ଭୁବନେଶ୍ୱର: ଦିନକୁ ଦିନ ପ୍ରଶାସନିକ ବ୍ୟବସ୍ଥାରେ ରାଜ୍ୟବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର କାରଣ ହେଲା ଜନସାଧାରଣ ସରକାରୀ ବାବୁମାନଙ୍କ ଠାରୁ ଯେଭଳି ସହଯୋଗ ପାଇବା କଥା, ତାହା ମିଳିପାରୁ ନାହିଁ। ଅଧିକାଂଶ ସ୍ଥାନରେ ସରକାରୀବାବୁମାନେ ସାଧାରଣ ଲୋକଙ୍କୁ ହୀନ ଦୃଷ୍ଟିରେ ଦେଖୁଛନ୍ତି। ଅସହାୟ ବ୍ୟକ୍ତି ଯେଉଁ ଆଶା ନେଇ ସରକାରୀ କାର୍ଯ୍ୟଳୟକୁ ଧାଉଁଛି, ତାକୁ ଆଶାନୁସାରେ ସହଯୋଗ ମିଳିପାରୁ ନାହିଁ। ବାବୁମାନଙ୍କର ବ୍ୟବହାରରେ ଜନସାଧାରଣ ଅତିଷ୍ଠ ହୋଇଗଲେଣି କହିଲେ କିଛି ଭୁଲ ହେବନି। ସର୍ବସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୫-ଟି ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ସତ କିନ୍ତୁ କାର୍ଯ୍ୟାଳୟରେ ଏହାକୁ ବାବୁମାନେ ପାଳନ କରୁ ନଥିବା ଦୃଷ୍ଟିଗୋଚର ହେଉଛି।
ଜନସାଧାରଣଙ୍କୁ ଠିକ୍ ଭାବେ ସରକାରୀ ସୁବିଧା ଓ ସେବା ନ ମିଳିବା କାରଣରୁ ଅଶାନ୍ତି ସୃଷ୍ଟି ହେଉଛି। ଏହି ଅଶାନ୍ତି କାରଣରୁ ବିଭିନ୍ନ ସମୟରେ ହିଂସା ମଧ୍ୟ ଦେଖାଯାଉଛି। ଏପ୍ରିଲ ୨୫ ତାରିଖରେ ଗଂଜାମ ଜିଲ୍ଲାରେ ୨ ଜଣ ଆଇଆଇସିଙ୍କୁ ଜନସାଧାରଣ ଆକ୍ରମଣ କରିଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୨ ଜଣ ପୁଲିସ କର୍ମଚାରୀଙ୍କୁ ଲୋକେ ମାଡ଼ମାରିଛନ୍ତି। ଏପ୍ରିଲ ୨୬ ତାରିଖରେ ଗଂଜାମ ଜିଲ୍ଲା ଶିକ୍ଷାଅଧିକାରୀ ନିସ୍ତୁକ ମାଡ଼ ଖାଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭତ୍ତି କରାଯାଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ୩ ଜଣ ଅଧିକାରୀ ଓ ୨ ଜଣ କର୍ମଚାରୀ ମାଡ଼ ଖାଇବାକୁ ସୂଚନା ଦେଇଛି ଯେ, ପ୍ରଶାସନିକ ବ୍ୟବସ୍ଥା କେତେ ଦୋହଲି ସାରିଛି।
ଜିଲ୍ଲା ଶିକ୍ଷାଧିକାରୀ ଲହୁଲୁହାଣ
ଦରମା ବନ୍ଦ କରିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ଦମ୍ପତି ଜିଲ୍ଲା ଶିକ୍ଷାଧିକାରୀ ବନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହେବା ପରେ ଶ୍ରୀମତୀ ସେନାପତିଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ଜିଲ୍ଲାର ଜଣେ ଶିକ୍ଷୟିତ୍ରୀଙ୍କୁ ଦରମା ମିଳୁ ନଥିଲା। ଦରମା ପାଇବା ପାଇଁ ସେ ଅନେକ ଥର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗୁହାରି କରଥିଲେ। କିନ୍ତୁ ଫଳ ଶୂନ୍ୟ ହୋଇଥିଲା। ଶେଷରେ ଶିକ୍ଷୟିତ୍ରୀ ଜଣକ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। କିନ୍ତୁ ଶ୍ରୀମତୀ ସେନାପତି ଏବାବଦରେ ଭୃକ୍ଷେପ କରି ନଥିଲେ। ପରେ ଶିକ୍ଷକ ଦଂପତ୍ତି ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ଯାଇ ଅଧିକାରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।
୨ ଆଇଆଇସିଙ୍କୁ ଛେଚିଲେ ଜନତା
ଗଞ୍ଜାମ ଜିଲ୍ଲାରେ ଗତ ୨୨ ତାରିଖରେ ଜଣେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ପିଟିପିଟି ହତ୍ୟା ଓ ପରେ ମୃତ ବ୍ୟକ୍ତିଙ୍କର ପ୍ରେମିକାଙ୍କ ଆତ୍ମହତ୍ୟା ଘଟଣାକୁ କେନ୍ଦ୍ର କରି ହିଂସା ଦେଖାଯାଇଥିଲା। ଉତ୍ତେଜିତ ଜନତା ହଂସପୁରରେ ଗଂଜାମ ଥାନା ଆଇଆଇସି ପି ସ୍ୱରୂପ କିଷାନ ଓ ଚମାଖଣ୍ଡି ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କୁ ଆକ୍ରମଣ କରିଥିଲେ। ଉତ୍ତେଜିତ ଜନତାଙ୍କ ଦାବି ଥିଲା ଯେ, ପୁଲିସ ହତ୍ୟାକାରଙ୍କୁ ତୁରନ୍ତ ଗିରଫ କରୁ। ଜନତାଙ୍କୁ ବୁଝାଇବାକୁ ଯାଇ ପୁଲିସ ଆକ୍ରମଣର ଶିକାର ହୋଇଥିଲା। ଗ୍ରାମବାସୀ ଏତେ ଉଗ୍ର ଥିଲେ ଯେ, ସେମାନେ ସାମ୍ବାଦିକଙ୍କୁ ମଧ୍ୟ ସହଜରେ ଛାଡ଼ି ନଥିଲେ। ସାମ୍ବାଦିକଙ୍କର ମୋବାଇଲ୍ ଓ କ୍ୟାମେରା ଛଡ଼ାଇ ନେଇଥିଲେ।
ବିଡିଓ-ପୁଲିସ ଗାଡ଼ି ଭାଙ୍ଗିଲା
ଗତ ୨୫ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ନୀଳଗିରି ବଜାର ଉପରେ ଜଣେ ମଦୁଆ ୨ ଜଣ ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛିି। କାହାଳିଆ ଅଞ୍ଚଳର ଯୁବକ ବିରା ଓରଫ୍ ସମୀର ପଣ୍ଡା ନୀଳଗିରି ସହର ଦୁର୍ଗା ମଣ୍ଡପ ଠାରେ ନିଶାସକ୍ତ ହୋଇ ଲୋକଙ୍କୁ ଗାଳିଗୁଲଜ କରୁଥିଲା। ସେହି ସମୟରେ ରାସ୍ତାରେ ଯାଉଥିବା ବିଡିଓଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲା। ଖବର ପାଇ ନୀଳଗିରି ପୁଲିସର ୨ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହେଲେ ମଦୁଆ ସମୀର ପୁଲିସକୁ ପିଟିବା ପାଇଁ ଗୋଡ଼ାଇଥିଲେ। ଏହା ସହିତ ପୁଲିସ ଗାଡ଼ିକୁ ବି ଭଙ୍ଗାରୁଜା କରିଥିଲେ। ଏତିକିରେ ମନ ଶାନ୍ତି ନହେବାରୁ ରାସ୍ତାରେ ଯିବାଆସିବା ଲୋକଙ୍କୁ ମଧ୍ୟ ସମୀର ଆକ୍ରମଣ କରିଥିଲା। ଉନ୍ମତ୍ତ ସମୀରକୁ ସ୍ଥାନୀୟ ଲୋକେ ଓ ପୁଲିସ କାବୁ କରି ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।