୀବନରେ ଯେଉଁଠି ବହୁ ସମୟ କାଟିଥିଲେ ସେହି ପବିତ୍ର ସ୍ଥାନ ଅବହେଳିତ ହୋଇପଡ଼ିଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅଧୀନ ଘୁମୁସର ନୂଆଗାଁରେ ଥିବା ବିଜୁ ବାବୁଙ୍କ ପୈତୃକ ବାସଗୃହ ଆଜି ବି ଅବହେଳିତ ଅବସ୍ଥାରେ ରହିଛି। ବିଜୁବାବୁ ତାଙ୍କ ଜୀବନରେ ଅନେକ ସମୟ କଟିଥିବା ପୈତୃକ ଗାଁ ଓ ଘର କଥା ଯେପରି ପ୍ରଶାସନ ଭୁଲିଯାଇଛନ୍ତି। ବିଜୁବାବୁଙ୍କ ଜୟନ୍ତୀ ଭଳି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ମଧ୍ୟ ବ୍ଲକ ସ୍ତରରେ ପାଳନ ହେବା କଥା। କାରଣ ପ୍ରକୃତରେ ଉତ୍କଳର ନବନିର୍ମାତା ହେଉଛନ୍ତି ମଧୁସୂଦନ ଦାସ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments