Monday, October 14, 2024
Homeସରଳ ମଣିଷଙ୍କ ସଫଳତା
Array

ସରଳ ମଣିଷଙ୍କ ସଫଳତା

ଭୁ‌ବନେଶ୍ବର: ଓଡ଼ିଶାର ସୁକନ୍ୟା ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଂଗପୁର ବ୍ଲକର ଏକ ଦୁର୍ଗମ ଗାଁରେ ଜନ୍ମଗ୍ରହଣ କରି ଜାତୀୟ ରାଜଧାନୀସ୍ଥିତ ରାଇସିନାରେ ପହଞ୍ଚିଛନ୍ତି। ଏକ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଦ୍ରୌପଦୀଙ୍କୁ ଜୀବନରେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ବି ଯେଉଁ ସମୟରେ ରାଜ୍ୟରେ ଗମନାଗମନ ବ୍ୟବସ୍ଥା ଅତି ଦୟନୀୟ ଥିଲା, ସେହି ସମୟରେ ଏକ ଦୁର୍ଗମ ଅଞ୍ଚଳରୁ ଭୁବନେଶ୍ବର ଆସି ପାଠ ପଢ଼ିବା ଅସାଧ୍ୟ କାମ ଥିଲା।

ଦ୍ରୌପଦୀ ନିଜ ଜୀବନରେ ସଂଘର୍ଷ କରି ଜାଣିଥିଲେ। ସମୟର ସ୍ରୋତରେ ସେ ଅନେକ କଷ୍ଟ ପାଇଥିଲେ ମଧ୍ୟ ହାରି ଯାଇ ନଥିଲେ, ଯେଉଁଥି ପାଇଁ ଆଜି ସେ ୧୪୦ କୋଟି ବସବାସ କରୁଥିବା ଦେଶର ପ୍ରଥମ ନାଗରିକ ହୋଇପାରିଛନ୍ତି। ଦ୍ରୌପଦୀ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବାରୁ ଶିକ୍ଷକ ହୋଇପାରିଥିଲେ। ତାଙ୍କର ଶିକ୍ଷା ମାଧ୍ୟମରେ ସେ ଅଭିଭାବକ ଓ ରାଇରଂଗପୁରରେ ଲୋକପ୍ରିୟତା ଅର୍ଜନ କରିପାରିଥିଲେ, ଯେଉଁଥି ପାଇଁ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। କାଉନସିଲ ହେବା ପରେ ସେ ଆଉ ପଛକୁ ଫେରି ନଥିଲେ। ସମୟ କ୍ରମେ ବିଧାୟକ ଓ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା। ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ରାଜ୍ୟପାଳ ଓ ଏବେ ଦେଶର ରାଷ୍ଟ୍ରପତି।  ଓଡ଼ିଶାବାସୀ ଓ ଆଦିବାସୀ ସଂପ୍ରଦାୟରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଗୌରବର କଥା। ଦ୍ରୌପଦୀଙ୍କ ଜୀବନ ସରଳ ଓ ନିଷ୍କପଟ। ଜଣେ ଭଲ ମଣିଷ ହିଁ, ଉପଯୁକ୍ତ ଆସନର ଅଧିକାରୀ ହୋଇପାରିଥାନ୍ତି, ଯାହାକି ଦ୍ରୌପଦୀଙ୍କ ଭାଗ୍ୟରେ ଜୁଟିଛି।

ବିନମ୍ରତାର ସହ ପ୍ରଣାମ

ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ସମ୍ବୋଧିତ କରିଛନ୍ତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବି ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି  ବୋଲି କହିଛନ୍ତି। ଆପଣମାନଙ୍କ ସ୍ନେହ, ଆସ୍ଥା ଓ ସମର୍ଥନ ମୋର କାର୍ଯ୍ୟ ଓ ଦାୟୀତ୍ୱ ନିର୍ବାହ କାଳରେ ବିରାଟ ଶକ୍ତି ଭାବେ କାର୍ଯ୍ୟ କରିବ । ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ତଥା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ମତେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି । ଏହା ଏକ ଅପୂର୍ବ ସଂଯୋଗ ଯେ ଦେଶ ଯେତେବେଳେ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିଲା ସେତେବେଳେ ମୋର ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା । ଆଉ ଆଜି ସ୍ୱାଧୀନତାର ୭୫ ବର୍ଷରେ ମୋତେ ନୂତନ ଦାୟିତ୍ୱ ନିର୍ବାହ କରିବାକୁ ସୁଯୋଗ ମିଳିଛି ।  

ମନେ ପକାଇଲେ ସଂଘର୍ଷ ଜୀବନ

ଦେଶର ପୂର୍ବଭାଗ ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ମୁଁ ମୋ ଜୀବନ ଯାତ୍ରା ଆରମ୍ଭ କରିଥିଲି । ଯେଉଁ ପୃଷ୍ଠଭୂମିରୁ ମୁଁ ଆସିଛି ସେଠାରେ ପ୍ରାଥମିକ ଶିକ୍ଷାଲାଭ କରିବା ଏକ ସ୍ୱପ୍ନଭଳି । ମାତ୍ର ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମୋ ସଂକଳ୍ପ ଦୃଢ଼ ଥିଲା ଓ ମୁଁ ଆମ ଗ୍ରାମର ପ୍ରଥମ ଝିଅ ଭାବେ କଲେଜରେ ପ୍ରବେଶ କଲି । ମୁଁ ଏକ ଆଦିବାସୀ ସମାଜରୁ ଆସିଛି । ଆମ ଗଣତନ୍ତ୍ରର ଶକ୍ତି ପ୍ରତି ଏହା ହେଉଛି ଶ୍ରଦ୍ଧାଞ୍ଜଳି ଯେ ଗରିବ ଘରେ ତଥା ଦୁର୍ଗମ ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇଥିବା ଜଣେ ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବି ଅଳଙ୍କୃତ କରିପାରିଛି । ରାଷ୍ଟ୍ରପତି ପଦରେ ଆସୀନ ହେବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ପ୍ରତ୍ୟେକ ଗରିବ ବ୍ୟକ୍ତିର ସଫଳତା । ଯେଉଁମାନେ ଶହ ଶହ ବର୍ଷ ଧରି ବଞ୍ଚିତ ଓ ଯେଉଁମାନେ ବିକାଶର ସୁଫଳ ପାଇନାହାନ୍ତି ସେହି ଗରିବ, ଦଳିତ, ଅନଗ୍ରସର ଓ ଆଦିବାସୀମାନେ ମୋ ମଧ୍ୟରେ ସେମାନଙ୍କ ପ୍ରତିଛବି ଦେଖିପାରୁଥିବେ । ମୋର ଏହି ନିର୍ବାଚନ ପଛରେ ଦେଶର ଗରିବମାନଙ୍କ ଆଶୀର୍ବାଦ ରହିଛି । ଦେଶର କୋଟି କୋଟି ମହିଳା ଓ ଝିଅମାନଙ୍କ ସ୍ୱପ୍ନ ଓ ସାମର୍ଥ୍ୟରେ ଏହା ପ୍ରତିଫଳିତ ହୋଇଛି ।      

 ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି

ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମତେ ଜଣେ ଶିକ୍ଷକ ହିସାବରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ଅଳ୍ପକିଛି ଦିନ ପରେ ଆମେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରିବା । ଶ୍ରୀ ଅରବିନ୍ଦଙ୍କ ଶିକ୍ଷା ଦର୍ଶନ ମତେ ଉତ୍ସାହିତ କରିଛି । ଶିକ୍ଷା ଅନୁଷ୍ଠାନ ଗୁଡିକ ସହ ମୋର ସକ୍ରିୟ ସହଯୋଗ ରହିଛି । ବିଭିନ୍ନ ପଦପଦବିରେ ଜନ ପ୍ରତିନିଧି ଭାବେ ଓ ପରେ ରାଜ୍ୟପାଳ ଭାବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ କାର୍ଯ୍ୟ କରିଛି । ଦେଶର ଯୁବଶକ୍ତିର ଉତ୍ସାହ ଓ ଆତ୍ମବିଶ୍ୱାସକୁ ଅତି ନିକଟରୁ ଅନୁଭବ କରିଛି ।  ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି । ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବୁଝିଛି । ଆମେ ଦରକାରୀ ସମ୍ବଳ ପ୍ରକୃତିରୁ ନେଉ ଓ ସମ ପରିମାଣରେ ପ୍ରକୃତି ଉପାସନା କରୁ । ଏହି ସମ୍ବେଦନଶୀଳତା ଆଜି ବିଶ୍ୱ ପାଇଁ ଅତ୍ୟାବଶ୍ୟକ ହୋଇପଡିଛି ।

ଜଗତ ଉଦ୍ଧାର ହେଉ

ଆଜି ପର୍ଯ୍ୟନ୍ତ ମୁଁ ମୋ ଜୀବନରେ ଜୀବନକୁ ଜନସେବା ମାଧ୍ୟମରେ ଜାଣିଛି । ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ପ୍ରସିଦ୍ଧ କବି ଭୀମଭୋଇଙ୍କ ଏକ କବିତା ଅଛି “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।” ନିଜ ସ୍ୱାର୍ଥଠାରୁ ଜଗତ କଲ୍ୟାଣ କାହିଁ କେତେ ଗୁଣରେ ମହାନ । ବିଶ୍ୱ କଲ୍ୟାଣର ଏହି ଉତ୍ସାହ ସହ ମୁଁ ଆପଣମାନଙ୍କ ଆସ୍ଥା ଭାଜନ ହୋଇ ସମ୍ପୂର୍ଣ୍ଣ ଉତ୍ସାହୀ ଓ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବି । ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଉତ୍ସର୍ଗୀକୃତ ମନୋଭାବ ସହ କର୍ତ୍ତବ୍ୟ ପଥରେ ଆଗେଇ ଏକ ଗୌରବମୟ ଓ ଆତ୍ମନିର୍ଭର ଭାରତ ଗଠନ କରିବା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments