ଭୁବନେଶ୍ୱର: ୨୦୧୯ ଡିସେମ୍ବର ମାସ ଠାରୁ କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଛି । ବିଗତ ୨ ବର୍ଷ ମଧ୍ୟରେ କରୋନାର ଏକାଧିକ ଲହର ଯୋଗୁଁ ବିଶ୍ୱବାସୀ ଭାରି କ୍ଷୟକ୍ଷତିର ସାମ୍ନା କରିଛନ୍ତି । ସରକାରୀ ଭାବେ ୬୦ ଲକ୍ଷରୁ ଅଧିକ ଲୋକ କରୋନା ଯୋଗୁଁ ପ୍ରାଣ ହାରିସାରିଛନ୍ତି । ସଂକ୍ରମଣରେ ୪୫ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଲକ୍ଷ ଲକ୍ଷ ପରିବାର ଉଡୁଛି ଯାଇଛି । ସେହିଭଳି ଲକ୍ଷ ଲକ୍ଷ ଶିଶୁ ଅନାଥ ହୋଇଯାଇଛନ୍ତି । ବିକଶିତ ରାଷ୍ଟ୍ର ଗୁଡ଼ିକ ମଧ୍ୟ କରୋନାକୁ ମୁକାବିଲା କରିପାରି ନାହାନ୍ତି ।
କରୋନ ଯୋଗୁଁ ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ଅଧିକ କ୍ଷୟକ୍ଷତି ହୋଇଛି । ଚଳିତ ବର୍ଷ ଆମେ ଅଢ଼େଇ ମାସ ବିତାଇ ସାରିଛେ । ଏପର୍ଯ୍ୟନ୍ତ ସଂକ୍ରମଣ ନିୟନ୍ତ୍ରଣରେ ଥିଲା ଭଳି ଲାଗୁଛି । କାରଣ ଏହି ସମୟ ମଧ୍ୟରେ କରୋନାର କୌଣସି ବଡ଼ ଲହର ଆସିନାହିଁ ବୋଲି ଚିକିତ୍ସକ ଓ ଗବେଷକମାନେ କହୁଛନ୍ତି । କିନ୍ତୁ ସଂପୂର୍ଣ୍ଣ ଭାବେ କୁହାଯାଇ ପାରିବ ନାହିଁ ଯେ, ବିପତ୍ତିର ସମୟ ଅତିକ୍ରାନ୍ତ ହୋଇସାରିଛି । କାରଣ ହେଲା କରୋନାକୁ ମୁକାବିଲା କରିବା ପାଇଁ ଆମ ପାଖରେ ଔଷଧ ନାହିଁ କି, ସଂକ୍ରମଣ ବିନାଶ କରିବା ଲାଗି ଶକ୍ତିଶାଳୀ ଟିକା ମଧ୍ୟ ଉତ୍ପାଦନ ହୋଇନାହିଁ । କେବଳ ମନକୁ ବୁଝାଇବା ପାଇଁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଟିକାର ସାହାର ନେଉଛେ ।
ଘୋଷଣାକୁ ଅପେକ୍ଷା
ମହାମାରୀ କରୋନାର ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଏବାବଦରେ ବିଶେଷଜ୍ଞମାନଙ୍କ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ କଥାବାର୍ତ୍ତା କରୁଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ କରୋନା ମହାମାରୀ ଶେଷ ହୋଇଗଲା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିବାକୁ ତର୍ଜମା କରୁଛି । ଯଦିଓ ସଂଗଠନ ପକ୍ଷରୁ ଏହି ଘୋଷଣା କରାଯାଏ, ତଥାପି ପୂରା ବିଶ୍ୱରେ ଏହାର ପ୍ରଭାବ କ’ଣ ରହିବ ସେ ନେଇ ସମସ୍ତଙ୍କର ଚିନ୍ତା ରହିବା ସୁନିଶ୍ଚିତ ।
କରେନା ନେଇ ଚାଲିଛି ସମୀକ୍ଷା
ଅନ୍ୟପଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ‘ମହାମାରୀର ଅନ୍ତ’ର ଘୋଷଣା ତୁରନ୍ତ କରାଯିବା ନେଇ ବିଚାର କରାଯାଉନାହିଁ । ବିଶ୍ୱର ଅଧିକାଂଶ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିଛି । କିନ୍ତୁ ଚୀନ ସମେତ ହଙ୍ଗକଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହଙ୍ଗକଙ୍ଗରେ ମୃତ୍ୟୁ ଦର ବଢ଼ିଛି । ଜର୍ମାନୀରେ ଏବେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଥିବା ବେଳେ ଚୀନରେ ୨ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ସପ୍ତାହରେ ୧୦୦୦ରୁ ଅଧିକ ଦୈନିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, କୋଭିଡ-୧୯ ଉପରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିନିୟମ ଜରୁରୀକାଳୀନ ସମିତି ମହାମାରୀ ଶେଷ ଘୋଷିତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ।
ସାଂଘାଇରେ ସ୍କୁଲ କଲେଜ ବନ୍ଦ
ଭାରତରେ ଏବେ ଦୈନିକ ସଂକ୍ରମଣ ୪ ହଜାର ତଳକୁ ରହିଛି । ରବିବାର ୩୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ୬୭୬ ଦିନରେ ସବୁଠାରୁ କମ୍ ସଂକ୍ରମିତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୦.୦୯ ପ୍ରତିଶତ । ସୁସ୍ଥ ଆକ୍ରାନ୍ତଙ୍କ ହାର ୯୮.୭୧ ପ୍ରତିଶତ । ଅନ୍ୟପଟରେ କରୋନାର ଉତ୍ପତିସ୍ଥଳ କୁହାଯାଉଥିବା ଚୀନରେ ରବିବାର ୨ ବର୍ଷ ପରେ ପ୍ରଥମ ଥର ପାଇଁ ୩୩୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାଂଘାଇରେ ସ୍କୁଲ କଲେଜ ବନ୍ଦ କରିଦିଆଯାଇଥିବା ବେଳେ ଅନେକ ସହରରେ ପୁଣି ଥରେ ଲକଡାଉନ୍ ଆରମ୍ଭ ହୋଇଯାଇଛି ।