ଭୁବନେଶ୍ବର: ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ଚାଲିଥିବା ବେଳେ ଶ୍ରଦ୍ଧାଳୁ ଓ ପୁଲିସ ଉପରକୁ ଆକ୍ରମଣ ନେଇ ଗତ ୧୨ ତାରିଖ ଠାରୁ ସମ୍ବଲପୁର ସହର ଅଶାନ୍ତ ହୋଇପଡ଼ିଛି। ପଶ୍ଚିମଓଡ଼ିଶାର ଜୀବନରେଖା କୁହାଯାଉଥିବା ସମ୍ବଲପୁର ସହରରେ ୧୪ ତାରିଖ ଠାରୁ ଇଣ୍ଟରନେଟ୍ ବିଚ୍ଛିନ୍ନ ଓ କର୍ଫ୍ୟୁ ଲାଗୁ ହେବା ଦ୍ବାରା ଲକ୍ଷଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି। କର୍ଫ୍ୟୁ ଯୋଗୁଁ ସମ୍ବଲପୁର ସମେତ ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ାର ଲୋକେ ମଧ୍ୟ ହଇରାଣର ସାମ୍ନା କରୁଛନ୍ତି। ସହରକୁ ପୁଲିସରେ ଛାଉଣୀ କରାଯାଇଛି।
ସମ୍ବଲପୁରକୁ କେବେ ଶାନ୍ତି ଫେରିବ ସେନେଇ ସରକାର କି ପ୍ରଶାସନ ପାଖରେ ଉତ୍ତର ନାହିଁ। ନିଜକୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବୁଥିବା ନବୀନ ପଟ୍ଟନାୟକ ଏଥର ବି ଚୁପ୍ ଅଛନ୍ତି। ପଶ୍ଚିମ ଓଡ଼ିଶାରେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ କିଛି କହିବାର ଜରୁରୀ ଅଛି। ଅନ୍ୟ ସମୟରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ସାଢ଼େ ୪ କୋଟି ଲୋକ ମୋର ପରିବାର କହନ୍ତି। ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା ୧ କୋଟିରୁ ଊର୍ଦ୍ଧ୍ବ ଲୋକ କ’ଣ ନବୀନଙ୍କ ପରିବାର ନୁହେଁ କି? ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସମ୍ବଲପୁର ରାଜ୍ୟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସହର ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ଏବାବଦରେ ମୁହଁ ନଖୋଲିବା ଆଶ୍ଚର୍ଯ୍ୟର କଥା।
ସଂକଟରେ ନବୀନ ନୀରବ
ଅତୀତରେ ରାଜ୍ୟରେ ଯେତେସବୁ ଘଟଣା ଘଟିଛି, ବିରୋଧୀ ଦଳର ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଶୁଣିବାକୁ ଚାହିଁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଯେତେ ସଂକଟ ପରିସ୍ଥିତି ଆସିଲେ ମଧ୍ୟ କିଛି କୁହନ୍ତି ନାହିଁ। ତାହା ମମିତା ମେହେର ହତ୍ୟାକାଣ୍ଡ ହେଉ କି ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତଦେହ ଜେଲ ଭିତରୁ ଉଦ୍ଧାର ହେବା ଘଟଣା ହେଉ। ସେହିପରି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ଘଟଣାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲି ନଥିଲେ। ନବଦାସ ହତ୍ୟାକାଣ୍ଡକୁ ଅଢ଼େଇ ମାସ ପୂରିଥିଲେ ବି ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ସରକାର କେତେ ମଜବୁତ। ସମ୍ବଲପୁରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ବୁର୍ଲା ଭଳି ମେଡିକାଲ କଲେଜ ରହିଛି। ଏବେ ଏକ ସପ୍ତାହ ହେଲା ଲୋକେ ଆଶା ଓ ଆଶଙ୍କ ଭିତରେ ଜିଉଁଥିବା ବେଳେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଉପଯୁକ୍ତ ବ୍ୟବସ୍ଥା କରିପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଉଛି।
ସମ୍ବଲପୁରରେ ନିଆଁ
ସମ୍ବଲପୁରରେ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣା ପରେ ୧୨ ଓ ୧୬ ତାରିଖରେ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଛି। ତଅଁଳାପଡ଼ା ରାନୀବଗିଚାରେ ରବିବାର ଦିନ ପ୍ରାୟ ୧୦ଟାରେ ଜଣେ ବ୍ୟକ୍ତିଙ୍କ ଘର ଭଙ୍ଗାରୁଜା ତଥା ଜଳାପୋଡ଼ା ହୋଇଛି। ଏହାକୁ କେନ୍ଦ୍ରକରି ପୁଲିସ ପକ୍ଷରୁ ଉକ୍ତ ଅଂଚଳର ମହିଳାମାନଙ୍କ ଉପରେ ଲାଠିଚଳନା ବି ହୋଇଛି। ଗେଙ୍ଗୁଟିପାଲି ପାଖରେ ଥିବା ଏକ ବଡ଼ ଗ୍ୟାରେଜ୍ରେ ନିଆଁ ଲଗାଇ ଦିଆଯାଇଛି। ପୁଲିସ ଡିଜି ସୁନୀଲ କୁମାର ଶନିବାର ଓ ରବିବାର ସମ୍ବଲପୁରରେ ଡେରା ପକାଇଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ବଲପୁର ଆସି ସହରରେ ସ୍ବାଭାବିକତା ଫେରାଇବା ଲାଗି ପୁଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଘନ ଘନ ବୈଠକ କରିଛନ୍ତି। ସୋମବାର ଦିନ ଜଳାପୋଡ଼ା ଓ ପଥରମାଡ଼ ଘଟଣାରେ ୩ ଜଣ ଲେଖାଏଁ ଗିରଫ କରାଯାଇଥିବା କୁହାଯାଇଛି। ଏହାସହିତ ମୋଟ୍ ଗିରଫ ସଂଖ୍ୟା ୮୫ରେ ପହଂଚିଛି।
ସଂସଦରେ ଉଠିବ ସମ୍ବଲପୁର ପ୍ରସଙ୍ଗ!
ମାମଲା ସଂପର୍କରେ ଅଧିକ ଜାଣିବା ଓ ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବାକୁ ଚାହୁଁଥିବା ବିଜେପି ଟିମ୍କୁ ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ପୁଲିସ ରୋକିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ କୁସୁମ ଟେଟେ, ଶଙ୍କର ଓରାମ, ପୂର୍ବତନ ମନ୍ତ୍ରୀ କେଭି ସିଂଦେଓ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସମ୍ବଲପୁର ସହରକୁ ପ୍ରବେଶ ଦିଆଯାଇ ନାହିଁ। ଏନେଇ ମନମୋହନ ସାମଲ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ନବୀନ ବାବୁ ବିଜେପିର ଛାଇକୁ ଡରିଲେଣି। ସୁରେଶ ପୂଜାରୀ କହିଛନ୍ତି ସେ ଏହି ପ୍ରସଙ୍ଗ ସଂସଦରେ ଉଠାଇବେ।