ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ-୨୦୨୪ ସୋମବାର ଆରମ୍ଭ ହୋଇଛି। ଏହା ହେଉଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ। ପ୍ରଥମେ ରାଜ୍ୟପାଳ ମାନ୍ୟବର ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ପରମ୍ପରା ଅନୁଯାୟୀ ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭା ଗୃହକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ପୂର୍ବାହ୍ଣ ଠିକ୍ ୧୧ ଟା ସମୟରେ ବିଧାନସଭାରେ ଅଭିଭାଷଣ ଆରମ୍ଭ କରିଥିଲେ। ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଥିଲେ। ପୂରା ୧ ଘଣ୍ଟା ୫୮ ମିନିଟ୍ ର ନିଜର ଅଭିଭାଷଣ ରଖିଥିଲେ। ରାଜ୍ୟପାଳ ରଘୁବର ଦାସ ନିଜର ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ବ୍ୟୟ ଅନୁସାରେ ବ୍ୟବସ୍ଥାକୁ ନେଇ ବିରୋଧୀ ଓ ସଚେତନ ନାଗରିକା ଏହି ପ୍ରକଳ୍ପକୁ ତୀବ୍ର ନିନ୍ଦା କରୁଥିବା ବେଳେ ୮୦୦ କୋଟି ବ୍ୟୟରେ ନିର୍ମିତ ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ସେମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଇଛି ବୋଲି ରାଜ୍ୟପାଳ କହିଥିଲେ। ୨୦୦ କୋଟି ଟଙ୍କା ଖର୍ଚ୍ଚରେ ମା’ ସମଲେଇ ମନ୍ଦିରର ନବକଳେବର ଓ ୨୮୦ କୋଟି ଟଙ୍କା ଖର୍ଚ୍ଚରେ ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ବିକାଶ କଥାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ଆମ ଓଡ଼ିଶା, ନବୀନ ଓଡ଼ିଶା ଏକ ଅନନ୍ୟ ପଦକ୍ଷେପ। ରାଜ୍ୟ ସରକାର ଗ୍ରାମୀଣ ଓଡ଼ିଶାର ଦ୍ରୁତ ବିକାଶ ଓ ଗ୍ରାମାଞ୍ଚଳର ଅଭିବୃଦ୍ଧି ପାଇଁ ବିକାଶମୂଳକ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଗ୍ରାମୀଣ ବିକାଶ ସହ ଇଣ୍ଟରନେଟ ସୁବିଧା, ଡିଜିଟାଲ ସୁବିଧା, ସଂସ୍କୃତିର ପ୍ରଚାର ପ୍ରସାର ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର। ନୂଆ-ଓ ଯୁବ ସମ୍ପୃକ୍ତିକରଣ ତଥା ସଶକ୍ତିକରଣ ଦିଗରେ ଏକ ଯୁଗାନ୍ତକାରୀ ଅଭିଯାନ। ବିଦେଶରେ ଓଡ଼ିଶା ଭାଷାକୁ ଅଧିକ ସୁଦୂର ପ୍ରସାରୀ କରିବାକୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି। ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କରି ଓଡ଼ିଆ ଭାଷା ସାହିତ୍ୟକୁ ଆହୁରି ରୁଦ୍ଧିମନ୍ତ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ବାସ୍ତବରେ ପ୍ରଂଶସନୀୟ। ୫-ଟି ଓ ମୋ ସରକାର ପ୍ରଶାସନିକ ଦିଗରେ ଏକ ନୂତନ ଯୁଗ ଆରମ୍ଭ କରିଛି। ଏହାଦ୍ୱାରା ସରକାର ଓ ଲୋକଙ୍କ ମଧ୍ୟରେ ଦୂରତା କମିଛି। ମହିଳା ସଶକ୍ତୀକରଣ, ସ୍କୁଲ ରୂପାନ୍ତରଣ, ପୁଞ୍ଜି ନିବେଶ, ଖାଦ୍ୟ ସୁରକ୍ଷା, ଯୁବବର୍ଗଙ୍କୁ ଦକ୍ଷ କରିବା ଦିଗରେ ସରକାର କାର୍ଯ୍ୟ କରୁଛି ବୋଲି ରାଜ୍ୟପାଳ କହିଥିଲେ।
ବିଭିନ୍ନ ବିଭାଗକୁ ପ୍ରଶଂସା
ସେହିପରି ରାଜ୍ୟପାଳ ଓଡ଼ିଶାର ଖାଦ୍ୟଶସ୍ୟ ଉତ୍ପାଦନ, ଆଧୁନିକ କୃଷି ପଦ୍ଧତି ଦ୍ୱାରା କୃଷିକ୍ଷେତ୍ର, ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍, ମିଲେଟ ମିସନ, କାଳିଆ ଯୋଜନା, ଆଇନ ଶୃଙ୍ଖଳା ପରିସ୍ଥିତି, ସାମରିକ ଏବଂ ପ୍ରଶାସନିକ ପ୍ରତିକ୍ରିୟା, ନୂତନ, ଉନ୍ନତ ଅଭିଳାଷ, ଭୁବନେଶ୍ୱର ମେଟ୍ରୋ ରେଳ, ଶିକ୍ଷା, ସ୍ବାସ୍ଥ୍ୟ, ଆଇଟି, ଇଲେକ୍ଟ୍ରୋନିକ୍ସ କମ୍ପାନି ଏବଂ ବୃତିଗତ ସେବା ସଂସ୍ଥା, ଶିଶୁ ମୃତ୍ୟୁ ହାର, ପୁଞ୍ଜି ନିବେଶ, ରୋଜଗାର, ବେକାରୀ ଦୂରୀକରଣ ଆଦିକୁ ପ୍ରଶଂସା କରିଥିଲେ।
କକ୍ଷତ୍ୟାଗ କଲା କଂଗ୍ରେସ
ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ ପ୍ରତିବାଦରେ କଂଗ୍ରେସ କକ୍ଷତ୍ୟାଗ କରିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟପାଳଙ୍କ ଅଭିଭାଷଣର ପ୍ରତିବାଦ ଜଣାଇଥିଲେ। ସେ କହିଥିଲେ ଯେ,, ପୂର୍ବରୁ ରାଜା ମହାରାଜାମାନେ ପ୍ରଶଂସା ଶୁଣିବା ପାଇଁ ପାଟ ନିଯୁକ୍ତି କରୁଥିଲେ। ସେପରି ଆଜିର ଦିନରେ ଓଡ଼ିଶା ସରକାର ରାଜ୍ୟପାଳଙ୍କୁ ସେପରି ବ୍ୟବହାର କରୁଛି। ଏହା ଦୁଃଖ ଦାୟକ। ଆମେ ଏହାକୁ ପ୍ରତିବାଦ କରି କକ୍ଷ ତ୍ୟାଗ କରିଥିଲୁ।
ରାଜ୍ୟର ମୁଣ୍ଡପିଛା ଆୟ କେତେ?
ବଜେଟ୍ ଅଧିବେଶନର ଆରମ୍ଭରେ ରାଜ୍ୟ ସରକାର ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି କହିଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଲୋକେ କେମିତି ଅଛନ୍ତି, ତାହା ଜାଣୁ ନାହାନ୍ତି। କେବଳ କାଗଜପତ୍ରରେ ବିକାଶ ଚାଲିଛି। ଯଦି ପ୍ରକୃତରେ ରାଜ୍ୟର ମୁଣ୍ଡପିଛା ଆୟ ଦେଢ଼ ଲକ୍ଷ ହୁଅନ୍ତା ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଯାଇ ନଥାନ୍ତେ। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକଙ୍କ ତେଲେଙ୍ଗାନାରେ ମୃତ୍ୟୁ ହୋଇ ନଥାନ୍ତା। କାହ୍ନୁ ମଲ୍ଲିକ ଓ ପତ୍ନୀ ଲକ୍ଷ୍ମୀପ୍ରିୟା ମଲ୍ଲିକ ପୁଅଝିଅଙ୍କୁ ନେଇ ତେଲେଙ୍ଗାନାକୁ ଇଟା ଗଢ଼ିବାକୁ ଯାଇଥିଲେ। ପୂର୍ବରୁ ସେମାନେ କାମ କରିବା ପାଇଁ ୮୦,୦୦୦ ଟଙ୍କା ବଇନା ନେଇଥିଲେ। ସେଠାରେ ପହଞ୍ଚିବା ପରେ ଇଟାଭାଟି ମାଲିକ ଟଙ୍କା ଅସୁଲ କରିବା ପାଇଁ ହାଡ଼ ଭଙ୍ଗା ପରିଶ୍ରମ କରାଇଥିଲା। କିଛି ଦିନ ପରେ କାହ୍ନୁଙ୍କ ଦେହ ଅସୁସ୍ଥ ହୋଇଥିବା ବେଳେ ଭାଟି ମାଲିକ ଛାଡ଼ି ନଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଭାଟି ମାଲିକ ଏକ ଗାଡ଼ି ଯୋଗେ କାହ୍ନୁଙ୍କୁ ଘରକୁ ପଠାଇ ଦେଇଥିଲା। ଘରେ ପହଞ୍ଚିବା ପରେ କାହ୍ନୁଙ୍କ ମୃତ୍ୟୁ ହୋଇଥିଲା। ତେବେ କାହ୍ନୁଙ୍କ ସହ ତାଙ୍କ ସ୍ତ୍ରୀ ଓ ତାଙ୍କ ଦୁଇ ଛୁଆ ଘରକୁ ଆସିଥିବା ବେଳେ ଟଙ୍କା ପାଇଁ ଇଟାଭାଟି ମାଲିକ ସେଠାରେ ଝିଅ ଅଙ୍କିତା ମଲ୍ଲିକକୁ ବନ୍ଧକ ରଖିଥିବା ଜଣାପଡ଼ିଛି। କାହ୍ନୁଙ୍କ ପରିବାରର ବାର୍ଷିକ ଆୟ ଯଦି ସାଢ଼େ ୪ଲକ୍ଷ ଟଙ୍କା ହୋଇଥାନ୍ତା, ସୋମନେ ତେଲେଙ୍ଗାନା ଯାଇଥାନ୍ତେ କି? ରାଜ୍ୟ ସରକାର ଏହି ଲଜ୍ଜାଜନକ ଘଟଣା ସଂପର୍କରେ ଅବଗତ ନହୋଇ ମୁଣ୍ଡପିଛା ଆୟ କଥା ପ୍ରଚାର କରୁଛନ୍ତି।
ଆବାସ ପାଇଁ ନିବେଦନ କରିଥିଲେ ମହିଳା
ଓଡ଼ିଶାର ରାଜ୍ୟପାଳ ହେବା ପରେ ରଘୁବର ଦାସ ଏହାରି ମଧ୍ୟରେ କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ଯାଜପୁର, ବାଲେଶ୍ବର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ ଗସ୍ତ କରିସାରିଛନ୍ତି। ଗସ୍ତ ସମୟରେ ସେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ମିସନ ଶକ୍ତି କାଫେ, ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ବିଦ୍ୟାଳୟ ଆଦି ପରିଦର୍ଶନ କରିଛନ୍ତି। ସେହିପରି ଏସ୍ଏଚ୍ଜି ମହିଳା ଗ୍ରୁପ୍, ବୟସ୍କ ବ୍ୟକ୍ତି ଓ ସ୍କୁଲପିଲାଙ୍କୁ ଭେଟି ଅଭାବ ଅସୁବିଧା କରିଛନ୍ତି। ସମସ୍ୟାର ସମାଧାନ କରିଛନ୍ତି। ଗତମାସ ୨୧ ତାରିଖରେ ରାଜ୍ୟପାଳ ଶ୍ରୀ ଦାସ ଯେତେବେଳେ ଯାଜପୁର ଜିଲା ଗସ୍ତରେ ଯାଇଥିଲେ, ରାସ୍ତାରେ ଯାଉଥିବାବେଳେ ଜଣେ ଅସହାୟ ମହିଳାଙ୍କ କଥାରେ ଅଟକି ଯାଇଥିଲେ। ମହିଳା ଜଣକ ପକା ଘର ପାଇଁ ରାଜ୍ୟପାଳଙ୍କ ହାତ ଧରି କାନ୍ଦି କାନ୍ଦି ଅନୁରୋଧ କରିଥିଲେ। ଏହି ସମୟରେ ରାଜ୍ୟପାଳ ସେହି ପରିବାରକୁ ୧ ଲକ୍ଷ ଟଙ୍କାଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି କେନ୍ଦ୍ରାପଡ଼ା ଗସ୍ତକାଳରେ ମଧ୍ୟ ଜଣେ ମହିଳାଙ୍କର ଗୁହାରି ଶୁଣି ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯିବାକୁ ନେଇ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ବ୍ୟାପକ ଅଭାବ ଅସୁବିଧା ଥିବା ବେଳେ ରାଜ୍ୟପାଳ ବଜେଟ ଅଭିଭାଷଣରେ ସରକାରଙ୍କୁ ସମସ୍ୟା ସଂପର୍କିତ ସୂଚନା ନଦେଇ କେବଳ ପ୍ରଶଂସାରେ ପୋତିଦେବା ବୁଦ୍ଧିଜୀବୀଙ୍କୁ ହତବାକ୍ କରିଛି।