Wednesday, September 18, 2024
Homeସତର୍କତାର ଅଭାବ: ଜଳରେ ବୁଡ଼ିଯାଉଛି ଜୀବନ
Array

ସତର୍କତାର ଅଭାବ: ଜଳରେ ବୁଡ଼ିଯାଉଛି ଜୀବନ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ପ୍ରାୟ ଶତାଧିକ ଲୋକଙ୍କର ଜଳାଶୟରେ ମୃତ୍ୟୁ ଘଟୁଛି। କୂଅ, ପ‌ୋଖରୀ, ନଦୀ, ଝରଣା ଓ ସମୁଦ୍ରରେ ବୁଡ଼ିଯିବାରୁ ଲୋକଙ୍କର ମୃତ୍ୟୁ ହେଉଛି।  ୨୦୨୩ ଡିସେମ୍ବରରେ ବିଭିନ୍ନ ସ୍ଥାନରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୋଖରୀ, ନଦୀ, ଝରଣା ଓ ସମୁଦ୍ରରେ ଜଳରସ୍ଥିତି ନଜାଣିପାରି ଲୋକଙ୍କର ମୃତ୍ୟୁ ଘଟୁଥିବା ‌ବେଳେ ନଦୀରେ ଦେଶୀ ଡଙ୍ଗାରେ ପାରି ହେଉଥିବା ବେଳେ ଅସ୍ବାଭାବିକ ମୃତ୍ୟୁକୁ ସରକାରୀ ଓ ପ୍ରଶାସନିକ ବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।

ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକମାନେ ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧାର ସାମ୍ନା କରିଥାନ୍ତି। ବିକାଶର ଡେଙ୍ଗୁରା ବଜାଉଥିବା ୨୩ ବର୍ଷର ବିଜେଡି ସରକାରରେ ଆଜିବି ରାଜ୍ୟର ହଜାର ହଜାର ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ। ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନଦୀର ଉଭୟ ପାଶ୍ବରେ ରହୁଥିବା ଲୋକଙ୍କ ସୁବିଧାରେ ଯାତାୟତ ପାଇଁ ପୋଲ ନିର୍ମାଣ କରିପାରି ନାହାନ୍ତି। ଏହି କାରଣରୁ ଲୋକମାନେ ଅଳ୍ପଦୂରରେ ଥିବା ଜଳଭାଗର ଆରପାର୍ଶ୍ବକୁ ଯିବା ପାଇଁ ବହୁଦୂର ଅତିକ୍ରମ କରିଥାନ୍ତି। ଜଳପଥରେ ଗଲେ କମ ଦୂର ହୋଇଥାଏ। ଗ୍ରାମାଞ୍ଚଳର ଲୋକେ ଦେଶୀ ଡଙ୍ଗାରେ ପାରି ହେଉଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଗତ ୮ ମାସ ମଧ୍ୟରେ କୋରାପୁଟରେ ନଦୀ ପାରି ହେଉଥିବା ‌ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି।

ପାତାଳୀ, କୋଲାବରେ ୯ ମୃତ

କୋରାପୁଟ ଜିଲ୍ଲାରେ ବିଗତ ୮ ମାସ ମଧ୍ୟରେ ଜଳାଶୟରେ ୨ଟି ବଡ଼ଧରଣର ଡଙ୍ଗାବୁଡ଼ି ଘଟଣା ଘଟିଛି। ଗତ ଏପ୍ରିଲ ମାସରେ କୋଲାବ ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ିବାରୁ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏବେ ଡିସେମ୍ବର ୨୭ ସନ୍ଧ୍ୟାରେ ପାତାଳୀ ନଦୀରେ ସମାନ ପ୍ରକାରର ଘଟଣାରେ ପୁଣି ୫ ଜଣଙ୍କର ମୃତ୍ୟୁ ହୋଇଛି। ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂ ପଞ୍ଚାୟତ ତାନସିଂ ଗାଁର କାର୍ତ୍ତିକ ଶିଶାଙ୍କ ପତ୍ନୀ ଲାଲମଣି ଶିଶା (୫୦ବର୍ଷ), ଜଗନ୍ନାଥ ଅର୍ଲାବଙ୍କ ଝିଅ ଶଶିରେଖା ଆର୍ଲାବ (୩୫ବର୍ଷ), ମିଶ୍ର ଅର୍ଲାବଙ୍କ ଦୁଇ ଝିଅ ନବୀନା (୧୪ବର୍ଷ) ଏବଂ ପୁଷ୍ପାଞ୍ଜଳି (୫ବର୍ଷ), ଦେବ ଶିଶାଙ୍କ ଝିଅ ଶାନ୍ତି ଶିଶା (୮ବର୍ଷ)ଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ଏପ୍ରିଲ ୧୩ତାରିଖରେ  ସେମିଳିଗୁଡ଼ା ବ୍ଲକ କୋଲାବ ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ିଯିବାରୁ ରଜପୁଟ ପଞ୍ଚାୟତ ମୁଖିବିଡ଼ାଇର ବବିତା କିର୍ଷାନୀ(୧୮), ସାବିତ୍ରୀ କିର୍ଷାନୀ(୧୯), ନୀଳା କିର୍ଷାନୀ (୧୮) ଓ କମଳୁ ବାଲଦି(୧୯) ଆଖି ବୁଜିଥିଲେ।

