ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ସଂସଦଭବନରେ ଲୋକସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ବୁଧବାର (୨୦୨୩ ଡିସେମ୍ବର ୧୩) ହଙ୍ଗାମା ହୋଇଛି। ଏହି ଘଟଣାକୁ ନେଇ ୮ ଜଣ ସୁରକ୍ଷାକର୍ମୀ ନିଲମ୍ବିତ ହୋଇଛନ୍ତି। ଲୋକସଭା ପରିସରରେ ଦୁଇ ଅନୁପ୍ରବେଶକାରୀଙ୍କ ଗ୍ୟାସ୍ ସ୍ପ୍ରେ ଘଟଣା ନେଇ ଅଧିବେଶନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସଂସଦ ଆକ୍ରମଣ ବାର୍ଷିକୀ ଅବସରରେ ଘଟିଥିବା ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏନ୍ଡିଏ ଶାସନରେ ବିଜେପି ସାଂସଦ ପ୍ରତାପ ସିହ୍ମା ଦୁଇ ଅନୁପ୍ରବେଶକାରୀଙ୍କୁ ପାସ୍ ଦେଇଥିବାରୁ ଏହା ଗମ୍ଭୀର ସ୍ଥିତି ଆଣିଛି। ତେବେ ଏହି ଘଟଣା ଷଡ଼ଯନ୍ତ୍ର ଥିଲା କି? ତାହା ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ କ୍ଷୋଭର କଥା ହେଲା ଯେ, ୧୪୦ କୋଟି ଭାରତୀୟମାନଙ୍କ ପାଇଁ ଯେଉଁଠି ଆଲୋଚନା ହୋଇଥାଏ, ସେଠାରେ ଏଭଳି ଅଭାବନୀୟ ଘଟଣାକୁ ସହଜରେ ଗ୍ରହଣ କରାଯାଇ ପାରୁ ନାହିଁ।
ସଂସଦରେ ସୁରକ୍ଷା ଭଙ୍ଗ ନେଇ ବିରୋଧୀ ଦଳଗୁଡ଼ିକ ଏନ୍ଡିଏ ସରକାରକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ଯଦିଓ ଆମେ ସହମତ ଯେ ଏହି ଆକ୍ରମଣ ପୂର୍ବ ଆକ୍ରମଣ ଭଳି ନୁହେଁ, କିନ୍ତୁ ଏହା କ’ଣ ପ୍ରମାଣ କରୁ ନାହିଁ ଯେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇ ନାହିଁ? ସଂସଦର ସୁରକ୍ଷା ଭଙ୍ଗ କରିଥିବା ଦୁଇ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖାଯାଇଛି ବୋଲି ବାଚସ୍ପତି ଓମ୍ ବିର୍ଲା ଗୃହକୁ ଆଶ୍ୱାସନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ସ୍ପ୍ରେ କରାଯାଇଥିବା ଧୂଆଁ ବିପଜ୍ଜନକ ନ ଥିଲା। ସଂସଦର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସେମାନଙ୍କ ସମସ୍ତ ପରାମର୍ଶକୁ ଶୁଣାଯିବ ଓ ଅନ୍ତର୍ଭୁକ୍ତ କରାଯିବ ବୋଲି ବାଚସ୍ପତି ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଥିଲେ।
ସଂସଦ ଆକ୍ରମଣର ୬ ଅଭିଯୁକ୍ତ
ପୁଲିସ ତଦନ୍ତରେ ସ୍ପଷ୍ଟ ହୋଇଛି ଯେ, ଏହି ଷଡ଼ଯନ୍ତ୍ରରେ ମୋଟ ୬ ଜଣ ସଂପୃକ୍ତ ଥିଲେ। ସଂସଦ ଭିତରେ ୨ ଜଣ ହଙ୍ଗାମା କରିଥିଲେ। ଅନ୍ୟ ୨ ଜଣ ବାହାରେ ପ୍ରଦର୍ଶନ କରୁଥିଲେ। ସେହିପରି ୨ ଜଣ ଫେରାର ହୋଇଯାଇଥିଲେ। ପୁଲିସ ଏବଂ ତଦନ୍ତ ସଂସ୍ଥା ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି। ଏମାନଙ୍କ ମଧ୍ୟରୁ ୫ ଜଣ ଅଭିଯୁକ୍ତ ଗୁରୁଗ୍ରାମରେ ଅଟକିଥିଲେ। ଲଲିତ ଝା ନାମରେ ଜଣେ ସେମାନଙ୍କର ରହିବା ପାଇଁ ବ୍ୟବସ୍ଥା କରାଇଥିଲେ। ଏହି ୫ ଜଣଙ୍କର ପରିଚୟ ମିଳି ସାରିଥିବା ବେଳେ ୬ଷ୍ଠ ବ୍ୟକ୍ତି ଜଣାପଡ଼ି ନାହିଁ। ମାତ୍ର କୁହାଯାଉଛି ଯେ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଜଣେ ଅନ୍ୟକୁ ଜାଣିଥିଲେ। ଏହା ପରେ ଷଡ଼ଯନ୍ତ୍ର ହୋଇଥିଲା। ଏହା ପରେ ନିର୍ଦ୍ଧାରିତ ଦିନରେ ସଂସଦରେ ଦର୍ଶକ ଭାବେ ପ୍ରବେଶ କରିଥିଲେ। ଏବେ ସବୁଠାରୁ ପ୍ରଶ୍ନ ଛିଡ଼ା ହୋଇଛି ସଂସଦରେ ସୁରକ୍ଷା ବ୍ୟବସ୍ଥା।
ବିଜେପି ସାଂସଦ ପ୍ରତାପ ସିହ୍ମା କିଏ?
ଗ୍ୟାସ୍ କାଣ୍ଡ ମାମଲାରେ ଚର୍ଚ୍ଚାରେ ରହିଥିବା ପ୍ରତାପ ସିହ୍ନା ହେଉଛନ୍ତି କର୍ଣ୍ଣାଟକର ମହୀଶୂର-କୋଡ଼ାଗୁରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ୨୦୧୪ରେ ପ୍ରଥମ ଥର ସାଂସଦ ହେବା ପୂର୍ବରୁ ଏକ କନ୍ନଡ଼ ଖବରକାଗଜରେ ସାମ୍ବାଦିକତା କରୁଥିଲେ। ଭାରତୀୟ ଜନତା ଯୁବମୋର୍ଚ୍ଚାର ସେ ରାଜ୍ୟ ସଭାପତି ମଧ୍ୟ ରହିଥିଲେ। ଗତବର୍ଷ ଡିସେମ୍ବରରେ ଯେତେବେଳେ କର୍ଣ୍ଣାଟକରେ ବିଜେପି କ୍ଷମତାରେ ଥିଲା, ସେତେବେଳେ ମହୀଶୂର ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ ଆଣି ସେ ହଇଚଇ ସୃଷ୍ଟି କରିଥିଲେ। ଚଳିତ ବର୍ଷ କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପରାଜୟ ପରେ ସେ ବିଏସ୍ ୟେଦୁରପ୍ପା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କୁ କଡ଼ା ସମାଲୋଚନା କରିଥିଲେ।
ମନରୁ ଲିଭିନି ଆକ୍ରମଣ ଘଟଣା
୨୦୦୧ ଡିସେମ୍ବର ୧୩ରେ ସଂସଦ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଦେଶବାସୀ ଭୁଲିପାରି ନାହାନ୍ତି। ୨୨ ବର୍ଷ ପୂର୍ବେ ସଂସଦ ଉପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସଦସ୍ୟମାନେ ଏକେ-୪୭ ରାଇଫଲ, ଗ୍ରେନେଡ ଲଞ୍ଚର ଓ ହ୍ୟାଣ୍ଡଗନରେ ସଜ୍ଜିତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଣଟାରେ ୯ ଜଣଙ୍କ ଜୀବନ ଯାଇଥିଲା। ପୁଲିସ ଓ ସୁରକ୍ଷା କର୍ମୀଙ୍କ ସମେତ ୧୮ ଜଣ ଆହତ ହୋଇଥିଲେ। ଘଟଣା ଦିନ ୫ ଜଣ ଆତଙ୍କବାଦୀ ଧଳା ଆମ୍ବାସାଡ଼ର କାର୍ରେ ସଂସଦ ଭିତରକୁ ପ୍ରବେଶ କରିଥିଲେ, ଯେଉଁଥିରେ ଗୃହ ମନ୍ତ୍ରଣାଳୟ ଏବଂ ସଂସଦର ନକଲି ଲେବଲ୍ ଲାଗିଥିଲା। ସେହି ସମୟରେ ଉଭୟ ଲୋକସଭା ଓ ରାଜ୍ୟସଭା ମୁଲତବୀ ଥିବାବେଳେ ରାଜନେତାଙ୍କ ସମେତ ଶତାଧିକ ଲୋକ ଭିତରେ ଥିଲେ।ଆତଙ୍କବାଦୀମାନେ ଭିତରକୁ ଯିବା ବାଟରେ ଉପରାଷ୍ଟ୍ରପତି କୃଷ୍ଣ କାନ୍ତଙ୍କ ପାର୍କିଂ କାର୍କୁ ଧକ୍କା ଦେଇଥିଲେ। ଏହାପରେ ସେମାନେ ବାହାରକୁ ଆସି ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯେଉଁଥିରେ ଜଣେ ମହିଳା ସିଆର୍ପିଏଫ୍ କନଷ୍ଟେବଳ କମଲେଶ କୁମାରୀଙ୍କ ମୃତ୍ୟୁ ହୋଇଥିଲା। ତେବେ ସାଂସଦମାନେ ଏଥିରୁ ବର୍ତ୍ତି ଯାଇଥିଲେ। ଜବାବରେ ପୁଲିସ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା।