ଯୋଜନା ପରେ ଯୋଜନା ଚାଲିଛି ଖର୍ଚ୍ଚ ମଧ୍ୟ ହେଉଛି କୋଟିକୋଟି ଟଙ୍କା । ହେଲେ ସୁଧୁରି ପାରୁନି ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଅବସ୍ଥା । ସାମାଜିକ ଅର୍ଥନୈତିକ ପରିବର୍ତ୍ତନ କେବଳ ସରକାରଙ୍କ ସ୍ଲୋଗାନ ରେ ହିଁ ସୀମିତ ହୋଇ ରହିଯାଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବୁଢୀଦର ପଞ୍ଚାୟତର ଲଖନାପଡା, ବିଜ୍ରାଦର ଓ ବେହେରାଗୁଡା ଗାଁ ସ୍ୱାଧିନତାର ୭୧ ବର୍ଷପରେ ମଧ୍ୟ ବିକାଶର ଆଲୋକ ଦେଖିପାରିନାହାନ୍ତି । । ଜୁନାଗଡ ବ୍ଲକ ଅନ୍ତର୍ଗତ ବୁଢୀଦର ପଞ୍ଚାୟତ ଦୁର୍ଗମ ଅଞ୍ଚଳ ର ଏହି ୩ଟିଗାଁ କୁ ଆଜି ଯାଏଁ ସବୁଦିନିଆ ରାସ୍ତା ତ ଦୁରର କଥା ପାଦଚଲା ରାସ୍ତା ଟିଏ ମଧ୍ୟ ତିଆରି ହୋଇ ପାରିନାହି । ସରକାରଙ୍କ ସବୁ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହି ଯାଇଛି । ଜୁନାଗଡ ବ୍ଲକ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ହୋଇଥିବାବେଳେ ବୁଢୀଦର ପଞ୍ଚାୟତରୁ ମାତ୍ର ୧୦କିମି ଦୁର ବଣ ପାହାଡ ମଧ୍ୟରେ ଲୁଚିରହି ଯାଇଛି ଏହି ତିନିଟି ଗାଁ । ଏହି ତିନିଟି ଗାଁର ସମସ୍ତେ ପ୍ରାୟ ଆଦିବାସୀ ହୋଇଥିବାବେଳେ ଲଖନାପଡାର ପ୍ରାୟ ଜନସଂଖ୍ୟା ୨୫୦ ଅଟନ୍ତି । ସେହିଭଳି ବିଜ୍ରାଦରଗାଁର ଜନସଂଖ୍ୟା ପ୍ରାୟ ୨୦୦ ଓ ବେହେରାଗୁଡା ଜନସଂଖ୍ୟା ପ୍ରାୟ ୧୫୦ ହୋଇଥିବାବେଳେ ସମସ୍ତେ ଗରୀବ ଶ୍ରେଣୀର ଅଧିବାସୀ ଅଟନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ଓ ପୋଡୁ ଚାଷ କରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ତିନି ଗାଁ ପାଇଁ ପାଣି ଏକ ମହୌଷଧି ପାଲଟିଛି । ଟୋପେ ପାଣି ପାଇଁ ଯେଉଁଠି ଲୋକେ ଡହଳ ବିକଳ ହେଉଥିବାବେଳେ ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟଜଳ, ମୋବାଇଲ ନେଟୱାର୍କ, ଖାଦ୍ୟ ନିରାପତ୍ତା ଭଳି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଅପହଞ୍ଚ ଅଟେ । ଏହି ଗାଁ ପାଇଁ ବିଜୁଳି ଆଲୁଅ ସାତ ସପନ । ସୁର୍ଯ୍ୟ ଦେବତା ହିଁ ଏମାନଙ୍କ ପାଇଁ ସାହା । ସଂଞ୍ଜ ନ ହେଉଣୁ ରାତ୍ରି ଭୋଜନ କରିନିଅନ୍ତି ଏମାନେ । ଗାଁ ସମସ୍ତ ପରିବାରକୁ ସରକାରୀ ଯୋଜନା ରେ କାମ ଯୋଗଇ ଦେବାକୁ ଜବ କାର୍ଡ ଦିଆଯାଇଛି । କେବଳ ଜବକାର୍ଡ ଦେଇ ସରକାର ପୁରାପୁରି ଭୁଲି ଯାଇଛନ୍ତି ସେମାନଙ୍କ ହାତକୁ କାମ ଦେବାକୁ । ୨୦୦୬-୦୭ ମସିହାରେ ଅଞ୍ଚଳବାସୀଙ୍କୁ ଜବକାର୍ଡ ଦିଆଯାଇଛି ହେଲେ ଆଜିକୁ ୧୨ବର୍ଷ ହେଲା ମନରେଗା ଯୋଜନାରେ କୌଣସି କାମ କରିନଥିବାବେଳେ ଜବକାର୍ଡରେ ମଧ୍ୟ ଉଲ୍ଲେଖ କରାଯାଇନାହିଁ । ଫଳରେ ଏହିଗାଁ ମାନଙ୍କରେ ମନରେଗା ଯୋଜନା ପ୍ରହସନ ପାଲଟିଛି । ଗମନା ଗମନ ସୁବିଧା ଅଭାବରୁ ଗାଁ କୁ ଆଜି ଯାଏଁ କୌଣସି ସରକାରୀ ବାବୁଙ୍କ ପାଦ ପଡିନାହି । ଗତ ୨୦୧୨-୧୩ ମସିହାରେ ଏହି ଲଖନାପଡାକୁ ତତ୍କାଳୀନ ଉପଜିଲ୍ଲାପାଳ ଗୌରୀ ପରାସର ଓ ତତ୍କାଳୀନ ବିଡିଓ ତ୍ରିଲୋଚନ ମହାନ୍ତି ଏହି ଗାଁରେ ପାଦଥାପି ଲୋକଙ୍କ ସମସ୍ୟା ବୁଝିଥିଲେ । ସ୍ୱାସ୍ଥ୍ୟ ସେବା କଣ ଏମାନେ ଜାଣି ନାହାନ୍ତି । ସାମାନ୍ୟ ରୋଗ ,ଜ୍ୱର ହେଲେ ଏମାନେ ଗୁଣିଗାରେଡି ଓ ଚେରିମୁଲି ହିଁ ଏମାନଙ୍କ ସାହା ଭରସା । ଚାରି ରୁ ପାଞ୍ଚ କିଲୋମିଟର ଜଙ୍ଗଲର ପାଦଚଲା ରାସ୍ତା ଥିବା ଯୋଗୁଁ କୌଣସି ଅଙ୍ଗନୱାଡି କିମ୍ବା ସ୍ୱାସ୍ଥ୍ୟ କର୍ମି ମଧ୍ୟ କେବେ କେମିତି ପାଦ ପକାନ୍ତି । ଯୋଜନା କଣ ଏସବୁ ବିଷୟରେ ଜାଣି ନାହାନ୍ତି ଏହି ଗାଁ ଲୋକେ । ସଚେତନତାର ଅଭାବ ଯୋଗୁଁ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥାନ୍ତି ଗ୍ରାମବାସୀମାନେ । । କେବେ କେବେ ଜଙ୍ଗଲି ରାସ୍ତାରେ ଭାର ସାହାଯ୍ୟରେ ଆଣୁଥିବାବେଳେ ରାସ୍ତାରେ ଗର୍ଭବତୀ କିମ୍ବା ପ୍ରସୁତି ମୃତ୍ୟୁ ବରଣ କରୁଥିବା ନେଇ ଗ୍ରାମବାସୀ ପ୍ରକଶ କରିଛନ୍ତି । ଅଞ୍ଚଳବାସୀଙ୍କୁ ଜଙ୍ଗଲଜମି ପଟ୍ଟା ନମିଳିବାରୁ ସରକାରଙ୍କ ମୋ କୁଡିଆ, ବିଜୁ ପକ୍କାଘର,ଇନ୍ଦିରାଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ଦୁର୍ଗମ ଅଞ୍ଚଳର ଅଧିବାସୀ ମାନେ ମୁଖ୍ୟତଃ ଗୁରୁଜି , ମାଣ୍ଡିଆ, କୋଶଲା, କାନ୍ଦୁଲ, ସହ ବଣର ଫଳ ମୁଳ କନ୍ଦା , ଛତି , କରଡି ପ୍ରଭୃତି ବନଜାତ ଦ୍ରବ୍ୟରେ ସେମାନେ ଭୋକ ମେଣ୍ଟାଉଛନ୍ତି । ସେହିଭଳି ବାଉଁଶରେ ଟୋପା, କୁଲା, ଚାଙ୍ଗୁଡି ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଆଦିବାସୀ ରହୁଥିବା ଲଖନପଡା, ବିଜ୍ରାଦର ଓ ବେହେରାଗୁଡା ଗାଁକୁ ଯିବାକୁ ହେଲେ ଜଙ୍ଗଲୀ ପଦଚଲା ମାଇଲ ମାଇଲ ବାଟହିଁ ଏକ ମାତ୍ର ଭରସା । ବାଟକୁ ଦେଖିଲେ ହିଁ ଜଣାପଡେ ସରକାରୀ ଯୋଜନା ସବୁ କେମିତି ପାହାଡ ତଳୁ ହିଁ ମୁହଁ ମୋଡି ଫେରି ଯାଇଛି । ଏତେ ସବୁ ଅସୁବିଧା ଲାଗି ରହିଥିବା ଏହି ଅପହଞ୍ଚ ଗାଁ ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି । ଗାଁର ମୌଳିକ ସୁବିଧା ସହିତ ବିକାଶ ଓ ସାମାଜିକ , ଆର୍ଥିକ ଦିଗରୁ ଗାଁ ଲୋକଙ୍କୁ ସ୍ୱାବଲମ୍ବୀ କରାଯିବାକୁ ଯୋଜନାରେ ବ୍ୟବସ୍ଥା କରାଯାଇଛି ହେଲେ ବିକାଶ ଦୁର୍ଗମ ଅଞ୍ଚଳରେ ଥିବା ଏହି ୩ଟିଗାଁର ମଣିଷ ମାନଙ୍କୁ ବଞ୍ଚିବାର କିଞ୍ଚିତ ସହାୟତା ମଧ୍ୟ ମିଳିନାହି । ଭବିଷ୍ୟତରେ କେବେ ମିଳିବ କି ନାହି ତାହାବି ସନ୍ଦେହ ଅଟେ । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ତିନିଗାଁ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।
Array
ସରକାରଙ୍କ ଦୃଷ୍ଟି ଅଢୁଆଳରେ ବୁଢୀଦର ପଞ୍ଚାୟତ ,ଯୋଜନା ବାଟବଣା, କାଗଜ କଲମରେ ଚାଲିଛି ସରକାରୀ ଯୋଜନା
RELATED ARTICLES