Sunday, February 9, 2025
Homeସମାଧାନ ହେବ ୫୦ ବର୍ଷର ପୁରୁଣା କୋଟିଆ ବିବାଦ?
Array

ସମାଧାନ ହେବ ୫୦ ବର୍ଷର ପୁରୁଣା କୋଟିଆ ବିବାଦ?

ଭୁବନେଶ୍ୱର: ଅର୍ଦ୍ଧ ଶତାବ୍ଦୀ ଧରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଉପୁଜିଥିବା କୋଟିଆ ବିବାଦର ଅନ୍ତ କରିବାକୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି। ବିବାଦକୁ ନବଢ଼ାଇ ବୁଝାମଣା ମାଧ୍ୟମରେ ସମାଧାନ କଲେ ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି ନବୀନ ଓ ଜଗନ୍‌ ସରକାର ଉପଲବ୍ଧି କରିଛନ୍ତି। ଅଯଥାରେ କୋଟିଆ ଗ୍ରାମ ପୁଞ୍ଜରେ ସୀମା, ପ୍ରଶାସନିକ, ବିକାଶ ଆଦି ନେଇ ବିବାଦ ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କର ମହତ୍‌ ଆକାଂକ୍ଷା ଉପରେ ପ୍ରଭାବ ପଡୁଥିବା ପରିଲକ୍ଷିତ ହେଉଛି। ମୋଟା ମୋଟି ଭାବେ କହିବାକୁ ଗଲେ କୋଟିଆ ବିବାଦର ସମାଧାନ କରିବାକୁ ହେଲେ ସ୍ଥାନୀୟ ଜନତା ଓ ନେତା ଏକତ୍ର ହେବାକୁ ପଡ଼ିବ।

କୋଟିଆ ବିବାଦ ନୂଆ ନୁହେଁ। ୧୯୭୧ ମସିହାରୁ ଧରି ଏହି ବିବାଦ ଲାଗି ଆସିଛି। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଓ ତାଙ୍କର ଆନ୍ଧ୍ରପ୍ରଦେଶ ସମକକ୍ଷ ପିଭି ନରସିଂହ ରାଓ ଶାସନ କାଳରୁ ଲାଗି ରହିଛି। ତେବେ ଏତିକି ଫରକ ଯେ, ୫୦ ବର୍ଷ ପୂର୍ବରୁ କୋରାପୁଟର ଏହି ପଛୁଆ ଅଞ୍ଚଳରେ ଆନ୍ଧ୍ର ସରକାର ଓ ପ୍ରଶାସନର ଜବରଦଖଲ ଏଭଳି ନଥିଲା, ଯାହାକି ବିଗତ ୧୦ ବର୍ଷ ମଧ୍ୟରେ ହୋଇଛି। ଭୋଟର ମାନଙ୍କୁ ହାତେଇବା ପାଇଁ ଆନ୍ଧ୍ର ସରକାର କୋଟିଆ ବାସୀଙ୍କୁ ଆକର୍ଷିତ କରୁଛନ୍ତି। ଅବଶ୍ୟ ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସମର୍ଥନ କରୁଛନ୍ତି। କୋଟିଆ ହେଉଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର ଅଂଶବିଶେଷ। କିନ୍ତୁ ବ୍ଲକ ସଦର ମହକୁମାକୁ ଏଠାକୁ ପହଞ୍ଚିବାକୁ ହେଲେ ୩୭ କିମି ରାସ୍ତା ଅତିକ୍ରମ କରିଥାଏ। ଅନ୍ୟପଟରେ ଆନ୍ଧ୍ରପ୍ରଦେଶର ବଜାର ଉପରେ କୋଟିଆବାସୀ ଅଧିକ ନିର୍ଭରଶୀଳ ହୋଇଥାନ୍ତି।

ସମୟ କହିବ ବିବାଦର ଅନ୍ତଃ
କୋଟିଆ ବିବାଦ ସମେତ ଅନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଆନ୍ଧ୍ରପ୍ରଦେଶ ସମକକ୍ଷ ୱାଇ ଏସ୍‌ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ମଙ୍ଗଳବାର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବୈଠକ ପରେ ଉଭୟ ରାଜ୍ୟ ପକ୍ଷରୁ ଏକ ମିଳିତି ବିବୃତ୍ତି ପ୍ରକାଶ ପାଇଥିଲା। ବିବୃତ୍ତି ଅନୁସାରେ ଏହି ବୈଠକରେ କୋଟିଆ ଉପରେ ଚର୍ଚ୍ଚା ହୋଇଥିଲା। କୋଟିଆ ବିବାଦର ସମାଧାନ ପାଇଁ ୨ ରାଜ୍ୟ କାମ କରିବାକୁ ସହମତି ଦେଇଥିଲେ। ମିଳିତ ଭାବେ ସମସ୍ୟାର ସମାଧାନ କରିବେ ବୋଲି ରାଜି ହୋଇଥିଲେ।  ତେବେ କୋଟିଆର ବିବାଦ ପ୍ରସଙ୍ଗ ବାସ୍ତବରେ ସମାଧାନ ହେବ କି ନାହିଁ ତାହା ସମୟ କହିବ।

ସହଯୋଗର ହାତ ବଢ଼ାଇବେ ୨ ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ପୋଲାଭରମ୍‌ ବିବାଦର ସମାଧାନ ସମେତ ଜଳ ବିବାଦ, ଶକ୍ତି ଓ ନକ୍ସଲ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଦୁଇ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ଯେ, ବିପର୍ଯ୍ୟୟ ସମୟରେ ଉଭୟ ରାଜ୍ୟର ସହଯୋଗ ବହୁତ ଭଲ। ଅତୀତରେ  ଉଭୟ ରାଜ୍ୟ ଯେକୌଣସି ପ୍ରସଙ୍ଗରେ ପୂର୍ଣ୍ଣ ସହଯୋଗ କରିବାକୁ ସହମତ ହୋଇଥିଲେ। ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି, ଉଭୟ ରାଜ୍ୟର ପ୍ରଶାସନ ସହଯୋଗର ହାତ ବାଇଛନ୍ତି। ନକ୍ସଲ ଓ ଗଂଜେଇ ଚାଷ ସମସ୍ୟାର ସମାଧାନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଓ ଶ୍ରୀ ରେଡ୍ଡୀ କଥା ହୋଇଥିଲେ। ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଶ୍ରୀକାକୁଲମ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ହେବ। ସୀମାରେ ଥିବା ସ୍କୁଲ ଗୁଡ଼ିକରେ ଓଡ଼ିଆ ଓ ତେଲୁଗୁ ଶିକ୍ଷକଙ୍କ ନିଯୁକ୍ତି ସହ ଭାଷାର ବିକାଶ କରାଯିବ। ଏଥି ପାଇଁ ଉଭୟ ରାଜ୍ୟର ସରକାର ପଦକ୍ଷେପ ନେବେ।  

ଭୁବନେଶ୍ୱରରେ ଜଗନ୍‌, କୋଟିଆରେ ଆନ୍ଧ୍ର ଅଧିକାରୀ
ବିଭିନ୍ନ ବିବାଦ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଭୁବନେଶ୍ୱରରେ ନବୀନଙ୍କ ସହିତ କଥା ହେବାକୁ ଆସିଥିବା ବେଳେ ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ଧୂଳିପଦରରେ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଗ୍ରାମସଭା କରେଇଛନ୍ତି। ବିଜୟନଗରମ ଜିଲ୍ଲା ସାଲୁର ମଣ୍ଡଳ ଓ ପାର୍ବତୀପୁରମ ପିଓ ଆଇଟିଡିଏ ପକ୍ଷରୁ ବହୁ କର୍ମଚାରୀ ଏହି ଗ୍ରାମସଭାରେ ଉପସ୍ଥିତ ଥିଲେ। ଗ୍ରାମସଭାରେ ସ୍ୱ୍ୟାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଓ ଶିକ୍ଷା ଉପରେ ଆଲୋଚନା ହୋଇଥିବା ଜଣାପଡିଛ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments