ଭୁବନେଶ୍ବର: ଚାରି ମାସର ବ୍ୟବଧାନ ପରେ ସମ୍ବଲପୁର ସହରରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖାଯାଇଛି। ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟ ଭର୍ସନା କରିବା ପରେ କୋର୍ଟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବା ସମୟରେ ଆଇନଜୀବୀମାନେ ବଳପୂର୍ବକ କୋର୍ଟ ରୁମ୍ ଭିତରକୁ ପ୍ରବେଶ କରି ଗିରଫ ହେବା ଘଟଣାକୁ ସହରବାସୀ ଭୁଲି ନଥିବା ବେଳେ ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ମହିଳା ମହାବିଦ୍ୟାଳୟ ନିକଟରେ ପୁଲିସ ଓ ଶ୍ରଦ୍ଧାଳୁଙ୍କ ଉପରକୁ ଅତର୍କିତ ଭାବେ ପଥରମାଡ଼ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।
ଦୀର୍ଘ ବର୍ଷ ହେଲା ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ହୋଇ ଆସୁଛି। ପ୍ରତିବର୍ଷ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। କିଛି ବର୍ଷ ହେଲା ଏହି ଶୋଭାଯାତ୍ରାରେ ଉପଦ୍ରବ ଦେଖାଯାଉଛି। କିନ୍ତୁ ଚଳିତ ବର୍ଷ ଏହା ସୀମା ଟପିଛି। ପୁଲିସ ଉପରକୁ ଯେଭଳି ଭାବେ ପଥର ଆକ୍ରମଣ କରାଯାଉଛି, ଏହା ସଭ୍ୟ ସଭ୍ୟତାକୁ ଅପମାନ କରୁଛି। ମାନବିକତା ଦୃଷ୍ଟିରୁ ଶୋଭାଯାତ୍ରା ଉପରକୁ ପଥରମାଡ଼ କରାଯିବା ଯେକେହି ମଧ୍ୟ ପସନ୍ଦ କରିବ ନାହିଁ। ଆକ୍ରମଣକାରୀ ଅତିକମରେ ଚିନ୍ତା କରିବା ଦରକାର ଯେ, ସେ ଯାହାକରୁଛି, ଠିକ୍ ନା ଭୁଲ। ସମ୍ବଲପୁରରେ ଗତ ବୁଧବାର ସନ୍ଧ୍ୟାରେ ଘଟିଥିବା ଘଟଣା ପୂରା ସଭ୍ୟ, ଶିକ୍ଷିତ ସମାଜକୁ ଆଘାତ ଦେଇଛି।
ଲକ୍ଷାଧିକ ଲୋକ ପ୍ରଭାବିତ
ପଥରମାଡ଼ ଘଟଣାକୁ ନେଇ ସମ୍ବଲପୁରବାସୀଙ୍କ ସହିତ ରାଜ୍ୟର ଜନତା ପ୍ରଭାବିତ ହୋଇଛି। ସମ୍ବଲପୁର ରାଜ୍ୟର ଅନ୍ୟତମ ପ୍ରମୁଖ ସହର ତଥା ପଶ୍ଚିମଓଡ଼ିଶାର ପ୍ରାଣ କେନ୍ଦ୍ର ହୋଇଥିବାରୁ ଏଠାକୁ ଦୈନିକ ହଜାର ହଜାର ଲୋକଙ୍କ ଯାତାୟତ ହୋଇଥାଏ। ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାମ ପାଇଁ ସମ୍ବଲପୁରକୁ ଆସିଥିବା ଲୋକେ ବିଗତ ୨ ଦିନ ମଧ୍ୟରେ ବହୁ ହଇରାଣ ହୋଇଛନ୍ତି। ପ୍ରବଳ ଖରା ସାଙ୍ଗକୁ କାର୍ଯ୍ୟରେ ବାଧା ଲୋକଙ୍କୁ ଯନ୍ତ୍ରଣା ଦେଇଛି। କାରଣ ପ୍ରଶାସନର ୧୪୪ ଧାରା ଲାଗୁ କରାଯିବା ପରେ ହନୁମାନ ସମନ୍ଵୟ ସମିତି ପକ୍ଷରୁ ୩୬ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
ପ୍ରଶାସନର କାର୍ଯ୍ୟାନୁଷ୍ଠାନ
ଦୁର୍ବୃତ୍ତମାନେ ଶୋଭାଯାତ୍ରା ସମୟରେ ଜନଗହଳି ଉପରକୁ ପଥରମାଡ଼ କରିଥିଲେ। ଏହି ଆକ୍ରମଣରେ ୨ ଜଣ ପୁଲିସ ଅଧିକାରୀଙ୍କ ସମେତ ୧୦ ଜଣ ପୁଲିସ କର୍ମୀ ଓ ୫୦ରୁ ଊର୍ଦ୍ଧ୍ବ ଜନସାଧାରଣ ଆହତ ହୋଇଥିଲେ। ଏହି ଆକ୍ରମଣ ଅଭିଯୋଗରେ ପୁଲିସ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁବାର ଦିନ ୧୦ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ଲାଗି ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟୁଇଟର ଆଦିର ପୋଷ୍ଟ ଉପରେ ବି କଟକଣା ଜାରି କରାଯାଇଛି। ପୁଲିସର ବ୍ୟାପକ ଅନୁପସ୍ଥିତି, ସିସିଟିଭି କ୍ୟାମେରା ଓ ଡ୍ରୋନ୍ କ୍ୟାମେରା ବ୍ୟବସ୍ଥା କରାଯିବା ପରେ ଶୁକ୍ରବାର ସନ୍ଧ୍ୟାରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।
କ’ଣ ଥିଲା ଘଟଣା
ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ବୁଧବାର ସନ୍ଧ୍ୟା ପ୍ରାୟ ୭ଟାରେ ସ୍ଥାନୀୟ ଧନୁପାଲି ଛକ ଠାରୁ ଏକ ବାଇକ ରାଲି ବାହାରିଥିଲା। ଦୁର୍ବୃତ୍ତମାନେ ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ରାଲି ପାଇଁ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। କିଛି ଶ୍ରଦ୍ଧାଳୁ ଓ ଦର୍ଶକ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା।
ସରକାରଙ୍କୁ ବିଜେପିର ଟାର୍ଗେଟ
ସମ୍ବଲପୁର ସହରରେ ଗତ ବୁଧବାର ସନ୍ଧ୍ୟା ସମୟରେ ହନୁମାନ ଜୟନ୍ତି ସମୟରେ ବାଇକ୍ ରାଲି ଚାଲିଥିବା ବେଳେ ପୁଲିସ ଉପରକୁ ପଥରମାଡ଼ ଘଟଣାରେ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମ୍ବଲପୁରରେ ଯାହା ଘଟିଛି ତାହା ଅଭାବନୀୟ ଘଟଣା। ଏହି ଅପ୍ରୀତିକର ଘଟଣାରେ ପୁଲିସ ସମେତ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ ପୁଲିସ ନିଜକୁ ସୁରକ୍ଷା ଦେବାକୁ ଅସମର୍ଥ। ଶୋଭାଯାତ୍ରାରେ ପଥର ମାଡ଼ରେ ପୁଲିସ ଓ ଶ୍ରଦ୍ଧାଳୁ ଆହତ ହେବା ବ୍ୟଥିତ କରିଛି।