ମାସକରେ ନଦୀରେ ବୁଡ଼ିଲେ ୧୧ ଜଣ

୨୦୨୩ ଡିସେମ୍ବର ମାସରେ ରାଜ୍ୟ ବିଭିନ୍ନ ସ୍ଥାନରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅସାବଧାନତା ହେଉଛି ଏହାର ମୁଖ୍ୟ କାରଣ। କୋରାପୁଟ ଜିଲ୍ଲାରେ ୫ ଜଣଙ୍କ ବ୍ୟତୀତ ନବରଂଗପୁର ଜିଲ୍ଲା ଝରିଗାଁ ବ୍ଳକ ବକଦାବେଡା ପଂଚାୟତ ଅନ୍ତର୍ଗତ ଟେଣ୍ଡାକାଗୁଡା ଗ୍ରାମରେ ଗତ ୧୯ ତାରିଖରେ ଥବିର ଭତ୍ରା (୪୫) ନିକଟସ୍ଥ ଭାସ୍କେଲ ନଦୀରେ ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଡିସେମ୍ବର ୧୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ତୁମକେଲା ନିକଟସ୍ଥ ବ୍ରାହ୍ମଣୀନଦୀରେ ବୁଡ଼ିଯାଇଥିଲେ ରାଜାମୁଣ୍ଡା ଗୁଢ଼ିଆଳି ଗ୍ରାମର ଅଶୋକ କୁମାର ସିଂହ। ସେ ନିଜ ଘରର ପୂଜାସାମଗ୍ରୀ ବିସର୍ଜନ କରିବା ପାଇଁ ତୁମକେଲା ବ୍ରାହ୍ମଣୀନଦୀ ତୁଠକୁ ଯାଇଥିଲେ। ସେଠାରେ ବିସର୍ଜନ କରିବା ସମୟରେ ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ସେହିପରି ଡିସେମ୍ବର ୨ରେ ରାଉରକେଲାର କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତେ ବାସନ୍ତୀ କଲୋନି ଡ଼ିଏଭି ସ୍କୁଲ ଛାତ୍ର ଥିଲେ। ମୟୂରଭଂଜ ଜିଲ୍ଲା ବାରିପଦା ସଦର ଥାନା ମହୁଲିଆ ଗାଁ ମାଝୀସାହିରେ ଡିସେମ୍ବର ୨ ତାରିଖରେ  ଘଟିଥିଲା ଅଘଟଣ। ସ୍ବର୍ଗତ ଲବ ମାଝୀଙ୍କ ଦୁଇ ଝିଅ (ବୟସ ୨ ଓ ୬ ବର୍ଷ) ଥିଲେ।  

ସତର୍କତା, ସଚେତନତାର ଅଭାବ

ରାଜ୍ୟରେ ପ୍ରତିବର୍ଷ ଅକାରଣରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଉଛି। ସାମାନ୍ୟ ଅସାବଧାନତା କାରଣରୁ ନିମିଷକ ମଧ୍ୟରେ ଜୀବନ ଚାଲିଯାଉଛି। ସତର୍କତା ଓ ସଚେତନତାର ଅଭାବ କାରଣରୁ ଏଭଳି ଅଘଟଣ ଘଟୁଛି। ଅଭିଭାବକମାନେ ନିଜ କାମରେ ବ୍ୟସ୍ତ ଥିବାରୁ ତଥା ପିଲାଙ୍କ ପ୍ରତି ଅବହେଳା କରିବାରୁ ଛୋଟଛୋଟ ବୟସର ପିଲାମାନଙ୍କର ମୃତ୍ୟୁ ହେଉଛି। କିନ୍ତୁ ବୟସ୍କ ଲୋକ ପାଣିରେ ବୁଡ଼ିଯିବା ହେଉଛି କ୍ଷୋଭର ବିଷୟ। ତେବେ କୌଣସିସ୍ଥାନର ଜଳର ସ୍ଥିତି ନଜାଣି ଗୋଡ଼ ଖସାଇବା ମଧ୍ୟ ଭୁଲ। ଜଳାଶୟଗୁଡ଼ିକରେ ସରକାର ସତର୍କତାମୂଳକ ସୂଚନା ଫଳକ ଲଗାଇଲେ ମଧ୍ୟ କିଛି ଲୋକଙ୍କର ଜୀବନ ବଞ୍ଚି ଯାଆନ୍ତା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments